ସ୍ମାର୍ଟ ସିଟି ପରେ ବିଶ୍ୱ ଐତିହ୍ୟ ନଗରୀ: ତଥ୍ୟ ବୟାନ କରୁଛି ସରକାରଙ୍କ ବାହାସ୍ଫୋଟ

0
382
advertisement

ଭୁବନେଶ୍ଵର, (ଓଟି):  ସୁରକ୍ଷା ଆଳରେ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଏବେ ଏକ ଆତଙ୍କରେ ପରିଣତ ହୋଇଛି। କେତେବେଳେ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏପରି ପଦକ୍ଷେପ ଜରୁରୀ ବୋଲି କହୁଛନ୍ତି ତ କେତେବେଳେ ପର୍ବପର୍ବାଣୀ ସମୟରେ ଏଠାକୁ ଆସୁଥିବା ଭକ୍ତଙ୍କ ନିୟନ୍ତ୍ରଣ ଲାଗି ଉଚ୍ଛେଦ ନିହାତି ଆବଶ୍ୟକ ବୋଲି କହୁଛନ୍ତି । ଏହି ବାଦ ବିବାଦ ଏବେ କୋର୍ଟରେ ପହଞ୍ଚିଛି । ହେଲେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆଖି ଝଲସା କମ୍ପ୍ୟୁଟରୀକୃତ ଗ୍ରାଫିକ୍ସ ବଳରେ ସରକାରୀ କଳ କୋର୍ଟଙ୍କୁ ପ୍ରଭାବିତ କରିବ ବୋଲି ଆଶା ରଖିଛି । ହେଲେ ଇତିହାସ କହୁଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହିପରି ଗ୍ରାଫିକ୍ସସବୁ ଗୋଟିଏ ଗୋଟିଏ ଧୂଆଁବାଣ । ଅର୍ଥାତ୍‍ ସରକାରଙ୍କ ଦ୍ୱାରା ଘୋଷଣା କରାଯାଉଥିବା ପ୍ୟାକେଜ୍‍ ଓ କମ୍ପ୍ୟୁଟରୀକୃତ ଗ୍ରାଫିକ୍ସ କିଛି ନୂଆ କାହାଣୀ ନୁହେଁ, ସ୍ମାର୍ଟସିଟି ଭୁବନେଶ୍ୱରର ପରିକଳ୍ପନା ଯେତେବେଳେ ହେଲା ସେତେବେଳେ ଏମିତି ଅନେକ ଗ୍ରାଫିକ୍ସ ସୋଶାଲ୍‍ ମିଡିଆରେ ଘୁରି ବୁଲିଥିଲା । ଏବେ କିନ୍ତୁ ୪ ବର୍ଷ ବିତିଲାଣି, ଆଜି ଯାଏ ଗୋଟିଏ ହେଲେ ବି ପ୍ରକଳ୍ପ ଫଳପ୍ରଦ ହୋଇ ନାହିଁ । ବରଂ ସ୍ମାର୍ଟସିଟି ନାଁରେ ଅନେକ ଉଠାଦୋକାନୀ, ଦୋକାନୀ ଓ ବ୍ୟବସାୟୀ ଉଦ୍‍ବାସ୍ତୁ ହୋଇଛନ୍ତି । ଆସନ୍ତୁ ନଜର ପକାଇବା ସେମିତି କିଛି ଉଦାହରଣ ଉପରେ ଯାହାକୁ ଦେଖିଲେ ପୁରୀ ପାଇଁ ପ୍ରସ୍ତୁତ ଆଖି ଝଲସା ସେତୁ, ବିଶ୍ୱସ୍ତରୀୟ ଭକ୍ତ ପରିଚାଳନା କେନ୍ଦ୍ର, ପାର୍କିଂସ୍ଥାନ, ରଘୁନନ୍ଦନ ଲାଇବ୍ରେରୀର ସ୍ୱପ୍ନର ଭବିଷ୍ୟତକୁ ଆପଣ ବି ଅନୁମାନ କରିପାରିବେ ।

