ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଓଡ଼ିଶାରେ ହୋଇପାରେ ଦିଲ୍ଳୀ ଇତିହାସର ପୁନରାବୃତ୍ତି

2
39
advt
< a href= "#">

ଗୌରୀପ୍ରସାଦ ମହାପାତ୍ର

ଲେଖକ ଜଣେ ସାମ୍ବାଦିକ ଏବଂ ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନରୁ ପ୍ରସ୍ତୁତ ।

ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଦକ୍ଷ ପ୍ରଶାସକ ଅପରାଜିତ ଷଡ଼ଙ୍ଗୀଙ୍କୁ ଆଗାମୀ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଘୋଷଣା ହୋଇ ନଥିଲେ ମଧ୍ୟ କେନ୍ଦ୍ରୀୟ ବିଜେପି କମିଟିରେ ନିଷ୍ପତ୍ତି ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଉଛି । ସୋଶାଲ୍‍ ମିଡିଆରେ ମଧ୍ୟ ଏନେଇ ଅନେକ ସମୀକରଣ ପଦାକୁ ଆସିଲାଣି । ମୋଦୀ-ଶାହା କମାଣ୍ଡର ଆଭିମୁଖ୍ୟ, ରାଜ୍ୟ ବିଜେପିରେ ଗତ କିଛି ମାସ ହେଲା ଦେଖାଦେଇଥିବା ପରିବର୍ତ୍ତିତ ଦୃଶ୍ୟପଟ୍ଟକୁ ଅନୁଶୀଳନ କଲେ ଉପରୋକ୍ତ ଖବର ନିରାଧାର ନୁହେଁ ବୋଲି ଧାରଣା ସୃଷ୍ଟି ହେବା ସ୍ୱାଭାବିକ ।

advt

 

ଲୋକପ୍ରିୟ ପ୍ରଶାସକ

‘ବିଏମ୍‍ସିର ପୂର୍ବତନ ଲୋକପ୍ରିୟ କମିଶନର ତଥା ଦକ୍ଷ ଆଇଏଏସ୍‍ ଅଫିସର ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି।’ ପ୍ରାୟ ଏକ ମାସ ତଳେ ପ୍ରକାଶିତ ଏହି ଖବର ସମସ୍ତଙ୍କୁ ଚକିତ କରିଦେବା ପାଇଁ ଯଥେଷ୍ଟ ଥିଲା। ଏହାପରେ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ନେଇ ଆରମ୍ଭ ହୋଇଯାଇଥିଲା କଳ୍ପନାଜଳ୍ପନା ଓ ଅଙ୍କକଷା। ଅବସର ପରେ ଅପରାଜିତା ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଗୋଟିଏ ମହଲ ଦାବି କରୁଥିବା ବେଳେ ଅନ୍ୟ ଏକ ମହଲର ଯୁକ୍ତି ଥିଲା ଭିନ୍ନ। ତଥ୍ୟାଭିଜ୍ଞ ମହଲର କହିବା ଅନୁଯାୟୀ, ଅତୀତରେ ନିଜର ସଚ୍ଚୋଟତା, ନିର୍ଭୀକତା ଓ ସଂସ୍କାରମୁଖୀ ନୀତି ଯୋଗୁଁ ଅପରାଜିତାଙ୍କୁ ଶାସକ ବିଜେଡିର ତତ୍କାଳୀନ କୋଟେରୀ୍େ‍ର ରୋଷର ଶିକାର ହେବାକୁ ପଡ଼ିଥିଲା। ତେଣୁ ଅତିଷ୍ଠ ହୋଇ ଅପରାଜିତା କେନ୍ଦ୍ରୀୟ ଡେପୁଟେସନ୍‍ରେ ଚାଲି ଯାଇଥିଲେ । ସରକାର ମଧ୍ୟ ତାଙ୍କୁ ତତ୍କାଳ ରିଲିଭ୍‍ କରିଦେଇଥିଲେ। ଏହି ସବୁ କାରଣରୁ ଅବସର ପରେ ଅପରାଜିତା ବିଜେଡି ତୁଳନାରେ ବିଜେପିରେ ସାମିଲ୍‍ ହେବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଥିଲା। ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର ଆଧାରରେ ସରକାରୀ ଚାକିରିରୁ ଅବସର ପରେ ଅପରାଜିତା ପେପ୍‍ସିକୋ କମ୍ପାନୀର ଭାରତ ମୁଖ୍ୟ ପଦରେ ଅଧିଷ୍ଠିତ ହେବେ ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ସଦ୍ୟତମ ଘଟଣାକ୍ରମ ଓ ଆଲୋଚନା ପରିପ୍ରେକ୍ଷୀରେ ଅପରାଜିତାଙ୍କ ରାଜନୈତିକ କ୍ୟାରିୟର ଉପରେ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।

ଭୁବନେଶ୍ୱର ଲୋକସଭା ଆସନ

ଓଡ଼ିଶାର ମର୍ଯ୍ୟାଦାଜନକ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡିକୁ ଟକ୍କର ଦେବାକୁ ଅପରାଜିତାଙ୍କୁ ବିଜେପିର ଲୋକସଭା ପ୍ରାର୍ଥୀ କରାଯିବ ବୋଲି ବିଜେପିର ଗୋଟିଏ ଗୋଷ୍ଠୀର ଅନୌପଚାରିକ ସଙ୍କେତ ମିଳିଛି। କିନ୍ତୁ ରାଜ୍ୟ ବିଜେପିର କେନ୍ଦ୍ରୀୟ ଟିମ୍‍ ସହିତ ଘନିଷ୍ଠ ସମ୍ପର୍କ ଥିବା ଅଭିଜ୍ଞ ଗୋଷ୍ଠୀର ସୂୂଚନା ମୁତାବକ ଅପରାଜିତାଙ୍କୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇପାରେ।

ରାଜନୀତି ବିଶାରଦ ମହଲର ବିଶ୍ଲେଷଣ ଅନୁଯାୟୀ, ୨୦୧୪ ପରେ ପରେ ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଉପସ୍ଥାପିତ କରି ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାରେ କ୍ରିୟା ପ୍ରତିକ୍ରିୟା ଇତିମଧ୍ୟରେ ଶୀଥିଳ ପଡ଼ିଯାଇଛି।  ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମୋଦୀ ଓ ଶାହାଙ୍କ ନବୀନ ଦରଦୀ ଆଭିମୁଖ୍ୟ ଏବଂ ଓଡ଼ିଶାର ନୌବାଣିଜ୍ୟ ଉପରେ ଅନ୍ୟ ଜଣେ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଶ୍ରୀ ପ୍ରଧାନଙ୍କୁ ବ୍ୟଥିତ କରିଛି। ରାଜ୍ୟ ରାଜନୀତିରେ ତାଙ୍କ ପ୍ରଭାବ ଓ ଗୁରୁତ୍ୱ ହ୍ରାସ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି। ଅପରାଜିତାଙ୍କୁ ବିଜେପିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାର ଯୋଜନା ବୋଧହୁଏ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସକ୍ରିୟତାରେ ଭଟ୍ଟା ସୃଷ୍ଟି କରିବା ପଛରେ ଅନ୍ୟ ଏକ କାରଣ ହୋଇଥାଇପାରେ।

ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତି ମୋଦୀ-ଶାହା କମାଣ୍ଡର ଆସ୍ଥା ତୁଟିଥିବା ବିଷୟରେ ହେଉଥିବା ଆଲୋଚନା ପଛରେ ସତ୍ୟତା କେତେ? ଯଦି ତା ପଛରେ କିଛି ଆଧାର ଅଛି ତେବେ ତାହାର କାରଣ କଣ ତାହା ଆଲୋଚନାର ଅପେକ୍ଷା ରଖୁଛି ।

