ଧାରା-୩୭୦ : ଗୋଟିଏ ତୀରରେ ଅନେକ ଶୀକାର

ସଂସଦର ଉଭୟ ଗୃହ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ସମ୍ୱିଧାନର ଧାରା-୩୭୦ରେ ଥିବା ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଧାରା-୩୭୦ (୧)କୁ ବ୍ୟବହାର କରି ଏସମ୍ପର୍କରେ ଆଦେଶ ଦେଇସାରିଥିଲେ। ଏହା ସହିତ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ-୨୦୧୯କୁ ମଧ୍ୟ ସଂସଦ ଅନୁମୋଦନ କରିସାରିଛି। ଯାହା ଫଳରେ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦାଖରେ ବିଭାଜିତ କରାଯାଇଛି।

ଗତ ମଇ ମାସରେ ବହୁମତ ସହିତ କେନ୍ଦ୍ରରେ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ମୋଦି ସରକାରର ଏହା ସବୁଠାରୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ଏହା ପୂର୍ବରୁ ଧାରା-୩୭୦କୁ ହଟାଇବାକେବଳ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ୨୦୧୪ରେ ଏକୁଟିଆ ବିଜେପି ବହୁମତ ପାଇଥିଲେ ବି କୌଣସି ରାଜନୈତିକ ପଦକ୍ଷେପ ନେଇନଥିଲା। କିନ୍ତୁ ଏବେର ମୋଦି ସରକାରର ପ୍ରଥମ ତିନି ମାସରେ ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଅନେକ ପ୍ରକାରର କଥା କୁହାଯାଉଛି। ଏହି ନିଷ୍ପତ୍ତି ଆଗାମୀ ଦିନରେ ବିଜେପିକୁ ବହୁତ ସହାୟକ ହୋଇପାରେ। ଅର୍ଥାତ୍ ଗୋଟିଏ ତୀରରେ ମୋଦି ସରକାର କେତେ ଶୀକାର କରିଛି ତାହା ଆଲୋଚନା କରିବା ଆବଶ୍ୟକ।

ଭାରତୀୟ ରାଜନୀତିରେ ଅମିତ୍ ଶାହଙ୍କ ଆବିର୍ଭାବ

ନୂଆ ସରକାରରେ ଗୃହ ମନ୍ତ୍ରୀ ହେବା ପୂର୍ବରୁ ଅମିତ୍ ଶାହଙ୍କୁ କେବଳ ବିଜେପିର ଜଣେ ସଫଳ ନିର୍ବାଚନୀ ରଣନୀତିକାର କୁହାଯାଉଥିଲା। ସେ ପାର୍ଟି ଅଧ୍ୟକ୍ଷ ଥିବା ସମୟରେ ବିଜେପି ପ୍ରଥମ ଥର ପାଇଁ ଲୋକସଭାରେ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ବ୍ୟତୀତ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପିର ଜନାଧାର ବହୁତ ବୃଦ୍ଧି ପାଇଛି। କିନ୍ତୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସଫଳତା ଉପରେ ତାଙ୍କ ସମର୍ଥକ ବିରୋଧିମାନେ ନଜର ପକାଇଅଛନ୍ତି। ଏଭଳି ସ୍ଥିତିରେ ଧାରା-୩୭୦କୁ ନିଷ୍ପ୍ରଭାବ କରିବା ପାଇଁ ଯେଉଁ ପ୍ରକାରର ପ୍ରସ୍ତୁତି ଓ ତତ୍ପରତା ଦେଖାଇଛନ୍ତି ତାହାକୁ ନେଇ ଚାରିଆଡେ଼ ଆଲୋଚନା ହେଉଛି।

