ଭଣ୍ଡାରିପୋଖରି ପାଇଁ ନିରଞ୍ଜନ: ସତ୍ୟ ନେବେ ଲଲିପପ୍‌

ଭୁବନେଶ୍ଵର, (ଓଟି): ରାଜ୍ୟ କଂଗ୍ରେସ ମୁଖ୍ୟ ଏଥର ନିର୍ବାଚନ ଲଢ଼ିବେ କି? ରାଜ୍ୟରେ କଂଗ୍ରେସର ଅସ୍ତିତ୍ଵକୁ ବଜାୟ ରଖିବା ପାଇଁ ସେ ଯେଉଁ ଗୁରୁଦାୟିତ୍ଵଟିକୁ ଗ୍ରହଣ କରିଛନ୍ତି, ସେ ଭିତରେ ଏଭଳି ଏକ ପ୍ରଶ୍ନ ଉଠିବା ସ୍ଵଭାବିକ। ପୁଣି ତାଙ୍କର ପୈତୃକ ନିର୍ବାଚନ ମଣ୍ଡଳୀଟି ଆଉ ତାଙ୍କ କଥା ଶୁଣୁ ନାହିଁ। ଏଣୁ ସେ ନିର୍ବାଚନ ଲଢ଼ିବେ ତ କେଉଁଠୁ ବୋଲି ବି ପ୍ରଶ୍ନ ଉଠିଲାଣି।

ନିଜ ଦଳର ନେତାଙ୍କ ଅସନ୍ତୋଷ ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସଙ୍ଗେ ମେଣ୍ଟ ହୋଇ ନପାରୁଥିବାରୁ ନିରଞ୍ଜନଙ୍କ ଲାଗି ‘ଘସିପୁରା’ ଆସନରେ ଲଢ଼ି ଜିତିବା ସହଜ ନୁହେଁ ବୋଲି ରାଜନୀତିକ ପଣ୍ଡିତମାନେ ଅନୁଶୀଳନ କରିଛନ୍ତି। ଘସିପୁରା ହେଉଛି ନିରଞ୍ଜନଙ୍କ ପସନ୍ଦିତ ନିର୍ବାଚନ ମଣ୍ଡଳୀ। ଶେଷଥର ପାଇଁ ବଦ୍ରି ନାରାୟଣ ପାତ୍ରଙ୍କଠାରୁ ସେ ଏହି ନିର୍ବାଚନ ମଣ୍ଡଳୀରୁ ୨୦୦୯ରେ ପରାଜୟ ମୁହଁ ଦେଖିଥିଲେ। ୨୦୧୪ରେ ଆଉ ଲଢ଼ି ନାହାନ୍ତି।

ଭଣ୍ଡାରୀପୋଖରୀ ଓ ପ୍ରଫୁଲ୍ଲ ସାମଲ

ଏଭଳି ଏକ ପରିସ୍ଥିତିରେ ଯେଉଁ କିଛି ନିର୍ବାଚନ ମଣ୍ଡଳୀ ତାଙ୍କ ଆଗକୁ ଆସୁଛି ସେ ଭିତରେ ଅଧିକ ସ୍ଥିର ହେଉଛି ଭଣ୍ଡାରିପୋଖରୀ। କାରଣ ଏହି ନିର୍ବାଚନ ମଣ୍ଡଳୀ ଏବେ ଆସ୍ଥା ବିରୋଧୀ ତତ୍ତ୍ଵରେ ଅଧିକ ପ୍ରଭାବିତ। ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଠାରୁ କ୍ରମାଗତ ଭାବେ ଦୁଇଥର ହେଲାଣି ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ଯଦିଓ ତାଙ୍କ ଟିକେଟ୍‌ ଉପରେ ପ୍ରଶ୍ନ ନାହିଁ କିନ୍ତୁ ଜିତିବା ପ୍ରଶ୍ନ ଭିତରକୁ ଆସିଗଲାଣି। କାରଣ ତାଙ୍କ ସମ୍ପର୍କ ଏକ ପ୍ରକାର ସ୍ଥାଣୁତା ଆଡ଼କୁ ଗତି କରିଛି। ଅପରପକ୍ଷେ ଶାରିରୀକ ଅସୁସ୍ଥତା ମଧ୍ୟ ଏତେବଡ଼ ନିର୍ବାଚନ ମଣ୍ଡଳୀ ଓ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ସମ୍ଭାଳିବାରେ ସହାୟକ ହେଉ ନାହିଁ। ପୁଣି ଯୋଗାଯୋଗର ନୂଆ ଟେକ୍ନୋଲୋଜିଠାରୁ ଯଥେଷ୍ଟ ଦୂରରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପାଖରେ ଯୁବାଭୋଟର ପହଞ୍ଚିବା ସମ୍ଭବ ନୁହେଁ। କାରଣ ସେ ଇମେଲ୍‌, ସୋଶାଲ୍‌ ମିଡିଆ କଥା ଛାଡ଼ନ୍ତୁ ନିଜର ଏକ ମୋବାଇଲ୍‌ ଫୋନ୍‌ ବି ପାଖରେ ରଖନ୍ତି ନାହିଁ। ଏଣୁ ଏ ଅଞ୍ଚଳରେ ଥିବା ଯିବା ଭୋଟରଙ୍କ ପାଇଁ ସେ ଗ୍ରହଣୀୟ ନେତା ନୁହନ୍ତି ବୋଲି ଚର୍ଚା ହେଉଛି। ଅର୍ଥାତ୍‌ ୧୮ରୁ ୨୯ ବର୍ଷ ବୟସ ଭିତରେ ଥିବା ପାଖାପାଖି ୨୫.୩୦ ପ୍ରତିଶତ ଭୋଟରଙ୍କ ମନରେ ସେ ଆଗ୍ରହ ସୃଷ୍ଟି କରିପାରନ୍ତି ନାହିଁ।

