ନିର୍ବାଚନ ମଣ୍ଡଳୀ ଅନୁଶୀଳନ: ପାଟ୍ଟଶାଣୀଙ୍କ ଟିକେଟ୍‌ କଟିବ ନା ଅରୁପ ଲଲିପପ୍‌ ନେବେ

2
531
advertisement

ଲା ୫ଟି ନିର୍ବାଚନରେ ନିରନ୍ତର ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରସନ୍ନ ପାଟଶାଣୀ ଲୋକସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ଅର୍ଥାତ୍‌ ୧୯୯୮ ମସିହାଠାରୁ ସେ ଭୁବନେଶ୍ଵରର ସାଂସଦ ଭାବେ ଅଧିଷ୍ଠିତ। ୨୦୧୪ ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୧ଲକ୍ଷ ୮୯ ହଜାର ୪୭୭ ଭୋଟ୍‌ରେ ପରାସ୍ତ କରିଥିଲେ। ଏଡିଆର୍‌ ସର୍ବେକ୍ଷଣ-୨୦୧୪ ଅନୁସାରେ ସେ ଓଡ଼ିଶାର ସବୁଠାରୁ ଦକ୍ଷ ଏମ୍‌ପି ଥିଲେ। ସୀମିତ ପ୍ରଚାର ପ୍ରସାରରେ ସେ ସାଂସଦ ପଦ ଜିତୁଥିବାରୁ ତାଙ୍କର ନିର୍ବାଚନ ରଣ ନୀତିକୁ ନେଇ ଅନେକ ଚର୍ଚ୍ଚା ଅତୀତରେ ହୋଇଛି।

ପ୍ରସଙ୍ଗ: ଅରୂପ ବନାମ ଅପରାଜିତା

୨୦୧୯ ନିର୍ବାଚନରେ ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ନହେବା ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ବଦଳରେ ମୁମ୍ବାଇ ପୁଲିସ କମିଶନର ତଥା ଓଡ଼ିଶାର ଅନ୍ୟତମ ଗୌରବ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଭିତିରି ମହଲରେ ଆଲୋଚନା ହେଲାଣି। ଅରୁପ ଏବେ ବିଜୁ ଯୁବବାହିନୀର ମୁଖିଆ ଅଛନ୍ତି। ନିର୍ବାଚନ ମଇଦାନକୁ ଓହ୍ଲାଇ ନଥିଲେ ମଧ୍ୟ ତାଙ୍କୁ ଏନେଇ ହାଇକମାଣ୍ଡ ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଦଳରେ ତାଙ୍କୁ ଭୋଟ୍‌ ମିଳିବ ଏବଂ ସଂସଦରେ ସେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବେ ବୋଲି ଆଶା କରାଯାଉଛି।

ପୂର୍ବରୁ ଅରୂପ ପୁରୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ସେ ସ୍ଥିତି ଆଉ ନାହିଁ। ପୁରୀ ସାଂସଦ ପିନାକୀ ମିଶ୍ର ପୁରୀ ଛାଡ଼ିବାକୁ ଚାହୁଁ ନାହାନ୍ତି। ବିଜେଡିର ଏବେ ଖାସ୍‌ ହୋଇ ରହିଥିବା ତଥା ମୁଖ୍ୟମନ୍ତ୍ରୀଙ୍କ ଯଥେଷ୍ଟ ନିକଟତର ହୋଇଥିବା ପିନାକୀଙ୍କୁ ଦଳ ଆଉ ଅସନ୍ତୁଷ୍ଟ କରିବ ନାହିଁ ବୋଲି ଜଣାପଡ଼ିଛି। 

ବିଜେଡିର ଏହି ରଣନୀତିକୁ ଦେଖି ବିଜେପି ପାଲଟା ପ୍ରସ୍ତୁତ ହୋଇଛି। ଏହିକ୍ରମରେ ବିଜେପି ଜଣେ କାର୍ଯ୍ୟରତ ବ୍ୟୁରୋକ୍ରାଟ୍‌ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ଵରରେ ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତୁତ କରାଉଛି। ଏହିକ୍ରମରେ ଏଥର ଭୋଟ୍‌ ଯୁଦ୍ଧ ଅରୁପ ପଟ୍ଟନାୟକ ବନାମ ଅପରାଜିତା ଷଡ଼ଙ୍ଗୀ ହେବ।