ଗତ ସୋମବାର ଓ ମଙ୍ଗଳବାର ଯେଉଁଭଳି ଭାବରେ ସଂସଦର ରାଜ୍ୟସଭା ଓ ଲୋକସଭାରେ ଜମ୍ମୁ-କାଶ୍ମୀର ସମ୍ୱନ୍ଧିତ ପ୍ରସ୍ତାବ ଓ ବିଲକୁ ଅମିତ୍ ଶାହ ଆଗତ କରି ଏହା ଉପରେ ଆଲୋଚନା କଲେ, ସେଥିରୁ ଜଣାପଡ଼ୁଛି ସେ ନିଜକୁ ଜଣେ ଶକ୍ତିଶାଳୀ ଗୃହମନ୍ତ୍ରୀ ଭାବରେ ସ୍ଥାପିତ କରିବାକୁ ସଫଳତା ହାସଲ କରିଛନ୍ତି। ଏବେ ବିଜେପିରେ ନଂ-୨ କିଏ ଏହିସବୁ କଥାରୁ ସ୍ପଷ୍ଟ ହୋଇଯାଇଛି। ଏପରିକି ଆଗାମୀ ଦିନରେ ଦଳରେ ନଂ-୧ ଅମିତ୍ ଶାହ ହେବେ ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ଦୁର୍ବଳ ନୁହେଁ, ମଜଭୂତ ସରକାରର ଧାରଣା ବୃଦ୍ଧି

ଲୋକସଭା ନିର୍ବାଚନ-୨୦୧୯ ସମୟରେ ବିଜେପି ଏକ ମଜଭୂତ ସରକାର ଦେବାକେୁ ସକ୍ଷମ ବୋଲି ମତଦାତାଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଠା କରିଥିଲା। ଦେଶରେ ଧାରା-୩୭୦ ପ୍ରାୟ ୭୦ବର୍ଷ ଧରି ବିବାଦିତ ପ୍ରସଙ୍ଗ ହୋଇ ରହିଥିଲା। ଏହାକୁ ବିଜେପି ନିର୍ବାଚନୀ ପ୍ରସଙ୍ଗ କରିଥିଲା। ଗତ ସୋମବାର ଦିନ ଧାରା-୩୭୦ ସମ୍ପର୍କରେ ଐତିହାସିକ ନିଷ୍ପତ୍ତି ନେଇ ବିଜେପି ସରକାର ମଜଭୂତ ବୋଲି ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ସଫଳ ହୋଇଛି। କାରଣ ମଜଭୂତ ସରକାର ହିଁ ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ହଟାଇବାର ନିଷ୍ପତ୍ତି ନେଇପାରିବ। ରାଜ୍ୟସଭାରେ ଏନଡ଼ିଏ ପାଖରେ ବହୁମତ ନଥିଲେ ହେଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ବିଜେପି ଆଗାମୀ ଦିନରେ ଦେଶରେ ସମାନ ଆଚାର ସଂହିତା ଲାଗୁ କରିବା ଦିଗରେ କାମ କରିବ ବୋଲି ଆଶା କରାଯାଉଛି।

ଆରଏସଏସର ସରକାର ଉପରେ ମଜଭୂତ ବିଶ୍ୱାସ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଦେଶରେ ସମାନ ଆଚାର ସଂହିତା ଲାଗୁ କରିବା ସହିତ ଧାରା-୩୭୦ ହଟାଇବା ବିଜେପିର ମୂଳ ସଂଗଠନ ଆରଏସଏସ ପ୍ରମୁଖ ଦାବି ରହିଛି। ଗତ ସରକାରରେ ବହୁମତ ହାସଲ ପରେ ଏସବୁ ପ୍ରସଙ୍ଗ ଉପରେ ମୋଦି ସରକାର କୌଣସି ପଦକ୍ଷେପ ନେଇନଥିବାରୁ ସଂଘ ବହୁତ ଅସନ୍ତୁଷ୍ଟ ଥିଲା। ଏହି ଅସନ୍ତୁଷ୍ଟ ହେବା କଥା ସଂଘର ବୈଠକ ଓ ସାର୍ବଜନିକ ମଞ୍ଚରେ ସଂଘର ନେତାମାନଙ୍କ କଥାରେ ଦେଖିବାକୁ ମିଳୁଥିଲା। ଏବେ ମୋଦି ସରକାର ଧାରା -୩୭୦କୁ ଅକାମୀ କରିଦେବା ପରେ ଆରଏସଏସ ତାର ରାଜନୈତିକ ଶାଖା ବିଜେପି ଉପରେ ବିଶ୍ୱାସ ମଜଭୂତ ହୋଇଛି। ସଂସଦରେ ଧାରା-୩୭୦ ଅକାମୀ ହେବା ପରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ଓ ସରକାର୍ଯ୍ୟବାହ ସୁରେଶ ଯୋଶୀ (ଭୈୟାଜୀ) ସରକାରକୁ ଅଭିନନ୍ଦନ ଜଣାଇବା ସହିତ ଏହାକୁ ସରକାରଙ୍କ ସାହସିକ ପଦକ୍ଷେପ ବୋଲି କହିଛନ୍ତି।