ବିଶ୍ୱସ୍ତରୀୟ ରେଳଷ୍ଟେସନ୍‍

ଭୁବନେଶ୍ଵରରେ ପ୍ରସ୍ତାବିତ ବିଶ୍ଵସ୍ତରୀୟ ରେଳଷ୍ଟେସନ୍‌ର ଗ୍ରାଫିକ୍ସ

ପ୍ରଥମ ଉଦାହରଣ ହେଉଛି ଭୁବନେଶ୍ୱର ରେଳ ଷ୍ଟେସନ୍‍କୁ ବିଶ୍ୱସ୍ତରୀୟ ରେଳଷ୍ଟେସନ୍‍ରେ ପରିଣତ କରିବାର ସ୍ୱପ୍ନ । ୨୦୧୬ ମସିହାରେ ସରକାର କହିଥିଲେ ଯେ, ଆମେରିକାର ଟାଇମ୍ସ ସ୍କୋୟାର୍‍ ଢାଞ୍ଚାରେ ଭୁବନେଶ୍ୱର ସିଟି ସେଣ୍ଟର ନିର୍ମାଣହେବ । ଏହାଦ୍ୱାରା ଭାରତର ପ୍ରଥମ ପରିବହନ ଭିତ୍ତିକ ବିକାଶ ପ୍ରକଳ୍ପ ଭୁବନେଶ୍ୱରରେ ହୋଇପାରିବ । ୧୨ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ଲାଗି ସିଙ୍ଗାପୁରର ସୁବର୍ଣ୍ଣ ଜୁରଙ୍ଗ ନାମକ ଏକ ସଂସ୍ଥାଠାରୁ ସରକାର ଯୋଜନା ପ୍ରସ୍ତୁତ କରାଇ ସାଢ଼େ ଆଠ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଷୟ ଉଲ୍ଲେଖ ରହିଛି । ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇ ୩୦ ସେପ୍ଟେମ୍ବର ୨୦୧୮ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଥିଲା ହେଲେ ଏଯାଏ ତାହା ଅବସ୍ତାବ ହୋଇ ରହିଛି । କିନ୍ତୁ ଏହି ପ୍ରସ୍ତାବିତ ସ୍ଥାନରୁ ଅଶୋକା ମାର୍କେଟକୁ ଉଛେଦ କରାଯାଇଛି । ସେଠାରେ ଯେଉଁମାନେ ଦୋକାନ କରିଥିଲେ ସେଥିରୁ ଅନେକ ଏହି ବିଶ୍ୱସ୍ତରୀୟ ବଜାରରେ ଦୋକାନ ଘର ଖଣ୍ଡେ ପାଇଁ ଚାତକ ପରି ଅନାଇ ରହିଛନ୍ତି ।

