ମୁଁ ନିଜେ ମୋର ପାଠକ, ଲେଖକ ଆଉ ସମାଲୋଚକ: ବିଜୟ ମିଶ୍ର

ବିଜୟ ମିଶ୍ର, ଆଜି ପରଲୋକରେ । ବାଲେଶ୍ୱରର ନୀଳଗିରି ଗଡ଼ଜାତରେ ଜନ୍ମ ହୋଇଥିବା ବିଜୟ ବଡ଼ ହେଲେ କ\’ଣ ହେବେ ଭାବିବା ନ ଭାବିବା ଭିତରେ ଇଞ୍ଜିନୟର ଭାବେ ପେସାଦାର ଜୀବନ ଆରମ୍ଭ କରିଥିଲେ । ହେଲେ ରୁଚି ଓ ନିଶା ଥିଲା ସାହିତ୍ୟ, ନାଟକ ଏବଂ ମଞ୍ଚ । ଏମିତିରେ ତାଙ୍କ ଦ୍ୱାରା ରଚିତ ନାଟକ ଜନନୀ ମଞ୍ଚ ୁପରେ ମୁକ୍ତିଲାଭ କଲା । ଲୋକେ ଏହି ନାଟକଟିରେ ଏତେ ବିଭୋର ହୋଇଗଲେ ଯେ, ତାଙ୍କୁ ନାଟକାର ଭାବରେ ଭଲ ପାଇବା ଆରମ୍ଭ କଲେ । ଷାଠିଏ ଦଶକରୁ ଆରମ୍ଭ ହୋଇଥିବା ତାଙ୍କର ନାଟକ ଯାତ୍ରା କ୍ରମଶଃ ରୁଦ୍ଧିମନ୍ତ ହୋଇ ଚାଲିଲା । ତାଙ୍କ ରଚିତ ନାଟକଟିଏ ପରିବେଷଣ ହେଉଛି ବୋଲି ଜାଣିଲେ ରୁଚିପୂର୍ଣ୍ଣ ଦର୍ଶକଟିଏ ଥିଏଟରକୁ ଆସିବା ଲାଗି ମଉକା ଖୋଜିଲା । ଏପରିକି ମଞ୍ଚ ଉପରେ ତାଙ୍କ ସୃଷ୍ଟ ଚରିତ୍ରମାନଙ୍କୁ ବି ଖୋଜିଲା । ଆଉ ବିଜୟ ବି ପ୍ରତିବଦଳରେ ତାଙ୍କୁ ନୂଆ କାହାଣୀ, ନୂଆ ଶୈଳୀରେ ଉପହାର ଦେଇ ଚାଲିଲେ । ଦୀର୍ଘ ପାଞ୍ଚ ଦଶକରୁ ଅଧିକ ସମୟ ମଞ୍ଚରୁ ପର୍ଦା, ପର୍ଦାରୁ ଛୋଟ ପର୍ଦା ସବୁଥିରେ ତାଙ୍କର ଅସ୍ତିତ୍ୱ ଜାହିର କରି ଚାଲିଲେ । ଆଉ ଏମିତି ଦିନଟିଏ ପହଞ୍ଚିଲା ୨୬ ଏପ୍ରିଲ୍‍ ୨୦୨୦; ଯେଉଁଦିନ ତାଙ୍କର ଆତ୍ମା ପାର୍ଥିବ ଶରୀରକୁ ଛାଡ଼ି ପରମାତ୍ମା ସହ ଲୀନ ହୋଇଗଲା । ତାଙ୍କ ସହ କଥା ହୋଇ ଏକ ସାକ୍ଷାତକାର ପ୍ରସ୍‍ୁତ କରିବାକୁ ୨୦୧୫ ଡିସେମ୍ବରରେ ସୁଯୋଗ ମିଳିଥିଲା, ଯାହା “ନିତିଦିନ’ ଖବରକାଗଜରେ ସେହିବର୍ଷ ଡିସେମ୍ବର ୧୯ ତାରିଖରେ ପ୍ରକାଶ ପାଇଥିଲା । ଅବିକଳ ସେଇ ପ୍ରକାଶିତ ସାକ୍ଷାତକାରକୁ ଏଠାରେ ପ୍ରକାଶ କରୁଛୁ, କେବଳ ଏକ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ।

 

