୭ରୁ ୫ବିଜେଡି ମହିଳା ଲୋକସଭା ପ୍ରାର୍ଥୀ ବିଜୟୀ

ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ବିଜେଡିକୁ ମିଳିଛି। ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ। ୨୧ ଲୋକସଭା ଆସନରେ ବିଜେଡି ୭ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୫ଟି ଆସନରେ ସଫଳତା ପାଇଛି ଦଳ।

ଆସ୍କାରୁ ବିପୁଳ ଭୋଟରେ ବିଜୟ ଲାଭ କରି ସ୍ୱୟଂ ସହାୟକ ଗୋଷ୍ଠୀର ମାଆର ପରିଚୟରୁ ସାଂସଦ ବନିବାକୁ ଯାଉଛନ୍ତି ପ୍ରମିଳା ବିଶୋୟୀ। କଂଗ୍ରେସ-ସିପିଆଇ ମେଣ୍ଟର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଓ ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ବହୁ ପଛରେ ଛାଡି ବାଜି ଜିତି ନେଇଛନ୍ତି ପ୍ରମିଳା।

ତର୍ତ୍ତୋଲରୁ ବିଧାୟକ ରହିଥିବା ରାଜଶ୍ରୀଙ୍କୁ ଜଗତସିଂହପୁରର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା ବିଜେଡି। ତେବେ ବିଜେଡ଼ି ସୁପ୍ରିମୋଙ୍କୁ ନିରାଶ କରିନାହାନ୍ତି ରାଜଶ୍ରୀ ମଲ୍ଲିକ। ବିଜେପି ପ୍ରାର୍ଥୀ ବିଭୁ ତରାଇଙ୍କୁ ୨୭୧୬୫୫ ଭୋଟରେ ହରାଇ ଗଡ଼ ରକ୍ଷା କରିଛନ୍ତି।

ଜଣେ ପ୍ରଶାସିକାରୁ ନେତ୍ରୀ ପାଲଟିଥିବା ଶର୍ମିଷ୍ଠାଙ୍କ ପାଇଁ ଏବେ ସଂସଦକୁ ଯିବା ବାଟ ପରିଷ୍କାର ହୋଇଛି। ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜେପି ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକଙ୍କୁ ୧୦୧୬୯୩ ଭୋଟ୍‌ ବ୍ୟବଧାନରେ ପରାଜିତ କରିଛନ୍ତି।

ଇଞ୍ଜିନିୟରିଂ ଛାତ୍ରୀରୁ ରାଜନୀତିକୁ ଡେଇଁଥିଲେ ଚନ୍ଦ୍ରାଣୀ ମୁର୍ମୁ। କେନ୍ଦୁଝର ଲୋକସଭା ଆସନରେ ତାଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ପ୍ରାର୍ଥୀ କରିଥିଲା। ସୁପ୍ରିମୋଙ୍କ ନିଷ୍ପତିକୁ ଠିକ୍‌ ପ୍ରମାଣ କରି ରାଜନୈତିକ ରଣକ୍ଷେତ୍ରରେ ସଫଳ ହୋଇଛନ୍ତି ଚନ୍ଦ୍ରାଣୀ।

ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତାଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା ଯ ବିଜେଡି ନେତା ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳ ମଧ୍ୟ ନିଜ ପ୍ରତୀଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଠାରୁ ୨୮୮୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published.