ବିଶ୍ଵସ୍ତରୀୟ ବସ୍‌ଷ୍ଟାଣ୍ଡ 

ବରମୁଣ୍ଡାରେ ପ୍ରସ୍ତାବିତ ବିଶ୍ଵସ୍ତରୀୟ ବସ୍‌ଷ୍ଟାଣ୍ଡ ଗ୍ରାଫିକ୍ସ

ବରମୁଣ୍ଡାରେ ବିଶ୍ଵସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ସରକାର ଆମକୁ ସ୍ଵପ୍ନ ଦେଖାଇଛନ୍ତି। ଏଥିଲାଗି ଆଖି ଝଲସା ଗ୍ରାଫିକ୍ସ ବି ସାମ୍ନାକୁ ଆସିଛି। ଏହି ଅନୁସାରେ ୧୫.୫ ଏକର ଜମି ଉପରେ ବିଶ୍ଵସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହି ବସ୍‌ ଷ୍ଟାଣ୍ଡ ୨୦୦୦ ବସ୍‌ଙ୍କ ପରିଚାଳନାରେ ସକ୍ଷମ ହେବ। ଏବେ ୮୦୦ ବସ୍‌ ବରମୁଣ୍ଡାରୁ ଚାଲୁଛି। ଏହା ସହ ୨୦ହଜାର ବର୍ଗ ମିଟର ଅଞ୍ଚଳରେ ଦୋକାନ ଘର ବାହାରିବ। ପିଲାଙ୍କ ପାଇଁ ସହାୟକ ହେବା ଲାଗି ଫିଚର ରହିବ। ଏଥିଲାଗି ସରକାର ଓଏସ୍‌ଆରଟିସିରୁ ବସ୍‌ ଷ୍ଟାଣ୍ଡକୁ ବିଡିଏକୁ ହସ୍ତାନ୍ତର କରିଛନ୍ତି। ଆଜିଯାଏ କେବଳ ସେହି ଗ୍ରାଫିକ୍ସ କିଛଇ କରି ଓ୍ବେସାଇଟ୍‌ ମଣ୍ଡନ କରିବା ଛଡ଼ା ବିଡିଏ ଆଗକୁ ବଢ଼ି ନାହିଁ। 

ପ୍ରସ୍ତାବିତ ଭୁବନେଶ୍ଵର ମ୍ୟୁନିସିପାଲିଟି ଅଫିସ ଗ୍ରାଫିକ୍ସ

 

ରାଜମହଲ ଓ ଶହୀଦ ନଗରରେ ବହୁତଳୀୟ ପାର୍କିଂ

ଶହୀଦ ନଗରଠାରେ ପ୍ରସ୍ତାବିତ ବିଶ୍ଵସ୍ତରୀୟ ବହୁତଳ ପାର୍କିଂସ୍ଥଳ
ରାଜମହଲଠାରେ ପ୍ରସ୍ତାବିତ ବିଶ୍ଵସ୍ତରୀୟ ବହୁତଳ ପାର୍କିଂସ୍ଥଳ

ସେହିପରି ଭୁବନେଶ୍ୱରର ରାଜମହଲ ଛକଠାରେ ପାଖାପାଖି ୪୪ କୋଟି ଟଙ୍କା ଏବଂ ଶହୀଦ ନଗରଠାରେ ୨୮.୮୭ କୋଟି ଟଙ୍କା ବ୍ୟୟରେ ବହୁତଳୀୟ ପର୍କିଂ ସ୍ଥାନ ନିର୍ମାଣ ପାଇଁ ଯେଉଁ ଆଶ୍ୱାସନା ଦିଆଯାଇଥିଲା ତାହା ଏବେ ନିଜର ସମୟସୀମାକୁ ଅତିକ୍ରମ କରି ସାରିଲାଣି । ସମନ୍ୱିତ ଜନସେବା କେନ୍ଦ୍ର, ରାସ୍ତାକଡ଼ ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟବସ୍ଥା,ସ୍ମାର୍ଟ ପାର୍କ, ସହଜ ଗୃହ, ସାଧାରଣ ଦେୟ କାର୍ଡ ପ୍ରଚଳନ ଆଦି ବି ଗୋଟିଏ ଗୋଟିଏ ଦୁଃସ୍ୱପ୍ନ । ସରକାର ସ୍ମାର୍ଟ ଜନପଥ ଓ ସ୍ମାର୍ଟ ବିଏମ୍‍ସି ଅଫିସ୍‍ ପାଇଁ ଯାହା କହିଥିଲେ ସେଗୁଡ଼ିକ ବି ପାଣିର ଗାର ପ୍ରାୟ । କେବଳ କିଛି ଛକରେ ସେଲ୍ଫି ଜୋନ୍‍ ନିର୍ମାଣ କରି ସୋଶାଲ୍‍ ମିଡିଆରେ ଯାହା ପ୍ରଚାର ଚଳାଇଛନ୍ତି ।

