ବିଜୁ ଯୁବ ବାହିନୀ ସଂଯୋଜକଙ୍କ ଭତ୍ତା ବନ୍ଦ

ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ରାଜ୍ୟର ୩୦ଟି ଜିଲାରେ ରାଜ୍ୟରେ ଗଠନ ହୋଇଥିବା ବିଜୁ ଯୁବବାହିନୀ ଭୋଟ ପରେ ବନ୍ଦ ହୋଇଯାଇଛି। ଭୋଟ ସରିଲା ପରେ ବିଜୁ ଯୁବବାହିନୀ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଏବେ ସତରେ ପରିଣତ ହେବାକୁ ଯାଉଛି। ଯୁବବାହିନୀରେ ଯୋଡି ହୋଇଥିବା ସ୍ବେଚ୍ଛାସେବୀମାନଙ୍କୁ ବିଗତ ୪ ମାସ ଧରି ପାରିତୋଷିକ ଦିଆନଯିବାରୁ ଏହାକୁ ନେଇ ସାରା ରାଜ୍ୟରେ ଯୁବବାହିନୀ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି।

ହଠାତ କୌଣସି କାରଣ ନଥାଇ ଯୁବବାହିନୀର କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯିବା ପଛରେ ସରକାରଙ୍କ ସୁଚିନ୍ତିତ ଯୋଜନା ବୋଲି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ କ୍ରୀଡ଼ା ବିଭାଗ ଖଣ୍ଡନ କରୁଥିବା ବେଳେ କେଉଁ କାରଣରୁ ଏଭଳି ପରିସ୍ଥିତି ହୋଇଛି ତାହା ଉପରେ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ଅର୍ଥ ପରାମର୍ଶଦାତା କହିଛନ୍ତି।

ବିଜୁ ଯୁବବାହିନୀ ଯୋଜନାର ଭବିଷ୍ୟତକୁ ନେଇ ପ୍ରଥମରୁ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ନିର୍ବାଚନ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବାରେ ଲାଗିଛି। ୨୦୧୮ ମସିହାରେ ରାଜ୍ୟର ୩୦ଟି ଜିଲାରେ ବିଜୁ ଯୁବବାହିନୀ ଗଠନ କରାଯାଇ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳ ପାଇଁ କାର୍ଯ୍ୟକ୍ରମ ସଂଯୋଜକ ନିଯୁକ୍ତି ଦିଆଯାଇଥିଲା। ରାଜ୍ୟର ୩୦ ଜିଲାରେ ୫୭୦ଜଣ କାର୍ଯ୍ୟକ୍ରମ ସଂଯୋଜକଙ୍କୁ ମାସିକ ୧୦ହଜାର ଟଙ୍କା ପାରିତୋଷିକରେ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜକଙ୍କ ଅଧିନରେ ବ୍ଲକର ପଞ୍ଚାୟତରେ ଥିବା ଯୁବବାହିନୀଗୁଡିକ କାର୍ଯ୍ୟକ୍ରମ ସଂଯୋଜନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ସଂଯୋଜକ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଓ ସେମାନଙ୍କ ପରିତୋଷିକ ପ୍ରଦାନ ଦାୟିତ୍ୱ ୬ଟି ଘରୋଇ ସର୍ଭିସ ପ୍ରୋଭାଇଡରକୁ ଦାୟିତ୍ୱ ଦିଆଯାଇଥିଲା। କ୍ରୀଡ଼ା ବିଭାଗ ସହ ବୁଝାମଣା ସ୍ୱାକ୍ଷର କରି ୬ଟି ଘରୋଇ ସର୍ଭିସ ପ୍ରୋଭାଇଡର ଦାୟିତ୍ୱ ତୁଲାଇବାକୁ ଚୁକ୍ତିବଦ୍ଧ ହୋଇଥିଲେ। ପିପୁଲ୍ସ ଫୋରମ, ପ୍ରେମ, ଏଏମଏସ, ଏସପିସି, ହର୍ଷାଟ୍ରଷ୍ଟ, ଓସ୍କାକୁ ଦାୟିତ୍ୱ ଦିଆଯାଇଥିଲା। ଏହି ୬ଟି ଘରୋଇ ପ୍ରୋଭାଇଡର ପ୍ରତ୍ୟେକ ୫ଟି ଲେଖାଏଁ ଜିଲାର ଦାୟିତ୍ୱ ନେଇଥିଲେ।

କ୍ରୀଡ଼ା ବିଭାଗ ଏହି ସର୍ଭିସ ପ୍ରୋଭାଇଡର ଜରିଆରେ ବିଜୁ ଯୁବବାହିନୀ ଅନୁଦାନ ଅର୍ଥକୁ ବିନିଯୋଗ କରିବାର ବ୍ୟବସ୍ଥା ରଖାଯାଇଥିଲା। ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଯୁବବାହିନୀକୁ ଯେଉଁସବୁ କାର୍ଯ୍ୟକ୍ରମ ନିଜ ଅଞ୍ଚଳରେ କରିବାକୁ କୁହାଯାଇଥିଲା ତାହାକୁ ଏବେଠାରୁ ବନ୍ଦ କରିଦିଆଯାଇଛି। ଫେବୃଆରୀ ମାସଠାରୁ ମେ’ମାସ ମଧ୍ୟରେ କାର୍ଯ୍ୟକ୍ରମ ସଂଯୋଜକ କି ଯୁବବାହିନୀ ସଦସ୍ୟଙ୍କ ପାଇଁ ଆସୁଥିବା ଆର୍ଥିକ ପ୍ରୋତ୍ସାହନ ଦିଆଯାଉନାହିଁ।

ଏସମ୍ପର୍କରେ ସଂଯୋଜକମାନେ ସର୍ଭିସ ପ୍ରୋଭାଇଡରକୁ କାରଣ ପଚାରିବାରୁ କ୍ରୀଡ଼ା ବିଭାଗ ଅର୍ଥ ଦେବା ବନ୍ଦ କରିଦେଇଛି ବୋଲି ଉତ୍ତର ମିଳୁଛି। ଯୁବବାହିନୀର କାର୍ଯ୍ୟକ୍ରମ ସାରା ରାଜ୍ୟରେ ଏକପ୍ରକାର ଠପ ହୋଇଯାଇଛି। ପାରିତୋଷିକ ବନ୍ଦ ହେବା ପରେ ଯୁବବାହିନୀର କାର୍ଯ୍ୟକ୍ରମ ଶେଷ ହୋଇଗଲା ବୋଲି ଏଥିରେ ଯୋଡି ହୋଇଥିବା ସଂଯୋଜକ ଓ ସଦସ୍ୟମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Leave a Reply

Your email address will not be published.