କୁସୁମିତ ବନାମ କଣ୍ଟକିତ ପଥ

ଏହା ସତ ଯେ, ଶ୍ରୀ ପାଟଶାଣୀଙ୍କ ଅହେତୁକ ବିଜୟ ପଛରେ ନବୀନଙ୍କ ଭାବମୂର୍ତ୍ତି ବିଶେଷ କର୍ଯ୍ୟ କରିଥାଏ। କିନ୍ତୁ ଶ୍ରୀ ପଟ୍ଟଶାଣୀଙ୍କ ଭାବମୂର୍ତ୍ତି କିଛି କମ୍‌ ନୁହେଁ। ତାଙ୍କର ଗୁରୁତ୍ଵପୂର୍ଣ୍ଣ ସମ୍ପତ୍ତି ହେଉଛି ତାଙ୍କ ଲୋକସମ୍ପର୍କ। ଅଭିଯୋଗ ହୁଏ, ପିଲାଠୁ ବୁଢ଼ା ସେ କାହାକୁ ନଜାଣି ମଧ୍ୟ କଥା ହୋଇପାରନ୍ତି। ଆଗରେ ଥିବା ବ୍ୟକ୍ତିର ବାପା ବା ମା’ ଅନେକ ବର୍ଷ ତଳୁ ସ୍ଵର୍ଗାରୋହଣ କରିଥିଲେ ମଧ୍ୟ ପାଟଶାଣୀ ତାଙ୍କ ସହ ଗଲା କିଛିଦିନ ତଳେ ଦେଖା ହୋଇଥିଲେ କହି କଥା ହୁଅନ୍ତି ଆଉ ପଛରେ ସମାଲୋଚିତ ବି ହୁଅନ୍ତି। ତଥାପି ସେ ଅନେକଙ୍କ ଆଦରଣୀୟ କାରଣ କାହାକୁ କୌଣସି ବିଷୟରେ ମନା କରନ୍ତି ନାହିଁ। ତାଙ୍କ ପାଖକୁ ଯିଏ ବି କିଛି ସମସ୍ୟା ନେଇ ଯାଏ ସେ ତାହା ସପକ୍ଷରେ ଦି’ପଦ ଲେଖି ସମ୍ପୃକ୍ତ ସରକାରୀ ବାବୁଙ୍କୁ ଦେବାକୁ କହିଦିଅନ୍ତି।

ଏହାଦ୍ଵାରା ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ତ୍‌କ୍ଷଣାତ୍‌ ଖୁସି ହୁଏ କିନ୍ତୁ ପରେ ତା’ର କାମ ନହେବାରୁ କର୍ମକୁ ଆଦରି ବସେ। ପରବର୍ତ୍ତୀ ସମୟରେ ଭୋଟ୍‌ ଦେବାକୁ ମଧ୍ୟ କୁଣ୍ଠାବୋଧ କରିଥାଏ। ଏହି କାରଣ ହେତୁ ଶ୍ରୀ ପାଟଶାଣୀ ୨୦୧୪ ନିର୍ବାଚନରେ ସମ୍ପୃକ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆସୁଥିବା ସମସ୍ତ ସାତଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକମାନେ ଯେତିକି ଭୋଟ୍‌ ପାଇଛନ୍ତି ତାହାଙ୍କଠୁ ୨୭ ହଜାର ୮୫୫ ଖଣ୍ଡ ଭୋଟ୍‌ କମ୍‌ ପାଇଥିଲେ।

ଏଥର ଏହି ଆସ୍ଥା ବିରୋଧୀ ତତ୍ତ୍ଵ ଅଧିକ ଶାଣିତ ହେବାକୁ ଯାଉଥିବା ବୋଧହୁଏ ବିଜେଡି ଗୁଇନ୍ଦା ଅନୁମାନ କରିଛନ୍ତି। ଏଣୁ ପୂର୍ବତନ ମୁମ୍ବାଇ ପୁଲିସ କମିଶନରଙ୍କୁ ଭୁବନେଶ୍ଵରରୁ ଏମ୍‌ପି ଭାବେ ଠିଆ କରାଇବା ପାଇଁ ଯୋଜନା କରିଛନ୍ତି। ପ୍ରଶ୍ନ ଉଠୁଛି ଭୁବନେଶ୍ଵରରୁ ସାଂସଦ ହେବାର ରାସ୍ତା ତାଙ୍କ ପାଇଁ ସହଜ ହେବ କି?

