୨୭ରେ ଭାରତ ବନ୍ଦ: ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ଯୋଗ ଦେବାକୁ ଏଆଇଟିୟୁସି ଡାକରା

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌): ସଂଯୁକ୍ତ କିଶାନ୍‌ ମୋର୍ଚ୍ଚା ଡାକରାରେ ୨୭ ତାରିଖ  ଭାରତ ବନ୍ଦ ପ୍ରତିବାଦକୁ ସମର୍ଥନ ଜଣାଇଛି ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ। ରାଜ୍ୟର ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ସ୍ଵତଃ ଏହି ଆନ୍ଦୋଳନକୁ ସମର୍ଥନ କରିବେ ଏବଂ ଭାରତ ବନ୍ଦ ଡାକରାକୁ ସାଫଲ୍ୟ କରିବାକୁ ଚେଷ୍ଟା କରିବେ ବୋଲି ରାଜ୍ୟ ଏୟାଇଟିୟୁସି ପକ୍ଷରୁ କୁହାଯାଇଛି।

 

କେନ୍ଦ୍ର ସରକାରଙ୍କ କୃଷି ଆଇନ୍,  ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୧ ଏବଂ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି)ର ଆଇନଗତ ଗ୍ୟାରେଣ୍ଟି ଦାବିରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି।  ଏହି ଡାକରାକୁ ଏୟାଇଟିୟୁସି ସମେତ ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ଭାବେ ସକ୍ରିୟ ସମର୍ଥନ ଘୋଷଣା କରିଛନ୍ତି । ଏହି ଭାରତ ବନ୍ଦ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ୍‌ମାନଙ୍କ ମିଳିତ ମଞ୍ଚ ବିଜେପି ପରିଚାଳିତ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମିକ ଶ୍ରେଣୀ ବିରୋଧୀ ୪ଟି ଶ୍ରମକୋଡକୁ ବାତିଲ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ପତ୍ରର ମୂଲ୍ୟବୃଦ୍ଧି ବନ୍ଦ କରିବା ଆଦି ପ୍ରମୁଖ ଦାବିକୁ ମଧ୍ୟ ଉତ୍‌ଥାପନ କରିଛି ।

ଦିଲ୍ଲୀ ସୀମାରେ ୧୦ମାସ ଧରି ଚାଲିଥିବା ଐତିହାସିକ ବୀରତ୍ୱପୂର୍ଣ୍ଣ ଚାଷୀ ଆନ୍ଦୋଳନରେ ଛଅ ଶହରୁ ଅଧିକ ଚାଷୀ ମୃତ୍ୟୁବରଣ କରି ଶହିଦ ହୋଇଛନ୍ତି । ଏହାସତ୍ତ୍ୱେ ମଧ୍ୟ କର୍ପୋରେଟ ପୁଞ୍ଜିପତିମାନଙ୍କ ନିକଟରେ ବିଜେପି ସମର୍ପିତ ବିଜେପି ସରକାର ଅଗଣତାନ୍ତ୍ରିକ ଫାସୀବାଦୀ ଦମନ ମୂଳକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି ବୋଲି ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଦୃଢ଼ ମତବ୍ୟକ୍ତ କରାଯାଇଛି । ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସର୍ବାନ୍ତକରଣେ ସଫଳ କରିବା ପାଇଁ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଦେଶବ୍ୟାପୀ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ କମିଟିର ନିଷ୍ପତ୍ତି ଅନୁସାରେ ଏହି ଭାରତ ବନ୍ଦକୁ ରାଜ୍ୟରେ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ଏ.ଆଇ.ୟୁ.ଟି.ୟୁ.ସି ସହବନ୍ଧିତ ସମସ୍ତ ୟୁନିୟନଗୁଡିକ ନିଜ ନିଜ କ୍ଷେତ୍ରର ଶ୍ରମିକ କର୍ମଚାରୀମାନଙ୍କୁ ନେଇ ସଭା, ଶୋଭାଯାତ୍ରା, ଗେଟ୍ ମିଟିଙ୍ଗ, ପ୍ରଚାର ପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମମାନ ସଂଗଠିତ କରିଚାଲିଛନ୍ତି । ଦେଶ ସ୍ୱାଧୀନତା ପରଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ପ୍ରତିଷ୍ଠିତ ସରକାରମାନେ ଦେଶର ଏକଚାଟିଆ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ଶ୍ରମିକ, କର୍ମଚାରୀ, ଚାଷୀ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଶ୍ରେଣୀ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିଆସିଛନ୍ତି । ୨୦୧୪ ମସିହା ଠାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପରିଚାଳିତ ସରକାର ପୂର୍ବର କଂଗ୍ରେସ କରକାରଙ୍କ ଜନବିରୋଧୀ ନୀତିକୁ ଅନୁସରଣ କରି ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତି ଓ ବହୁଦେଶୀୟ କମ୍ପାନୀମାନଙ୍କ ସ୍ୱାର୍ଥରେ ଏହି ଜନବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂଗଠନ ପକ୍ଷରୁ ଦୃଢ଼ ଅଭିଯୋଗ କରାଯାଇଛି । କେନ୍ଦ୍ର ବିଜେପି ସରକାରଙ୍କର ଜିନବିରୋଧୀ ପଦକ୍ଷେପକୁ ଓଡିଶା ରାଜ୍ୟ ବିଜେଡି ସରକାର ସମର୍ଥନ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ବୋଲି ସଂଗଠନ ମତବ୍ୟକ୍ତ କରିଛି । ସରକାରଙ୍କ ଜନବିରୋଧୀ ପଦକ୍ଷେପ ବିରୁଦ୍ଧରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବା ସଙ୍ଗେ ସଙ୍ଗେ ଏହି ଆନ୍ଦୋଳନକୁ କେବଳ ସରକାର ପରିବର୍ତ୍ତନର ଲଢ଼େଇରେ ସୀମାବଦ୍ଧ ନକରି ଦେଶରେ ପ୍ରତିଷ୍ଠିତ ଶୋଷଣମୂଳକ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସଂଗ୍ରାମର ପରିପୂରକ ଭାବେ ଗଢ଼ି ତୋଳିବା ନିମନ୍ତେ ଶ୍ରମିକ, କର୍ମଚାରୀ, ଚାଷୀ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣ ଏବଂ ଗଣତାନ୍ତ୍ରିକ ମନୋଭାବାପନ୍ନ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନେ ସକ୍ରିୟ ଭୂମିକା ପାଳନ କରିବାକୁ ଏ.ଆଇ.ୟୁ.ଟି.ୟୁ.ସି ଓଜିଶା ରାଜ୍ୟ ସଭାପତି ଶମ୍ଭୁନାଥ ନାଏକ ଓ ରାଜ୍ୟ ସମ୍ପାଦକ ଜୟସେନ ମେହେର ନିବେଦନ କରିଛନ୍ତି ।

Leave a Reply

Your email address will not be published.