ମୋ ସାଇକେଲ, ମୋ ବସ୍‍

ସ୍ମାର୍ଟସିଟି ଭୁବନେଶ୍ୱରରେ ‘ମୋ ସାଇକେଲ୍‍’ ଯୋଜନା ଏବଂ ସାଇକେଲ୍‍ ପାଇଁ ଟ୍ରାକ୍‍ ନିର୍ମାଣ, ମୋ ବସ୍‍ ସେବା ଓ ବସ୍‍ ରହଣୀ ପାଇଁ ନିର୍ଦ୍ଧାରିତ ସ୍ଥାନର ନିର୍ମାଣ ଗୋଟିଏ ଗୋଟିଏ ଅର୍ଦ୍ଧସ୍ୱପ୍ନ ହୋଇ ରହିଛି । ଏଥିରେ କେତେ ଖର୍ଚ୍ଚ ହୋଇଛି ଓ କିଏ ଉପକୃତ ହୋଇଛି ତାହା ଭିନ୍ନ ପ୍ରସଙ୍ଗ କିନ୍ତୁ ସରକାରଙ୍କ ଆଶ୍ୱାସନା ଓ ଯୋଜନାସବୁ ଯେ, ଧର୍ମକୁ ଆଖିଠାର ତାହା ଏଠାରେ ସ୍ପଷ୍ଟ ଅନୁମେୟ । ଏପରିକି ଏହି ପ୍ରକଳ୍ପରେ ସ୍ମାର୍ଟସିଟି ଲିମିଟେଡ୍‍ର ଅର୍ଥ ଅଯଥା ଶ୍ରାଦ୍ଧ ହୋଇଥିବା ମଧ୍ୟ ଚର୍ଚା ହୁଏ। ଯେଉଁ କମ୍ପାନୀଙ୍କୁ ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ବସ୍‍ଷ୍ଟପ ନିର୍ମାଣ ପାଇଁ ଦାୟିତ୍ୱ ଦେଇଛନ୍ତି ତାହା ଅନ୍ୟ ରାଜ୍ୟରେ ମାଗଣାରେ ହୋଇଥିବାବେଳେ ଆମ ରାଜ୍ୟରେ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ।

ଭୁବନେଶ୍ଵରର ରାସ୍ତାଘାଟ ଆଗକୁ କେମିତି ହେବ
ସ୍ମାର୍ଟ ଜନପଥର ପରିକଳ୍ପନା

ପୁଣି ଏହାର ରକ୍ଷଣାବେକ୍ଷଣ ସେଠାରେ ମାଗଣାରେ ହୋଇଥିବାବେଳେ ଆମ ରାଜ୍ୟରେ ଫନି ଦ୍ୱାରା କ୍ଷତିଗ୍ରସ୍ତ ବସ୍‍ ଷ୍ଟପ୍‍ଗୁଡ଼ିକର ମରାମତି ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯାଇଛି । ସେହିପରି ସାଇକେଲ୍‍ ଚାଳନା ପାଇଁ ସ୍ୱତନ୍ତ୍ର ସାଇକେଲ୍‍ କରିଡର ଗଠନ ତ ଦୂରର କଥା ଯେଉଁରାସ୍ତାଘାଟରେ ନାଲି ନେଳି ରଙ୍ଗ କରାଯାଇଥିଲା ତାହା ଏବେ ବର୍ଷାରେ ଧୋଇ ହୋଇ କଳା ପଡ଼ିଗଲାଣି । ପୁଣି ମୋ ବସ୍‍ ପ୍ରଚଳନ ପରେ ଆଗରୁ ଚାଲୁଥିବା ସିଟିବସ୍‍ (ପାଖାପାଖି ୨୦୦ଟି) ଏବେ ପୋଖରୀପୁଟ ବସ୍‍ ଟର୍ମିନାଲ୍‍ରେ ଖତ ଖାଉଛି ।