ନିର୍ଣାୟକ ଯୁବା ଭୋଟର

ଯେ କୌଣସି କ୍ଷେତ୍ରରେ ଯଦି ଏକ ଚତୁର୍ଥାଂଶ ଭୋଟ ଗୋଟିଏ ନିର୍ଦିଷ୍ଟ ଭୋଷ୍ଠୀ ଭିତରେ ରହେ ତେବେ ତାହା ନିର୍ଣାୟକ ହେବା ସ୍ଵଭାବିକ। ପୁଣି ୨୫ ପ୍ରତିଶତ ଭୋଟର, ଯେଉଁମାନେଙ୍କ ଭିତରେ ପାଖାପାଖି ୨ ପ୍ରତିଶତ ନୂଆ ଭୋଟର ରହିଛନ୍ତି- ସେମାନଙ୍କ ପାଇଁ ତାଙ୍କ ‘ଜେଜେବାପା’ଙ୍କ ଲିଗାସୀ ଅପେକ୍ଷା ସାମାଜିକ ସଂସ୍କାର, ନୂଆ ଚିନ୍ତାଧାରା, ତାଙ୍କ ପିଢ଼ିର ନେତା ଅଧିକ ଜରୁରୀ। ଏହିକ୍ରମରେ ରାଜନୀତିକ ଦଳର ଏକ ଗୁରୁତ୍ଵପୂର୍ଣ ଭୂମିକା ଯଦିଓ ରହିଛି କିନ୍ତୁ ନେତା ନରହିଲେ ସେ ଦଳ ବି ଚିତ୍‌ପଟାଙ୍ଗ ହୋଇପାରେ।

ବିଜେଡି ପାଇଁ ନୂଆ ଚେହେରା

ଏମିତି ଏକ ମୁହୁର୍ତ୍ତରେ ବିଜେଡି ବି ଜଣେ ଯୁବ ମୁହଁ ଖୋଜିବା ସ୍ଵଭାବିକ। କିନ୍ତୁ ସେ ଭିତରେ ପ୍ରଫୁଲ୍ଲ ଓ ତାଙ୍କ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଯୁଗଳ ପଟ୍ଟନାୟକଙ୍କ ଭଳି ରାଜନୀତିକ ପରିବାରର ଦାୟାଦମାନେ ଆଗରେ ରହିଛନ୍ତି। ଏହି ପରିବାରରୁ କାହାକୁ ପ୍ରାର୍ଥୀ କଲେ ବିଜେଡଇ ଯେ ବଂଶବାଦ ସପକ୍ଷବାଦୀ ତାହା ପରୋକ୍ଷରେ ଭୋଟରଙ୍କ ପାଖକୁ ପ୍ରସାରିତ ହେବ। ଆଉ ଏହି ପରିବାରରୁ କାହାକୁ ବିଚାର ନକଲେ ବିଜେଡି ପାଇଁ ସେମାନେ ଘର ଢିଙ୍କି ଭଳି କାର୍ଯ୍ୟ କରିପାରନ୍ତି। ଏଣୁ ଏପରି ଏକ ମୁହୁର୍ତ୍ତରେ କଂଗ୍ରେସ ପାଇଁ ସୁଯୋଗ ରହିଛି।

ବିଜେପି ସ୍ଥିତି?

