ପ୍ରଥମ ବିଶ୍ୱ ଯୁଦ୍ଧ : ଯୁଦ୍ଧ ତାଙ୍କର ଯୋଦ୍ଧା ଆମର ; ସଶସ୍ତ୍ର ବାହିନୀ ପତାକା ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଅନୁଶୀଳନ

0
319
advertisement
ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ 
୯୯୧୦୭୪୦୮୩୯
ଲେଖକ ଜଣେ ସାମ୍ବାଦିକ ଏବଂ ସମସାୟିକ ଘଟଣା ବିଶ୍ଳେଷକ

୦୧୮ ହେଉଛି ପ୍ରଥମ ବିଶ୍ୱଯୁଦ୍ଧ ପରିସମାପ୍ତିର ଶତବାର୍ଷିକୀ  । ସବୁ ଯୁଦ୍ଧର ପରିସମାପ୍ତି ହିଁ “ଯୁଦ୍ଧ’ ବା “ସଭ୍ୟତା’ ପାଇଁ ଏକ ବଡ଼ ଯୁଦ୍ଧ” ଭାବେ ଉଭା ହୁଏ  । ଯେ କୌଣସି ଯୁଦ୍ଧ ଏହାର ସ୍ରଷ୍ଟାମାନଙ୍କର କଳ୍ପନା ମୁତାବକ ଲକ୍ଷ୍ୟ ହାସଲ କରିପାରେ ନାହିଁ  । ଇଂରେଜମାନଙ୍କର ଆଶା ଅନୁଯାୟୀ ପ୍ରଥମ ବିଶ୍ୱ ଯୁଦ୍ଧ ଖ୍ରୀଷ୍ଟମାସ ବା ବଡ଼ଦିନ ପୂର୍ବରୁ ଶେଷ ହେଲା ନାହିଁ କି ଜର୍ମାନମାନଙ୍କର ଉଦ୍ଦେଶ୍ୟ ମୁତାବକ “ପତ୍ରଝଡ଼ା’ପୂର୍ବରୁ ଶେଷ ହେଲାନାହିଁ  । ଯୁଦ୍ଧ ସନ୍ଧି ପ୍ୟାରିସ୍ର ଉତ୍ତରରେ କମ୍ପିନ୍ ଜଙ୍ଗଲରେ ମାର୍ଶଲ ଫର୍ଡ଼ିନାଣ୍ଡ ଫୋକ୍ଙ୍କ ରେଳଡ଼ବାରେ ୧୯୧୮ ମସିହାର ଏକାଦଶ ମାସରେ ୧୧ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ସ୍ୱାକ୍ଷାରିତ ହୋଇଥିଲା  । ୧୯୧୯ ମସିହାରେ ଭର୍ସାଲେସ ଚୁକ୍ତି ଜର୍ମାନୀ ଓ ମିତ୍ରଶକ୍ତି ମଧ୍ୟରେ ଯୁଦ୍ଧର ପରିସମାପ୍ତି ଘଟାଇଥିଲା  । ନଭେମ୍ବର ୧୧କୁ ଏହାର ସ୍ମୃତିଦିବସ ଏବଂ ଡ଼ିସେମ୍ବର ୭ତାରିଖକୁ ସଶସ୍ତ୍ର ବାହିନୀର ପତାକା ଦିବସ ଭାବେ ପାଳନ କରାଯାଏ  ।

