ନୀଳଗିରି ଦୁଷ୍କର୍ମ ମାମଲା ନେଇ ଗୃହ ଅଚଳ

0
22

ଭୁବନେଶ୍ୱର, (ଓଟି): ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଦୁଇ ଦୁଇଟି ଧର୍ଷଣ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପାଇଁ ଅଡି ବସିଛନ୍ତି ବିରୋଧି । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏଥିପାଇଁ ବାଚସ୍ପତି ନିର୍ଦ୍ଦେଶ ଦାବି ସହିତ ଗୃହରେ ହଟ୍ଟଗୋଳ କରିବାରୁ ବିଧାନସଭାର କାର୍ଯ୍ୟ ଆଜି ପୂର୍ବାହ୍ନରେ ମାତ୍ର କେଇ ମିନିଟ୍‍ ପାଇଁ ଚାଲିପାରିଛି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧିଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡାହୋଇ ପ୍ରଶ୍ନକାଳ ବାତିଲ ସହିତ ଗୁରୁତ୍ୱପୂର୍ଣ୍ଣ ନାବାଳିକା ଧର୍ଷଣ ସଂକ୍ରାନ୍ତରେ ଆଲୋଚନା ପାଇଁ ଦାବି କରିଥିଲେ ।

ଏହି ସମୟରେ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଶ୍ନକାଳ ଜାରି ରଖିବା ସହିତ ଉତ୍ତର ପଢିବାକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଡାକିଥିଲେ ।

ବିରୋଧିଦଳ ନେତାଙ୍କୁ କହିବାକୁ ସୁଯୋଗ ନମିଳିବାରୁ ବିରୋଧି କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଧ୍ୱନିମାନ ଦେଇଥିଲେ । ବିଜେଡି ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସିଥିଲେ । ହଟ୍ଟଗୋଳ ମଧ୍ୟରେ ଶ୍ରୀ ବେହେରା ତାଙ୍କ ଉତର ରଖୁଥିବାବେଳେ ବାଚସ୍ପତି ଗୃହକୁ ଏକ ଘଣ୍ଟାପାଇଁ ମୁଲତବି ରଖିଥିଲେ ।

ଶୂନ୍ୟକାଳରେ ବିରୋଧିଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଉଭୟ ସଂସଦ ଓ ବିଧାନସଭାର ପରମ୍ପରା ଅନୁଯାୟୀ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପାଇଁ ପ୍ରଶ୍ନକାଳ ବାତିଲ କରିବାର ନଜିର ରହିଛି । ଏହା ବାଚସ୍ପତିଙ୍କର ସମ୍ପୂର୍ଣର୍ ଇଚ୍ଛାଧିନ ହୋଇଥିଲେ ମଧ୍ୟ ସେ ବିରୋଧିଦଳ ଦେଇଥିବା ନୋଟିସ୍‍କୁ ବିଚାରକୁ ନେବା ସହିତ ଅଭିଯୋଗ ଶୁଣିବା ଆବଶ୍ୟକ । ହେଲେ ଆଜି ତାହା ହେଲାନାହିଁ ।

ଶ୍ରୀ ମିଶ୍ର କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ୬ଟି ଧର୍ଷଣ ହେଉଥିବାବେଳେ ବର୍ଷକୁ ୬ଟି ଧର୍ଷଣ ମାମଲାରେ ଦୋଷୀ ଦଣ୍ଡ ପାଉଛନ୍ତି । ଏହାଦ୍ୱାରା ଧର୍ଷଣକାରୀମାନେ ଉତ୍ସାହିତ ହୋଇ ଜଘନ୍ୟକାଣ୍ଡ ଘଟାଉଛନ୍ତି ।

ଜାମୁ-କାଶ୍ମୀର ଓ ଉତ୍ତରପ୍ରଦେଶର ଧର୍ଷଣ ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଓଡିଶାରେ ଘଟିଥିବା ଅନୁରୂପ ଘଟଣା କିନ୍ତୁ କୌଣସି ଜାତୀୟ ଗଣମାଧ୍ୟମରେ ଆସୁନଥିବା ସେ କହିଥିଲେ ।

ଶ୍ରୀ ମିଶ୍ର କହିଥିଲେ ଯେ ବଲାଙ୍ଗିର ଜିଲ୍ଲାରେ ଜଣେ ପୁଲିସ୍‍ ଏସ୍‍ଡିପିଓ ଅନ୍ୟଜଣେ ମହିଳା ପୁଲିସ୍‍ କନେଷ୍ଟବଳଙ୍କୁ ଧର୍ଷଣ କରିବା ଓ ମାନବ ଅଧିକାର କମିଶନର ପୁଲିସ୍‍ ସେଲ୍‍ ଏହାର ତଦନ୍ତ କରି ସତ୍ୟାସତ୍ୟ ପାଇଲାପରେ ବି ଉକ୍ତ ଅଭିଯୁକ୍ତ ପୁଲିସ୍‍ ଅଫିସର ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ।

ସେହିଭଳି କନିକା ଠାରେ ୩ବର୍ଷର ଶିଶୁକନ୍ୟା ଧର୍ଷଣ ମାମଲାରେ ତାଙ୍କର ହସ୍ତକ୍ଷେପ ପରେ ଅଭିଯୁକ୍ତ ଧରାପଡିଥିଲେ ମଧ୍ୟ ଦୋଷୀକୁ ଘଣ୍ଟ ଘୋଡାଇଥିବା ପୁଲିସ୍‍ ଇନ୍ସପେକ୍ଟରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ।

ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ଯେଉଁ ଧର୍ଷଣ କାଣ୍ଡ ଘଟିଛି ତାହା ଉପରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବକ୍ତବ୍ୟ ରଖିବା ଆବଶ୍ୟକ । ଏଥିପାଇଁ ବାଚସ୍ପତି ନିର୍ଦ୍ଦେଶ ଦୋବାକୁ ଶ୍ରୀ ମିଶ୍ର କହିଥିଲେ ।

ବାଚସ୍ପତି ଶ୍ରୀ ଅମାତ କହିଥିଲେ ଯେ ବିରୋଧିଦଳ ଦେଇଥିବା ନୋଟିସ୍‍ର ସେ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଆଜି ତିନିଟା ସୁଦ୍ଧା ଏହା ଉପରେ ମତ ଦେବେ । ଆଜି ଗୃହରେ ଦୁଇ ଦୁଇଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚଦାବି ଆଲୋଚନା ଥିବାରୁ ସଦସ୍ୟମାନେ ସହଯୋଗ ପାଇଁ ବାଚସ୍ପତି ନିବେଦନ କରିଥିଲେ ।

ହେଲେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧି କଂଗ୍ରେସ ବିଜେପି ସଦସ୍ୟମାନେ ପୁର୍ନବାର ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।