ବୈଜୟନ୍ତ ଖୋଲିବେ ବିଜୟଙ୍କ ଭବିଷ୍ୟତ ବାଟ

1
90

ଭୁବନେଶ୍ୱର,(ଓଟି): ବିଜେଡ଼ିରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଛି ବିଜୟ ମହାପାତ୍ରଙ୍କ ଭବିଷ୍ୟତ। ସେ ପର୍ଯ୍ୟନ୍ତ ବିଜୟଙ୍କ ଭାଗ୍ୟ ଝୁଲୁଛି କହିଲେ ଭୁଲ ହେବନି । ଯେ ପର୍ଯ୍ୟନ୍ତ ବୈଜୟନ୍ତ ନିଜର ରାଜନୈତିକ ଦୀଗ ସ୍ପଷ୍ଟ କରିନାହାଁନ୍ତି ସେ ଯାଏଁ ବିଜେଡିର ଦୁଆର ମଧ୍ୟ ବିଜୟଙ୍କ ପାଇଁ ଖୋଲିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟ ରାଜନୀତିରେ ଅପରାଜିତା ବନାମ ଧର୍ମେନ୍ଦ୍ର ପ୍ରସଙ୍ଗ ପରେ ଯଦି ସବୁଠାରୁ ଅଧିକ ଚର୍ଚ୍ଚିତ କୌଣସ ପ୍ରସଙ୍ଗ ଥାଏ ତେବେ ତାହା ହେଉଛି ବିଜୟ ମହାପାତ୍ରଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି। ବିଜେପିରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବା ପରେ ଏହି ଦୁଇ ନେତାଙ୍କ ରଣନୀତିକୁ ନେଇ ସବୁ ମହଲରେ କଳ୍ପନା ଜଳ୍ପନା ଚାଲିଛି। କିଏ କହୁଛି ସେ ବିଜେଡିରେ ମିଶିବେ, କିଏ କହୁଛି ସେ ଦାମ ରାଉତଙ୍କ ସଭାପତିତ୍ବରେ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବ, ତ ଆଉ କିଏ କହୁଛି ସେ ପୁଣି ଥରେ ନିଜସ୍ବ ରଜନୈତିକ ଦଳ ବା ସମୁଖ୍ୟ ଗଠନ କରିବେ। ଏପରିକି ସେ କଂଗ୍ରେସ ଆଡେ ମଧ୍ୟ ଆକର୍ଷିତ ହେଉଥିବା କଥା ଚର୍ଚ୍ଚା ହେଉଛି। କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି, ସେ କୁଆଡେ ବିଜେଡିରେ ମିଶିବେ।

କିନ୍ତୁ ବିଭିନ୍ନ ରାଜନୈତିକ ସ୍ତର ଏବଂ ପରିସ୍ଥିତିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବୈଜୟନ୍ତଙ୍କ ରଣନୀତି ଚୁଡାନ୍ତ ନହେବା ଯାଏଁ ବିଜୟଙ୍କ ଭବିଷ୍ୟତ ଝୁଲିଥିବ। ବୈଜୟନ୍ତ ବିଜେଡିରୁ ବାହାରିଲା ପରେ ଯଦିଓ ବିଜେପି ଆଡେ ଆକର୍ଷିତ ହୋଇଥିଲେ, ଏଯାଏଁ କିନ୍ତୁ ସେ ବିଧିବଦ୍ଧ ଭାବେ ଯୋଗ ଦେଇନାହାଁନ୍ତି। ବିଭିନ୍ନ ଜିଲ୍ଲା ବୁଲି ଚା ଖଟିରେ ଚର୍ଚ୍ଚା କରି ନିଜର ଲୋକ ସଂପର୍କ ବୃଦ୍ଧି କରୁଛନ୍ତି।