ମେଜର ଜେନେରାଲ ଗଙ୍ଗା ସିଂହ (ବିକାନେରର ମହରାଜା) ୧୯୧୭ ମସିହାରେ ଇମେରିଆଲ ଯୁଦ୍ଧ ପରିଷଦର ସଦସ୍ୟ ଥିଲେ  । ଭର୍ସାଲେସ ଚୁକ୍ତିର ଭାରତ ଏକ ସ୍ୱତନ୍ତ୍ର ସ୍ୱାକ୍ଷରକାରୀ ଥିଲା  । ଏହା ସହିତ ଭାରତ ରାଷ୍ଟ୍ରସଂଘର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲା  । ତତ୍କାଳୀନ ସମୟରେ ଏହି ମର୍ଯ୍ୟଦା ପାଇବାରେ ଭାରତ ଏକମାତ୍ର ସ୍ୱାଧୀନତା ପାଇନଥିବା ଦେଶ ଥିଲା  । ମେଜର ଜେନେରାଲ ଗଙ୍ଗା ସିଂହ ଥିଲେ ଚୁକ୍ତି ସ୍ୱାକ୍ଷରବେଳେ ଉପସ୍ଥିତ ଥିବା ଏକମାତ୍ର ଅଣଶ୍ୱେତାଙ୍ଗ  । ସାଇନିଙ୍ଗ ଅଫ୍ ଟ୍ରିଟି (ସନ୍ଧି ସ୍ୱାକ୍ଷର) ର ପ୍ରସିଦ୍ଧ ଚିତ୍ରରେ ପାରମ୍ପରିକ “ସାଫା’ ପୋଷାକ ସହ ୟୁନିଫର୍ମ ପରିହିତ ମେଜର ଜେନେରାଲ ଗଙ୍ଗା ସିଂହ ବେଶ ପ୍ରଭାବଶାଳୀ ଭାବରେ ଉପସ୍ଥାପିତ ହୋଇଥିଲେ  ।
ଏହି ବିଶାଳ ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ପ୍ରଯୁକ୍ତିଗତ ବିକାଶ ସାଙ୍ଗକୁ କଣ୍ଟା ତାରର ବାଡ଼, କମାଣ, ମାଗାଜିନ-ଭର୍ତ୍ତି ହୋଇଥିବା ତୁରନ୍ତ ଗୁଳି ବର୍ଷାଇ ପାରୁଥିବା ବନ୍ଧୁକ, ରାଇଫଲ ଏବଂ ବୋଲ୍ଟ ଦ୍ୱାରା ଗୁଳି ଭର୍ତ୍ତି କରାଯାଉଥିବା ମେସିନ ଗନ୍ ଇତ୍ୟାଦି ଏହି ଯୁଦ୍ଧରେ ପ୍ରଥମ ଥର ସକାଶେ ବ୍ୟବହୃତ ହୋଇଥିଲା  ।
ବନ୍ଧୁକ -ରାଇଫଲ-ମେସିନ୍ ଗନ୍ ଭଳି ଗୁଳିଗୋଳା କମାଣର ବ୍ୟାପକ କରାଯାଇଥିବା ଏହି ଲଢ଼େଇ ଯୁଦ୍ଧର ରୂପରେଖ ବଦଳାଇଦେଇଥିଲା  । ପ୍ରାୟ ୭କୋଟି ସାମରିକ ବ୍ୟକ୍ତିଙ୍କୁ ଏହି ଯୁଦ୍ଧରେ ସଞ୍ଚାଳିତ କରାଯାଇଥିଲା ଏବଂ ୧.୬କୋଟି ଲୋକ ମୃତ୍ୟୁବରଣ କରିଥିଲେ  । ଯୁଦ୍ଧରେ ପ୍ରାୟ ୧୦ଲକ୍ଷ ଘୋଡ଼ାଙ୍କୁ ବ୍ୟବହାର କରାଯାଇଥିଲା ଯେଉଁଥିରୁ କେବଳ ୬୦ହଜାର ଘୋଡ଼ା ଜୀବିତ ଥିଲେ  । ଏହି ଯୁଦ୍ଧରେ ଭାରତ ୧.୭୩ ଲକ୍ଷ ଘୋଡ଼ା, ଖଚର ଓ ଓଟ ଯୋଗାଇଥିଲା  । ଭାରତ ପକ୍ଷରୁ ୧୪.୪ଲକ୍ଷ ଲୋକଙ୍କୁ ସେନାବାହିନୀରେ ଭର୍ତ୍ତିକରାଯାଇଥିଲା ଏବଂ ଏଥିମଧ୍ୟରୁ ୧୩.୮୧ ଲକ୍ଷ ସୈନିକଙ୍କୁ ଦରିଆପାରିର ଲଢ଼େଇ ପାଇଁ ପଠାଯାଇଥିଲା  । ଭାରତର ୭୪.