ଅମିତ ଶାହାଙ୍କ ପାଖରେ ମହିଳା ସଶକ୍ତିକରଣ କଥା ଶୁଣିବାକୁ ସମୟ ନାହିଁ

ଭୁବନେଶ୍ୱର(ଓଟି): ରାଜ୍ୟରେ ଓ କେନ୍ଦ୍ରରେ କୁଆଡେ ମହିଳାଙ୍କ ପାଇଁ ବିଜେପି ନେତାଙ୍କ ଅନ୍ତର କାନ୍ଦୁଛି। ରାଜ୍ୟରେ ବିଜେଡି ସରକାର ଅମଳରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ରାଜ୍ୟ ସରକାର ନିରବଦ୍ରଷ୍ଟା ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି। ମହିଳାଙ୍କ ପାଇଁ ଏହି ଦରଦୀ ଦଳର ମୁଖିଆଙ୍କ ପାଖରେ କିନ୍ତୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ନାହିଁ।

ମହିଳାଙ୍କୁ ରାଜନୀତି ଏବଂ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନ ପ୍ରକ୍ରିୟାରେ ସାମିଲ କରିବାକୁ ଓଡିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ସପକ୍ଷରେ ସାରା ଦେଶରେ ଜନମତ ସୃଷ୍ଟି କରିବାକୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଭିନ୍ନ ଭିନ୍ନ ଟିମ ଭିନ୍ନ ଭିନ୍ନ ଜାତୀୟ ଓ ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ବିଜେଡି ପକ୍ଷରୁ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସମୟ ମଗାଯାଇଛି। କିନ୍ତୁ ତାଙ୍କୁ ସମୟ ମିଳୁନି।

ଏଭିତରେ ବିଜେଡିର ବରିଷ୍ଠ ନେତାମାନେ ଏନସିପି ମୁଖ୍ୟ, ଟିଆରଏସ, ଟିଡିପି, ଅକାଳି ଦଳ, ସମାଜବାଦୀ ପାର୍ଟି, କଂଗ୍ରେସ, ବାମ ଦଳ, ତୃଣମୂଳ କଂଗ୍ରେସ, ଏଆଇଏଡିଏମକେ, ଡିଏମକେ, ଜେଡିୟୁ ଆଦି ଦଳର ମୁଖ୍ୟମାନଙ୍କୁ ଭେଟି ସାରିଲେଣି। ସବୁ ଦଳ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ ସ୍ବାଗତ କରିବା ସହ ସଂସଦରେ ଏ ସଂପର୍କିତ ବିଲ ଆସିଲେ ସମର୍ଥନର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଡିଏମକେ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ, ଅକାଳି ଦଳ ସମସ୍ତେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାରାଷ୍ଟ୍ର ପରି କିଛି ରାଜ୍ୟ ଏବେ ବି ସେମାନଙ୍କ ରାଜ୍ୟରେ ସ୍ବାୟତ୍ତ ଶାସନ ସଂସ୍ଥାରେ ୩୩ ପ୍ରତିଶତ ବା ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିଛନ୍ତି।

ଏହା ବିଜେପିର ମହିଳାଙ୍କ ପ୍ରତି ଥିବା ଦରଦକୁ ସୂଚାଉଛି ବୋଲି ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ବିଜେପି ନେତାମାନେ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟରେ ରାଜନୀତି କରୁଥିବା ବେଳେ ତାଙ୍କ ଦଳର ସର୍ବୋଚ୍ଚ ନେତାଙ୍କ ପାଖରେ ମହିଳା ସଶକ୍ତିକରଣ ସଂପର୍କିତ ପ୍ରସ୍ତାବ ଶୁଣିବାକୁ ସମୟ ନାହିଁ। ଏହା ହିଁ ଏହି ଜାତୀୟ ଦଳର ଚରିତ୍ର ବୋଲି ସେ କହିଛନ୍ତି।

Leave a Reply

Your email address will not be published.