ଏବେ ପୁରୀରେ ପରିକଳ୍ପନା

ପୁରୀକୁ ସଂଯୋଗ କରିବା ଲାଗି ସ୍ଵତନ୍ତ୍ର ଶ୍ରୀ ସେତୁ ଗ୍ରାଫିକ୍ସ

ଏବେ ବିଶ୍ୱସ୍ତରୀୟ ସହର ପରିକଳ୍ପନାରେ ଝଲସୁଥିବା ପୁରୀ ସହରଆଡ଼କୁ ଯିବା । କୋର୍ଟଙ୍କ ଆଦେଶ ରକ୍ଷା ଏବଂ ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ଲକ୍ଷ୍ୟରେ ସରକାର ଏକ ନୂଆ ପରିକଳ୍ପନା ଲୋକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ଯେ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରାଯିବ । ଯେଉଁ ସହର ୨୫୦୩ ବର୍ଷ ପୂବରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ସାରା ବିଶ୍ୱରେ ସନାତନ ଧର୍ମ ଉପାସନାର ପୀଠ ହୋଇ ରହିଛି ତାହାକୁ ପୁଣି ବିଶ୍ୱସ୍ତରୀୟ ସହରରେ ପରିଣତ କରାଯିବ କେମିତି? କେବଳ ଅସୁରକ୍ଷିତ ବୋଲି କହି ଐତିହ୍ୟ ସମ୍ପନ୍ନ କୋଠାଗୁଡ଼ିକୁ ଭାଙ୍ଗି ନୂଆ କୋଠା କଲେ ଏହା ବିଶ୍ୱସ୍ତରୀୟ ହୋଇପାରିବ? ଏହା ଯେଉଁ ଆକର୍ଷଣ ଓ ଧ୍ୟାନ ଅର୍ଜନ କରିଥିଲା ତାହା ନିରନ୍ତର ରହିବ?

ଯଦି ତାହା ହଁ ତେବେ ଶ୍ରୀମନ୍ଦିରକୁ ବି ସରକାରୀ କଳ ଅସୁରକ୍ଷିତ ବୋଲି ରିପୋର୍ଟ ଦେଇଛନ୍ତି, ତାହାକୁ ମରାମତି କରାଯାଉଛି କିହିଁକି? ତାହାକୁ ତ ଭାଙ୍ଗି ଏକ ବିଶ୍ୱସ୍ତରୀୟ ମନ୍ଦିର ନୂଆ ଟେକେ୍‍ନାଲୋଜିରେ ନିର୍ମାଣ କରାଯାଇ ପାରନ୍ତା, ନୁହେଁକି?

ଏ ପ୍ରଶ୍ନ ଏବେ ପୁରୀ ତଥା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଆଚ୍ଛାଦିତ କରିଛି । ଯେଉଁମାନେ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ଅତ୍ୟାଚାର, ଦୁର୍ବ୍ୟବହାରରେ ଅତିଷ୍ଟ ହେଉଥିଲେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ ଏହି ଉଦ୍ଦେଶ୍ୟକୁ ହୁରିଭରି ସମର୍ଥନ କରୁଥିବାବେଳେ ଆଜି କିନ୍ତୁ ସେଥିରୁ ଅନେକ ଲୋକ ମୁହଁ ମୋଡ଼ି ପ୍ରଶାସନ ବିରୋଧରେ ଫେରାଦ ହେଲେଣି । ଆଉ ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବାରମ୍ବାର ନୂଆ ପ୍ୟାକେଜ୍‍ ଘୋଷଣା କରାଯାଉଛି । ପ୍ରଥମେ ଏହି ସହର ପାଇଁ ବିସ୍ଥାପନ ଓ ଥଇଥାନ ପ୍ୟାକେଜ୍‍ ଘୋଷଣା ସରିବା ପରେ ନିକଟରେ ସରକାର ପୁରୀ ଲାଗି ଦେଖିଥିବା ସ୍ୱପ୍ନର ଥ୍ରି-ଡି ଚିତ୍ରକୁ ଗଣମାଧ୍ୟମରେ ଉପସ୍ଥାପନ କରିଛନ୍ତି ।

