ଅପ୍ରସଙ୍ଗର ରାଜନୀତି: ନବରଙ୍ଗପୁରରୁ ଦିଲ୍ଲୀ ଯାଏ ପ୍ରାସଙ୍ଗିକତା ନଥାଇ ଉଛୁଳୁଛି ପ୍ରସଙ୍ଗ

0
589
advertisement

ଗୋଟିଏ ନିର୍ଦିଷ୍ଟ ପ୍ରସଙ୍ଗରୁ ଦୂରେଇବା ଲାଗି ଆଉ ଏକ (ଅ)ପ୍ରସଙ୍ଗ ତିଆରି କରିବା ହେଉଛି ସାମ୍ପ୍ରତିକ ରାଜନୀତିର ମୂଳମନ୍ତ୍ର । ଅନେକ ଅଭିଯୋଗ କରନ୍ତି ଯେ, ମୋଦି ସରକାରଙ୍କୁ ଏ ରଣନୀତିଟି ଯଥେଷ୍ଟ ଆଚ୍ଛାଦିତ କରିଛି । କିନ୍ତୁ ଭାରତରେ କୌଣସି ରାଜ୍ୟର ସରକାର ବା ଜାତୀୟସ୍ତରରେ କ୍ଷମତାସୀନ ସରକାରୀ ଦଳ ଅଥବା  ସରକାରଙ୍କୁ ତଡ଼ିବା ଲାଗି ଉଦ୍ୟମ କରୁଥିବା କୌଣସି ବି ଦଳ ଏହି ତତ୍ତ୍ୱଠୁ ଯେ ନିଜକୁ ଉଦ୍ଧ୍ୱର୍କୁ ନେଇନାହାନ୍ତି। ଯଦି ଏହି ତତ୍ତ୍ୱକୁ ହିଟ୍‍ଲର ବା ଦ୍ୱିତୀୟ ବିଶ୍ୱଯୁଦ୍ଧର ତତ୍ତ୍ୱ ବୋଲି ଧରାଯାଏ ତେବେ ଆମେ ଭାରତର ରାଜନେତା ବା ନାଗରିକ କେହି ଏହାଠୁ ଊଦ୍ଧ୍ୱର୍ରେ ନାହୁଁ ।


ପୃଷ୍ଠଭୂମି


ଏବେ ଘଟଣାକୁ ଆସିବା । ଡିସେମ୍ବର ୧୬ ତାରିଖରେ ନବରଙ୍ଗପୁରରର ଗୁମୁଣ୍ଡୋଳି ଗାଁରେ ଜଣେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହେଲେ । ସକାଳ ପାହିଲାରୁ ତାଙ୍କ ଶବ ଗାଁଠୁ ୬ କିଲୋମିଟର ଦୂରରେ ମିଳିଲା । ଗାଁ ଲୋକ ଶବ ଦେଖି ଜାଣିଲେ ଯେ ଏହା ଏକ ନାରକୀୟ ଅପରାଧିକ ମାମଲା । ଏ ବାବଦରେ ପୁଲିସ ଦୋଷୀଙ୍କୁ ଗିରଫ କରୁ ଏବଂ ତାହାଙ୍କୁ ଶକ୍ତ ଦଣ୍ଡ ଦେଉ । ବର୍ତ୍ତମାନ ରାଜ୍ୟ କ’ଣ ଦେଶ ସାରା ଯେଉଁଭଳି ଭାବେ ଦୁଷ୍କର୍ମ ଓ ହତ୍ୟା ମାମଲା ସବୁ ଘଙ୍କୁଛି ତାହା ସାଧାରଣ ଲୋକଙ୍କୁ ଆତଙ୍କିତ କରି ରଖିଛି । ହାଇଦ୍ରାବାଦରେ ପ୍ରିୟଙ୍କା ରେ‡ିଙ୍କ ଉପରେ ହୋଇଥିବା ଅତ୍ୟାଚାର କଥା କାହାକୁ ଅଭୁଲା ନାହିଁ । ସେଠାରେ ପୁଲିସ ଯେମିତି ଆରୋପୀଙ୍କୁ ଏନ୍‍କାଉଣ୍ଟର କଲେ ତାହା ବି ଅନେକଙ୍କୁ ସମର୍ଥନ ଦେବାରେ ସହାୟକ ହୋଇଛି । ଅର୍ଥାତ୍‍ ସମାଜ ଚାହୁଁଛି ଯେ, ତୁରନ୍ତ ନ୍ୟାୟ ମିଳୁ- ଏହା ଭଲ ବା ଖରାପ ତାହା ଭିନ୍ନ ପ୍ରସଙ୍ଗ ।


