ସରକାରୀ ସେବକ ବନାମ ଜଗନ୍ନାଥଙ୍କ ସେବକ

2
429
advertisement

ରଥ ଉପରେ ସେବକଙ୍କୁ ନିୟନ୍ତ୍ରଣ ହେଉ ବା ଦାରୁ ଓ ବ୍ରହ୍ମ ବିଭ୍ରାଟ ପୁଣି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଏ ସବୁଥିରେ ସେବକ-ପ୍ରଶାସନ-ପୁଲିସ ଭିତରେ ଲଢ଼େଇ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଛି। ସେବାୟତଙ୍କ ଭୂମିକାକୁ ଗଣମାଧ୍ୟମ ମୁଖ୍ୟ ଖଳନାୟକର ପଦବୀ ଦେଇଛି। ଔପନିବେଶିକ ଧାରାରେ ଚାଲିଥିବା ’ବିଭାଜନ ଦ୍ଵାରା ଶାସନ’ ନୀତିରେ ପୀଡ଼ିତ ହୋଇ ଭୟଭୀତ ହୋଇପଡ଼ିଥିବା ସେବାୟତ ଏସବୁର ପ୍ରତିରୋଧ କରିବା ପାଇଁ ନା ଏକାଠି ହୋଇପାରିଛନ୍ତି ନା ଏକୁଟିଆ ପ୍ରତିରୋଧ କରି ସଫଳ ହୋଇପାରୁଛନ୍ତି। ଏଣୁ ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ଆଳରେ ଜଗନ୍ନାଥ ପରମ୍ପରା, ପ୍ରଥା, ଧାର୍ମିକ ଭାବନା ଓ ମନ୍ଦିରର ସ୍ଵତନ୍ତ୍ର ପଣିଆରେ ସାଲିସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ଚାଲିଛି ଆମ ଭାବର ପେଣ୍ଠ ଶ୍ରୀମନ୍ଦିର। ଆଜି ଶ୍ରୀଜୀଉଙ୍କ ଉପବାସ ରହିବା ସେହି ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ।

ଯଦି ଆପଣ କେବେ ତତ୍‌କାଳରେ ପାସ୍‌ପୋର୍ଟ ଆବେଦନ କରିଥିବେ ତେବେ ଆପଣଙ୍କର ସେଇ ମୁହୁର୍ତ୍ତଟି ମନେ ଥିବ ଯେତେବେଳେ ଆପଣଙ୍କ ବାପା, ଭାଇ, କାକା ବା କୌଣସି ଦୂର ସମ୍ପର୍କୀୟଙ୍କ ସଙ୍ଗେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଘରକୁ ବା ଦପ୍ତରକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବା। କାରଣ ତାଙ୍କରି ଗୋଟିଏ ଦସ୍ତଖତ ଆପଣଙ୍କୁ ତତ୍‌କାଳ ଭିତ୍ତିରେ ପାସ୍‌ପୋର୍ଟ ପାଇବା ପାଇଁ ସାହାଯ୍ୟ କରିଥାଏ। ଏବେ ଅବଶ୍ୟ ଜାନୁୟରୀୀ ୨୬ ତାରିଖଠାରୁ ସେହି ସର୍ତ୍ତାବଳୀ ଲାଗୁ ହେଉ ନାହିଁ। କିନ୍ତୁ ସରକାରୀ ଅଧିକାରୀଟିଏ ଯେ, କେତେ ଗୁରୁତ୍ଵପୂଣ୍ଣ ତାହା ଏହି ମୁହୁର୍ତ୍ତଟି ମନେ ପକାଇବାରେ ସମର୍ଥ।

(୨) ଖାଲି ସେତିକି ନୁହେଁ, ନୂଆକରି ଗାଁକୁ ଆସୁଥିବା ପୋଷ୍ଟ ପିଅନଟିଏ ମଧ୍ୟ ମନି ଅର୍ଡର ଟଙ୍କା ଦେବା ସମୟରେ ବୁଢ଼ି ମାଉସୀର ଟିପ ଚିହ୍ନ ତଳେ ସ୍କୁଲ୍‌ ମାଷ୍ଟର୍‌ ବା କୌଣସି ସରକାରୀ ଅଫିସରେ ଯେକୌଣସି ପଦବୀରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କ ସନ୍ତକଟିଏ ଖୋଜିବୁଲେ।