ଆପଣଙ୍କ ପ୍ରଥମ ନାଟକ ‘ଜନନୀ’ ବଙ୍ଗଳା ଉପନ୍ୟାସ ‘ମାୟା ମିରିଗ’ର ଅନୁରୂପ ପ୍ରାୟ । କାହିଁକି ଆପଣ ଏହାର ବିଷୟବସ୍ତୁକୁ ଅନୁସରଣ କରିବାକୁ ଚାହିଁଲେ? ବଙ୍ଗଳା ଭାଷା ପ୍ରତି କ’ଣ ସ୍ୱତନ୍ତ୍ର ରୁଚି ବା ଦୁର୍ବଳତା ରହିଥିଲା?
ସେତେବେଳେ ଓଡ଼ିଆ ଭାଷା ଏତେ ବିକଶିତ ହୋଇନଥିଲା । ଯଦିଓ ଓଡ଼ିଆ ଓ ପାର୍ସୀ ଭାଷା ସରକାରୀ ଭାଷା ଭାବେ ପ୍ରଚଳିତ ହେଉଥିଲା କିନ୍ତୁ ଅନେକାଂଶରେ ବଙ୍ଗଳା ଭାଷାର ପ୍ରଭାବ ରହିଥିଲା । ଅନ୍ୟ ପକ୍ଷରେ ବାପାଙ୍କ ବଙ୍ଗଳା ଭାଷାରେ ଦକ୍ଷତା ଥିଲା । ସେ ଅନେକ ବଙ୍ଗଳା ବହି ଘରକୁ ଆଣୁଥିଲେ । ଏହି କ୍ରମରେ ମୋର ବଙ୍ଗଳା ଭାଷା ପ୍ରତି ଏକ ରୁଚି ଜନ୍ମିଲା । ତା’ଛଡ଼ା ବାପା ମୋତେ ବଙ୍ଗଳା ଲିପି ଶିଖାଇ ଦେଇଥିବାରୁ ମୋତେ ସେଗୁଡ଼ିକୁ ପଢ଼ିବାରେ ଅସୁବିଧା ହେଉ ନଥାଏ । ଏତିକି ବେଳେ ମୁଁ ଯେତେବେଳେ ନାଟକ ଲେଖିବି ବୋଲି ଚିନ୍ତା କରୁଥିଲି ମୋ ନଜର ପଡ଼ିଥିଲା ‘ମାୟା ମିରିଗ’ ଉପନ୍ୟାସ ଉପରେ । ସେତେବେଳେ ଏକ ବଙ୍ଗଳା ପତ୍ରିକାରେଏହା ପ୍ରକାଶ ପାଇଥାଏ । ଛପା ଯାଇଥିଲା । ତାହା ପଢ଼ି ବେଶ୍ ଅନୁପ୍ରାଣିତ ହୋଇଥିଲି । ଏହି କ୍ରମରେ ‘ଜନନୀ’ ଜନ୍ମ ନେଲା । ସେତେବେଳେ ସାମୁଏଲ୍ ସାହୁ (ବାବି) ଏହାକୁ ମଞ୍ଚ ଉପରେ ପରିବେଷଣ କରିଥିଲେ ।

ସିଧାସଳଖ ମଞ୍ଚସ୍ଥ ହେଲା ନା କିଛି ପରିବର୍ତ୍ତନ କରିଥିଲେ?
ପ୍ରଥମତଃ ‘ଜନନୀ’କୁ ଦେଖି ସେ ବେଶ୍ ପ୍ରଶଂସା କରିଥିଲେ । ତନ୍ନ ତନ୍ନ କରି ପଢ଼ିଲା ପରେ ଏହାକୁ ନାଟକର ଏକ ଭଲ ବିଷୟବସ୍ତୁ ଭାବେ ବିବେଚନା କରିଥିଲେ । କିନ୍ତୁ ମୋତେ କହିଲେ ଏହା ନାଟକ ହୋଇପାରିବ ନାହିଁ । ନାଟକ କରିବାକୁ ହେଲେ ନାଟକ ବ୍ୟାକରଣରେ ପୁଣିଥରେ ଲେଖିବାକୁ ପଡ଼ିବ । କେଉଁ ଅଂଶକୁ ଆଗକୁ ଆଣିବାକୁ ପଡ଼ିବ ଆଉ କାହାକୁ ପଛକୁ ତାହା ସେ ମୋତେ ଶିଖାଇଲେ । ଆଉ ମୁଁ ଯେତେବେଳେ ତାକୁ ପୁଣିଥରେ ଲେଖିକରି ନେଲି, ସେ ତାକୁ ଅନ୍ନପୂର୍ଣ୍ଣାରେ ମଞ୍ଚସ୍ଥ କରିବାକୁ ସ୍ଥିର କଲେ । । ସେତେବେଳେ ‘ପ୍ରଜାତନ୍ତ୍ର’ ଏହାର ବିଶ୍ଳେଷଣ କରି ଏକ ନିବନ୍ଧ ପ୍ରକାଶ କରିଥିଲା । ସେଥିରେ କୁହାଯାଇଥିଲା ଏକ ନୂଆ ନାଟ୍ୟକାରର ଜନ୍ମ ହେଲା ।