ଏଣୁ ରାଜ୍ୟର ରାଜନେତା ଓ ବୁଦ୍ଧିଜୀବୀ ଏହା ବିରୋଧରେ ଆନ୍ଦୋଳନ କରିବା କିଛି ନୂଆ ଘଟଣା ନୁହେଁ । ସାଧାରଣ ଘଟଣାକୁ ନେଇ ରାଜନୀତିକ ହେବ ନାହିଁ ତ ଆଉ କାହାକୁ କେନ୍ଦ୍ରୀଭୂତ କରିବ?ପୁଣି ଯେଉଁ ରାଜ୍ୟରେ ଗଣଦୁଷ୍କର୍ମ ଓ ହତ୍ୟା ଏକ ନିତିଦିନିଆ ବ୍ୟାପାର ସେଠାରେ ରାଜନୀତିକ ଦଳ ଏ ନେଇ ସରକାରଙ୍କ ଉପରେ ଆରୋପ ଲଗାଇବା ଆବଶ୍ୟକ, ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଏହିକ୍ରମରେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ଆନ୍ଦୋଳନ ଦ୍ୱାରା ଜନମତ ସୃଷ୍ଟି ଲାଗି ଯାହା ଉଦ୍ୟମ କରିଛନ୍ତି ତାହା ଯଥାର୍ଥ। ହେଲେ ଏହି ସଚତନତା, ଆନ୍ଦୋଳନ ହିଂସାତ୍ମକ ପନ୍ଥା ଗ୍ରହଣ କରିବା ଅନାବଶ୍ୟକ । ଏଥିରେ ରାସ୍ତା ବନ୍ଦ, ଅବରୋଧ, ଜଳାପୋଡ଼ା ବି ଅଗ୍ରହଣୀୟ । ଏଣୁ ପୂର୍ବତନ ସାଂସଦଙ୍କ ଟେଲିଫୋନ୍‍ ବାର୍ତ୍ତା ଯାହା ଅତ୍ୟନ୍ତ ଭାଇରାଲ୍‍ ହୋଇଛି ବା କରାଯାଇଛି ତାହା ଗ୍ରହଣୀୟ ନୁହେଁ । ଅନ୍ୟପକ୍ଷରେ ଆମ ଦେଶର ଆନ୍ଦୋଳନ ସଂସ୍କୃତି ଆଗରେ ଏହି ଚିନ୍ତାଧାରା ବି ଅଗ୍ରହଣୀୟ । କାରଣ ଆନ୍ଦୋଳନ କହିଲେ ଆମେ ସବୁବେଳେ ଯାତାୟତ ଅବରୋଧଳ ପୋଡ଼ାଜଳା, ମାଡ଼ପିଟ୍‍ ଏମିତି ଅନେକ ଉଦାହରଣ ଦେଖି ଆସୁଛୁ । ଏଣୁ ପରସ୍ପର ବିରୋଧୀ ଏହି ଚିନ୍ତାଧାରାରେ ଅହିଂସା କେବଳ ଆମ ସମ୍ବିଧାନ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ତଥା ପିଲାଙ୍କ ପାଠପଢ଼ା ବହି ଓ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ପାଖରେ ହିଁ ସୀମିତ ।


