ଓଡ଼ିଶାର ଲୋକକଳାରେ ଝୋଟି ଚିତା

0
0

ପ୍ରାଚୀନ କାଳର ଆଦିମ ମାନବର ଜୀବନ ସ୍ଥାପନ ଶୈଳୀର କ୍ରମବିକାଶ ହେତୁ, ସେ ସଂଗଠିତ ଜୀବନ ଯାପନ କରିବା ଦ୍ୱାରା ସାମାଜିକ ବା ଲୌକିକ ଜଳଣିରୁ ନୀତି ନିୟମ ମାନିବାକୁ ଲାଗିଲା । ଯେପରି ଘାସ ପଡ଼ିଆରେ ବହୁବାର ଯାତାୟାତ କରିବା ଦ୍ୱାରା ତାହା ଏକ ନୀତି ଦିନିଆ ରାସ୍ତାର ରୂପ ନିଏ ଠିକ୍ ସେହିପରି ନୀତି ନିୟମ ଗୁଡ଼ିକ ବହୁବାର ମାନିବା ଦ୍ୱାରା ତାହା ‘ପ୍ରଥା’ରେ ଏବଂ ପ୍ରଥା ବଂଶାନୁକ୍ରମିକ ଭାବେ ପାଳନ ହୋଇ ଆସିଲେ ତାହା ସମୟ କ୍ରମେ ପରମ୍ପରାରେ ପରିଣତ ହୋଇଯାଏ । ପ୍ରଥା ଓ ପରମ୍ପରାକୁ ମାନିବା ସହ ଆଦିମ ମାନବ ତା’ର ପାରିପାର୍ଶିକ ବସ୍ତୁ ଯଥା ବାୟୁ, ଅଗ୍ନି, ଜଳ, ବୃକ୍ଷ, ଆକାଶ ଇତ୍ୟାଦିଙ୍କ ପାଖରେ ଆଲୌକିକ ଶକ୍ତିକୁ ଅନୁଭବ କରିବା ଦ୍ୱାରା ସେମାନଙ୍କ ବିପଦ ଆପଦର ରକ୍ଷକ ଭାବେ ଧାର୍ମିକ ଧାରାରେ ପୂଜା କରିବା ସହ ପାରିପାର୍ଶିକ ଶକ୍ତିଧାରକମାନଙ୍କୁ ‘ଦେବା ଦେବୀ’ର ଆଖ୍ୟା ଦେବା ସହ ଏକ ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ପୂଜାର୍ଚ୍ଚନା କରିବାକୁ ଲାଗିଲା । ସେହି ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକ ‘ପର୍ବ ପର୍ବାଣି’ର ଆଖ୍ୟା ବହନ କଲା । ‘ପର୍ବ ପର୍ବାଣି’ ଗୁଡ଼ିକ ସରସ ସୁନ୍ଦର ଏବଂ ରୁଚିମନ୍ତ କରିବା ପାଇଁ ସୃଷ୍ଟି କଲା ‘କଳା’ । କଳା ବଂଶାନୁକ୍ରମିକ ହୋଇ ଆତ୍ମପ୍ରକାଶ କଲା ‘ଲୋକ କଳା’ ବା ‘ପାରମ୍ପରିକ କଳା’ ।

ରବୀନ୍ଦ୍ର କୁମାର ମହାରଣା
(କଳା ଶିକ୍ଷକ)
ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨
ସତ୍ୟଭାମାପୁର