ନାଟକ ଆଉ ଉପନ୍ୟାସ ଭିତରେ କ’ଣ ଫରକ୍ ଅଛି? ସେ ଆପଣଙ୍କୁ କ’ଣ ପରିବର୍ତ୍ତନ ପାଇଁ କହିଥିଲେ?
ଉପନ୍ୟାସରେ ପାଠକଙ୍କୁ ଧରି ରଖିବା ଲାଗି ଅନେକ ସସ୍‌ପେନ୍ସ ରହିଥାଏ । କିନ୍ତୁ ନାଟକ ଏକ କ୍ରମାଗତ ଭାବଧାରା । ଉପନ୍ୟାସର ମଝିରେ ମଝିରେ ଉତ୍‌ଥାନ ପତନ ଥାଏ । କିନ୍ତୁ ନାଟକରେ ତାହା ହୋଇପାରିବ ନାହିଁ । ଗୋଟିଏ ଧାରାରେ ଏହା ଉପରକୁ ବଢ଼େ ଆଉ କ୍ରମାନ୍ୱୟରେ ତାହା ଶେଷ ହୁଏ । ଘନଘନ ଉତ୍‌ଥାନ ପତନ ହେଲେ ନାଟକ ଜମିବନି । ସାମୁଏଲ (ବାବି) ପ୍ରଥମଥର ପାଇଁ ଏସବୁ ଜ୍ଞାନ ବାଣ୍ଟିଲେ । ଏବାବଦରେ ସେ ମୋର ଗୁରୁ । ଜଣେ ପରିପକ୍ୱ ନାଟ୍ୟକାରରେ ହେବା ଲାଗି ସେ ମୋ ପାଇଁ ସହାୟକ ହୋଇଛନ୍ତି ।

କେମିତି ?
‘ଜନନୀ’ ମଞ୍ଚସ୍ଥ କରିବା ପୂର୍ବରୁ ସେ ମୋ ଆଗରେ ଏକ ସର୍ତ୍ତ ରଖିଥିଲେ । ଆଗକୁ ୪ଟି ନାଟକ ମୁଁ ତାଙ୍କ ପାଇଁ ଲେଖିବି । ଯେ ପର୍ଯ୍ୟନ୍ତ ସେଇ ଚାରୋଟି ଅନ୍ନପୂର୍ଣ୍ଣା-ବିରେ ମଞ୍ଚସ୍ଥ ନ ହୋଇଛି ସେ ଯାଏ ମୁଁ ଆଉ କେଉଁଠି ନାଟକ ଦେବିନି । ତାହା ହିଁ ହେଲା । ‘ଜନନୀ’ ପରେ ‘ପ୍ରତୀକ୍ଷା’, ‘ଅଶାନ୍ତ ଗ୍ରହ’, ‘ତିମିର ତୀର୍ଥ’ ମଞ୍ଚସ୍ଥ ହେଲା । ପରେ ସେ କହିଲେ ଏଥର ତମେ ଆଉ ଯାହା ପାଇଁ ଲେଖିପାର । ମୁଁ ଏଇ ୪ଟି ନାଟକ ଲେଖିବା ବେଳେ ଅନେକ ଜିନିଷ ଶିଖିଛି । ବର୍ତ୍ତମାନ ଭାବୁଛି ତାଙ୍କ ପାଇଁ ଲେଖିବା ଦ୍ୱାରା ନାଟକର ସମୁଦାୟ ବ୍ୟାକରଣ ଶିଖିପାରିଲି । ମୋ ହାତ ସେଟ୍ ହୋଇଗଲା ।