ଏହା ସତ ଯେ, ୨୦୧୪ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ପାଖାପାଖି ୧୮.୫୯ ପ୍ରତିଶତ ଭୋଟ୍‌ ବିଜେପି ଅର୍ଜନ କରିଥିଲା। ୨୦୦୯ ଅପେକ୍ଷା ଏହି ଭୋଟ୍‌ରେ ୩ ପ୍ରତିଶତ ସୁଧାର ଆସିଥିଲା। ହଲେ ଏଠାରେ ବିଜେପିର ନେତୃତ୍ଵ ସଙ୍କଟ ରହିଛି। ପୁରୁଣା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରାଇବାରେ ବିଜେପି ପଛରେ ପଡ଼ିଛି। ପୁଣି ପୂର୍ବରୁ ଯିଏ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ ତାଙ୍କୁ ନିଜ ଦଳକୁ ନେଇ ନିର୍ବାଚନ ଲଢ଼ିବା ଦଳର ନୈତିକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ୨୦୦୯ରେ ଯେଉଁ ବଦ୍ରି ନାରାୟଣ ଧଳ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ ତାଙ୍କୁ ବିଜେପି ୨୦୧୪ରେ ପ୍ରାର୍ଥୀ କରାଇ ଏପରି ସମାଲୋଚନା ଶିକାର ହୋଇଛି। ଅପରପକ୍ଷେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ଏହି ଆସନରେ ବିଜେପିର ଦାବିଦାର ମନମୋହନ ସାମଲ୍‌ ଯାଏ ଛନ୍ଦି ହୋଇ ରହିଛନ୍ତି। ତାଙ୍କୁ ଦଳ ଏଥର କେତେ ବିଶ୍ଵାସ କରିବ ଏବଂ ଦଳର ବିଶ୍ଵାସରେ ସେ ତେବେ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେବେ ତାହା ଏକ ପ୍ରଶ୍ନ।

କଂଗ୍ରେସକୁ ସୁଯୋଗ

ଭଣ୍ଡାରୀପୋଖରୀରେ କଂଗ୍ରେସର ୨୫ରୁ ୩୦ ପ୍ରତିଶତ ପକେଟ୍‌ ଭୋଟ୍‌ ରହିଛି। ଏହି ଭୋଟ୍‌ ହେଉଛି କଂଗ୍ରେସର ଶକ୍ତି ତଥା ଦୀର୍ଘଦିନ ଶାସନରେ ରହିବାର ସଞ୍ଚୟ ପୁଞ୍ଜି। ଏହାସହ ଏକ ଆସ୍ଥା ବିରୋଧୀ ତତ୍ତ୍ଵ ଏବଂ ଧର୍ମ ନିରପେକ୍ଷ ହାୱା ବି କଂଗ୍ରେସକୁ ସହାୟକ ହୋଇପାରେ। ପୁଣି ଯିବାବର୍ଗଙ୍କ ଭୋଟ୍‌କୁ ଆକର୍ଷଣ କରିବାରେ କଂଗ୍ରେସ ଯଦି କୌଣସି ପ୍ରତିଷ୍ଠିତ ଯୁବକଙ୍କୁ ପ୍ରାର୍ଥୀ କରାଏ ତେବେ ଏଠି ବିଜୟ ସମ୍ଭାବନା ଦେଖାଯିବା ବି ଯଥାର୍ଥ।

କିନ୍ତୁ ଏଠାରେ କଂଗ୍ରେସର ନେତା କିଏ?

ଭଣ୍ଡାରିପୋଖରୀରେ କଂଗ୍ରେସ ନେତା କହିଲେ ପୂର୍ବତନ ବିଧାୟକ, ସାଂସଦ ଅନନ୍ତ ସେଠୀଙ୍କ କଥା ଆଗକୁ ଆସୁଛି। ତା’ଛଡ଼ା ଗଲା ଡିସେମ୍ବର ୧୨ ତାରିଖରେ ଦଳର ମିଡିଆ ସେଲ୍‌ ଅଧ୍ୟକ୍ଷ ଏଠାରେ ଏକ ଯୁବ ଗର୍ଜନ ସମାବେଶ କରି ଯେଉଁ ପତିଆରା ଦେଖାଇଲେ ତା’ପରେ ସେ ଏଠାରେ ସିଧାସଳଖ ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଛି। ହେଲେ ତାଙ୍କୁ କିନ୍ତୁ କଂଗ୍ରେସ କ୍ୟାଡର ସମର୍ଥନ କରିପାରୁ ନାହାନ୍ତି। ତାଙ୍କୁ କଂଗ୍ରେସର ଜଣେ ପାରିଶ୍ରମିକ ନେଉଥିବା ଚାକିରିଆ ବୋଲି ନେତାମାନେ ବଣ୍ଣନା କରୁଛନ୍ତି। ସବୁଦିନ ଶତ୍ରୁ କିଣିବାର ମିଡିଆ ପ୍ରଚ୍ଛଦପଟ୍ଟରୁ ଆସି କଂଗ୍ରେସରେ କିଛିଦିନର ପ୍ରବେଶ ପରେ ସତ୍ୟ ବି ଅନେକ ଶତ୍ରୁ କିଣିଛନ୍ତି। ଅପରପକ୍ଷେ ମିଡିଆ ସେଲ୍‌ ସମ୍ଭାଳୁଥିବା ସତ୍ୟଙ୍କୁ ସୋଶାଲ୍‌ ମିଡିଆ ସେଲ୍‌ ସମ୍ଭାଳୁଥିବା କଂଗ୍ରେସ ଦାୟାଦ ବାସିପାଣିରେ ପଚାରୁ ନାହାନ୍ତି। ପୁଣି ଯଦି ସେ ଟିକେଟ୍‌ ପାଆନ୍ତି ତେବେ ପୁରୁଖା ନେତାମାନେ ସମଥର୍ର୍ନ କରିବେ ନାହିଁ ବୋଲିଏକ ଚାପା ଗୁଞ୍ଜରଣ ହେଲାଣି। ଏଣୁ ସତ୍ୟଙ୍କ ନାଁରେ ଟିକେଟ୍‌ ମିଳିବା ନେଇ ଆଶଙ୍କା ହେବା ସ୍ଵଭାବିକ।

ନିରଞ୍ଜନଙ୍କ ମୁଣ୍ଡ

ପୁଣି ଏ ଟିକେଟ୍‌ ରେସ୍‌ରେ ପିସିସି ସଭାପତି ନିରଞ୍ଜନଙ୍କୁ ଯୋଡ଼ା ଯାଇଛି। ଭଣ୍ଡାରିପୋଖରି କଂଗ୍ରେସ ମହଲରେ ଏ ଚର୍ଚା ଜୋର ହେଲାଣି। ଘସିପୁରାରେ ବଦ୍ରିଙ୍କ ରାଜ୍‌ ଯଦି ନିରଞ୍ଜନଙ୍କୁ ନିରାପତ୍ତା ଦେଉନି ତେବେ ଏଠାରେ ପ୍ରଫୁଲ୍ଲଙ୍କ ଲୁଚକାଳି କଂଗ୍ରେସକୁ ଫାଇଦା ଦେବ ବୋଲି ଦାବି କରି କଂଗ୍ରେସ କର୍ମୀମାନେ ନିରଞ୍ଜନଙ୍କୁ ଏଠାରୁ ଲଢ଼ିବାକୁ ବାରମ୍ବାର ଦାବି କରୁଛନ୍ତି। ନିରଞ୍ଜନ ବି ପରୋକ୍ଷ ହଁଟିଏ ମାରୁଥିବା ଆଲୋଚନା ହେଉଛି। ଯଦି ତାହା ହୁଏ ତେବେ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନିର୍ବାଚନ ସମୟରେ ସାମୟିକ ଭାବେ ରୋକାଯାଇପାରିବ। ହୁଏତ, ଏଭଳି ଏକ ଗଣ୍ଡଗୋଳିଆ ପରିସ୍ଥିତିରେ ନିଜ ପାଇଁ ନିରାପଦ ସ୍ଥାନଟିଏ ବାଛିବା ପାଇଁ ସଭାପତି ବି ନିଜ ପକ୍ଷରୁ ଏମିତି କିଛି ପ୍ରସଙ୍ଗ ସୃଷ୍ଟି କରୁଥାଇପାରନ୍ତି, ଏଣୁ ଅପେକ୍ଷା କେବଳ ନିର୍ବାଚନ ସମୟ ଘୋଷଣାକୁ।

ଆଜି ବିଜେପିର ଜାତୀୟ ପରିଷଦ ବୈଠକ: ସ୍ପଷ୍ଟ ହେବ ନିର୍ବାଚନ ରଣନୀତି

ନିର୍ବାଚନ ମଣ୍ଡଳୀ ଅନୁଶୀଳନ: ପାଟ୍ଟଶାଣୀଙ୍କ ଟିକେଟ୍‌ କଟିବ ନା ଅରୁପ ଲଲିପପ୍‌ ନେବେ

https://odishatime.com/bhubaneswar-parliament-constituency/

Leave a Reply

Your email address will not be published.