ଗଣମାଧ୍ୟମରେ ଶୀର୍ଷକ


ଯେଉଁ ଅଘଟଣ ପାଇଁ ନବରଙ୍ଗପୁରରେ ନିଆଁ ଜଳିଲା ଏବେ ଆଉ ସେ ଦୁଷ୍କର୍ମ, ହତ୍ୟା ମାମଲା ଗଣମାଧ୍ୟମରେ ଖବର ହୋଇ ନାହିଁ । ପୁଲିସ ଯେଉଁ ତଦନ୍ତ କଲଶ ତାହାର ରିପୋର୍ଟ ନାହିଁ । ଡାକ୍ତର ଯେଉଁ ପୋଷ୍ଟମର୍ଟମ କଲେ ତାହାର ରିପୋର୍ଟ ସର୍ବ ସାଧାରଣକୁ ଆସିଲା ନାହିଁ । ଅଭିଯୁକ୍ତ ତଥା ଦୋଷୀ କିଏ ଜଣାପଡ଼ିଲା ନାହିଁ । ଏଣୁ ପୀଡ଼ିତାର ଆତ୍ମା ଅବା ପୀଡ଼ିତାଙ୍କ ପରିବାର କି ଶାନ୍ତି ପାଇବେ? ଆଉ ଯେଉଁ ଝିଅ ବୋହୂମାନେ ଏକୁଟିଆ ଘର ତଳ ବାଡ଼ିକୁ କେହି ନଥିବା ବେଳେ ପରିଶ୍ରା କରିବାରେ କି ସ୍ୱାଧୀନତା ପାଇଲେ?  ସହରରେ ଝିଅଟି ସ୍କୁଲ୍‍ ବା ଟିଉସନ୍‍ ଏକୁଟିଆ ଯାଇଛି ଆଉ ସେ ନିଶ୍ଚିତ ଠିକଣା ଭାବେ ଫେରିବ ତାହା ନେଇ ମୁଁ କେମିତି ନିଶ୍ଚିତ ରହିବି? ଏ ପ୍ରଶ୍ନସବୁ ଛୁପିଗଲା ପ୍ରଦୀପ ମାଝି ଓ ସମର୍ଥକଙ୍କ ଗିରଫଦାରୀ ଦାବି ଭିତରେ । ରାଜନୀତିକ କନ୍ଦଳ ଭିତରେ। 

ରାଜନୀତିକ ପ୍ରଶ୍ନ


ଏ ମାମଲା ଏତେ କ୍ରିୟାଶୀଳ ହେଲା କାହିଁକି? ଏ ପ୍ରଶ୍ନ ପଚରାଯିବା ଆବଶ୍ୟକ । ରାଜନୀତିକ ପୃଷ୍ଠଭୂମିରେ କଂଗ୍ରେସ ହେଉଛି ଓଡ଼ିଶାରେ ଏକ ଶକ୍ତ ଦଳ । କେହି ମାନନ୍ତୁ ବା ନମାନ୍ତୁ ରାଜନୀତିକ ପଣ୍ଡିତ ଓ ନେତାମାନେ ଏହା ଭଲ ଭାବେ ଜାଣିଛନ୍ତି ଯେ, ଓଡ଼ିଶାରେ ଯଦି ଲୋକେ ଶାସନରେ ପରିବର୍ତ୍ତନ ଚାହିଁବେ ତେବେ ୟୁଟର୍ନ ନେବେ, ରାଇଟ୍‍ କି ଲେଫ୍ଟ ଟର୍ନ ନୁହେଁ ।