ନାଟକ ଲେଖା ଜୀବନର ମନେ ପକାଇଲା ଭଳି ମୂହୂର୍ତ୍ତ କେଉଁଟା?
ଗୌରୀ କୁମାର ବ୍ରହ୍ମା ସଭାପତି ଥିବା ବେଳେ ଏକାଡେମୀ ପକ୍ଷରୁ ଡ୍ରାମା ପ୍ରତିଯୋଗିତା ଚାଲିଥାଏ । ମୋତେ ଗୋଟିଏ ଟ୍ରୁପ୍ ଆସି କହିଲେ ତାଙ୍କ ପାଇଁ ଲେଖିବା ଲାଗି । ମୁଁ ତାଙ୍କୁ ହଁ କରିଦେଲି । ମାସେ ପରେ ପଚାରିଲେ ଲେଖା ହୋଇଗଲାଣି । ମୁଁ କିଛି ନ ଲେଖି ତାଙ୍କୁ କହିଲି ଅଧା ସରିଗଲାଣି । ଏମିତି ଦିନ ପରେ ଦିନ ବିତିଗଲା । ଯେଉଁଦିନ ଲେଖା ଦାଖଲର ପୂର୍ବ ତାରିଖ ସେଦିନ ରବିବାର ଥାଏ । ମୁଁ ସିନେମା ଦେଖି ଫେରିଲା ପରେ ମୋ ଶୁଭେଚ୍ଛୁ ମାଧବାନନ୍ଦ କର କହିଲେ ସେଇ ନାଟକ ଗ୍ରୁପ୍ ଆସି ଖୋଜି ଯାଇଛନ୍ତି । ତାଙ୍କର ଯେମିତି ହେଲେ ଲେଖା ଦରକାର ନହେଲେ ସେମାନେ ଗଣ୍ଡଗୋଳ କରିବେ । ହେଲେ ମୁଁ ବିଷୟ ବି ଭାବି ନଥିଲି । ଖାତା ବି କିଣି ନଥିଲି । ମାଧବ ନନା ମୋତେ ସହାୟକ ହେଲେ । କହିଲେ ମୁଁ ତମ ପାଇଁ ଖାତା କିଣି ଦେଇଛି ଯାହା ହେଉ କିଛି ଲେଖିଦିଅ । କାରଣ କାଲି ଯେହେତୁ ଶେଷ ତାରିଖ କାହାର ପଢ଼ିବାକୁ ସମୟ ରହିବନି । କିନ୍ତୁ ମୋତେ ତାହା ଗ୍ରହଣଯୋଗ୍ୟ ହେଉ ନଥାଏ । ସେ ମୋତେ ଅନ୍ନପୂର୍ଣ୍ଣା ଥିଏଟର୍‌ର ଟିକେଟ୍ ଘର ଭିତରେ ତାଲା ପକାଇ ଦେଇ ରାତି ୯ଟାରେ ଚାଲିଗଲେ । ମୁଁ ସେଇଠି ଲେଖିବା ଆରମ୍ଭ କଲି । ଜାଣି ନାହିଁ କ’ଣ ଲେଖିଛି । କିନ୍ତୁ କଲମ ଉଠାଇନି । ୯୦ ପୃଷ୍ଠା ଲେଖା ହୋଇଥିଲା । ଦିନ ୧୧ଟା ବେଳକୁ ମୋର ନିଦ ଭାଙ୍ଗିଲା । ସେତେବେଳେ ସେମାନେ ସେଠାକୁ ଆସି ଖାତା ନେଇ ଯାଇଥିଲେ । ସେଇ ନାଟକଟି ଥିଲା ‘ଶବ ବାହକମାନେ’ । ପରବର୍ତ୍ତୀ ସମୟରେ ସେଇ ନାଟକଟି ପ୍ରଥମ ପୁରସ୍କାର ପାଇଲା ।

ଏହା କ’ଣ ଦୈବୀଶକ୍ତିର ପ୍ରଭାବ?
କେଜାଣି କ’ଣ ହୋଇଛି; ଆଜି ମୋତେ ଗୋଟିଏ ପୃଷ୍ଠା ଲେଖିବା ସମ୍ଭବ ହୋଇପାରୁ ନାହିଁ । ୧୨ ଘଣ୍ଟାରେ ୯୦ ପୃଷ୍ଠା ଲେଖିବା କଥା ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସେଭଳି କିଛି ଗୋଟିଏ ଅଦ୍ଭୁତ ଘଟଣା ଘଟିଥିଲା ।