ବୈଜୟନ୍ତ ଦାମ ରାଉତଙ୍କ ସହ ବିଜୁ ସମତାକ୍ରାନ୍ତି ଦଳରେ ରହିବେ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେବେ । ତାହା ବି ସ୍ପଷ୍ଟ ହୋଇନି । ବିଜୁ ସମତାକ୍ରାନ୍ତି ଦଳ ଗଠନରେ ସେ ଦାମ ରାଉତଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା ବେଳେ ଦଳ ଘୋଷଣା ଦିନ ଉପସ୍ଥିତ ନଥିଲେ । ଏପିରିକି ସେ ବିଜୁ ସମତାକ୍ରାନ୍ତି ଦଳର କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ବି ଯୋଗଦେଉନାହାଁନ୍ତି । ସେପଟେ କିନ୍ତୁ ନିଜ ଗସ୍ତ ଜରିଆରେ ସେ ଯଦିଓ ରାଜ୍ୟ ସରକାରଙ୍କ ବିଫଳତା କଥା କହୁଛନ୍ତି, ବିଜେପି ସପକ୍ଷରେ କିନ୍ତୁ ପଦୁଟିଏ ବି କହୁନାହାଁନ୍ତି । ଏହି ଦୃଷ୍ଟିରୁ ତାଙ୍କର ରାଜନୈତିକ ଗତିବିଧି ଏବେ ବି ଅସ୍ପଷ୍ଟ ।

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜୟଙ୍କୁ ଉଭୟ ବିଜେଡି ଓ ସମତାକ୍ରାନ୍ତି ଦଳ କେନ୍ଦ୍ରାପଡା ଜିଲ୍ଲା ରାଜନୀତିକୁ ଦୃଷ୍ଟିରେ ରଖି ବିଚାର କରୁଛନ୍ତି। ବୈଜୟନ୍ତ ଯଦି କେନ୍ଦ୍ରାପଡାରୁ ଲୋକସଭା କି ବିଧାନସଭା ନିର୍ବାଚନ ଲଢନ୍ତି ବା କୌଣସି ଏକ ଦଳର ପ୍ରଚାର ମଙ୍ଗ ଧରନ୍ତି ତେବେ ତାଙ୍କୁ ଟକ୍କର ଦେବାକୁ ବିଜୟ ମହାପାତ୍ରଙ୍କୁ ପ୍ରୋଜେକ୍ଟ କରାଯିବ। ବିଜୟ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ଜଣେ ଅଭିଜ୍ଞ ଓ ପୁରୁଖା ଖେଳାଳି ହୋଇଥିବାରୁ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ତାଙ୍କର ପ୍ରଭାବ ରହିଛି। ତେଣୁ ବୈଜୟନ୍ତଙ୍କ ରଣନୀତି ଉପରେ ନିର୍ଭର କରିବ ବଜୟଙ୍କ ଉପରେ କିଏ ନିଜ ରାଜନୀତିର ମଙ୍ଗ ଧରାଇବାକୁ ଭରସା କରିବେ।

ବୋଧହୁଏ ସେଇଥିପାଇଁ ଦିଲ୍ଲୀପ ରାୟ ଗଣମାଧ୍ୟମକୁ ଏଡାଇ ବିଦେଶ ପଳାଇଲେ ଆଉ ତାଙ୍କ ଇସ୍ତଫା ସଂପର୍କରେ ଗଣମାଧ୍ୟମରେ ଘୋଷଣା କଲେ ବିଜୟ ମହାପାତ୍ର। ଚର୍ଚ୍ଚା ହେଉଛି, ଦିଲ୍ଲୀପ ରାୟଙ୍କୁ ଗ୍ରହଣ କରିବାରେ କୌଣସି ଦଳର ସମସ୍ୟା ନାହିଁ। କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ କିଛିଟା ଦ୍ବନ୍ଦ୍ବ ରହୁଛି। ଶୁଣାଯାଉଛି, ବୈଜୟନ୍ତ ଡିସେମ୍ବର ଶେଷ ସୁଦ୍ଧା ନିଜର ନିଷ୍ପତ୍ତି ଘୋଷଣା କରିବେ। ସେ ଯାଏଁ ଦିଲ୍ଲୀପ ବିଦେଶରେ ରହିବେ, ଆଉ ବିଜୟ ମହାପାତ୍ର ନିଜ ଭବିଷ୍ୟତକୁ ନିଜେ ଆକଳନ କରୁଥିବେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ଶ୍ରୀକାନ୍ତ ରାଜନୈତିକ ଭବିଷ୍ୟତ ରାହୁଲଙ୍କ ହାତରେ

ଶ୍ରୀକାନ୍ତ ରାଜନୈତିକ ଭବିଷ୍ୟତ ରାହୁଲଙ୍କ ହାତରେ

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦାମଙ୍କ ତାତ୍ସଲ୍ୟ

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦାମଙ୍କ ତାତ୍ସଲ୍ୟ

ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳାର ଦଣ୍ଡ : ହେମାନନ୍ଦ

ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳାର ଦଣ୍ଡ : ହେମାନନ୍ଦ

 

1 COMMENT

Comments are closed.