ରଘୁନନ୍ଦନ ଲାଇବ୍ରେରୀର ନୂତନ ପରିକଳ୍ପନା

ଆବଶ୍ୟକ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭଙ୍ଗାଯାଇଥିବା ରଘୁନନ୍ଦନ ଲାଇବ୍ରେରୀକୁ ପୁଣିଥରେ ବିନ୍ୟାସ କରାଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅବଢ଼ା ଯୋଜନାର ଅର୍ଥରେ ଏହି ନିର୍ମାଣ ହେବ । ରଘୁଦନନ୍ଦନ ଲାଇବ୍ରେରୀ ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ । ପୁରୀରେ ଯେଉଁ ଘର ଭାଙ୍ଗୁଛନ୍ତି ବା ଆଗକୁ ଭାଙ୍ଗିବେ ସେମାନଙ୍କ ଥଇଥାନ ପାଇଁ ୨ ଏଳର ଜମିରେ ଫ୍ଲାଟ୍‍ ନିର୍ମାଣ ହେବ ।

ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତ ଆଶ୍ରୟସ୍ଥଳର ପରିକଳ୍ପନା

ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତଙ୍କ ଲାଗି ଏକ ନୂଆ କୋଠା ନିର୍ମାଣ ହେବ । ପୁରୀକୁ ଯିବା ଆସିବା ସୁବିଧା ଲାଗି ଏକ ଶ୍ରୀ ସେତୁ ନିର୍ମାଣ ହେବ… ଏମିତି ।

ଟଙ୍କା ଉପରେ ନଜର

ପୁରୀ ସହରରେ ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ଏବଂ ଏତିହ୍ୟର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୦ କୋଟି ଟଙ୍କା ‘ଅବଢ଼ା’ ଯୋଜନାରେ ବ୍ୟୟବରାଦ କରାଯାଇଥିଲା । ୨୦୧୭-୧୮ ମସିହାରେ ଏହି ଯୋଜନା ରୂପାୟନ ହେବା କଥା, କିନ୍ତୁ ଏବେ ଅର୍ଥ ଫେରିଯିବାର ଆଶଙ୍କାରେ ସରକାର ତରବରିଆ ହାତ ଆଗକୁ ବଢ଼ାଇଛନ୍ତି । ପୁଣି ଏକଥା କାହାକୁ ଅଛପା ନାହିଁ ଯେ ପୁରୀରେ ସୁବିଧରସୁଯୋଗକୁ ମଜଭୁତ କରିବା ଲାଗି ଏହା ପ୍ରଥମ ଯୋଜନା ନୁହେଁ। ଅନେକ କର୍ପୋରେଟ୍‌ ହାଉସ୍‌ ଏବଂ ସରକାର ଏଥିଲାଗି ପର୍ଯ୍ୟାପ୍ତ ଅର୍ଥ ପୁରୀକୁ ଦେଇଛନ୍ତି। ସେ ଅର୍ଥକୁ କିନ୍ତୁ ଠିକଣା ଭାବେ ବିନିଯୋଗ କରାଯାଇପାରି ନାହିଁ। ଫଳରେ ଆଜିଯାଏ ନବକଳେବର ପ୍ରକଳ୍ପ ଅଧାରେ ପଡ଼ିଛି, ବାରମ୍ବାର ଅଠରନଳାର ସଂସ୍କାର କରାଯାଉଛି ଆଉ ଏମିତି ସଂସ୍କାର ଚାଲିଛି ଯେ, ଅଠରନଳାରେ ସ୍ଥାପିତ ଗରୁଡ଼ ମୂର୍ତ୍ତିକୁ ବି ଆମେ ସମ୍ଭାଳିପାରୁ ନାହୁଁ। ପୁରୀର କୌଣସି ରାସ୍ତା ସାଧାରଣଙ୍କ ଗମନାଗମନ ଯୋଗ୍ୟ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଏବେ  ଆର୍ଥିକ ମାନ୍ଦାବସ୍ଥା ଭୟ ଦୁଆର ମୁହଁରେ ଆସି ଠିଆ ହେଲାଣି ।

