ଆସାମରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତ; ୨୬ ଜିଲ୍ଲା ପ୍ରଭାବିତ ଓ ୮୯ ମୃତ

ଗୌହାଟୀ, (ଓଡିଶା ଟାଇମ୍‌): ଆସାମରେ ବନ୍ୟା ଯୋଗୁଁ ଗତକାଲି ସୁଦ୍ଧା ୮୯ ଜଣଙ୍କ ପ୍ରାଣହାନୀ ହେବା ସହ ୨୬ ଜିଲ୍ଲାର ଅତ୍ୟନ୍ତ ପ୍ରଭାବିତ ହୋଇଥିବା ନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ)ର ଦୈନିକ ରିପୋର୍ଟ ଅନୁଯାୟୀ ବନ୍ୟା କାରଣରୁ ବାରପେଟା, ଡିବ୍ରୁଗଡ, ବଙ୍ଗାଇଗାଁଓ, କୋକ୍ରାଝର, ତିନସୁକିଆ, ଧେମାଜୀ ସମେତ ବହୁ ଜିଲ୍ଲା ଜଳବନ୍ଦୀ ହୋଇଥିବା ବେଳେ ପ୍ରାୟ ୨୬,୩୧,୩୪୩ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି ।

ଆହୁରି ମଧ୍ୟ ବ୍ରହ୍ମପୁତ୍ର ଓ ଶାଖା ନଦୀ ଗୁଡିକରେ ଜଳସ୍ତର ବଢିବା ଯୋଗୁଁ ମୋଟ୍ ୨୫୨୫ ଗ୍ରାମ ସମେତ ପାଖାପାଖି ୧,୧୫,୫୧୫.୨୫ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏପରିକି କାଜିରଙ୍ଗ ନ୍ୟାସନାଲ୍ ପାର୍କ ମଧ୍ୟ ବନ୍ୟା ଯୋଗୁଁ ଜଳବନ୍ଦୀ ହୋଇଥିବା ବେଳେ ପ୍ରାୟ ୧୨୦ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଛି ।

ଆସାମ ୱାଇଲ୍ଡ ଲାଇଫ୍ ଡିଭିଜନ୍‌, ପୂର୍ବର ଡିଭିଜନାଲ୍ ଫରେଷ୍ଟ ଅଫିସରଙ୍କ କହିବାନୁଯାୟୀ ପ୍ରାୟ ୧୪୭ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ତେବେ ଆଉ କିଛି ଜୀବଜନ୍ତୁ ଉକ୍ତ କାଜିରଙ୍ଗ ପାର୍କରେ ବନ୍ୟା ପାଣି ପ୍ରବେଶ କରିବା ପରେ ଉଚ୍ଚ ସ୍ଥାନକୁ ପଳାଇ ଯାଇଥିବା ସେ ପ୍ରକାଶ କରିଛନ୍ତି ।

ଷ୍ଟେଟ୍ ଡିଜାଷ୍ଟର ରେସପୋନ୍ସ ଫଣ୍ଡ (ଏସଡିଆରଏଫ୍‌), ନ୍ୟାସନାଲ୍ ଡିଜାଷ୍ଟର ରେସପୋନ୍ସ ଫଣ୍ଡ (ଏନଡିଆରଏଫ୍‌), ସର୍କଲ୍ ଅଫିସ୍ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୪୫୨ରୁ ଅଧିକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ପାରିଛି ।

ତେବେ ଆସାମରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ବୁଧବାର ଦିନ କେନ୍ଦ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆସାମ ବନଞା ପରିଚାଳନା ପ୍ରୋଗ୍ରାମ (ଏଫ୍‌ଏମପି) ଜରିଆରେ ପ୍ରାୟ ୩୪୬ କୋଟି ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published.