୧୮୭ ଜଣ ଅଫିସର ଓ ସୈନିକ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ  । ଏହା ବ୍ୟତୀତ ୭୦ହଜାରରୁ ଉଦ୍ଧ୍ୱର୍ ସୈନିକ ଆହତ ହୋଇଥିଲେ  । ବିଶ୍ୱଯୁଦ୍ଧରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୩,୫୧୬ଜଣଙ୍କ ନାମ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ-ଗେଟ୍ ଯୁଦ୍ଧ ଓ ଯୋଦ୍ଧା ସ୍ମାରକୀରେ ଖୋଦିତ ହୋଇ ରହିଛି  । ଏହି ସ୍ମାରକୀ ୧୯୩୩ ମସିହାରେ ପୂର୍ଣ୍ଣାଙ୍ଗ ହେଲା  । ଏହା ବ୍ୟତୀତ ଭାରତ ମୋଟାମୋଟି ଯୁଦ୍ଧ ଖର୍ଚ୍ଚ ବାବଦକୁ ୧୦କୋଟି ପାଉଣ୍ଡର ଖର୍ଚ୍ଚ ଅର୍ଥ ସିଧାସଳଖ ଦେଇଥିଲା  ।
ପ୍ରଥମ ବିଶ୍ୱଯୁଦ୍ଧ ସକାଶେ ଭାରତ ଅବଦାନକୁ ସାମ୍ରାଜ୍ୟବାଦୀ ବ୍ରିଟେନ୍ ସରକାର କେବେହେଲେ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରିନାହିଁ କିମ୍ବା ଆଜି ପର୍ଯ୍ୟନ୍ତ ସମ୍ମାନ ଦେଇନାହିଁ  ।  ସ୍ୱାଧୀନ ଭାରତର କ୍ଷମତାକୁ ଆସିଥିବା ସରକାର ମଧ୍ୟ ଏହି ଯୁଦ୍ଧକୁ ଆମ ଯୁଦ୍ଧ ନୁହେଁ ବୋଲି କହି ଉଦାସୀନତା ପ୍ରକାଶ କରିଛନ୍ତି ଏବଂ ଅତ୍ୟନ୍ତ କୁଣ୍ଠିତ ଭାବେ ଏହି ଯୁଦ୍ଧ ଶତବାଷିିକୀର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି  । ଏହାଠାରୁ ଦୁର୍ଭାଗ୍ୟ ଆଉ କଣ ହୋଇପାରେ  । କାରଣ ଯୁଦ୍ଧ ସେମାନଙ୍କର ଥିଲେ ମଧ୍ୟ ଯୋଦ୍ଧା ଆମର ଥିଲେ ଏବଂ ଆମ ଭାରତୀୟ ସୈନ୍ୟ ନାୟକ ସାଜି ସେଠାରେ ଆତ୍ମବଳୀ ଦେଇଥିଲେ  । 