ଆଦିମ ମାନବର ଚଳଣି, ପ୍ରଥା, ପରମ୍ପରା, ପର୍ବପର୍ବାଣି ଲୋକକଳା ବା ପାରମ୍ପରିକ କଳାର ନିଦର୍ଶନ ଗୁଡ଼ିକ ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବି କରେ । ଆମ ରାଜ୍ୟରେ ଯେତେ ଗୁଡ଼ିଏ ଲୋକ ଚିତ୍ରକଳା ରହିଅଛି ସେଥିମଧ୍ୟରୁ ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ସୃଷ୍ଟ ଝୋଟି ଚିତ୍ର ବା ଚିତା ବାରମାସରେ ତେର ପର୍ବ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । କେବଳ ଯେ ଝୋଟି ଚିତ୍ରକଳା ନୁହେଁ ଆମ ରାଜ୍ୟରେ ଯେତେ ଗୁଡ଼ିଏ ଲୋକଚିତ୍ରକଳା ଅନୁଭବ ହୁଏ ପ୍ରାୟ ସବୁ ଗୁଡ଼ିକ ଆମ ଲୋକ ସଂସ୍କୃତି ବା ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ, କୃଷି କାର୍ଯ୍ୟର ପରିସମାପ୍ତି ପରେ କୃଷକମାନେ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । ଇତି ଅବସରରେ ଗ୍ରାମୀଣ ଓଡ଼ିଶା ଘରର ବୋହୂ ଧାର୍ମିକ ଚେତନାରେ ଉଦ୍ବୁତ ହୋଇ ବିଦେଶାସିନ ସ୍ୱାମୀ ଏବଂ ପରିବାରର ମଙ୍ଗଳକାମନା କରି ବାର ମାସରେ ତେର ପ୍ରକାର ପର୍ବ, ଉପବାସ, ସହ ଅନେକ ଧାର୍ମିକ କାର୍ଯ୍ୟରେ ଶୁଦ୍ଧପୁତ୍ ଭାବେ ମନନିଯୋଗ କରିଥାଏ । ଲୋକଚିତ୍ରକଳା ଓ ଲୋକ ସଂସ୍କୃତିକୁ ଅନୁଧ୍ୟାନ କଲେ ଆମେ ଜାଣି ପାରିବା ଯେ, ପ୍ରତ୍ୟେକ ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟରେ ଏବଂ ପର୍ବ ପର୍ବାଣିରେ ଝୋଟିଚିତ୍ର ବା ଚିତା ଅଙ୍କନ କରିବା ଗ୍ରାମୀଣ ମହିଳା ମାନଙ୍କର ପ୍ରାଥମିକ ଏବଂ ପ୍ରଧାନ କାର୍ଯ୍ୟରେ ପରିସରଭୁକ୍ତ ଅଟେ । ଗ୍ରାମୀଣ ମହିଳାମାନେ ବ୍ରାହ୍ମ ମୂହୁର୍ତ୍ତରୁ ଶର୍ଯ୍ୟାତ୍ୟାଗ କରି ନଦୀ ବା ପୋଖରୀରେ ସ୍ନାନ ତର୍ପଣ କରିବା ପରେ କିମ୍ବା ପୂର୍ବରୁ ଗୃହର ପ୍ରବେଶ ପଥର ପାଦ ଦେଶରେ ଗୋବରର କୁଣ୍ଡଳୀକାର ପ୍ରଲେପ ଦେଇ ତାରି ଉପରେ ମୁରୁଜରେ ଝୋଟି ଆଙ୍କିଥାନ୍ତି ।

ଏତଦ୍‌ବ୍ୟତୀତ ବାରମାସ ମଧ୍ୟରେ ଶ୍ରେଷ୍ଠ ମାସ ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ଓ ସହରର ଓଡ଼ିଆଣୀମାନେ ଘରେ ଘରେ ଝୋଟି ଚିତ୍ର ଅଙ୍କନ କରି ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କୁ ଆବାହନ କରିବାର ସଂସ୍କୃତି ଓଡ଼ିଶା ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନ ଅଟେ ।