ରାଜନୈତିକ ଫାଇଦା

ବିଜେପିର ମୋଦି ସରକାର ଯତେସବୁ ପଦକ୍ଷେପ ନେଉଛନ୍ତି ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ସାଧାରଣତଃ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ସ୍ପଷ୍ଟ ହେବାରେ ଲାଗିଛି। ବିଜେପି ଏହିସବୁ ନିଷ୍ପତ୍ତିକୁ ନିର୍ବାଚନରେ ଭରପୂର ବ୍ୟବହାର କରିଥାଏ। ୨୦୧୬ରେ ନୋଟବନ୍ଦୀ ନିଷ୍ପତ୍ତିକୁ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନରେ ବ୍ୟବହାର କରି ସଫଳତା ପାଇଥିଲା।

ରାଜନୀତିକ ମହଲର କହିବା ଅନୁସାରେ ଧାରା-୩୭୦କୁ ଅକାମୀ କରିବା ନିଷ୍ପତ୍ତିକୁ ଅକ୍ଟୋବର-ନଭେମ୍ୱରରେ ହେବାକୁ ଥିବା ମହାରାଷ୍ଟ୍ର, ଝାରଖଣ୍ଡ ଓ ହରିଆନା ନିର୍ବାଚନରେ ପ୍ରଚାର କରିବାରୁ ପଛଘୁଞ୍ଚା ଦେବ ନାହିଁ। ଧାରା-୩୭୦ ଅକାମୀ ନିଷ୍ପତ୍ତିର ରାଜନୈତିକ ପ୍ରଭାବ ଦେଶରେ ଲମ୍ୱା ସମୟ ପର୍ଯ୍ୟନ୍ତ ରହିବା ସହିତ ଏହାର ଫାଇଦା ବିଜେପିକୁ ମିଳିବ। କେବଳ ସେତିକି ନୁହେଁ ଧାରା-୩୭୦ ଅକାମୀ ଓ ଜମ୍ମୁ-କାଶ୍ମୀର ବିଭାଜିତ ହେବା ପରେ ଏହି ରାଜ୍ୟ ଉପରେ କେନ୍ଦ୍ର ସରକାରଙ୍କ ପ୍ରଭାବ ଅଧିକ ମଜଭୂତ ହେବ।

ଆଥିର୍କ ପ୍ରସଙ୍ଗ ଏବେ ପାଣିଚିଆ

ଧାରା-୩୭୦ ଯୋଗୁଁ ଦେଶରେ ଯେଉଁ ଆଥିର୍କ ମାନ୍ଦାବସ୍ତା ଦେଖାଦେଇଛି ତାହା ଆଲୋଚନା ପରିସରରେ ନାହିଁ। ଏପରିକି ଏଥିପାଇଁ କେହି ସରକାରଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇବାକୁ ଇଛା କରୁନାହାନ୍ତି।

Leave a Reply

Your email address will not be published.