ବିପଦରେ ବିଶ୍ୱ : ସୁରକ୍ଷା ପାଇଁ ମଧ୍ୟବିତ୍ତ ଓ ଗରିବଙ୍କ ବିଶ୍ୱବ୍ୟାପୀ ଆନ୍ଦୋଳନ

0
27776
advertisement

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ଭାରତ ପରି ଦେଶ ଅର୍ଥନୈତିକ ପ୍ରଗତୀ ହାସଲ ଏବଂ ତାହାକୁ ନିରନ୍ତର ବଜାୟ ରଖିବାର ବହୁଳ ପ୍ରଚଳିତ ମାର୍ଗ ଆପଣେଇବା ଅପରିହାର୍ଯ୍ୟ । ଅଥବା ଆମେ ଏଥିପାଇଁ କ’ଣ କୌଣସି ବିକଳ୍ପ ମାର୍ଗ ଆପଣେଇ ପାରିବା? ବିକାଶ ପାଇଁ ଭିନ୍ନ ମାର୍ଗ ଆପଣେଇବା ସକାଶେ ଆଗ୍ରହର ଘୋର ଅଭାବ ରହିଥିଲେ ମଧ୍ୟ ଏପରି ମାର୍ଗ ଆମମାନଙ୍କ ସକାଶେ ଅପରିହାର୍ଯ୍ୟ । କୃଷି କ୍ଷେତ୍ରର ସଙ୍କଟ କଥା ବିଚାର କରାଯାଉ, ଯାହାକି ଆଜିକାଲି ଆମ ସମସ୍ତଙ୍କୁ ଆକ୍ରାନ୍ତ କରି ରଖିଛି । ପ୍ରତିଦିନ ଗଣମାଧ୍ୟମରେ ନିଶ୍ଚିତ ଭାବେ କୃଷି ଓ କୃଷକର ସମ୍ବେଦନଶୀଳ ପ୍ରସଙ୍ଗ ବାଦ-ବିବାଦ ଓ ବିତର୍କର ବଳୟରେ ରହୁଛି । ଚଳିତ ନିର୍ବାଚନ ରଣନୀତିରେ କୃଷି ଓ କୃଷକର ମୁହଁ ପ୍ରତିଟି ରାଜନୈତିକ ଦଳ ଆଖିରେ ନାଚୁଛି । ଏଥିରୁ ଏକଥା ସ୍ପଷ୍ଟ ହୋଇଗଲାଣି ଯେ ଅତୀତରେ ବା ବର୍ତ୍ତମାନ, ଯେ କୌଣସି ଦଳ ଶାସନରେ ଥାଉ ନାଁ କାହିଁକି, କୃଷକମାନଙ୍କ ଉନ୍ନତି ପାଇଁ ଯାହାକିଛି ଉଦ୍ୟମ କରୁଛନ୍ତି, ତାହା ବ୍ୟର୍ଥ ହୋଇଯାଇଛି ।

ଭାରତୀୟ କୃଷକମାନେ ସଣ୍ଢୁଆସୀ ଆକ୍ରମଣର ଶିକାର ହେଉଛନ୍ତି । କୃଷକମାନେ ଯେଉଁ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି, ସେଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ଅଧିକ । ଏହା ସଙ୍ଗେ ସଙ୍ଗେ ଜଳ ଓ ମୃତ୍ତିକାର ଅବକ୍ଷୟ ଘଟିବା କାରଣରୁ ପରିବର୍ତ୍ତନଶୀଳ ଚରମ ଜଳବାୟୁଜନିତ ବିପଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ବ୍ୟତୀତ ସରକାର ଭାରତୀୟ ବଜାରରେ ମୁଦ୍ରାସ୍ପୀତି ହାର ଅପେକ୍ଷାକୃତ ଭାବେ କମ୍ ରଖିବା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇବା ସକାଶେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ଆବଶ୍ୟକ । ସରକାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଜରୁରୀ । ସରକାରଙ୍କର ବିପଣନ କ୍ଷେତ୍ରରେ ସହଯୋଗ ବଢେଇବା ସଙ୍ଗେ କିମ୍ବା ଉତ୍ପାଦନକାରୀମାନଙ୍କୁ ଲାଭବାନ କରାଇବା ସକାଶେ ଭତ୍ତିଭୂମି କ୍ଷେତ୍ରରେ ବିନିଯୋଗ ନାମକୁ ମାତ୍ର । ଏପରି ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଓ ପାଣିପାଗରେ ଅନିୟମିତତା ଫଳରେ କୃଷିରେ ବିପଦ ବୃଦ୍ଧି ପାଉଛି ଓ କୃଷକ ଆତଙ୍କିତ ହେଉଛି । ଅନ୍ୟପଟରେ ପ୍ରାକୃତିକ ଦୁର୍ବିପାକ ସର୍ବଦା ଭାରତୀୟ କୃଷି ଓ କୃଷକ ଉପରେ ଦାଉସାଧି ଚାଷୀର ଅର୍ଥନୀତିକୁ ଦେବାଳିଆ କରିଦେଉଛି ।

ଅର୍ଥନୀତିରେ ପ୍ରଚଳିତ ପରିଭାଷା ଅନୁଯାୟୀ ଏକଥା ଦୃଢ଼ ଭାବରେ ବିଶ୍ୱାସ କରାଯାଉଛି ଯେ କୃଷି କ୍ଷେତ୍ର ଏବେ ସ୍ୱଳ୍ପ ଉତ୍ପାଦିକା କିମ୍ବା ଅଣ-ଉତ୍ପାଦକ ସ୍ଥିତିକୁ ଆସିଯାଇଛି ଏବଂ ଏହାକୁ ପଛକୁ ପଠାଇଦେବାକୁ ପଡ଼ିବ । ଯଥେଷ୍ଟ ଅଧକ ସଂଖ୍ୟକ ଭାରତୀୟ କୃଷି ବ୍ୟବସ୍ଥାର ଅଣ ଲାଭଦାୟକ କ୍ଷେତ୍ରରେ ନିୟୋଜିତ ହୋଇଅଛନ୍ତି । ଏହାକୁ ଲାଭଜନକ କରାଯାଇପାରିବ ନାହିଁ ବୋଲି ଆଜି ଆମର ବିଶ୍ୱାସ ହୋଇଯାଇଛି । ଯଦି ଖାଦ୍ୟ ଉତ୍ପାଦନର ବ୍ୟବସାୟ-କୃଷି ଲାଭଦାୟକ ହେବନାହିଁ ଓ ନିଯୁକ୍ତି ଯୋଗାଇ ପାରିବନାହିଁ, ତେବେ କେଉଁ କ୍ଷେତ୍ର ଏହା କରିପାରିବ ? ଏହା ପ୍ରତିଟି ସରକାର ଓ ଆମ ସମସ୍ତଙ୍କ ପାଇଁ ଆଜି ଏକ ବିରାଟ ଆହ୍ୱାନ ହୋଇ ଭାରତ ଭଳି ବିଶାଳ ଜନସଂଖ୍ୟା ବହୁଳ ଦେଶରେ ଉଭା ହୋଇଛି । ଆମେ ସମସ୍ତେ ଜାଣିଛୁ ଯେ ଆମେ ଅନୁସରଣ କରୁଥିôବା ସଂଗଠିତ କ୍ଷେତ୍ର ସବୁକ୍ଷେତ୍ରରେ ଫାଇଦା ଦେଇପାରେ, ମାତ୍ର କର୍ମନିଯୁକ୍ତି କ୍ଷେତ୍ରରେ ନୁହେଁ ।
