ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପ୍ରଣାଳୀ; ଭୂମି ପୂଜନ ପୂର୍ବରୁ ମନ୍ଦିରର ମଡେଲ୍ ଫଟୋ ଶେୟାର କଲେ ଟ୍ରଷ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାମ ମନ୍ଦିର ନିର୍ମାଣ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଶିଳାନ୍ୟାସ କରାଯିବ । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ଫଟୋ ଶେୟାର କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୂର୍ବରୁ ଥିବା ରାମ ମନ୍ଦିରର ମଡେଲକୁ ବଦଳା ଯାଇ ଏହାକୁ ଭବ୍ୟ ରୂପ ଦିଆଯାଇଛି । ପୂର୍ବରୁ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ ଫୁଟ୍ ରହିଥିବା ବେଳେ ଏବେ ୧୬୧ ଫୁଟ୍ ହେବ ।

ଏହାର ପୂଜା କାମ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୧ ବୈଦିକ ଆଚାର୍ଯ୍ୟ ମାନେ ପୂଜା ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିବା ଦିନ ଅଯୋଧ୍ୟା, ମଥୁରା, କାଶୀ, ଦିଲ୍ଲୀର ଆଚାର୍ଯ୍ୟ ମାନେ ପୂଜା କରାଇବେ ।

ଭୂମି ପୂଜାକୁ ଦୃଷ୍ଟିରେ ରଖି ଆଜି ମଧ୍ୟରାତ୍ରୀ ୧୨ଟାରୁ ବାରବାଙ୍କି-ଅଯୋଧ୍ୟା ରାସ୍ତାରେ ସମସ୍ତ ବସ୍ ଚଳାଚଳକୁ ବନ୍ଦ କରାଯିବ । ଏପରିକି ବାରବାଙ୍କିର ଚୌପଲା ଛକରୁ ମାର୍ଗ ପରିବର୍ତ୍ତନ କରି ବସ୍ ଗୁଡିକ ଚାଲିବା ନେଇ ସୂଚନା ମିଳିଛି । ସେହିପରି କଲବୁର୍ଗୀରେ ଅଗଷ୍ଟ ୪ରୁ ୬ ତାରିଖ ଯାଏ ୧୪୪ ଲାଗୁ କରାଯାଇଛି ।

ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଖରେ ଅଗଷ୍ଟ ୪ ତାରିଖ ମଧ୍ୟରେ ଆନୁମାନିକ ୩୦ କୋଟିରୁ ଅଧିକ ଅର୍ଥ ରାଶି ଜମା ହୋଇଛି ।

ସୂଚନାଯୋଗ୍ୟ, ରାମ ମନ୍ଦିର ଭୂମି ପୂଜନ ସମାରୋହରେ ସାମିଲ ହେବା ଲାଗି ସଂଘ ପ୍ରମୁଖ ମୋହନ ଭାଗବତ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହାଛଡା ଭାଗବତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଏବଂ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ପ୍ରମୁଖ ମଞ୍ଚରେ ସାମିଲ ହେବେ ।

ଭୂମି ପୂଜନ ଲାଗି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ନଦୀର ଜଳ ଓ ତୀର୍ଥ ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରା ଯାଇଥିଲା ବେଳେ ବହୁ ହିନ୍ଦୁ ଭକ୍ତ ମାନେ ଅର୍ଥରାଶି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.