ଧର୍ମେନ୍ଦ୍ରଙ୍କ ରେଟିଂ କମୁଛି

ତଥ୍ୟାଭିଜ୍ଞ ମହଲର ଆକଳନ ଅନୁଯାୟୀ, ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ହେଲେ ଜଣେ ନିଷ୍କଳଙ୍କ, ସଚ୍ଚୋଟ, ନିର୍ଭୀକ, ସଂସ୍କାରମୁଖୀ, ସୃଜନଶୀଳ, ସାହସୀ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ସର୍ବାଦୌ ଲୋକପ୍ରିୟ ନେତା ଆବଶ୍ୟକ । ଏହି ସବୁ ମାନଦଣ୍ଡରେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାବାସୀ ନୀବନଙ୍କ ବିକଳ୍ପ ଭାବେ ଗ୍ରହଣ କରିପାରିଛନ୍ତି ତାହାର ସେଭଳି ବଳିଷ୍ଠ ପ୍ରମାଣ ବୋଧହୁଏ ଏ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ଟିମ୍ ପାଇପାରିନାହାନ୍ତି । କେବଳ କିଛି ଗଣମାଧ୍ୟମ ସଂସ୍ଥାର ପ୍ରାକ୍ ନିର୍ବାଚନୀ ଆକଳନ ଏଥିପାଇଁ ଯଥେଷ୍ଟ ନୁହେଁ । ଏହି ପରିପ୍ରେକ୍ଷୀରେ ଅପରାଜିତା ନବୀନଙ୍କ ସହିତ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ତୁଳନାତ୍ମକ ଭାବେ ଅଧିକ ଯୋଗ୍ୟା – ଏକଥା ଅସ୍ୱୀକାର କରି ହେବ ନାହିଁ। ଉଭୟ ନବୀନ ଓ ଅପରାଜିତ ଅଣଓଡ଼ିଆ। କିନ୍ତୁ ଓଡ଼ିଶାରେ ରହଣୀକାଳ ମଧ୍ୟରେ ଅପରାଜିତା ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରାକୁ ଆୟତ୍ତ କରିବାରେ ଯେତିକି ଦକ୍ଷତା ହାସଲ କରିଛନ୍ତି ତା’ ତୁଳନାରେ ନୀବନ ଟିକେ ପଛରେ ରହିଯିବେ ନିଶ୍ଚୟ । ଓଡ଼ିଶାବାସୀଙ୍କ ଏହି ଧାରଣାକୁ ହିଁ ବିଜେପି ନବୀନଙ୍କ ବିରୋଧରେ ଟ୍ରମ୍ପ କାର୍ଡ ଭାବେ ଖେଳିପାରେ। ଅନ୍ୟଏକ ଦୃଷ୍ଟିରୁ ଦେଖିବାକୁ ଗଲେ ଜିଲାପାଳ, ବିଏମ୍‍ସି କମିଶନର ଓ ପଞ୍ଚାୟତି ରାଜ, ଗଣଶିକ୍ଷା ସଚିବ ଭାବେ ଅପରାଜିତା ନିଜର ସ୍ପଷ୍ଟବାଦୀତା, ସଚ୍ଚୋଟତା ଓ ସଂସ୍କାରମୁଖୀ ଆଭିମୁଖ୍ୟ ଯୋଗୁଁ ଯେତିକି ପ୍ରଂଶସାଭାଜନ ହୋଇଥିଲେ ତା’ ତୁଳନାରେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ରହି ମଧ୍ୟ ସେତିକି ପ୍ରଶଂସା ଓ ଲୋକପ୍ରିୟତା ସାଉଁଟି ପାରି ନଥିବା କେନ୍ଦ୍ରୀୟ ବିଜେପି ମହଲ ହୃଦବୋଧ କରିଥାଇପାରେ ବୋଲି ରାଜନୀତି ବିଶାରଦ ମହଲରେ ଚର୍ଚ୍ଚା ହେଉଛି ।

ସର୍ବୋପରି ବିଜେପିର ପରିବର୍ତ୍ତିତ ରଣନୀତି ଅନୁଯାୟୀ ଯେତେବେଳେ ‘ପୋଷ୍ଟର ବୟ’ ବା ଜନଗଣ ଗ୍ରହଣୀୟତା ପ୍ରସଙ୍ଗ ଉଠିବ ସେତେବେଳେ ଆରଏସ୍ଏସ୍ ‘କ୍ୟାଡର ରୁଲ୍’ ପଛରେ ପଡ଼ିଯିବ । ସ୍ମୃତି ଇରାନୀ, ବାବୁଲ୍ ସୁପ୍ରିୟୋ, ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ କ୍ଷେତ୍ରରେ ଏହାର ପ୍ରମାଣ ସ୍ପଷ୍ଟ। ବିଶେଷକରି ୨୦୧୪ ଦିଲ୍ଲୀ ନିର୍ବାଚନରେ ଆରଏସ୍ଏସ୍ କିମ୍ବା ବିଜେପି ସହିତ ଆଦୌ ସମ୍ପର୍କ ନଥିବା କିରଣ ବେଦୀଙ୍କୁ ଯେଭଳି ଢଙ୍ଗରେ ଓ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଗଲା ସେଥିରୁ ‘ନିର୍ବାଚନ ଯୁଦ୍ଧରେ ସବୁ କିଛି ସମ୍ଭବ’ ବୋଲି ମୋଦି କମାଣ୍ଡର ସଂକେତ ଦେଇସାରିଛି । ତେଣୁ ଓଡ଼ିଶାରେ ଦିଲ୍ଲୀ ଇତିହାସର ପୁନରାବୃତ୍ତି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି ।

advt
< a href= "#">