ଶ୍ରାବଣୀ ବସୁ, ଦି କିଙ୍ଗ ଆଣ୍ଡ୍ ଏନାଦର କଣ୍ଟ୍ରି'(ରାଜା ଏବଂ ଭିନ୍ନ ଏକ ଦେଶ) ପୁସ୍ତକରେ ଆତି ଆବେଗମୟ ଭାବରେ ଯୁଦ୍ଧର ବର୍ଣ୍ଣନାରେ ଲେଖାଯାଇଛି – ପଶ୍ଚିମ ଯୁଦ୍ଧ କ୍ଷେତ୍ରରୁ ଜଣେ ଭାରତୀୟ ସୈନିକ ଘରକୁ ଚିଠି ଲେଖିଥିଲେ; “”ଆକାଶ, ଭୂମି ଏବଂ ସମୁଦ୍ରରେ ଯୁଦ୍ଧ ଆରମ୍ଭ ହୋଇଯାଇଛି ଏବଂ ପାଣି ତଳେ ମଧ୍ୟ ପାଞ୍ଚରାଜା ତିନି ରାଜାଙ୍କ ସହ ଲଢ଼ୁଛନ୍ତି  । ଘଡ଼ଘଡ଼ି ପରି କମାଣ ଗର୍ଜୁଛି, ବନ୍ଧୁକରୁ ଗୁଳିଗୋଳାର ବର୍ଷା ହେଉଛି ଏବଂ ଯେଉଁ ସୈନିକମାନେ କେବଳ ଆହତ ହୋଇ ମୁକ ଓ ଅନ୍ଧ ହୋଇଯାଇଥିବେ ସେହି ସୈନିକମାନେ ହିଁ ଘରକୁ ଫେରିପାରିବେ  ।” 
୨୦୧୪-୧୮ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧର ଶତବାର୍ଷିକୀ ଅବସରରେ କରାଯାଇଥିବା ଗବେଷଣାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରାଯାଇଛି  । ବିଶେଷକରି ପଶ୍ଚମର ଯୁଦ୍ଧକ୍ଷେତ୍ରରେ ଯୁଦ୍ଧର ପ୍ରାରମ୍ଭିକ ଏବଂ ଯୁଦ୍ଧର ଶେଷ ପର୍ଯ୍ୟାୟରେ ମଧ୍ୟ ପ୍ରାଚ୍ୟରେ ଭାରତର ଅବଦାନ ବେଶ୍ ପ୍ରଣିଧାନଯୋଗ୍ୟ  । ସାମ୍ରାଜ୍ୟବାଦ ଓ ଉପନିବେଶବାଦ ଶ୍ରେଣୀ ସମେତ ଗୋଟିଏ ପୀଢ଼ୀ ଉପରେ ଏହାର ପ୍ରଭାବ ବିଶ୍ୱସ୍ତରୀୟ ବିଭିନ୍ନ ବୃହତ୍ତର ପ୍ରସଙ୍ଗଗୁଡ଼ିକ ବ୍ୟତୀତ ପ୍ରଥମ ବିଶ୍ୱ ଯୁଦ୍ଧ ବିଶ୍ୱର ବିଭିନ୍ନ ଭାଷାକୁ ନୂଆ ଶବ୍ଦର ସମ୍ଭାର ଦେଇଥିଲା  । ଏପରିକି ଦେଶୀୟ ଭାଷାଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି  । ଯେତେବେଳେ ଜର୍ମାନୀର ଯୁଦ୍ଧପୋତ “ଏନ୍ଡ଼େନ’ ବଙ୍ଗୋପସାଗରରେ ସତର୍କତାର ସହ ପ୍ରବେଶ କଲା ଏବଂ ୧୯୧୪ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାନ୍ଦ୍ରାଜ ବନ୍ଦର ଉପରେ ବୋମାବର୍ଷଣ କଲା, ମାନ୍ଦ୍ରାଜ ସହରରେ ବହୁ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଲା  । ଏହା ସହିତ ଭାରତୀୟ ସେନା ପଶ୍ଚିମର ଯୁଦ୍ଧକ୍ଷେତ୍ରରେ ଅଂଶଗ୍ରହଣ କରିବା ପୂର୍ବରୁ ଯୁଦ୍ଧ ଭାରତକୁ ଆସିଗଲା  । ଜର୍ମାନଦ୍ୱାରା ପ୍ରଦର୍ଶିତ କ୍ଷମତାରେ ପ୍ରଭାବିତ ହୋଇ ତାମିଲମାନେ ତାଙ୍କ ଉପରେ ନୂଆ ଶବ୍ଦଟିଏ ସୃଷ୍ଟି କରିଦେଲେ – “ଏମ୍ଡ଼େନ’, ଏହାର ଅର୍ଥ ହେଲା “ଉଦ୍ୟମୀ, ସମ୍ବଳଯୁକ୍ତ ଏବଂ ସୂକ୍ଷ୍ମଦର୍ଶୀ ବ୍ୟକ୍ତି  । ସେହିପରି ଯୁଦ୍ଧରୁ ଫେରିଥିବା ତଥା ଅଫିସରମାନଙ୍କର ପଦବୀରେ ମୁଗ୍ଧ ହୋଇଯାଇଥିବା ଶିଖ୍ ସୈନିକମାନେ ସେମାନଙ୍କର ସନ୍ତାନମାନଙ୍କର ନାମ କପ୍ତାନ୍, ମେଜର, କର୍ର୍ନେଲ୍, ଜର୍ଣ୍ଣେଲ୍ ସିଂହ ଇତ୍ୟାଦି ରଖିବା ଆରମ୍ଭ କଲେ  ।
ଏହି ଯୁଦ୍ଧ ମଧ୍ୟ ବହୁ ଚମକ୍ରାର ପଦ୍ୟ ଓ ଗଦ୍ୟ ସମ୍ଭାର ସୃଷ୍ଟି କଲା  । ବିଶେଷକରି ଟ୍ରେଞ୍ଚ୍ରେ ଥାଇ ଯୁଦ୍ଧ ବିଭିଷୀକାର ପ୍ରତ୍ୟକ୍ଷଦର୍ଶୀ ଯୁବକମାନେ ଏପରି ସାହିତ୍ୟ ରଚନା କଲେ  । ଏଗୁଡ଼ିକମଧ୍ୟରୁ କେତେକ ରଚନାକୁ ଯୁଦ୍ଧ ସ୍ମାରକୀ ଏବଂ କବରଖାନାରେ ଖୋଦେଇ କରାଯାଇଛି  । ଲରେନ୍ସ ବିୟୋଁନଙ୍କର “”ଫର ଦି ଫଲନ୍” କବିତାର ଚତୁର୍ଥ ପଦ ଦି ଟାଇମ୍ସ ପତ୍ରିକାର ସେପ୍ଟେମ୍ବର ୨୧, ୧୯୧୪ରେ ପ୍ରକାଶିତ ହୋଇଥିଲା  । ଏବେ ଏହି ପଂକ୍ତି ଗୁଡ଼ିକ ଅଧିକାଂଶ ସ୍ମୃତି ସ୍ତମ୍ଭ ବା ସ୍ମୃତି ସଭାରେ ସର୍ବକାଳୀନ ସ୍ମୃତିଚାରଣର ଅଂଶବିଶେଷ ହୋଇ ରହିଯାଇଛି  । ଯୁଦ୍ଧର ଘନଘଟା – ରକ୍ତପାତ ଏବଂ କୁଢ଼ କୁଢ଼ ଶବର ଗଦା ଉପରେ ଅକର୍ମଣ୍ୟ ହୋଇଯାଉଥିବା ଯୋଦ୍ଧାର ଚିକ୍ରାର, ଏହି ସାହିତ୍ୟର ରଚନା ଆମକୁ ସେଦିନର ଭୟଙ୍କର ଅମାନବୀୟ ଚିତ୍ରକୁ ଆଜି ଉପସ୍ଥାପନ କରାଏ  ।
“”ସେମାନେ ଆଉ ବୁଢ଼ା ହେବେ ନାହିଁ,
କାରଣ ରହିଯାଇଥିବା ଆମେମାନେ ବୁଢ଼ାହେବୁ,
ବୟସ ସେମାନଙ୍କୁ ଆଉ ଚିନ୍ତିତ କରିବ ନାହିଁ,
କିମ୍ବା ବର୍ଷମାନେ ସେମାନଙ୍କୁ ଅଦକାରୀ କରିଦେବେ ନାହିଁ
ଆଗାମୀ ସମୟର ଶବମାନଙ୍କୁ
ସୂର୍ଯ୍ୟାସ୍ତରେ ଓ ସୂର୍ଯ୍ୟୋଦୟରେ,
ଆମେ ସେମାନଙ୍କୁ ସ୍ମରଣ କରିବୁ  । 
କାନାଡ଼ୀୟ ନାଗରିକ ଲେଫ୍ଟନାଣ୍ଟ କଲୋନେଲ ଜନ ମ୍ୟାକ୍କ୍ରେ ତାଙ୍କ ବନ୍ଧୁଙ୍କ ସମାଧି ନିକଟରେ ପପି ଫୁଲଗଛ ଦେଖି ଦୁଃଖରେ ମ୍ରିୟମାଣ ହୋଇ ଗଭୀର ଅନୁଶୋଚନାରେ ତାଙ୍କର କବିତା “ଇନ୍ ଫ୍ଲାଣ୍ଡର୍ସ ଫିଲ୍ଡ’ରେ ଲେଖିଥିଲେ: 
“”ଫ୍ଲାଣ୍ଡର୍ସ ଫିଲ୍ଡରେ ପପିଫୁଲମାନେ ପବନରେ ଆନ୍ଦୋଳିତ ହେଉଛନ୍ତି,
କ୍ରଶଗୁଡ଼ିକ ମଧ୍ୟରେ, ଧାଡ଼ି ଧାଡ଼ି ସ୍ମୃତି ଉଙ୍କି ମାରୁଛନ୍ତି
ଆମ ସ୍ଥାନକୁ ତାହାହିଁ ଚିହ୍ନଟ କରୁଛି,
ଆମ ଆକାଶ ଏବଂ ମାଟି ତାହାହିଁ ଦେଖୁଛି,
ଲାର୍କ ଚଢ଼େଇ ସାହାସରେ ଉଡ଼ି ଉଡ଼ି ଏହାକୁ ଚାହୁଁଛି 
ସାହାସୀ ସୈନିକର ଚିକ୍ରାର ଉଠୁଛି 
ଗୁଳିଗୋଳା ଶବ୍ଦରେ ଏହା ଥମି ବି ଯାଉଛି   । 
ଲୋକମାନଙ୍କ ହୃଦୟକୁ ଛୁଇଁଗଲା ଇନ୍ ଫ୍ଲାଣ୍ଡର୍ସ ଫିଲ୍ଡ” କବିତା ଏବଂ ଶ୍ରୀଘ୍ର “ପପି ଫୁଲକୁ ଯୁଦ୍ଧରେ ମୃତ ବ୍ୟକ୍ତିମାନଙ୍କ ସହିତ ଯୋଡ଼ାଯିବା ଆରମ୍ଭ ହୋଇଗଲା  । ଆଜିକାଲି ଯୁଦ୍ଧ ସ୍ମାରକୀଗୁଡ଼ିକରେ ପ୍ରତୀକାତ୍ମକଭାବେ ପପି ଫୁଲର ମାଳ ଚଢ଼ାଯାଉଛି  । କାନାଡ଼ା ପରି କେତେକ ଦେଶରେ କାରର ମାଲିକ ଜଣେ ଯୁଦ୍ଧ ଫେରନ୍ତା ବୋଲି ଦର୍ଶାଇବାକୁ କାରର ନମ୍ବର ପ୍ଲେଟ୍ରେ ପପି ଫୁଲର ଚିତ୍ର କରିଥାନ୍ତି  । ସ୍ମୃତି ଦିବସକୁ “ପପି ଦିବସ’ ବୋଲି ମଧ୍ୟ କୁହାଯାଇଥାଏ  । 
କିନ୍ତୁ ଦୁଃଖର କଥା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ସୈନିକମାନଙ୍କର ସ୍ମରଣ ବା ସ୍ମୃତିଚାରଣ ସକାଶେ ଭାରତରେ ଆମେମାନେ ଏପରି କୌଣସି ପ୍ରତୀକାତ୍ମକ ସମ୍ପର୍କ ସୃଷ୍ଟି କରିବାରେ ସକ୍ଷମ ହୋଇପାରିନାହୁଁ  । ତେବେ ଆମ ସଂସ୍କୃତି ଓ ପରମ୍ପରାରେ ଉଭୟ ଉତ୍ସବ ପାଳନ ତଥା ସ୍ମୃତିଚାରଣ ସକାଶେ ଗେଣ୍ଡୁଫୁଲର ବ୍ୟବହାର କରାଯାଇଥାଏ  । ଭାରତୀୟ ଜୀବନ ଶୈଳୀରେ ରଙ୍ଗର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି  । ଧଳାରଙ୍ଗକୁ ସାଧାରଣଭାବେ ଶାନ୍ତିର ରଙ୍ଗରୂପେ ଗ୍ରହଣ କରାଯାଇଛି ଏବଂ ହଳଦିଆ ରଙ୍ଗ ପବିତ୍ରତାର ପ୍ରତୀକ  । ତେଣୁ ଶୁଭ ଉତ୍ସବଗୁଡ଼ିକରେ  ଧଳା ଓ ହଳଦିଆ ଗେଣ୍ଡୁ ଫୁଲର ବ୍ୟବହାର ହୁଏ  । 
ଡ଼ିସେମ୍ବର ୭ ତାରିଖରେ ପାଳନ କରାଯାଉଥିବା ସଶସ୍ତ୍ର ବାହିନୀ ପତାକା ଦିବସ ହେଉଛି ଏପରି ଏକମାତ୍ର ଆନୁଷ୍ଠାନିକ ଅବସର ଯାହାକି ସୈନିକମାନଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡ଼ିଛି  । ୧୯୪୯ ମସିହାରୁ ଏହା ପାଳିତ ହୋଇଆସୁଛିି  । ଆଜି ଏହି ଦିବସଟି ବିଶ୍ୱ ସ୍ତରରେ ସଶସ୍ତ୍ର ବାହିନୀର ସୈନ୍ୟମାନଙ୍କ ମଙ୍ଗଳ ଏବଂ କଲ୍ୟାଣ ସକାଶେ ଲୋକମାନଙ୍କଠାରୁ ପାଣ୍ଠି ସଂଗ୍ରହ ପାଇଁ ଉତ୍ସର୍ଗୀକୃତ  । ଗେରୁଆ ରଙ୍ଗ ସାହସ ଓ ବଳିଦାନକୁ ଦର୍ଶାଇଥାଏ  । ମୃତ ସୈନିକମାନଙ୍କୁ ସମ୍ମାନିତ କରିବା ସକାଶେ ଗେରୁଆ ଗେଣ୍ଡୁଫୁଲକୁ ଆମ ସଂସ୍କୃତିର ପ୍ରତୀକ ରୂପେ ଗ୍ରହଣ କରାଯାଇଛି  ।
ସଶସ୍ତ୍ର ବାହିନୀର ପତାକା ଦିବସକୁ ସ୍ମୃତିଚାରଣ ଭାବେ ପାଳନ କରାଯିବା ବୋଧହୁଏ ଆମ ସୈନିକମାନଙ୍କ ପାଇଁ ଉଚିତ ପଦକ୍ଷେପ ହେବ  । ଏହା ସହିତ ଯେଉଁ ସୈନିକମାନଙ୍କ ପାଇଁ ଆମେ ଆଜି ସୁରକ୍ଷିତ ରହି ଶାନ୍ତିରେ ଜୀବନ ନିର୍ବାହ କରୁଛେ, ସେହି ବୀର ସନ୍ତାନମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ, ପ୍ରତିଟି ମଣିଷ ନିଜ ନିଜର ସକ୍ଷମ ଅନୁଯାୟୀ ଡ଼ିସେମ୍ବର ୭ତାରିଖକୁ ମନେରଖି ଏହି ମହତ ଉଦ୍ଦେଶ୍ୟରେ ସାମିଲ ହେବା ସହିତ ସୈନିକମାନଙ୍କ ସମ୍ମାନ ପ୍ରତି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ଉଚିତ  ।