ଭାଗଚାଷୀଙ୍କ ସଂଖ୍ୟା କୃଷି ବିଭାଗ ପାଖରେ ନାହିଁ

0
16

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା ୪୬ ଲକ୍ଷ ୬୭ ହଜାର। ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ବଡ଼ ଚାଷୀଙ୍କ ସଂଖ୍ୟା କମୁଛି। ତେବେ ରାଜ୍ୟରେ ଥିବା ଭାଗଚାଷୀଙ୍କ ସଂଖ୍ୟା କୃଷି ବିଭାଗରେ ଉପଲବ୍ଧ ନାହିଁ। ରାଜ୍ୟର ବିଭିନ୍ନ କିସମର ଚାଷୀଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୦୦-୦୧ ବର୍ଷରେ ରାଜ୍ୟରେ ୪୦ ଲକ୍ଷ ୬୭ ହଜାର ଚାଷୀ ଥିବା ବେଳେ ୨୦୦୫-୦୬ ବେଳକୁ ଏହି ସଂଖ୍ୟା ୪୩ ଲକ୍ଷ ୫୬ ହଜାରରେ ପହଞ୍ଚିଥିଲା। ତେବେ ଏହା ବୃଦ୍ଧି ପାଇ ୨୦୧୦-୧୧ ବେଳକୁ ୪୬, ୬୭,୪୬୬ ହୋଇଛି। ୨୦୦୦-୦୧ ବର୍ଷରେ ଏକ ହେକ୍ଟରରୁ କମ‌୍‍ ଜମି ଚାଷ କରୁଥିବା ରାଜ୍ୟରେ ୨୨.୯୪ ଲକ୍ଷ ନାମମାତ୍ର ଚାଷୀ ଥିବା ବେଳେ ୨୦୧୦-୧୧ ବେଳକୁ ଏହି ସଂଖ୍ୟା ୩୩.୬୮ ଲକ୍ଷକୁ ବୃଦ୍ଧି ପାଇଛି। ଅର୍ଥାତ‌୍‍ ଏହି ୧୦ ବର୍ଷ ମଧ୍ୟରେ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ବଢ଼ିଛି। ଅନ୍ୟପକ୍ଷରେ ୧ରୁ ୨ ହେକ୍ଟର ଜମି ସ୍ଖଷ କରୁଥିବା କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୨୦୦୦-୦୧ ବର୍ଷରେ ୧୧.୧୪ ଲକ୍ଷ ଥିବା ବେଳେ ୨୦୧୦-୧୧ ବେଳକୁ ତାହା ୯.୧୮ ଲକ୍ଷକୁ କମିଛି। ଏହି ୧୦ ବର୍ଷରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ରାଜ୍ୟରେ ପ୍ରାୟ ୨ ଲକ୍ଷ ହ୍ରାସ ପାଇଛି।

ସେହିପରି ୨ରୁ ୪ ହେକ୍ଟର ଚାଷ କରୁଥିବା ଆଂଶିକ ମଧ୍ୟମ କିସମର ସ୍ଖଷୀଙ୍କ ସଂଖ୍ୟା ଏହି ୧୦ ବର୍ଷ ମଧ୍ୟରେ ୫.୦୧ ଲକ୍ଷରୁ ୩.୧୧ ଲକ୍ଷକୁ କମିଛି। ଏହି କିସମର ଚାଷୀଙ୍କ ସଂଖ୍ୟାରେ ପ୍ରାୟ ୨ ଲକ୍ଷ ହ୍ରାସ ଘଟିଛି। ଉକ୍ତ ୧୦ ବର୍ଷ ମଧ୍ୟରେ ୪ ରୁ ୧୦ ହେକ୍ଟର ଜମି ଚାଷ କରୁଥିବା ମଧ୍ୟମ କିସମ ଚାଷୀଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ୬୪ ହଜାରକୁ କମି ଆସିଥିବା ବେଳେ ୧୦ ହେକ୍ଟରରୁ ଅଧିକ ଜମି ଚାଷ କରୁଥିବା ବଡ଼ଚାଷୀଙ୍କ ସଂଖ୍ୟା ୧୩ ହଜାରରୁ ୬ ହଜାରକୁ କମିଛି। ସରକାରଙ୍କ ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ବଡ଼, ମଧ୍ୟମ ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଦ୍ରୁତ ହାରାରେ କମୁଥିବା ବେଳେ ନାମମାତ୍ର ଚାଷୀଙ୍କ ସଂଖ୍ୟା କିନ୍ତୁ ବଢ଼ୁଛି। ରାଜ୍ୟରେ ମୋଟ‌୍‍ ୬୧.୮୦ ଲକ୍ଷ ହେକ୍ଟର ଚାଷ ଉପଯୋଗୀ ଜମି ଥିବା ବେଳେ ଏଥିରୁ ୪୮,୫୨,୦୪୧ ହେକ୍ଟର ଜମିରେ ଚାଷ ହେଉଥିବା କଥା ୨୦୧୦-୧୧ କୃଷି ଗଣନା ଆଧାରରେ କୁହାଯାଇଛି। ରାଜ୍ୟରେ ୨୪ ଲକ୍ଷରୁ ଅଧିକ କୃଷି ଶ୍ରମିକ ଥିବା କଥା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିବା ବେଳେ ତାଙ୍କ ବିଭାଗରେ ଭାଗଚାଷୀଙ୍କର ସଂଖ୍ୟା ଉପଲବ୍ଧ ନୁହେଁ ବୋଲି ଦର୍ଶାଇଛନ୍ତି।

Loading...