ବୈଜୟନ୍ତ “ବିଜୟ” ହେବେ ନା “ସତପଥି”

0
41
advt
< a href= "#">

ଭୁବନେଶ୍ୱର, (ଓଟି): ଓଡ଼ିଶାର ତୃତୀୟ ମହଲା ବିରୋଧରେ ନେତା, ସାଂସଦ ତଥା ମନ୍ତ୍ରୀଙ୍କ ବିଷୋଦ୍‍ଗାର କିଛି ନୂଆ କଥା ନୁହେଁ, ଯେମିତି ଏବେ ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥାପନ କରୁଛନ୍ତି । ଅବଶ୍ୟ ତାଙ୍କ ପାଖରେ ଏକ ଲୋକପ୍ରିୟ ଗଣମାଧ୍ୟମ ଥିବା ହେତୁ ତାଙ୍କ କଥା ଭଲ ଭାବରେ ପ୍ରସାରିତ ହୋଇ ପାରିଛି । କିନ୍ତୁ ଏହା ପୂର୍ବରୁ ଅନେକ ନେତା, ସାଂସଦ ଏବଂ ମନ୍ତ୍ରୀ ବାରମ୍ବାର ନବୀନଙ୍କ ବିରୋଧରେ ପ୍ରତ୍ୟକ୍ଷ ବା ପରୋକ୍ଷ ବିଷୋଦ୍‍ଗାର କରିଛନ୍ତି । ଆଉ ସେହି ବିଷୋଦ୍‍ଗାର ଭିତରେ କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିଜୟ ପଟ୍ଟନାୟକ ଆସିଛନ୍ତି ତ କେତେବେଳେ ଅଙ୍କଲ୍‍ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ର । ଏବେ ଯିଏ ଟାର୍ଗେଟ୍‍ରେ ସେ ହେଲେ ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ ।

advt

ସାଂସଦ ତଥା ନିଲମ୍ବିତ ବିଜେଡି ନେତା ବୈଜୟନ୍ତ ପଣ୍ଡାଙ୍କ ଅନୁସାରେ ଶ୍ରୀ ପାଣ୍ଡିଆନ୍‍ ଦଳର ରାଜନୀତିକ କାରବାରରେ ମୁଣ୍ଡ ଖେଳାଉଛନ୍ତି । କିନ୍ତୁ ବିନା ନବୀନଙ୍କ ପରାମର୍ଶରେ ଏହା ହେଉଛି ବୋଲି କହିବା ଠିକ୍‍ ନୁହେଁ । କାରଣ ଯଦି ଜଣେ ଆଇଏଏସ୍‍ ଅଧିକାରୀ ଏପରି କରିବାରେ ସକ୍ଷମ ଥାଆନ୍ତେ ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବୋଲି ପଦଟି ବାରମ୍ବାର ବଦଳୁଥାଆନ୍ତା!

ଚତୁର ତଥା ଦେଶ ବିଦେଶରେ ଜଣେ ରାଜନୀତିକ ବିଶେଷଜ୍ଞଭାବେ ପରିଚିତ ବୈଜୟନ୍ତ ଏହା ଜାଣି ନଥିବେ କହିବା ଠିକ୍‍ ନୁହେଁ । ଅର୍ଥାତ୍‍ ଶାସନ କଳ ନିକଟରେ ନିଜର ଶକ୍ତିକୁ ବଳିଷ୍ଠ କରିବା ପାଇଁ ସେ ପାଣ୍ଡିଆନ୍‍ ଅସ୍ତ୍ର ଖେଳୁଥିଲେ- ଯେମିତି ନବୀନ ଖେଳୁଛନ୍ତି । କିନ୍ତୁ ସେଥିରେ ସେ ପରାସ୍ତ ହୋଇଛନ୍ତି ତାହାକୁ ଅସ୍ୱୀକାର କରିବାର ଯୁକ୍ତି ନାହିଁ ।

କଥା ହେଉଛି- ଏବେ ବୈଜୟନ୍ତ କ’ଣ କରିବେ?