୨୦୧୪: ସ୍ଥିତି, ପରିସ୍ଥିତି

 

ପ୍ରଥମେ ନଜର ପକାଇବା ଭୁବନେଶ୍ଵର ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସ୍ଥିତି ଉପରେ। ଏହି ନିର୍ବାଚନ ମଣ୍ଡଳୀରେ ଆସୁଥିବା ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରେ ଆସୁଛନ୍ତି: ଜୟଦେବ, ଭୁବନେଶ୍ଵର ମଧ୍ୟ, ଭୁବନେଶ୍ଵର ଉତ୍ତର, ଭୁବନେଶ୍ଵର ଏକାମ୍ର, ବେଗୁନିଆ, ଖୋର୍ଦ୍ଧା ଏବଂ ଜଟଣୀ।

ଏହି ସାତଟିଯାକ ନିର୍ବାଚନ ମଣ୍ଡଳୀ ୨୦୧୪ରେ ବିଜେଡି ପକେଟ୍‌କୁ ଯାଇଥିଲା। କିନ୍ତୁ ଏହି ବିଧାୟକମାନେ ସମୁଦାୟ ଯେତିକି ଭୋଟ୍‌ ପାଇଥିଲେ ସେତିକି ଭୋଟ୍‌ ଏମ୍‌ପି ପ୍ରସନ୍ନ ପାଇପାରି ନଥିଲେ। ନିର୍ବାଚିତ ବିଧାୟକମାନେ ସମୁଦାୟ ୪ ଲକ୍ଷ ୬୭ ହଜାର ୧୦୭ଟି ଭୋଟ୍‌ ପାଇଥିବାବେଳେ ପ୍ରସନ୍ନ ପାଇଥିଲେ ୪ଲକ୍ଷ ୩୯ ହଜାର ୨୫୨ ଭୋଟ୍‌ । ଅର୍ଥାତ୍‌ ବିଜେଡିକୁ ଭଲ ପାଉଥିବା ବା ବିଧାୟକ ଭାବେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିବା ୨୭ହଜାର ୮୫୫ ଜଣ ଭୋଟର ପ୍ରସନ୍ନ ପାଟଶାଣୀଙ୍କୁ ସମର୍ଥନ କରିବାକୁ ଚାହିଁ ନାହାନ୍ତି।

୨୦୧୯-ସମ୍ଭାବନା

୨୦୧୯ ନିର୍ବାଚନରେ ଯଦି ପ୍ରସନ୍ନଙ୍କ ଉପରେ ସୁପ୍ରିମୋ ଆସ୍ଥା ହରାନ୍ତି ବା ପ୍ରସନ୍ନ ମନକୁ ମନ ପ୍ରତିଦ୍ଵନ୍ଦ୍ଵିତାରୁ ଓହରନ୍ତି ତେବେ ଅରୁପ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଅରୁପଙ୍କ ବିପକ୍ଷରେ ଠିଆ ହେବେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ଉଭୟ ପ୍ରାକ୍ତନ ବ୍ୟୁରୋକ୍ରାଟ୍‌। ଭାରତ ସରକାରଙ୍କ ପାଖରେ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିଛନ୍ତି।

ରାଷ୍ଟ୍ରପତି ପୁଲିସ ମେଡାଲ୍‌ ପାଇଥିବା ଅରୁପ ପଟ୍ଟନାୟକ ମାୟୋ କଲେଜର ଛାତ୍ର। ଚାକିରି କାଳ ଶେଷ ହେବା ପରେ ଅବସର କାଳରେ ସେ ଓଡ଼ିଶା ଆସିଛନ୍ତି ଆଉ ରାଜନୀତି ମୁହାଁ ହୋଇଛନ୍ତି। ଆସ୍ଥା ବିରୋଧୀ ତତ୍ତ୍ଵକୁ ସେ ପ୍ରତିରୋଧ କରି ପୁଣିଥରେ ବିଜେଡିକୁ ବିଜୟୀ କରିବେ ବୋଲି ଆଶା କରାଯାଉଛି।

ଅପରପକ୍ଷେ ଅପରାଜିତା ହେଉଛନ୍ତି ଭୁବନେଶ୍ଵରକୁ ନୂଆ ପରିଚୟ ଦେଇଥିବା  ଆଇଏଏସ୍‌ ଅଧିକାରୀଙ୍କ ଭିତରୁ ଜଣେ। ଓଡ଼ିଶାରେ ନିଜର କ୍ୟାରିୟର ଆରମ୍ଭ କରି ଯଥେଷ୍ଟ ନାଁ ଅର୍ଜନ କରିଥିଲେ। ୧୧ ବର୍ଷ ଚାକିରି ଛାଡ଼ି ସେ ରାଜନୀତିକୁ ଓହ୍ଲାଇଛନ୍ତି। ଯଦି ରାଜନୀତି ନହେଲା ସେ ଆଉ ଚାକିରିକୁ ଫେରିପାରିବେ ନାହିଁ; ଏଣୁ ସେ ଅଧିକ ପ୍ରତିଶ୍ରୁତିବଦ୍ଧ ହେବେ ବୋଲି ଲୋକେ ଆଶା କରିବା ସ୍ଵଭାବିକ।