ଆମ ରାଜ୍ୟର ବୈଦିକ ତଥା ଲୌକିକ ସଂସ୍କୃତିରେ କୁହାଯାଇଛି ଯେ – “ଜଳ ଦ୍ୱାରା ହୁଏ ଜଳ ପ୍ରତିଷ୍ଠା, ମଳ (ଗୋମୟ) ଦ୍ୱାରା ହୁଏ ମଳ ପ୍ରତିଷ୍ଠା” । ଏ ହେତୁ ପ୍ରତ୍ୟେକ ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟରେ ଝୋଟିଚିତ୍ର ବା ଚିତ୍ର ପକାଇବାର କଳା କୌଶଳ ଗ୍ରାମୀଣ ଝିଅ ବୋହୂମାନେ ଅଳ୍ପ ବହୁତେ ପ୍ରାୟ ଜାଣିଥାନ୍ତି । ଏହା ବଂଶାନୁକ୍ରମିକ ହୋଇଥିବା ହେତୁ, ଏହାର କୌଶଳ ଶିକ୍ଷା ମଧ୍ୟ ବଂଶାନୁକ୍ରମିକ ଅଟେ । ଓଡ଼ିଆଣୀମାନେ ପ୍ରଥମେ ଘର ବାଡ଼ିକୁ ଗୋମୟର ଲେପନ ଦ୍ୱାରା ଶୁଦ୍ଧପୁତ କରିବା ପରେ ଗାଁରେ ମିଳୁଥିବା ନାଲି ମାଟି (ରଙ୍ଗମାଟି) ଏବଂ ଗେରୁ ରଙ୍ଗରେ ଚର୍ତୁଭୁଜାକାର ଓ ଗୋଲାକାର କୁଣ୍ଡଳୀମାନ ପ୍ରସ୍ତୁତ କରି ବଟା ଅରୁଆ ଚାଉଳରୁ ପ୍ରସ୍ତୁତ ପିଠଉରେ ବିଭିନ୍ନ ପ୍ରକାରର ନକ୍ସା ଦ୍ୱାରା ଝୋଟିଚିତ୍ର ଆଙ୍କିଥାନ୍ତି । ଓଡ଼ିଆ ଘରର ଝିଅବୋହୂମାନେ ସାଧାରଣତଃ ପିଠଉକୁ କନା, ତୁଳା କିମ୍ବା ଗେଣ୍ଡୁଫୁଲକୁ ଆଙ୍ଗୁଠିରେ ଚାପି ଧରି ଅନାମିକା ଆଙ୍ଗୁଠି ସାହାର୍ଯ୍ୟରେ ବିଭିନ୍ନ ପ୍ରକାର ନକ୍ସା ଯଥା ଲକ୍ଷ୍ମୀ ପାଦ, ପଦ୍ମ, ଶଙ୍ଖ, ଚକ୍ର, ଓଲଟା ଶୁଆ, ଯୋଡ଼ି ମାଛ, ମୟୁର, ହାତୀ, ଧାନ ଶିଷା, ବିଭିନ୍ନ ପ୍ରକାରର ଡାଳି, ଲତା, ଚାମର, କଳସ ଇତ୍ୟାଦି ସହ ହାତର ମୁଖ୍ୟ ତିନି ଆଙ୍ଗୁଠିରେ ତ୍ରିଭୂଜାକାର ଓ ଦେଉଳିଆ ଆକାରର ଚିତା (ବେଙ୍ଗୁଲି ଚିତା) ପକାଇଥାନ୍ତି।

ପାରମ୍ପରିକ ଚିତାରେ ଶ୍ରୀ ଜଗନ୍ନାଥଙ୍କ ମୁହଁ

ଝୋଟିଚିତ୍ର ବା ଚିତ୍ର ପକାଇବାର କଳା କୌଶଳ ଗ୍ରାମୀଣ ଝିଅ ବୋହୂମାନେ ଅଳ୍ପ ବହୁତେ ପ୍ରାୟ ଜାଣିଥାନ୍ତି । ଏହା ବଂଶାନୁକ୍ରମିକ ହୋଇଥିବା ହେତୁ, ଏହାର କୌଶଳ ଶିକ୍ଷା ମଧ୍ୟ ବଂଶାନୁକ୍ରମିକ ଅଟେ । ତେବେ ମାଆ, ବଡଭଉଣୀ, ଭାଉଜମାନଙ୍କଠାରୁ ଘରର ଝିଅମାନେ ସାଧାରଣତଃ ଚିତା ପକାଇବାର କୌଶଳ ଅବସର ସମୟରେ ଶିକ୍ଷା କରିଥାନ୍ତି ।