ଆପଣ ଇଞ୍ଜିନିୟରିଂ ଚାକିରି କରୁଥିଲେ, ତା’ ଭିତରେ ନାଟକ ଲେଖିବାରେ ବାଧା ଉପୁଜୁ ନଥିଲା?
ନା । ମୋତେ କେହି ଲେଖିବାରେ ବାଧା ଦେଇନାହାନ୍ତି । ଚାକିରି ବାଟରେ ଚାକିରି ଆଉ ଲେଖା ବାଟରେ ଲେଖା । ଏମିତିକି ମୋର ଚିଫ୍ ଇଞ୍ଜିନିୟର ମୋତେ ସହାୟ ହୋଇଛନ୍ତି ।

ସେତେବେଳେ ଯେଉଁ ନାଟକର ଧାରା ଥିଲା, ଏବେ କାହିଁକି ନାହିଁ?
ପ୍ରଫେସନାଲ୍ ନାଟକ ବନ୍ଦ ହେବାର ଏକ ମୁଖ୍ୟ କାରଣ ହେଉଛି ସେମାନେ ଦର୍ଶକର ବଦଳୁଥିବା ଦୃଷ୍ଟିଭଙ୍ଗୀରେ ଖାପଖୁଆଇ ପାରିଲେ ନାହିଁ । ସେମାନେ ଆଗକୁ ଦେଖିପାରୁ ନଥିଲେ । ଦର୍ଶକ ଯାହା ଚାହୁଁଛି ତାହା ନଦେଇ ନିଜେ ଯାହା ଚାହିଁଲେ ସେହି ଅନୁସାରେ ନାଟକ ପରିବେଷଣ କଲେ । ସେଇ ପୁରୁଣା ଲାଇଟ୍‌, ୪୫/୫୦ ବର୍ଷ ବୟସର ହିରୋକୁ ଦର୍ଶକ କେତେ ଦେଖିବେ?

 ସୌଖୀନ ନାଟକ କାହିଁକି ସବୁ ଗୋଷ୍ଠୀର ଲୋକଙ୍କୁ ଛୁଇଁପାରୁ ନାହିଁ?
ନାଟକ ହେଉଛି ସାହିତ୍ୟ । ଏହା ଆମୋଦ ପ୍ରମୋଦର ମାଧ୍ୟମ ନୁହେଁ । ସେତେବେଳେ ଲୋକେ ନାଟକରେ ଆମୋଦ ଖୋଜୁଥିଲେ । ଏହାଦ୍ୱାରା ସମାଜ ଉପରେ ନାଟକର ପ୍ରଭାବ ପଡ଼ୁଥିଲା । ମୁଁ ବି ବୁଝିପାରୁ ନାହିଁ କାହିଁକି ଲୋକଙ୍କ ରୁଚି ଏତେ ସହଜିଆ ହୋଇଯାଇଛି? ସେମାନେ କାହିଁକି ନାଟକର ବିଷୟବସ୍ତୁ ଭିତରେ ପ୍ରବେଶ କରିବାକୁ ଚାହୁଁ ନାହାନ୍ତି? ମୋ ଅନୁଭୂତି କଥା କହୁଛି ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ ନାଟକ ସେତେବେଳେ ବେଶ୍ ଲୋକାଦୃତ ହୋଇଥିଲା । ମାତ୍ର ଦୁଇଟି ଚରିତ୍ର ଥିବା ଏଇ ନାଟକରେ ସେତେବେଳେ ହାଉସ୍‌ଫୁଲ୍ ଦର୍ଶକ ହେଉଥିଲେ । ଭୁବନେଶ୍ୱର ଓ ଏହାର ଆଖପାଖରେ ଏହା ୨୨ଟି ଶୋ’ ହୋଇଥିଲା । ହେଲେ ଏବେ ସେ ନାଟକକୁ କେହି ବୁଝି ପରିଲେ ନାହିଁ ।

