ସବୁ କାର୍ଯ୍ୟ ଦିବସରେ ଅଫିସ ଯିବେ କର୍ମଚାରୀ, କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ଏନେଇ ଶ୍ରମ ମନ୍ତ୍ରାଳୟ ଏକ ନିର୍ଦ୍ଦେଶନାମା ଜାରି କରି କର୍ମଚାରୀଙ୍କୁ କହିଛି । ରାଜଧାନୀ ଦିଲ୍ଲୀ ସମେତ ଦେଶରେ କରୋନା ମାମଲା ହ୍ରାସ ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କେବଳ କଣ୍ଟନମେଣ୍ଟ ଜୋନରେ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯିବ । ଏବେସୁଦ୍ଧା କେବଳ ସଚିବ ଓ ଉପର ପାହ୍ୟା ଅଧିକାରୀ ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କରୋନା କଟକଣା ମଧ୍ୟରେ ସବୁଦିନ କାର୍ଯ୍ୟାଳୟ ଆସୁଥିଲେ ।

କେନ୍ଦ୍ର ସରକାର ଗତ ମେ ମାସରୁ ଉପ ସଚିବ ଓ ତାଠୁ ତଳ ପାହ୍ୟାର ୫୦ ପ୍ରତିଶତ ଅଧିକାରୀଙ୍କୁ ନେଇ ନିଜ କାର୍ଯ୍ୟାଳୟରେ କାମ କରିବା ପାଇଁ କହିଥିଲେ । କରୋନା ଭାଇରସର ପ୍ରକୋପ କମାଇବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟାଳୟରେ ପୃଥକ ପୃଥକ ସମୟ ଧାର୍ଯ୍ୟ ହୋଇଥିଲା ।

ଶନିବାର ବିଳମ୍ବିତ ରାତ୍ରରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀ ସବୁ କାର୍ଯ୍ୟଦିବସରେ ଅଫିସ୍ ଯିବେ । କୌଣସି ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ କୋହଳ ହେବ ନାହିଁ । ତେବେ ଆଗାମୀ ନିର୍ଦ୍ଦେଶ ଯାଏଁ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ ।

ଆହୁରି ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଯେଉଁ ଅଧିକାରୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନେ ଘରୁ କାମ କରିବେ । ଫୋନରେ ସେମାନେ ଅଫିସ କଥା ବୁଝିବେ । ବୈଠକ ମଧ୍ୟ ଭିଡିଓ କନଫରେନ୍ସିରେ ଚାଲିବ । ସମସ୍ତ ବିଭାଗୀୟ କ୍ୟାଣ୍ଟିନ୍ ଖୋଲି ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published.