ବଳଦେବଜୀଉ, ଶ୍ରୀଜଗନ୍ନାଥ ଓ ବିଜୁଙ୍କ ସମାଧି ବୁଲିବା କାର୍ଯ୍ୟ ସରିଛି । ଟ୍ୱିଟ୍‍ ମୁତାବକ ସେ ଏବେ ଥଣ୍ଡା ହେବେ । ଆଉ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ତାଙ୍କ ପାଖରେ ଯେଉଁ ରାସ୍ତା ଦିଶୁଛି ତାହା ଦୁଇଭାଗରେ ବିଭକ୍ତ ହୋଇଛି । ଗୋଟିଏ “ବିଜୟ’ରାସ୍ତା ଆଉଗୋଟିଏ “ସତପଥିୟ’ । ଅର୍ଥାତ୍‍ ରାଜନୀତିରେ ମୁର୍ଦ୍ଦାର ସାଜିବା ନହେଲେ ସାଲିସ କରି ନବୀନଙ୍କ ଶରଣ ପଶିବା ଓ ସାଂସଦ ହେବ ।

ଏ ଦୁଇ ସର୍ବନାମକୁ ଏଠାରେ ବ୍ୟବହାର କରିବାର ଯଥେଷ୍ଟ କାରଣ ରହିଛି । ପ୍ରଥମେ “ବିଜୟ’ ବିଷୟରେ । ଏଠାରେ ବିଜୟ’ ସର୍ବନାମଟି ଓଡ଼ିଶାର ବରିଷ୍ଠ ଅଣ କଂଗ୍ରେସ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରତି ପ୍ରଯୁଜ୍ୟ ।

ବିଜୟ ମହାପାତ୍ରଙ୍କୁ ଏବେ ବି ଲୋକେ ଜଣେ ସଚ୍ଚା ରାଜନେତା ଭାବେ ମାନନ୍ତି କିନ୍ତୁ ଭୋଟ୍‍ ଦିଅନ୍ତି ନାହିଁ । ଅର୍ଥାତ୍‍ ତାଙ୍କ କଥାରେ ଗଣମାଧ୍ୟମ ଫୁଟିପଡ଼େ ହେଲେ କିଛି ଫଳ ଧରେନି । ୨୦୦୦ ମସିହା ନିର୍ବାଚନ ସମୟରେ ତାଙ୍କୁ ନିର୍ବାଚନ ଟିକେଟ୍‍ ଦେଇ ଶେଷ ଦିନରେ ବିଜେଡି ପ୍ରତ୍ୟାହାର କରିନେଇଥିଲା । ଏହା ବିଜୟଙ୍କୁ ଯଥେଷ୍ଟ ବାଧିଥିଲା । ନିଜକୁ ସେ ଜଣେ ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି କହୁଥିଲେ- ଏବେ ଯେମିତି ବୈଜୟନ୍ତ କହୁଛନ୍ତି । ସେତେବେଳେ ନବୀନ ରାଜନୀତିରେ କଚ୍ଚା ଥିଲେ କିନ୍ତୁ ସଚ୍ଚା ବିଜୟଙ୍କୁ ପଦ୍ମାବତ୍‍ ଫିଲ୍ମରେ “ଆଲ୍ଲାଉଦ୍ଦିନ୍‍ ଖିଲିଜୀ ରାଣା ରତନ୍‍ ସିଂହଙ୍କୁ’ ଯୁଦ୍ଧ ନିୟମକୁ ଭୁଲି ମାରିଲା ଭଳି ନିର୍ବାଚନର ବିଜୟଙ୍କୁ ତାଙ୍କ ନିକଟରୁ ଦୂରେଇବାରେ ସମର୍ଥ ହୋଇଥିଲେ ।