ନାଟକକୁ ଲୋକଙ୍କ ଗ୍ରହଣୀୟ ହେବା ଦୃଷ୍ଟିକୋଣରୁ ତିଆରି କରିହେବନି?
ହେବ । କିଛି ନାଟ୍ୟ ଗୋଷ୍ଠୀ ତାହା କରୁଛନ୍ତି । ବହୁ ବର୍ଷ ତଳେ ଏଥିନେଇ ଏକ ଗବେଷଣା କରାଗଲା । ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଷ୍ଠିତ ନାଟ୍ୟକାରମାନେ ଏକାଠି ହୋଇ କହିଲେ ଆମେ ଲୋକନୃତ୍ୟ, କଳାକୁ ନାଟକରେ ଆପଣାଇବା । କିନ୍ତୁ ତାହା ମଧ୍ୟ ଗ୍ରହଣୀୟ ହୋଇପାରିଲା ନାହିଁ । ପରେ ଷ୍ଟେଜ୍‌ରେ କିଛି ପରିବର୍ତ୍ତନ ହେଲା । ତଥାପି ତାହା ହୋଇପାରିଲା ନାହିଁ । ଏବେ ବି ସେ ବିଷୟରେ ଚର୍ଚ୍ଚା ଚାଲିଛି । କିନ୍ତୁ ମୋ ଅନୁସାରେ ଯଦି ଭଲ କାହାଣୀ ରହିବ ତେବେ ନାଟକ ଚାଲିବ, ଆଉ ଚାଲୁଛି । ତା’ର ମୂଳ ଉଦ୍ଦେଶ୍ୟ ନ ବୁଝିଲେ ବି ଗପଟିକୁ ଦେଖିବାଲାଗି ଲୋକେ ଆସିବେ ବୋଲି ମୁଁ ଭାବୁଛି ।

ଅନ୍ୟ ରାଜ୍ୟରେ ନାଟକ ଆୟ କରୁଛି । ଏଠି ବୃତ୍ତିଗତ ନାଟ୍ୟ ଗୋଷ୍ଠୀ ପୁଣି ସୃଷ୍ଟି ହୋଇପାରିବ ନାହିଁ?
କଥା ହେଉଛି ପୃଷ୍ଠପୋଷକତା । ପୂର୍ବରୁ ରାଜା ମହାରାଜାମାନେ ନାଟକକୁ ସହାୟତା ଦେଉଥିଲେ । ମୋର ମନେ ଅଛି ନୀଳଗିରି ରାଜା ସେତେବେଳେ ନାଟ୍ୟ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାୟୀ ରଙ୍ଗମଞ୍ଚ ତିଆରି କରିଥିଲେ । ଏବେ ଆଉ ତାହା ନାହିଁ । ଏବେ ଯାତ୍ରା କି ସିନେମାର ଆଉ ରଙ୍ଗ ନାହିଁ ବୋଲି କହୁଛନ୍ତି ।

ନାଟକର ଭବିଷ୍ୟତ କ’ଣ?
ନାଟକ ଚାଲିବ । ଏହାର ଭବିଷ୍ୟତ ଠିକ୍ ଅଛି । ଏବେ ଲକ୍ଷ୍ୟ କରାଯାଉଛି ଥିଏଟର୍ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଉପସ୍ଥିତି ବଢ଼ୁଛିି ।

 ତେବେ କେମିତି ଲୋକେ ଆମୋଦ ପାଇବେ?
ମୁଁ ବି ବୁଝିପାରୁନି । ହୁଏତ ଟେଲିଭିଜନ୍ କିଛି ଲୋକଙ୍କୁ ଆକର୍ଷିତ କରୁଛି । କିନ୍ତୁ ସେମାନେ କହୁୂଛନ୍ତି ସେଠି ବି ଆମୋଦ ନାହିଁ । ମୋ ଧାରଣାରେ ଯେତିକି ପରିମାଣରେ ବୈଷୟିକ ଜ୍ଞାନ ବଢ଼ୁଛି; ଆମର ଆମୋଦ ପ୍ରମୋଦ ଓ ବୌଦ୍ଧିକ ଚିନ୍ତାଧାରା କମୁଛି ।