କୃଷି କ୍ଷେତ୍ରରେ ସଙ୍କଟରେ ସହରୀ ରୂପରେଖକୁ ମଧ୍ୟ ଆମେମାନେ ଚିହ୍ନିବା ଆବଶ୍ୟକ । ସାଂପ୍ରତିକ ପରିସ୍ଥିତରେ ପ୍ରତିଟି ସରକାର ଆପଣାଉଥିବା ଜମି, ଜଳ ଓ ଜଙ୍ଗଲ ସମ୍ପର୍କିତ କର୍ପୋରେଟ୍ ନୀତି ଆମକୁ ଆଉ ଭବିଷ୍ୟତରେ ଜୀବିକା ଯୋଗାଇ ପାରିବ ନାହିଁ ଏହା ଆଜି ନିଶ୍ଚିତ ହୋଇଗଲାଣି । ଅତଏବ ଲୋକମାନଙ୍କ ପାଇଁ ସ୍ଥାନାନ୍ତରିତ/ବିସ୍ଥାପନ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି ସ୍ଥାନାନ୍ତରଣ ବା ବିସ୍ଥାପନ ସେମାନଙ୍କୁ ବଡ଼ ବଡ଼ ସହରକୁ ଆଣିବ ଯେଉଁଠାରେ ସେବା ଯୋଗଣରେ ସଙ୍କଟ ରହିଛି ଏବଂ ସେଠାରେ ଭବିଷ୍ୟତରେ ପ୍ରଦୂଷଣ ଆହୁରି ବୃଦ୍ଧି ପାଇବ । ବାସ୍ତବତା ହେଉଛି ଯେ ସଂପ୍ରତି ସହରର କଳେବର ବୃଦ୍ଧି ସହରୀକରଣ ନୀତି ଓ ଆଇନିଗତ ଭାବରେ ହେଉନାହିଁ । ସହରରେ ଗୃହ ନିର୍ମାଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଆଉ ଶାସକୀୟ ଦୃଷ୍ଟିରୁ ଆଇନର ପରିସର ମଧ୍ୟରେ ନାହାନ୍ତି । ଏଥିରୁ ଏକଥା ସ୍ପଷ୍ଟ ଯେ ସହରଗୁଡ଼ିକ ଆଇନ ପରିସର ବାହାରକୁ ସଂପ୍ରସାରିତ ହେଉଛନ୍ତି । ଏଠାରେ ଗୃହ ନିର୍ମାଣ ଓ ବ୍ୟବସାୟିକ ପ୍ରତିଷ୍ଠାନ ସରକାରୀ ଅନୁମୋଦନ କିମ୍ବା ଅନ୍ତତଃପକ୍ଷେ ସରକାରୀ କାଗଜପତ୍ରରେ ଉଲ୍ଲେଖ ବ୍ୟତିରେକ ନିଜର ଉପସ୍ଥିତି ଜାହରି କରୁଛନ୍ତି । ବିଡ଼ମ୍ବନାର ବିଷୟ ଯେ ଭାରତୀୟ ଅର୍ଥନୀତିକୁ ସଂଗଠିତ କରବା ପାଇଁ ସରକାର ଯେତେ ବେଶି ଉଦ୍ୟମ କରୁଛନ୍ତି, ପରିସ୍ଥିତି ଲୋକମାନଙ୍କୁ ବେନିୟମ ଓ ଅଣସଂଗଠିତ ବ୍ୟବସାୟ କରିବାକୁ ସେତେ ବାଧ୍ୟ କରୁଛି । ଭବିଷ୍ୟତରେ ଏହାଦ୍ୱାରା ଧନୀକ ଗୋଷ୍ଠୀ ଏବଂ କର୍ପୋରେଟ୍ ସାମ୍ରାଜ୍ୟ ଜମି, ଜଳ ଓ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦକ ଉପରେ ନିଜର ପ୍ରଭାବ ଜାହିର କରିବାକୁ କଳେବଳେ କୌଶଳେ ଚାପ ସୃଷ୍ଟି କରିବେ । ଏହାଦ୍ୱାରା ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଗୋଷ୍ଠୀବିଶେଷ ନିଜର ଜୀବନ ଜୀବିକାରୁ ଉଚ୍ଛେଦ ହେବା ଦ୍ୱାରା ନକ୍ସଲ ଭଳି ସମସ୍ୟା ବୃଦ୍ଧି ପାଇବ । ଭବିଷ୍ୟତର ବିକାଶ ବେଳେ ଏଭଳି ବିପଦକୁ ଏବେଠାରୁ ଧ୍ୟାନ ଦେଇ ସହଭାଗୀତା ଭିତ୍ତିରେ ଗରିବ ସୀମାରେଖା ତଳେ ରହୁଥିବା ଜନସାଧାରଣ ଯେଉଁମାନେ ଜମି, ଜଳ, ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ସେମାନଙ୍କର ବିକାଶକୁ ସମାନୁପାତରେ ଧନୀକ ଓ କର୍ପୋରେଟ୍ ଗୋଷ୍ଠୀଙ୍କ ସହ ସାମିଲ କରିବା ଦରକାର ।

ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସେଇ ଏକା କଥା ଘଟୁଛି । ଆମ ପରିସ୍ଥିତିରେ ଆମେ ଆମ ପାରିବେଶିକ ମୂଲ୍ୟକୁ ଅନ୍ୟ ଦେଶକୁ ରପ୍ତାନୀ ବା ସ୍ଥାନାନ୍ତରିତ କରିପାରିବା ନାହିଁ । ମାତ୍ର ଆମର ସଂଗଠିତ ବ୍ୟବସାୟ କ୍ଷେତ୍ରରୁ (ଅର୍ଥାତ ଆଇନ ସମ୍ମତ ଶିଳ୍ପରୁ) ଆମେ ଆମର ପାରିବେଶିକ ପ୍ରଭାବ (ମୂଲ୍ୟକୁ) ବେଆଇନ ଏବଂ ଦୂରଦୂରାନ୍ତର ବସତିକୁ ପଠାଇ ଦେଉଛନ୍ତି । ଏବେ ମଧ୍ୟ ବ୍ୟବସାୟ ଯୋଗୁଁ ପ୍ରଦୂଷଣ ହେଉଛି, ମାତ୍ର ଏକଥା ନିୟନ୍ତ୍ରଣକାରୀମାନଙ୍କର ପରିସୀମା ମଧ୍ୟକୁ ଆସୁନାହିଁ । ପ୍ରଦୂଷଣ ନିୟନ୍ତ୍ରଣ କରିବା ବାବଦକୁ ଖର୍ଚ୍ଚ ଯୋଗୁଁ ଶାସନର ଖର୍ଚ୍ଚ ମଧ୍ୟ ବଢ଼ୁଛି । ଭାରତ ପରି ଏକ ଦେଶ ଏହି ଖର୍ଚ୍ଚ ତୁଲାଇ ପାରିବ ନାହିଁ । ତେଣୁ ପ୍ରଦୂଷଣ ବୃଦ୍ଧି ପାଉଛି, ସ୍ୱାସ୍ଥ୍ୟ ସମସ୍ୟାମାନ ମଧ୍ୟ ବୃଦ୍ଧି ପାଉଛି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ଦରିଦ୍ର ଲୋକମାନଙ୍କର ଜୀବନ ଜୀବିକା ଧିରେ ଧିରେ ଧନୀ ଓ ଲୋକମାନଙ୍କ ଓ କର୍ପୋରେଟ୍ ସାମ୍ରାଜ୍ୟର ବ୍ୟବସାୟ ସହିତ ବନ୍ଧା ହୋଇଯାଉଛି । ଯଦି ବ୍ୟବସାୟ ଆଇନର ପରିସର ବାହାରକୁ ଚାଲିଯାଏ ତେବେ ଏଥିରୁ ହେଉଥିବା ପ୍ରଦୂଷଣକୁ ରୋକିବା ଏକ ବୃହତ୍ତର ଆହ୍ୱାନ ହୋଇଯାଉଛି । ଏହାର ଅର୍ଥ ହେଲା ଯେ ବାୟୁ କ୍ଷେତ୍ର ମଧ୍ୟ ପ୍ରଦୂଷିତ ହୋଇଯାଉଛି । ଏହାଦ୍ୱାରା ସବୁଠାରୁ ବେଶୀ ମଧ୍ୟବିତ୍ତ ତଥା ଦରିଦ୍ରମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଧନୀକ ବର୍ଗଙ୍କ ଏବଂ ଶିଳ୍ପପତିଙ୍କ ନର୍ଦ୍ଦମା ଜଳ ଓ ଶିଳ୍ପର ବର୍ଜ୍ୟଜଳ କ୍ଷେତ୍ରରେ ମଧ୍ୟ ସେଇ ଏକା କଥା ହିଁ ଘଟୁଛି । ବେଆଇନ ଭାବେ ନିଷ୍କାସିତ ନର୍ଦ୍ଦମା ଜଳ ନାମକୁମାତ୍ର ଉପଚାର କରାଯାଇଥିବା ବର୍ଜ୍ୟଜଳରେ ମିଶିବା ପରେ ମଧ୍ୟ ନଦୀଗୁଡ଼ିକୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ଆମର ଜଳଧାରଗୁଡ଼ିକର ପ୍ରଦୂଷଣ ଜଳ ସଂକ୍ରମଣର ଆହ୍ୱାନକୁ ଅଧିକ ଜଟିଳ କରିଦେଉଛି ଏବଂ ସ୍ୱାସ୍ଥ୍ୟବୋଝକୁ ଆହୁରି ବଢ଼ାଇ ଦେଉଛି । ଆବର୍ଜ୍ଜନା ନିଷ୍କାସନ କ୍ଷେତ୍ରରେ ମଧ୍ୟ ସେହି ଏକାପରି ପରିସ୍ଥିତି । ଦରିଦ୍ରମାନଙ୍କର ବେଆଇନ ବସ୍ତିର ଆବର୍ଜନାର ପରିଚାଳନା ସକାଶେ କୌଣସି ସେବା ଉପଲବ୍ଧ ନ’ଥିବା କାରଣରୁ ଲୋକେ ସେମାନଙ୍କର ଆବର୍ଜ୍ଜନାକୁ ପୋଡ଼ି କିମ୍ବା ଫୋପାଡ଼ି ଦେବାକୁ ବାଧ୍ୟ ହେଉଛନ୍ତି । ଏହା ଫଳରେ ଆମେ ଆମର ନିର୍ମଳ ବାୟୁ ସେବନ ପାଇଁ ଅଧିକାରକୁ ସାବ୍ୟସ୍ତ କରିବା ସକାଶେ ଯେଉଁ ବାୟୁ ଉପରେ ନିର୍ଭରଶୀଳ, ସେହି ବାୟୁ ହିଁ ବିଷାକ୍ତ ହେଉଛି ।

ଏହିସବୁ ମୌଳିକ କାରଣ ଯୋଗୁଁ ଜଗତୀକରଣର ମଡ଼େଲ ଆମ ପାଇଁ ଫଳପ୍ରସୂ ହେବନାହିଁ । କାରଣ ଜଗତୀକରାଣ ଫଳରେ ବାୟୁ ପ୍ରଦୂଷଣକୁ ଅନ୍ୟ ଦେଶ ତଥା ଅଞ୍ଚଳକୁ ସ୍ଥାନାନ୍ତରିତ କରିଦେଲା ମାତ୍ର ସାମଗ୍ରୀର ଚାହିଦାରେ କମାଇପାରିଲା ନାହିଁ । ସରକାରଙ୍କର କଠୋର ନୀତି ନିୟମ ପ୍ରଣୟନରୁ ଅଭାବ ହେତୁ ସମାଜର ସ୍ୱଚ୍ଛଳ ବର୍ଗ ଏବଂ ପ୍ରଭାବଶାଳୀ ଗୋଷ୍ଠୀ ସେମାନଙ୍କର ପ୍ରଦୂଷଣକୁ ସାଧାରଣ ଜନତାର ବାଡ଼ିପଛପଟକୁ ସ୍ଥାନାନ୍ତରିତ କରିଦେଉଛନ୍ତି ଯେଉଁଠାରେ ଦରିଦ୍ର ଲୋକେ ବାସ କରୁଛନ୍ତି । ଆମେ ମଧ୍ୟ ପାରିବେଶିକ ତଥା ଶ୍ରମମୂଲ୍ୟ କମାଇ ଦେଇପାରିବା । ମାତ୍ର ଏସବୁ ସତ୍ତେ୍ୱ ପାରିବେଶ ଅବକ୍ଷୟର ମୂଲ୍ୟ ଆମମାନକୁ ହିଁ ବହନ କରିବାକୁ ପଡ଼ିବ । ଆଉ ଅନ୍ୟ କେହି ଏହା ଭୋଗିବେ ନାହିଁ । ଏହି ବାସ୍ତବତାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ସଂପ୍ରତି ଚୀନ ପାଶ୍ଚାତ୍ୟ ରାଷ୍ଟ୍ରର ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଆମାଦାନୀ କରିବା ବନ୍ଦ କରିଦେଇଥିବାରୁ, ଏହିସବୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବର୍ଜ୍ୟ ସାମଗ୍ରୀର ନିଷ୍କାସନ ଯେ କେତେ କଷ୍ଟଦାୟକ ସେକଥା ଅଙ୍ଗେ ନିଭାଉଛନ୍ତି ।

ଆଜିକାଲି ଯୁକ୍ତରାଷ୍ଟ୍ର ଆମେରିକାର ଅପେକ୍ଷାକୃତ ଭାବେ ଦରିଦ୍ର ଅଞ୍ଚଳରେ, ବିଶେଷକରି ଆବର୍ଜ୍ଜନା ପୋଡ଼ା କାରଖାନା ଗୁଡ଼ିକୁ ନେଇ ଆଖ ପାଖ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ବିରୋଧ ପ୍ରଦର୍ଶନ କରାଯାଉଛି । ସାଧାଣ ଲୋକେ ତାଙ୍କ ବାଡ଼ିପଟେ ବିଷାକ୍ତ ବାୟୁର ନିଷ୍କାସନ ଚାହାନ୍ତି ନାହିଁ । କିଏ ଅବା ଏପରି ଚାହିଁବ? ଏହା ହିଁ ହେଉଛି ସବୁଠାରୁ ବଡ଼ ଆହ୍ୱାନ । ଏହି କାରଣ ଯୋଗୁ ହିଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ପରିବେଶ ଆନ୍ଦୋଳନ ଆମ ଦେଶପାଇଁ ଫଳପ୍ରଦ ହେବନାହିଁ । ଆମମାନଙ୍କ ସକାଶେ ସତତ ବିକାଶର ଅର୍ଥ ହେଉଛି ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ମୂଲ୍ୟ ବହନ କରିହେଉଥିବା ବିକାଶ ଆବଶ୍ୟକ । ପ୍ରଯୁକ୍ତି ବିଦ୍ୟାକୈନ୍ଦ୍ରୀକ ସମାଧାନର ଓକିଲାତି କରି ଅନ୍ୟ ଅଞ୍ଚଳକୁ ଭବିଷ୍ୟତରେ ଆଉ ଏକ ଦିନକୁ ସମସ୍ୟାସବୁକୁ ସ୍ଥାନାନ୍ତରିତ କରୁଥିବା ମଧ୍ୟବିତ୍ତ ଶ୍ରେଣୀର ପରିବେଶ ଆନ୍ଦୋଳନର ସାରା ବିଶ୍ୱରେ ପରିସମାପ୍ତି ଘଟିବା ଆବଶ୍ୟକ । ସମଗ୍ର ବିଶ୍ୱର ପ୍ରଭାବଶାଳୀ ଓ ଧନୀକ ଗୋଷ୍ଠୀ ବର୍ତ୍ତମାନ ପ୍ରଦୂଷିତ ପୃଥିବୀରେ ପରିବେଶ ସୁରକ୍ଷା ପାଇଁ ମଧ୍ୟବିତ୍ତତ୍ତ ଓ ଗରିବ ଜନସାଧାରଣଙ୍କର ଆନ୍ଦୋଳନକୁ ବୁଝିବାର ସମୟ ଆସିଛି । କାରଣ ପୃଥିବୀର ଆବର୍ଜନାକୁ ଆମେ ଅନ୍ୟ କୌଣସି ଗ୍ରହକୁ ପଠାଇ ପାରିବ ନାହିଁ । ଆଜିର ଆବର୍ଜ୍ଜନା ପ୍ରଦୂଷିତ ପୃଥିବୀ ପାଇଁ ଭବିଷ୍ୟତରେ ଧନୀ, ମଧ୍ୟବିତ୍ତ ଓ ଗରିବ ସମସ୍ତଙ୍କୁ ନଃଶେଷ କରିଦେବାର ସମୟକୁ ଡାକିଆଣିବ ।

ଆଇଏସ୍‌ ଛାଡ଼ି ନିଜର ଅସ୍ତିତ୍ଵ ଖୋଜୁଥିବା ସାମୀମାର ଛାଇ

ଆଜିର ଆହ୍ୱାନ : ମହିଳାଙ୍କ ଘରୋଇ ଶ୍ରମର ଅର୍ଥନୈତିକ ସ୍ୱୀକୃତି!