ଏବେ ତ ନବୀନ ପକ୍ୱ । ୪ଥର ମୁଖ୍ୟମନ୍ତ୍ରୀ ଆଉ ଅପ୍ରତିଦ୍ୱନ୍ଦ୍ୱୀ । ଏଣୁ ଏବେ ବୈଜୟନ୍ତ ନବୀନଙ୍କ ବିନା ନିର୍ବାଚନ ଜିତିଲା ଭଳି ଅନୁଭବ ଆସୁନାହିଁ । ଅପରପକ୍ଷେ କେନ୍ଦ୍ରାପଡ଼ା ମାଟି ଯୁଗ ଯୁଗ ହେଲା ଜନତା ଦଳ ହାତରେ ରହିଛି । ସେଠାରେ କଂଗ୍ରେସର ସ୍ଥାନ ନାହିଁ । ବିଜେପିର ଭାବୀ ମୁଖ୍ୟମନ୍ତ୍ରୀ ଜିଲ୍ଲାର ସର୍ବେସର୍ବା ହୋଇଥିଲେ ମଧ୍ୟ ତାଙ୍କ ହାତ କେବଳ ଅନ୍ୟର ଗୋଡ଼ କାଟିବା ପାଇଁ ହିଁ ନିୟୋଜିତ ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ରାଜନୀତିରୁ ହଟାଇବାକୁ ଲାଗିପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରାପଡ଼ାର ଇତିହାସ କହୁଛି ବିନା ଶଙ୍ଖରେ ବୈଜୟନ୍ତ ଉଡ଼ିବା ଅସମ୍ଭବ ପ୍ରାୟ । ପୁଣି ବୈଜୟନ୍ତଙ୍କ ହାତରେ ଜିଲ୍ଲାର ଜଣେ ବି ହେଲେ ବିଧାୟକ ନାହାନ୍ତି । ଏଣୁ ସେ ବିଜୟଙ୍କ ଭଳି ନବୀନଙ୍କ ପାଇଁ ବିପଦ ବି ହେବେ ନାହିଁ । ଅର୍ଥାତ୍‍ ସେ ମିଶନ୍‍ରେ ବିଜୟ ହେବା ସନ୍ଦେହଜନକ ।

ଯଦି ନିଜ ରାଜନୀତିକ ହେଲିକପ୍ଟରକୁ ପୁଣିଥରେ କେନ୍ଦ୍ରାପଡ଼ା ଆକାଶରେ ବୈଜୟନ୍ତ ଓରଫ୍‍ ଜୟ ପଣ୍ଡା ଉଡ଼ାଇବାକୁ ଚାହାନ୍ତି ତେବେ ତାଙ୍କୁ ସତପଥି ହେବାକୁ ପଡ଼ିବ । ଏଠାରେ “ସତପଥି’ କହିଲେ ଆମେ ସିଧାସଳଖ ଢେଙ୍କାନାଳ ସାଂସଦ ତଥାଗତଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛୁ । ଶ୍ରୀ ସତପଥିଙ୍କ ରାଜନୀତିକ ଆକାଶରେ ଏମିତି ଏକ ଆଶଙ୍କା ଦିନେ ସୃଷ୍ଟି ହୋଇଥିଲା । ସେ ବି ନବୀନଙ୍କ ଉପରୁ ଭରସା ତୁଟାଇ ଦେଇଥିଲେ । ସେଥିପାଇଁ ନବୀନ ତାଙ୍କୁ ବି ନିଲମ୍ବିତ କରିଥିଲେ । ଏହାପରେ ସେ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଗଢ଼ା ହୋଇଥିବା ଓଡ଼ିଶା ଗଣପରିଷଦରେ ଯୋଗ ଦେଇଥିଲେ । କିନ୍ତୁ ମାତ୍ର ୪ ବର୍ଷ ପରେ ସେ ନିଜର ଭବିଷ୍ୟତକୁ ସେଥିରେ ଦେଖିପାରି ନଥିଲେ । ଏଣୁ ପୁଣିଥରେ ବିଜେଡିକୁ ଫେରି ଆସିବା ଲାଗି ଚାହିଁଥିଲେ ।