ପୂର୍ବରୁ ଆପଣ କହୁଥିଲେ ଭଲ କାହାଣୀ ରହିଲେ ତାହା ଦର୍ଶକଙ୍କୁ ଆକୃଷ୍ଟ କରିବ । କିନ୍ତୁ ଆମ ରାଜ୍ୟରେ ଏତେ ଭଲ କାହାଣୀ ରହିଛି ତାହାକୁ କାହିଁକି ନାଟକ ବା ସିନେମାର ରୂପ ଦିଆଯାଉ ନାହିଁ?
ଏହାର କାରଣ ହେଉଛି ସମ୍ପୃକ୍ତ ପ୍ରଡ୍ୟୁସର୍‌ଙ୍କ ଭରସା ପାଉନି । ସେ ଚାହୁଁଛି ମୁଁ କିଛି ନକଲ କରିଦେବି । ସିନେମା ଓ ସିରିଏଲ୍ କ୍ଷେତ୍ରରେ ଏଥିପାଇଁ ପ୍ରଡ୍ୟୁସର୍‌ମାନେ ଲେଖକଙ୍କୁ ବାଧ୍ୟ କରୁଛନ୍ତି । ଆମର କେତେଜଣ ଓଡ଼ିଶାର ଉପନ୍ୟାସ ପଢ଼ୁଛନ୍ତି? ସେମାନେ ଯାହା ଦେଖୁଛନ୍ତି ସେହି ଅନୁସାରେ ଆଚରଣ କରୁଛନ୍ତି ।

କିନ୍ତୁ ଲେଖକମାନେ କାହିଁକି ଏଥିନେଇ ପ୍ରଡ୍ୟୁସର୍‌ଙ୍କୁ ସଚେତନ କରାଉ ନାହାନ୍ତି?
ସିନେମା ବା ଟେଲିଭିଜନ୍ ପାଇଁ ଲେଖୁଥିବା ନୂଆ ବର୍ଗର ଲେଖକଙ୍କ ପାଇଁ ସ୍ୱତନ୍ତ୍ର ତାଲିମ୍ ଦିଆଯିବା ଦରକାର । ସେମାନଙ୍କ ଲେଖା ଶୈଳୀ ଓ ଧାରାରେ ପରିବର୍ତ୍ତନ ଆବଶ୍ୟକ । ନହେଲେ ସେମାନଙ୍କ ଭିତରେ ଲେଖିବାର ଯେଉଁ ଆଗ୍ରହ ରହିଛି ତାହା ଅଳ୍ପ କିଛିଦିନ ଭିତରେ ନଷ୍ଟ ହୋଇଯିବ । ନିଜସ୍ୱ ଚିନ୍ତାଧାରା ମରିଯିବ । କାରଣ ସେମାନେ ନୂଆ କିଛି ଚିନ୍ତା କରୁନାହାନ୍ତି । କେବଳ ନକଲ କରିବାରେ ଅଧିକାଂଶ ବ୍ୟସ୍ତ ରହୁଛନ୍ତି ।

ଓଡ଼ିଶାରେ ପୂଜ୍ୟପୂଜାକୁ ଆପଣ କେମିତି ଦେଖୁଛନ୍ତି? ଆମର ଖ୍ୟାତନାମା ଲେଖକ, ଗାୟକ, ଗୀତିକାର, ନିର୍ଦ୍ଦେଶକ, ଅଭିନେତା ତଥା ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ଠିକଣା ଭାବେ ସମ୍ମାନିତ କରାଯାଉଛି କି?
ଲୋକ ଚିହ୍ନି ପୂଜ୍ୟପୂଜା କରାଯାଉ ନାହିଁ । ଏଥିଲାଗି ବହୁତ ଲବି କାମ କରୁଛି । ଦିଆଯାଉଥିବା ପୁରସ୍କାର ଚୟନ ପ୍ରକ୍ରିୟାରେ ଅନେକ ବିବାଦ ରହୁଛି । ଅନ୍ୟପକ୍ଷରେ ସବୁବେଳେ ସବୁକିଛି ଠିକ୍‌ ହେବ ବୋଲି ଭାବିବା ଠିକ୍ ନୁହେଁ । କାରଣ ଜୁରୀ କମିଟିର ସଦସ୍ୟଙ୍କ ଭିତରେ ସବୁବେଳେ ଉତ୍ତମ ସମନ୍ୱୟ ଆଶା କରାଯାଇ ନପାରେ ।