ଏଣୁ ବିଜେଡିର ଭୟ ରହିଛି, କଂଗ୍ରେସକୁ । ଅପରପକ୍ଷେ ଏ ବାବଦରେ ବିଜେପି ବି ଅବଗତ । ନିଜର ଉତ୍‍ଥାନ ପଛରେ ଯଦି କିଏ ସର୍ବାଧିକ ପ୍ରତିବନ୍ଧକ ତାହା ହେଲା ଓଡ଼ିଶାରେ କଂଗ୍ରେସର ସଂଗଠନ । ଜାତୀୟସ୍ତରରେ ବିଜେପିକୁ ଏକ ଗଣ୍ଡଗୋଳକାରୀ ଦଳ ଭାବରେ ଚିତ୍ରଣ କରାଯାଉଛି । ଓଡ଼଼ିଶାରେ ମଧ୍ୟ ଏହାର ଇତିହାସ ରହିଛି । ବର୍ତ୍ତମାନ ଶାସନ କରୁଥିବା ସରକାର ୨୦୦୮ ମସିହାରେ କନ୍ଧମାଳ ଦଙ୍ଗା ପାଇଁ ବିଜେପିକୁ ଦାୟୀ କରିଥିଲେ । ହାତ ଛାଡ଼ିଥିଲେ, ମେଣ୍ଟ ଭାଙ୍ଗିଥିଲେ । ସେଇଥିପାଇଁ ଦଳ ଯେତେ ସଫେଇ ଦେଲେ ମଧ୍ୟ ରାଜ୍ୟବାସୀଙ୍କ ନଜରରୁ ଆଗକୁ ବଢ଼ିପାରୁ ନାହାନ୍ତି। ଏହିଭଳି ଏକ ସମୟରେ ବିଜେପି ଚାହୁଁଛି କେଉଁଠି ନା କେଉଁଠି ଗୋଟିଏ ଗଳି ବାଟ ଧରିବାକୁ । ଆଉ ସେ ଗଳିବାଟରେ କଂଗ୍ରେସର ଯିଏ ଆସିଲା ବି ତାହାକୁ ଆପଣାଇବା ପାଇଁ ଦଳ ଉଦ୍ୟମ କରୁଛି । ଏହି ସମୟରେ ରାଜ୍ୟ କଂଗ୍ରେସର ସଭାପତି ହେବା ଲାଗି ଯେଉଁ ନେତାଙ୍କ ନାଁ ଉଠୁଛି ସେ ବାଦ୍‍ କେମିତି ବା ପଡ଼ିବେ? ଏଣୁ ମାମଲାରେ ସୋନିଆ ଗାନ୍ଧିଙ୍କଠାରୁ ଆରମ୍ଭ କରି କଂଗ୍ରେସର ଚଉଦ ପୁରୁଷଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ହୋଇଛି ।


କଂଗ୍ରେସ କାହିଁକି ନୀରବ


ଅବଶ୍ୟ ପିସିସି ସଭାପତି ଶୁକ୍ରବାର ଏ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତି ବି ବୟାନ ଦେଇ କଂଗ୍ରେସର ଭାବମୂର୍ତ୍ତିକୁ ସୁଧାରିବାକୁ ଚାହିଁଛନ୍ତି । ଏଥିରୁ ସ୍ପଷ୍ଟ ଯେ, ସେମାନେ ଆରୋପକୁ ସ୍ୱୀକାର କରୁଛନ୍ତି । ଏହାର ପଛରେ ଏକ ବିଶାଳ କାରଣ ରହିଛି । ତାହା ହେଲା ସଭାପତିତ୍ୱ ଆସନ । ନେତୃତ୍ୱ ପରିବର୍ତ୍ତନ ପାଇଁ ଯେଉଁ ଚର୍ଚା ଚାଲିଛି ସେଥିରେ ପ୍ରଦୀପ ମାଝି ଆଗରେ ଅଛନ୍ତି । ତାଙ୍କ ସହ କଟକ ବିଧାୟକ ମହମ୍ମଦ ମୋକିମ୍‍ ଏବଂ ବିଶ୍ୱାଳ ଭ୍ରାତା ( ଚିରଞ୍ଜିବୀ ବିଶ୍ୱାଳ ଓ ସଂସଦ ରଞ୍ଜିବ ବିଶ୍ୱାଳ)ରହିଛନ୍ତି । 

ଆସନ୍ତା ୧୨ ତାରିଖରୁ ନୂଆ ଦିଲ୍ଣୁଲୀରେ ଏଥିଲାଗି ଦିଲ୍ଲୀ ଦରବାରରେ ଓଡ଼ିଶା ନେତାଙ୍କ ସହ ହାଇକମାଣ୍ଡଙ୍କ ଆଲୋଚନା ସ୍ଥିର ହୋଇଛି ।ଏଣୁ ନିରଞ୍ଜନଙ୍କ ସମର୍ଥକମାନେ ନର ବା ଗୁଞ୍ଜରେ ପ୍ରଦୀପଙ୍କ କାଗଜରେ କାଳୀ ଠୋପାଟିଏ ଲଗାଇଦେବାକୁ ଚାହୁଁଛନ୍ତି । କାରଣ ‘ଚକେ ଗଲେ ବାର ହାତ’ ନୀତିରେ ଏମିତି ଗୋଳିଆ ପାଣିହେଲେ କିଛିଦିନ ଆହୁରି ସଭାପତିତ୍ୱ ଆସନଟି ମିଳିପାରେ ।  


ଶେଷକଥା


ଏସବୁଥିରୁ ଏହା ସ୍ପଷ୍ଟ ଯେ, ନବରଙ୍ଗପୁର ଗଣଦୁଷ୍କର୍ମର ପ୍ରତିବାଦ ଆଉ ସ୍ୱର ହୋଇ ନାହିଁ । ସେ ସେମିତି ଚିରାଚରିତ ଢାଞ୍ଚାରେ ଆଉ ଏକ ଅଘଟଣକୁ ଇଙ୍ଗିତ କରୁଛି । ଏଭଳି ଆଇନଗତ ଓ ରାଜନୀତିକ ପୃଷ୍ଠଭୂମିରେ ଯେ ଅପରାଧୀ ଯେ ନିରାପଦ ରହିପାରେ ତାହା ପୁଣିଥରେ ପ୍ରମାଣିତ ହୋଇଛି। ଏଣୁ ଘଟଣାକୁ କେନ୍ଦ୍ରକରି ରାଜନୀତିକ ପୃଷ୍ଠଭୂମି ଆଉ କିଛିଦିନ ପାଇଁ ସରଗରମ ହେବ ତାହା ସ୍ପଷ୍ଟ ହୋଇଛି । ଆମେ ସଚେତନ ନାଗରିକ ଭାବେ ସରକାରୀ ଓ ବିରୋଧୀ ଦଳର ଏହି ରାଜନୀତିକ ଅପ୍ରସଙ୍ଗ ଆଗରେ ପ୍ରସଙ୍ଗକୁ ଭୁଲିଯିବା ଅନୁଚିତ । ପୁଲିସର ଏହି ନିଷ୍କ୍ରିୟତା, ଶାସନ କଳର ଉଦାସୀନତାକୁ ନିନ୍ଦା କରିବା ଆବଶ୍ୟକ । ଲୋକଙ୍କଠୁ ନ୍ୟାୟ ଆଉ ଦୂରକୁ ନଯାଉ ତାହା ଆଶା କରିବା ଉଚିତ ।

ଅର୍ଥାତ୍‌ ଯିଏ ଆଇନ ଉଲ୍ଲଙ୍ଘନ କରିଛି ସେ ଦଣ୍ଡ ପାଉ। ସେ ପ୍ରଦୀପ ମାଝି ହୁଅନ୍ତୁ କି ଆଉ ଯିଏ। କିନ୍ତୁ ଯିଏ ସେ ଝିଅଟିର ଇଜ୍ଜତ ନେଇଛି, ତାକୁ ହତ୍ୟା କରିଛି, ଯିଏ ଏ ସମାଜରେ ନିଜର ହୀନ ଚରିତ୍ରକୁ ଚରିତାର୍ଥ କରିବା ଲାଗି ଆଇନକୁ ଉଲ୍ଲଙ୍ଘନ କରିଛି ତାକୁ ତୁରନ୍ତ ଦଣ୍ଡ ମିଳୁ…।