କୁହାଯାଏ ଯଦିଓ ସେ ୧୯୯୯ ନିର୍ବାଚନରେ ଢେଙ୍କାନାଳ ସଂସଦୀୟ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ କିନ୍ତୁ ତାଙ୍କ ବିରୋଧରେ ବିଜେପି ରୁଦ୍ରପାଣିଙ୍କୁ ପ୍ରାର୍ଥୀ କରିବା ପଛରେ ବିଜେଡିର ରାଜନୀତିକ ଷଡ଼ଯନ୍ତ୍ର ଜଡ଼ିତ ଥିଲା । ସେଇଥିପାଇଁ ସେ ବର୍ଷ ରାଜା କାମାକ୍ଷାଙ୍କ ବିଜୟ ହୋଇଥିଲା ।
ୱିକିପେଡିଆରେ ତଥାଗତଙ୍କ ସମ୍ପର୍କରେ ସର୍ଚ୍ଚ କଲେ ଏ ବିଷୟ ଆଉଟିକେ ସ୍ପଷ୍ଟ ହୁଏ । ସେଥିରେ କୁହାଯାଇଛି ଯେ, ସେ ନିଜ ଦ୍ୱାରା ପରିଚାଳିତ ଖବରକାଗଜ “ଧରିତ୍ରୀ’କୁ ବିଜେଡି ଓ ନବୀନଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ପରେ ନିର୍ବାଚନର କିଛିଦିନ ପୂର୍ବରୁ ଏହି ଖବରକାଗଜକୁ ବୁଝାମଣାର ଅସ୍ତ୍ରରୂପେ ଉପଯୋଗ କରି ସଫଳ ମଧ୍ୟ ହୋଇଥିଲେ । ପରେ ସେ ଦଳକୁ ଫେରି ଆସି ଢେଙ୍କାନାଳ ଲଢ଼ିବାକୁ ଟିକେଟ୍‍ ପାଇଥିଲେ । ଏ ବୁଝାମଣା ବିଷୟରେ ଅନେକ ଆଲୋଚନା ଗଣମାଧ୍ୟମରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହୋଇଛି କିନ୍ତୁ ତାହାକୁ ଏଠାରେ ଉପସ୍ଥାପନ କରିବାକୁ ଆମେ ଉଚିତ ମଣୁନାହୁଁ ।

ଓଡ଼ିଶା ରାଜନୀତିରେ ଏହି ଦୁଇ ଷ୍ଟଲ୍‍ୱାର୍ଟ ବୈଜୟନ୍ତଙ୍କୁ ଆଦର୍ଶର ରାସ୍ତା ଦେଖାଇବେ ବୋଲି ଅନୁମାନ କରାଯାଏ । ଯଦି ଜଗନ୍ନାଥ, ବଳଦେବଜୀଉ ବା ବିଜୁ ବାବୁଙ୍କ ବାହାନାରେ ବୈଜୟନ୍ତ ବିଜୟଙ୍କ ରାସ୍ତା ଗ୍ରହଣ କଲେ ତେବେ ୨୦୧୯ ତାଙ୍କ ପାଇଁ ଦୁର୍ବିସହ ହୋଇଯିବାର ଆଶଙ୍କା ନିଶ୍ଚିତ । ତାହା ନହୋଇ ଯଦି ନବୀନଙ୍କ ଆସ୍ଥା ଜିତିବା ଲାଗି ତଥାଗତଙ୍କ ଭଳି ନିଜ ଦ୍ୱାରା ପରିଚାଳିତ “ଓଟିଭି’କୁ ବ୍ୟବହାର କରନ୍ତି, ହୁଏତ ୨୦୨୪ ଯାଏ ସେ ସୁରକ୍ଷିତ ରହିପାରନ୍ତି । ଅବଶ୍ୟ ଏଥିପାଇଁ ନବୀନ ବାଟ ଖୋଲା ରଖିଛନ୍ତି ବୋଲି ଆଲୋଚନା ହେଉଛି । ନହୋଇଥିଲେ ଏତେ ମାପିଚୁପି ବିଜେଡିର ତୁଙ୍ଗ ନେତାମାନେ କେବଳ ପ୍ରେସ୍‍ ରିଲିଜ୍‍ ପଢ଼ିବା ଲାଗି ଗଣମାଧ୍ୟମକୁ ଡାକନ୍ତେ ନାହିଁ ।

advt
< a href= "#">