ପୁରସ୍କାରର ଆବଶ୍ୟକତା ରହିଛି?
ଏହା ସ୍ୱୀକୃତିର ଏକ ପ୍ରତୀକ । ଆର୍ଥିକ ଦୃଷ୍ଟିକୋଣରୁ ଏହା ସହାୟତା କରିବ କି ନାହିଁ ତାହା ଅଲଗା ବ୍ୟାପାର, କିନ୍ତୁ ସୃଜନଶୀଳତାର ବିକାଶ ପାଇଁ ଜରୁରୀ ।

ବର୍ତ୍ତମାନ ଅସହଷ୍ଣୁତା ବଢ଼ିଛି ବୋଲି କହି କିଛି ବ୍ୟକ୍ତିତ୍ୱ ପୁରସ୍କାର ଫେରାଉଛନ୍ତି । ଆପଣ ଏ ବିଷୟରେ କ’ଣ କହିବେ ।?
ଅସହିଷ୍ଣୁତା କାହିଁ କେଉଁ କାଳରୁ ରହିଆସିଛି । ପରିସ୍ଥିତିକୁ ବିଚାର କଲେ ଆଜି ସେ ଅସହିଷ୍ଣୁତା ନାହିଁ ଯାହା ପୂର୍ବରୁ ଥିଲା । ପୂର୍ବରୁ ବନ୍ଧୁକ ମୁନରେ ଲୋକଙ୍କୁ ମୁସଲ୍‌ମାନ କରାଯାଉଥିଲା । ହାଟକୁ ହାଟ ବୁଲି ଖ୍ରୀଷ୍ଟିୟାନ୍‌ମାନେ ଲୋକଙ୍କୁ ଯୀଶୁଙ୍କୁ ଅବଲମ୍ବନ କରିବାଲାଗି କହୁଥିଲେ । ଫକୀର ମୋହନଙ୍କ ଗ୍ରନ୍ଥାବଳୀରେ ଏହା ସ୍ପଷ୍ଟ ଜଣାପଡ଼େ । କିନ୍ତୁ ଏବେ କିଛି ଲୋକ ନିଜର ପୁରସ୍କାର ଫେରାଇବା ଦ୍ୱାରା ଅସହିଷ୍ଣୁତା ପ୍ରସଙ୍ଗ ଲୋକ ଲୋଚନକୁ ଆସିଲା । ଏହାକୁ ମୁଁ ଗ୍ରହଣ କରିପାରୁନାହିଁ । ମୁଁ ପୁରସ୍କାର ଫେରାଇ ଏହାର ପ୍ରତିବାଦ ଜଣାଇବାରେ ବିଶ୍ୱାସ କରିପାରୁ ନାହିଁ । ସରକାରଙ୍କୁ ବଦ୍‌ନାମ କରିବାଲାଗି ଏହା ଏକ ଉଦ୍ୟମ । ମୁଁ ଏହାର ପକ୍ଷପାତୀ ନୁହେଁ ।

ସଂକ୍ଷେପରେ ବିଜୟ ମିଶ୍ର

ଜନ୍ମ: ୧୬ ଜୁଲାଇ ୧୯୩୬
ଜନ୍ମସ୍ଥାନ: ନୀଳଗିରି, ବାଲେଶ୍ୱର
ବାପା: ହରିହର ମିଶ୍ର
ମା’: ଅନ୍ନପୂର୍ଣ୍ଣା ଦେବୀ
ପତ୍ନୀ: କମଳା ମିଶ୍ର
ଗୁରୁ: ସାମୁଏଲ୍ ସାହୁ ବାବି
ପ୍ରଥମ ଉପନ୍ୟାସ: ନିର୍ମମ ଫଗୁଣ
ପ୍ରଥମ ନାଟକ: ଜନନୀ
ପରିଚିତ ନାଟକ: ଶବବାହକମାନେ, ଅଶାନ୍ତଗ୍ରହ, ତଟ ନିରଞ୍ଜନା, ତିମିର ତୀର୍ଥ, ଜଣେ ରାଜାଥିଲେ, ବାଦଶାହ, ପର୍ଶୁରାମ,
ପୁରସ୍କାର: ସାହିତ୍ୟ ଏକାଡେମୀ ସମ୍ମାନ (୨୦୧୩), ସଙ୍ଗୀତନାଟକ ଏକାଡେମୀ (୨୦୧୨) ଜନନୀ, ଅଶାନ୍ତଗ୍ରହ, ଜୟ ଜଗନ୍ନାଥ ।

 

 

Advertisements

Leave a Reply