ବିଜେପିରେ ଯୋଗ ଦେବା ପରେ ଅପରାଜିତା ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକଙ୍କ ସହ ମିଶିବା ଆରମ୍ଭ କରିଛନ୍ତି। ଯଦିଓ ଅନେକ କର୍ମୀ ତାଙ୍କୁ ପସନ୍ଦ ନକରି ଦୂରାଇଛନ୍ତି କିନ୍ତୁ ସେମାନେ ଦଳୀୟ ଛାଟରେ ଧୀରେ ଧୀରେ ଆୟତ୍ତକୁ ନ ଆସିବେ ବୋଲି କିଏ କହିବ?

ବିଜୁ ଯୁବବାହିନୀ ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଏଯାଏ ପ୍ରତ୍ୟକ୍ଷ ରାଜନୀତିକୁ ଆସି ନାହାନ୍ତି। ମିଡିଆକୁ ସାମ୍ନା କରି ନାହାନ୍ତି। ଜଣେ ମିଡିଆ ରିପୋର୍ଟରଙ୍କୁ ସେ କିଛିଦିନ ପୂର୍ବରୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ରହିଛି।  ଏକ୍ଷେତ୍ରରେ ଅପରାଜିତା ମଧ୍ୟ ଅରୁପଙ୍କୁ ବଳିଯିବା ସମ୍ଭାବନା ଅଧିକ।

ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ଭୋଟ୍‌ ହାସଲ। ଅତୀତରେ ବାବା ପଟ୍ଟଶାଣୀ ବି କେବେ ଲୋକଙ୍କ ପାଖକୁ ଯାଇ ଭୋଟ୍‌ ମାଗିବା ନଜୀର ନାହିଁ। ତଥାପି ସେ ୪ଲକ୍ଷ ୪୦ ହଜାର ଭୋଟ୍‌ ହାସଲ କରିଛନ୍ତି। ୨୦୦୯ ଅପେକ୍ଷା ପାଟଶାଣୀ ୨୦୧୪ ନିର୍ବାଚନରେ ପାଖାପାଖି ୩୯ ହଜାର ଭୋଟ୍‌ ଅଧିକ ବି ପାଇଥିଲେ। ଅପରପକ୍ଷେ ’ନବୀନ’ ଭାବମୂର୍ତ୍ତି ଯଦି ବିଚାର କରାଯାଏ ତେବେ ବିଧାୟକଙ୍କ ସମୁଦାୟ ଭୋଟ୍‌ ଅପେକ୍ଷା ପାଟ୍ଟଶାଣୀ କମ୍‌ ଭୋଟ୍‌ ବି ପାଇଥିଲେ। ଏଣୁ ଭାବମୂର୍ତ୍ତି ସମସ୍ତ ଭୋଟ୍‌ ଦେଇ ନପାରେ। ହେଲେ ଯାଦୁ ଯଦି ଚାଲେ ତେବେ ନବୀନଙ୍କ ଆଗରେ ସବୁ ଫିକା ହେବେ ତାହାକୁ ବି ଏଡ଼ାଇ ଦିଆଯାଇ ନପାରେ। ଏହା ଆଗୁଆ ପ୍ରମାଣିତ।

ଖଣ୍ଡାୟତ ସମ୍ପ୍ରଦାୟ

ଓଡ଼ିଶାରେ ଜାତି ଓ ସମ୍ପ୍ରଦାୟ କେବେ ନିର୍ବାଚନ ପ୍ରସଙ୍ଗ ହୋଇ ନାହିଁ। କିନ୍ତୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କିଛି ବିଧାୟକ ଏହାକୁ କାରକ କରି ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ଏ କ୍ଷେତ୍ରରେ ରାଜ୍ୟରେ ଥିବା ୩୫ ପ୍ରତିଶତ ଖଣ୍ଡାୟତ ନିର୍ବାଚନକୁ ଏକ ଭିନ୍ନ ମୋଡ଼ ଦେଇ ଶାସନ କ୍ଷମତା ଅକ୍ତିଆର କରିପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅର୍ଥାତ୍‌ କିଛି ପରିମାଣରେ ଏହି କାରକ ନିର୍ବାଚନକୁ ଅଣ୍ଡର କରେଣ୍ଟ ଭାବେ ନିୟନ୍ତ୍ରଣ କରୁଛି ନିଶ୍ଚୟ।

ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ଏହିପରି ଏକ ଭିନ୍ନ ରୋଗରେ ପୀଡ଼ିତ। ଦୀର୍ଘ ବର୍ଷ ହେଲା ଏଠାରେ ଖଣ୍ଡାୟତ ହିଁ ପ୍ରାର୍ଥୀ ହେଉଛନ୍ତି ଆଉ ବିଜୟୀ ହେଉଛନ୍ତି। ପ୍ରସନ୍ନ ପାଟ୍ଟଶାଣୀ ଏହି ସମ୍ପ୍ରଦାୟ ଭିତରେ ଅନ୍ୟତମ। ଏହି ନିର୍ବାଚନ ମଣ୍ଡଳୀ ଭିତରେ ଥିବା ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମଦଶା। ଯେହେତୁ ଜୟଦେବ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଏଠାରୁ ସେହି ବର୍ଗ ହିଁ ପ୍ରାର୍ଥୀ ଓ ବିଜୟୀ ହୋଇଥାଆନ୍ତି। କିନ୍ତୁ ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଏହି ତିନିଟିଯାକ ନିର୍ବାଚନ ମଣ୍ଡଳୀରେ ଖଣ୍ଡାୟତଙ୍କ ଗୁରୁତ୍ଵ ଯଥେଷ୍ଟ ରହିଛି।

ଏଠାରେ ସେହି ବର୍ଗ ହିଁ ନିର୍ବାଚନକୁ ନିୟନ୍ତ୍ରଣ କରି ପ୍ରାର୍ଥୀ ଜିତାନ୍ତି। ଭୁବନେଶ୍ଵର ମଧ୍ୟ,  ଭୁବନେଶ୍ଵର ଉତ୍ତର ଓ ଭୁବନେଶ୍ଵର ଏକାମ୍ର ଏ ତିନିଟି ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ବର୍ଗ ନିର୍ବାଚିତ ହୋଇଛନ୍ତି। ଗତ ନିର୍ବାଚନରେ କେବଳ ଉତ୍ତର ଭୁବନେଶ୍ଵରରେ ଥିବା ଭାଗିରଥି ବଡ଼ଜେନାଙ୍କୁ ଜଟଣୀ ସ୍ଥାନାନ୍ତର କରି ଏଠାରେ ନୂଆ ପ୍ରାର୍ଥୀଙ୍କୁ ଦିଆଯାଇଥିଲା। ଭାଗିରଥୀ ସେଠାରୁ ବିଜୟ ହୋଇଥିବା ବେଳେ ଏଠାରେ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶୀ ମିଶ୍ର ବି ନିର୍ବାଚନ ଜିତିଥିଲେ। ଏବେ ଏ ଉଭୟଙ୍କ ପାଇଁ ଟିକେଟ ସଙ୍କଟ ରହିଛି।

ଏଭଳି ଏକ ପରିସ୍ଥିତିରେ ଏଥର ସଂସଦୀୟ ଆସନ ପାଇଁ ବିଜେଡି ପ୍ରସନ୍ନଙ୍କ ଟିକେଟ୍‌ କାଟି ସେଠାରେ ଅରୁପଙ୍କୁ ପ୍ରାର୍ଥୀ କରାଇବ ନା ପୂର୍ବତନ କମିଶନରଙ୍କୁ ଲଲିପପ୍‌ ଦେଇ ବିଜେଡି ଅପେକ୍ଷା କରାଇବ, ଅପେକ୍ଷା କରିବା ସମୟକୁ- ନୁହେଁ କି ?

ଘୋଷଣା: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାଜନୀତି ସମ୍ପର୍କିତ ଚର୍ଚା ସେତିକି ବଢ଼ୁଛି। ପାଠକଙ୍କ ଆଗ୍ରହକୁ ଆହୁରି ଖୋରାକି ଯୋଗାଇବା ତଥା ଗଣତାନ୍ତ୍ରିକ ଆଲୋଚନାକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ଆମେ ଏହି ସ୍ତମ୍ଭଟି ଆରମ୍ଭ କରୁଛୁ। ଉପସ୍ଥାପନ କରାଯାଇଥିବା ଅନୁଶୀଳନ ସମ୍ପୂଣ୍ଣ ଭାବେ ଲେଖକଙ୍କ ବିଚାରଧାରା ଓ ସଂଗୃହୀତ ତଥ୍ୟ ଉପରେ ଆଧାରିତ।  କାହାକୁ ନୀଚ୍ଚା ଦେଖାଇବା ଆମର ଉଦ୍ଦେଶ୍ୟ ନୁହେଁ। 

ରିପୋର୍ଟ: ହରିହର ପଣ୍ଡା

 

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ: