ମୁହଁମାଡ଼ି ଶୋଉଛନ୍ତି କି? ଦେଖାଯିବେ ଅସୁନ୍ଦର

ଆଜିକାଲିର ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଓ ପରିବେଶ ପ୍ରଦୂଷଣ ପାଇଁ ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟା, କେଶ ସମସ୍ୟା ଓ ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି । ଏସବୁ ଆପଣଙ୍କ ଚେହେରାକୁ ଅସୁନ୍ଦର, ବୟସାଧିକ୍ୟ ଓ ଶୁଷ୍କ କରିବା ପାଇଁ ଯଥେଷ୍ଟ । କିନ୍ତୁ ଆପଣ ଜାଣିଛନ୍ତି କି ଶୋଇବା ଶୈଳୀ ମଧ୍ୟ ଆପଣଙ୍କ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ । ମୁହଁମାଡ଼ି ଶୋଇବା ଦ୍ୱାରା ସବୁଠାରୁ ଅଧିକ କ୍ଷତି ହୋଇଥାଏ । ବିୟୁଟିସିଆନଙ୍କ ମତାନୁସାରେ ମୁହଁମାଡ଼ି ଶୋଇବା ଦ୍ୱାରା ଚେହେରା ସିଧାସଳଖ ତକିଆ ସଂସ୍ପର୍ଶରେ ଆସିଥାଏ । ଫଳରେ ତକିଆରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ତ୍ୱଚା ସଂକ୍ରମିତ ହୋଇଥାଏ । ଫଳରେ ଚେହେରାରେ ବ୍ରଣ, କୁଣ୍ଡାଇ ହେବା ଓ ଲାଲ୍ ଦାଗ ସମସ୍ୟା ସୃଷ୍ଟି ହୁଏ । ଏହା ବ୍ୟତୀତ ମୁହଁମାଡ଼ି ଶୋଇବା ଦ୍ୱାରା ତ୍ୱଚା ସଙ୍କୁଚିତ ହୋଇ ଓଠ ଓ ଆଇବ୍ରୋ ପାଖର ତ୍ୱଚାରେ ରିଙ୍କଲସ୍ ସୃଷ୍ଟି ହୋଇଥାଏ । ଫଳରେ ତ୍ୱଚା ବୟସ୍କ ଦେଖାଯାଏ । ଆଖି ପାଖରେ ଓ ବେକରେ ମଧ୍ୟ ବୟସ ଛାପ ଦେଖିବାକୁ ମିଳିଥାଏ, ଯାହାକି ଆପଣଙ୍କ ସୁନ୍ଦରତାକୁ ନଷ୍ଠ କରେ ।

ଚେହେରା ଭଳି କେଶମୂଳ ମଧ୍ୟ ତକିଆର ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଯୋଗୁଁ ବିଭିନ୍ନ ପ୍ରକାର କେଶ ସମସ୍ୟା ଦେଖାଯାଏ । କେଶମୂଳ ମଧ୍ୟ ଟାଣି ହୋଇ ଦୁର୍ବଳ ହୋଇଥାଏ । ଫଳରେ ଅଧିକ ମାତ୍ରାରେ କେଶ ଝଡ଼ିଥାଏ । ଏହା ମଧ୍ୟ ଆପଣଙ୍କର ସୁନ୍ଦରତାକୁ ଫିକା କରିଥାଏ । ତେଣୁ ସୁନ୍ଦର କୋମଳ ତ୍ୱଚା ଓ ସୁସ୍ଥ କେଶ ପାଇବାକୁ ହେଲେ ମୁହଁମାଡ଼ି ଶୋଇବା ଅଭ୍ୟାସକୁ ଖୁବ୍ ଶୀଘ୍ର ବଦଳାଇ ଦିଅନ୍ତୁ ।

Leave a Reply

Your email address will not be published.