ଦୁଆର ମୁହଁରେ ଆର୍ଥିକ ମାନ୍ଦାବସ୍ଥା

ଅର୍ଥନୀତିରେ ଏବେ ମାନ୍ଦାବସ୍ଥା ଆସିଛି । ସାରା ଭାରତ ଏହାକୁ ଅନୁଭବ କରୁଛି । ଏହାଯେ, ବର୍ଷେ ବା ଦି’ ବର୍ଷ ରହିବ ତାହା ନୁହେଁ, ଏହି ଅବସ୍ଥା ଆହୁରି ଅଧିକ ବର୍ଷ ରହିପାରେ । ଅର୍ଥାତ୍‍ ଏହି ସ୍ଥିତିରେ ଦେଶର ସାମଗ୍ରିକ ଉତ୍ପାଦନ କମ୍‍ ରହିବ, କାରବାର, ନିବେଶ ଓ ଅର୍ଥ ନିବେଶ ଯଥେଷ୍ଟ କମିବ । ସେପରି କ୍ଷେତ୍ରରେ ଅର୍ଥନୀତିକ ସ୍ଥିରତା ରକ୍ଷା ଉଦ୍ଦେଶ୍ୟରେ ମୌଳିକ ସୁବିଧା ଉପଲବ୍ଧ କରାଇବା ଏବଂ ଉତ୍ପାଦନକୁ ବଢ଼ାଇବା ଲାଗି ସରକାର ଧ୍ୟାନ ଦେଇପାରନ୍ତି । ଏଣୁ ବିକାଶ ପାଇଁ ଯେଉଁ ଅର୍ଥ ବରାଦ କମିବା ସମ୍ଭାବନା ଯଥେଷ୍ଟ । ଅର୍ଥାତ୍‍ ପୁରୀରେ ଚାଲିଥିବା ବିକାଶ ପ୍ରକଳ୍ପ ମଧ୍ୟ ଅଧାରୁ ଅଟଳିଯାଇପାରେ । ଏହା ହେଲେ ଯେଉଁମାନେ ଉଦ୍‍ବାସ୍ତୁ ହୋଇଛନ୍ତି ତାହାଙ୍କ ଅବସ୍ଥା ସାଂଘାତିକ ହେବା ସହ ପୁରୀରେ ଐତିହ୍ୟସମ୍ପନ୍ନ ମଠ ଓ କୋଠାଗୁଡ଼ିକର ପୁନର୍ବିନ୍ୟାସ, ରଘୁନନ୍ଦନ ଲାଇବ୍ରେରୀର ପରିକଳ୍ପନା ବି ସ୍ମାର୍ଟସିଟି ଭୁବବନେଶ୍ୱର ପ୍ରକଳ୍ପଗୁଡ଼ିକ ଭଳି ନାଲି ଫିତାତଳକୁ ଚାଲିଯିବ । ଏପରି ଅବସ୍ଥାରେ ଆମେ ଏକ ବିଶ୍ୱ ଐତିହ୍ୟ ସହର ଦେଖିପାରିବା ତ? ଏହାର ଉତ୍ତର ଆସିପାରେ ଯେ, କେନ୍ଦ୍ର ଟଙ୍କା ନଦେଲେ ରାଜ୍ୟ ଟଙ୍କା ଦେଇପାରିବ । କିନ୍ତୁ ଆର୍ଥିକ ସ୍ଥିତି ଯାହା, ଯେଉଁ ରାଜ୍ୟ ବଜେଟ୍‍ ଅର୍ଥ ପାଇଁ ଋଣ କରୁଛି ସେଠାରେ ଅଧିକ ବ୍ୟୟମଞ୍ଜୁରୀ କରିବ କେମିତି? ଅର୍ଥାତ୍‍ ଆମେ ସେଇ ସ୍ୱପ୍ନରେ ପୁଣି ଭାସିବା ଆଉ ଡୁବିଲା ବେଳକୁ ପୁଣି ଜଗନ୍ନାଥଙ୍କୁ ଡାକି ସବୁ ଭୁଲିଯିବା! ପୁଣି ଏକ ନୂଆ ସକାଳକୁ ଅପେକ୍ଷା କରି ଇତିହାସରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିବା ।