ନିର୍ବାଚନ ମୁହାଁ ଅପରାଜିତା: ଗୁରୁବାରଠୁ କ୍ୟାମ୍ପେନ୍‌ ଆରମ୍ଭ, ଭୁବନେଶ୍ଵର ଲୋକସଭା ଆସନକୁ ଟାର୍ଗେଟ୍‌

4
850
advertisement

ଭୁବନେଶ୍ଵର, (ଓଟି): ବିଜେପିରେ ଯୋଗ ଦେଇଥିବା ପ୍ରାକ୍ତନ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଗୁରୁବାରଠାରୁ ନିର୍ବାଚନ କ୍ୟାମ୍ପେନ୍‌ ଆରମ୍ଭ କରିବେ। ଏଥିନେଇ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ପରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ ମିଶି ଜନ ସମ୍ପର୍କ ଅଭିଯାନ କରିବେ।

ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦାଠାରେ ଏଥିପାଇଁ ଏକ ଜନସମ୍ପର୍କ ସମାରୋହ ଆୟୋଜନ କରାଯାଇଛି। ଏହି ସମାବେଶରେ ଅପରାଜିତା ବିଜେପି କର୍ମୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହେବେ। ସିଧାସଳଖ ସେମାନଙ୍କୁ ନିଜର ତଥା ଦଳର ଆଭିମୁଖ୍ୟ ବତାଇବେ। ଏହାପରେ ଉପରବେଳା ଜଟଣୀ ନିକଟସ୍ଥ ତାରାଭୋଇଠାରେ ଆଉ ଏକ ଜନସମ୍ପର୍କ ଯାତ୍ରା ଆୟୋଜନ କରାଯାଇଛି। ଏଠାରେ ମଧ୍ୟ ସମାନ କାର୍ଯ୍ୟକ୍ରମ ରହିଥିବା ତାଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି।  

ଏହି ସମାବେଶ ତଥା ଉଦ୍ୟମ ଦ୍ଵାରା ଅପରାଜିତାଙ୍କ ରାଜନୀତିକ ରୂପ ପଦାକୁ ଆସିବ। ଏହା ପୂର୍ବରୁ ତାଙ୍କୁ ସମସ୍ତେ ଜଣେ କଡ଼ା  ଅଧିକାରୀ ଭାବେ ଦେଖିଥିଲେ।

ଲୋକଙ୍କ ସଙ୍ଗେ ସାମିଲ୍‌ ହେବା ତଥା ସେମାନଙ୍କ ନିକଟତର ହେବା ଲାଗି ଏହା ଏକ ପ୍ରୟାସ ବୋଲି ଅଭିହିତ କରିଛନ୍ତି ଅପରାଜିତା। ତେବେ ସେ ବିଧାୟକ ନା ସାଂସଦ ପ୍ରାର୍ଥୀ ହେବା  ପାଇଁ ଆଗକୁ  ଯୋଜନା ରଖିଛନ୍ତି ବୋଲି ପଚାରିଲେ ତାହାକୁ ଏଡ଼ାଇ ଯାଇଛନ୍ତି। ସେ କହିଛନ୍ତି ଏହା ଏକ ଦଳୀୟ ବ୍ୟାପାର। ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ଯାହା ଚାହିଁବ ସେ ସେଥିପାଇଁ ପ୍ରସ୍ତୁତ ଅଛନ୍ତି। 

ଏହି ଜନସମ୍ପର୍କ ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପାର୍ଟି ସଦସ୍ୟଙ୍କ ସହ ଅପରାଜିତାଙ୍କ ନିଜସ୍ଵ ରାଜନୀତିକ କାର୍ଯ୍ୟକର୍ତ୍ତାମାନେ ପରିଚାଳନା କରୁଛନ୍ତି। ଏକ ସ୍ଵତନ୍ତ୍ର ଅଫିସ୍‌ ଏଥିଲାଗି କାର୍ଯ୍ୟକରୁଛି। 

ଅପରାଜିତାଙ୍କ ଏହି ଅଫିସ କିନ୍ତୁ ବୟାନ କରୁଛି ସେ ଭୁବନେଶ୍ଵର ଲୋକସଭା ଆସନ ପାଇଁ ଟାର୍ଗେଟ୍‌ କରିଛନ୍ତି। ତାଙ୍କ ଚ୍ୟାମ୍ବରର ପ୍ରତିଟି କାନ୍ଥ ଏଥିଲାଗି ପ୍ରସ୍ତୁତ ହୋଇଛି। ଏହି ମଣ୍ଡଳୀର ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନଚିତ୍ର ତାଙ୍କ ଆଗରେ ଜଳ ଜଳ କରି ଶୋଭା ପାଉଛି। ଯାହା ସ୍ପଷ୍ଟ କରୁଛି ଯେ, ଦଳ ତାଙ୍କୁ ଏ ବାବଦରେ ପୂର୍ବରୁ ସ୍ପଷ୍ଟ ସୂଚନା ଦେଇ ସାରିଛି। ଆଉ ସେ ଏଥିଲାଗି ପ୍ରସ୍ତୁତ ହେଉଛନ୍ତି।

ଏହାକୁ ଆଖିରେ ରଖି ପ୍ରଥମେ ସେ ଏହି ନିର୍ବାଚନ ମଣ୍ଡଳୀର ମୂଳ ବାସିନ୍ଦାଙ୍କ ସହ ଯୋଗାଯୋଗ କରିବା ପାଇଁ ଗାଁରୁ ଅଭିଯୋନ ଆରମ୍ଭ କରୁଛନ୍ତି। ବିଶେଷକରି ସେ ’ମିଶନ ଶକ୍ତି’ର  ନିର୍ଦ୍ଦେଶକ ଥିବା ବେଳେ ମହିଳାମାନଙ୍କ ସଂଗଠନ ବୃଦ୍ଧି ତଥା ସେମାନଙ୍କୁ ସଶକ୍ତ କରିବା ଲାଗି ଯେଉଁ ପ୍ରୟାସ କରିଥିଲେ ତାହା ଏହି ସମୟରେ ସହାୟକ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ସେ ସେମାନଙ୍କ ଉଦ୍ୟମକୁ ସଫଳ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ସରକାର ବିଫଳ ହୋଇଛନ୍ତି ବୋଲି ପ୍ରମାଣ କରିବେ। 

ସରକାର  ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଵାବଲମ୍ବୀ କରାଇବା ବଦଳରେ ସେମାନଙ୍କୁ ନିର୍ଭରଶୀଳ କରାଇଛନ୍ତି ବୋଲି ସେ ମତ ଦେଇଛନ୍ତି। ଯଦି ପ୍ରକୃତରେ ସେମାନଙ୍କୁ ସ୍ଵଲମ୍ବୀ କରାଯାଇପାରିଥାଆନ୍ତା ତେବେ ଆଜି ରାଜ୍ୟରେ ଅନେକ ଲଘୁ ଉଦ୍ୟୋଗ ସୃଷ୍ଟି ହୋିପାରିଥାଆନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି। 

 

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ: 

ଅପରାଜିତାଙ୍କୁ ମୁକ୍କାବିଲା କରିବେ ଅରୁପ-ଅମର

ଅପରାଜିତାଙ୍କୁ ମୁକ୍କାବିଲା କରିବେ ଅରୁପ-ଅମର

ଅପରାଜିତାଙ୍କ ଲୋକପ୍ରିୟତା ବିଜେପି ଭୋଟରେ ପରିଣତ ହେବ ତ ?

ଅପରାଜିତାଙ୍କ ଲୋକପ୍ରିୟତା ବିଜେପି ଭୋଟରେ ପରିଣତ ହେବ ତ ?

ଅପରାଜିତାଙ୍କ ଚିନ୍ତାରେ ତିନି ମୁଖ୍ୟମନ୍ତ୍ରୀ ଆଶାୟୀ

ଅପରାଜିତାଙ୍କ ଚିନ୍ତାରେ ତିନି ମୁଖ୍ୟମନ୍ତ୍ରୀ ଆଶାୟୀ