ମାର୍ଗଶିର ମାସ ବ୍ୟତୀତ ଓଡ଼ିଶାର ବାହା ଓ ବ୍ରତୋପନୟନରେ ମଧ୍ୟ ଦାଣ୍ଡ କାନ୍ଥରେ ‘ଦୁଆର ଚିତ୍ର’ରେ ପୂର୍ଣ୍ଣ କୁମ୍ଭ ବା କଳସ, ଯୋଡ଼ି ମାଛ ଏବଂ ବିଭିନ୍ନ ପ୍ରକାର ଲତା ଓ ଡାଳିର ଚିତ୍ର ଚିତ୍ରକାରମାନେ ଆଙ୍କିଥାନ୍ତି । ଆଦିବାସୀ ଅଞ୍ଚଳରେ ମଧ୍ୟ ଆଦିବାସୀମାନେ ବିଭିନ୍ନ ପ୍ରକାର ସରସ, ସୁନ୍ଦର ଓ ବୋଧଗମ୍ୟ ଚିତା କାନ୍ଥରେ ଆଙ୍କିଥାନ୍ତି । ଏତଦ୍‌ବ୍ୟତୀତ ଜଗନ୍ନାଥ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନ କାର୍ତ୍ତିକ ମାସରେ ମଧ୍ୟ ହବିସାଳିମାନେ ମାସର ପ୍ରତ୍ୟେକ ଦିନ ତୁଳସୀ ଚଉରାରେ ସୁନ୍ଦର ପଞ୍ଚ ମୁରୁଜରେ ଝୋଟିଚିତ୍ର (ଚିତା) ପକାଇବାର ଦୃଷ୍ଟିଗୋଚର ହୁଏ । ଏବଂ ବୈଦିକ ଶାସ୍ତ୍ରାନୁସାରେ ଯଜ୍ଞ କୁଣ୍ଡ ନିକଟରେ ବ୍ରାହ୍ମଣମାନେ ପଞ୍ଚ ମୁରୁଜରେ ଶାସ୍ତ୍ରାନୁମୋଦିତ ମଣ୍ଡଳୀ ଚିତ୍ର ଆଙ୍କି ଯଜ୍ଞର ଅୟାଂରମ୍ଭ କରନ୍ତି । ଝୋଟି ଚିତ୍ର ଆମ ଲୋକ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନ ହେଲେ ମଧ୍ୟ ଏହା ଆଧୁନିକ ମାନବର ବୈଜ୍ଞାନିକ ଜ୍ଞାନ କୌଶଳର ଝଟ୍କାରୁ ବାଦ ପଡ଼ି ନାହିଁ । ଆଜି କାଲିର କେତେକ ସ୍ୱାର୍ଥନ୍ୱେଷୀ ବ୍ୟବସାୟୀମାନେ ପୁରାତନର ଝୋଟି ଚିତ୍ରକୁ ଟିଣ ଉପରେ ଅନୁରୂପ ଛିଦ୍ର କରି ମୁରୁଜରେ ଚିତା ପକାଇବାର କୌଶଳ ବାହାର କରିଥିବା ସ୍ଥଳେ ଆହୁରି ଅତ୍ୟାଧୁନିକତାକୁ ଲକ୍ଷ୍ୟ କରି ଜାଣିପାରିବା ଯେ, ଚିତ୍ରକାରମାନଙ୍କ ଠାରୁ ଝୋଟି ଚିତ୍ରର ନକ୍ସା ପ୍ରସ୍ତୁତ କରି ବ୍ୟବସାୟୀମାନେ ସ୍କ୍ରିନ୍ ପ୍ରିଣ୍ଟିଂ କରି ବହୂଳ ଭାବେ ପ୍ରସାର କରି ବେଶ୍ ରୋଜଗାରକ୍ଷମ ହେଉଥିଲେ ମଧ୍ୟ ହାତ ତିଆରି ଝୋଟି ଚିତ୍ରର ମୌଳିକତା ଠାରୁ ନିଶ୍ଚିତ ନିକୃଷ୍ଟତ୍ତର ଅଟେ । ଏହି ସ୍କ୍ରିନ୍ ପ୍ରିଣ୍ଟିଂ ଷ୍ଟିକରିଂ କେବଳ ସହରୀ ବାବୁଆଣୀଙ୍କ ପସନ୍ଦ ଯୋଗ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରସାର ଆସ୍ତେ ଆସ୍ତେ ଗାଁକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହି ଆଧୁନିକତା ଆମ ସଂସ୍କୃତି ପାଇଁ କୁଠାରଘାତ ନୁହେଁ କି?

ପ୍ରାକ୍ ଐତିହାସିକ ଯୁଗଠାରୁ ବର୍ତ୍ତମାନର ବେଜ୍ଞାନିକ ଯୁଗ ପର୍ଯ୍ୟନ୍ତ ଲୋକ କଳା ଓ ଲୋକ ସଂସ୍କୃତିର ଉତ୍ଥାନ ପଥରେ ପୁରୁଷ ଅପେକ୍ଷା ଅଶି ପ୍ରତିଶତ ମହିଳାମାନଙ୍କର କର୍ମ ଓ କଳାଚାତୁରୀର ମହନୀୟତା ଉପଲବ୍ଧ କରାଯାଏ । ସରଳା, ଅବଳା, ମିଷ୍ଟଭାଷୀ, କଷ୍ଟସହିଷ୍ଣୁ, ପତିବ୍ରତା ଓ ପରୋପକାରୀ ନାରୀ ହିଁ ଆମ ଲୋକକଳା ଓ ଲୋକ ସଂସ୍କୃତିର ମୌଳିକତାକୁ ବଜାୟ ରଖିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।