(୩) ଠିକ୍‌ ସେହିପରି ଆପଣ ଯଦି କୌଣସି ପ୍ରତିରକ୍ଷା ବାହିନୀରେ ଯୋଗ ଦେବା ପାଇଁ ବଛା ଯାଇଛନ୍ତି ସେତେବେଳେ ମଧ୍ୟ ସେନା ବାହିନୀରେ ଯୋଗ ଦେବା ପୂର୍ବରୁ ଏମିତି କିଛି ଚିହ୍ନଟପତ୍ର ଆପଣଙ୍କୁ ପୂରଣ କରିବାକୁ ପଡ଼ିଥାଏ।

ଏସବୁ ଉଦାହରଣ ଦେବାର କାରଣ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ଗୁରୁତ୍ଵ ଓ ତାଙ୍କର ପଦବୀର ମହତ୍ତ୍ଵକୁ କିପରି ଆମ ସାଧାରଣ ନାଗରିକଙ୍କ ଉପରେ ଲଦାଯାଇଛି ଏବଂ ସେମାନେ ଯେ ଆମଠୁ କେବେ ଉନ୍ନତ ତାହାକୁ ସୂଚନା ଦେବା।

ସରକାରଙ୍କ ପାଇଁ ଏହା ଆବଶ୍ୟକ ହୋଇପାରେ, କିନ୍ତୁ ସେ ବୁଢ଼ୀ ମାଉସୀ ଯିଏ ତା’ ପୁଅ ବା ପରିବାର ବର୍ଗ ପଠାଇଥିବା ଟଙ୍କା ପାଇବାକୁ ହକ୍‌ଦାର ସେ କହିଁକି ଏ ଜଞ୍ଜାଳରେ ପଶିବ? ଦେଶ ପାଇଁ ବଳିଦାନ ଦେବାକୁ ମୁଣ୍ଡରେ ବିଜୟ ଟୀକା ପିନ୍ଧୁଥିବା କିଶୋରଟିର ମନରେ କାହିଁକି ସେ ହୀନ ମନ୍ୟତା ପ୍ରବେଶ କରାଯିବ? ପୁଣି ବିଦେଶର କୌଣସି ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବାକୁ ବୃତ୍ତି ପାଇଥିବା ମେଧାବୀଟିକୁ ଜଣେ ସରକାରୀ ଅଧିକାରୀଙ୍କ ଆଶୀର୍ବାଦ କାହିଁକି ନେବାକୁ ବାଧ୍ୟ ହେବ? ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଠିଛି। ସେଥିଲାଗି ଏ ପ୍ରକାର ବ୍ୟବସ୍ଥାରେ ଏବେ ପରିବର୍ତ୍ତନ ଆସୁଛି।

ହେଲେ ପୁରୀ ଭଳି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାର୍ମିକ ତଥା ପର୍ଯ୍ୟଟନ କେନ୍ଦ୍ରରେ ଆଜି ଏହି ଉପନିବେଶବାଦୀ ପ୍ରଥାକୁ ଜାବୁଡ଼ି ଧରି ରଖିଛନ୍ତି ଏଠାରେ ନିଯୁକ୍ତ କିଛି ସରକାରୀ ଅଧିକାରୀ। ସେଇଥିଲାଗି ଆଜି ସାଧାରଣଲୋକଟିଏ ଭଗବାନଙ୍କୁ ଆରାଧନା କରିବାକୁ ଯିବା ପାଇଁ ବି ସରକାରୀ ପରିଚୟପତ୍ର ନେବାକୁ ବାଧ୍ୟ ହେଉଛି । ନନେଲେ ତାକୁ ମନ୍ଦିର ମନା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସନ୍ଧ୍ୟାଯାଏ ଶ୍ରୀ ଜଗନ୍ନାଥ ଉପାସ ରହିବାର ଏହା ହେଉଛି ଏକ ମୂଳ କାରଣ।

ଅଘଟଣ

ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ତିନିଜଣ ଅଣ ଓଡ଼ିଆ ଯାତ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସିଂହଦ୍ଵାର ପାଖରେ ହାଜର ହେଲେ। ସେଥିରେ ଜଣେ ପୁରୁଷ ଓ ଜଣେ ମହିଳା ଥିଲେ। ସେଠାରେ ଉପସ୍ଥିତ ପୁଲିସ କନଷ୍ଟେବଳ ତାଙ୍କୁ ଭିତରକୁ ଛାଡ଼ିବା ଅନୁମତି ଦେଲେ ନାହିଁ। ପରିଚ୍ରପତ୍ର ମାଗିଲେ। କିନ୍ତୁ ସମ୍ପୃକ୍ତ ଯାତ୍ରୀଙ୍କ ପାଖରେ ପରିଚୟପତ୍ର ନଥିବାରୁ ସେ ଦେଖାଇପାରିଲେ ନାହିଁ। କହିଲେ, ଆମ ପଣ୍ଡାଙ୍କୁ ଡାକୁଛୁ ସେ ଆମ ପାଇଁ ଗ୍ୟାରେଣ୍ଟି ଦେବେ। ଯାତ୍ରୀଙ୍କ ସଙ୍କଟ ଦୂର କରିବା ଲାଗି ଭିତରଚ୍ଛ ଭବାନୀଶଙ୍କର ମହାପାତ୍ର ହାଜର ହେଲେ। ସମ୍ପୃକ୍ତ ପୁଲି କର୍ମଚାରୀଙ୍କୁ ସେ ନିଜର ଗ୍ୟାରେଣ୍ଟି ଦେଲେ। ହେଲେ ପୁଲିସ କର୍ମଚାରୀ ତାହାକୁ ମାନିବାକୁ ନାରାଜ। ଫଳରେ ବଚସା ହେଲା। ଅନ୍ୟ ପୁଲିସ ହାଜର ହେଲେ। ଭବାନୀଙ୍କୁ ଦୋଷୀ ବୋଲି କହି ମାଡ଼ ପିଟ ହେଲା। ବିଚରା ଭିତରଚ୍ଛ ନିଜର ଇଜ୍ଜତ ବଞ୍ଚାଇ ନପାରି ମୁଥ ଶିକାର ହେଲେ ଡାକ୍ତରଖାନା ଗଲେ। ଥାନାରେ ଏତଲା ଦେଲେ ।କିନ୍ତୁ ପୁଲିସ କିଛି ଶୁଣିଲା ନାହିଁ । ଏହାପରେ ମାମଲା ସଂଗଠିତ ହେଲା। ଅଭିଯୁକ୍ତ ପୁଲିସ କନଷ୍ଟେବଳ ବି ଏତଲା ଦେଲେ। ଯାତ୍ରୀ ବି ଏତଲା ଦେଲେ। ପୁଲିସ କନଷ୍ଟେବଳ ଓ ଭିତରଚ୍ଛ ମହାପାତ୍ରଙ୍କ ଏତଲାକୁ ରୁଜ୍ଜୁ କରି ମାମଲା ଚଳାଇଲେ।

ସକାଳୁ ଭିତରଚ୍ଛ ପରମ୍ପରା ରକ୍ଷା କରି ଭିତରଚ୍ଛ ମୁଦୁଲି, ଅଖଣ୍ଡ ସେବାୟତଙ୍କ ସହ ମିଶି ସିଂହଦ୍ଵାର ଠିକଣଶ ସମୟରେ ଖୋଲିଲେ। କିନ୍ତୁ ଜୟବିଜୟ ଦ୍ଵାର ଖୋଲିବା ବେଳକୁ ଅନ୍ୟ ସେବାୟତଙ୍କ ସହ ଏକାଠି ହୋଇ ପୁଲିସ ପ୍ରଶାସନର ଲଗାତାର ଦମନ କାର୍ଯ୍ୟକ୍ରମକୁ ବିରୋଧ କରିବା ଆରମ୍ଭ କଲେ। ଫଳରେ ନୀତି ବିଳମ୍ବ ହେଲା। ଭୋଗ ଲାଗିପାରିଲା ନାହିଁ। ପ୍ରଶାସନ ପକ୍ଷରୁ କେହି ଏ ବ୍ୟବସ୍ଥାକୁ ଶାନ୍ତ କରିବା ପାଇଁ ସମର୍ଥ ହେଲେ ନାହିଁ। ଶେଷରେ ସେବାୟତଙ୍କ ପକ୍ଷରୁ ଏକ ପାଞ୍ଚ ଦଫା ଦାବିପତ୍ର ଦିଆଯାଇ ସ୍ଥିତି ସ୍ଵାଭାବିକ କରାଗଲା। ଯଦି ତାହା ହୋଇ ନଥାଆନ୍ତା ତେବେ ୧୨ ବର୍ଷ ଯାଏ ଜଗନ୍ନାଥ ଉପାସ ରହିଥାଆନ୍ତେ! ଜଗନ୍ନାଥଙ୍କ କୃପାରୁ ସେ ଅନିଶ୍ଚିତତା ଦୂର ହେଲା।

ପ୍ରଶ୍ନ ଉଠୁଛି:

ଯଦି ସରକାରଙ୍କଠାରେ ସେବା କରୁଥିବା ଜଣେ ଅଧିକାରୀଙ୍କ ସୁପାରିଶ୍‌ରେ ଜଣଙ୍କୁ ବିଦେଶ ଯିବା ପାଇଁ ପାସ୍‌ପୋର୍ଟ ମିଳିପାରୁଛି ତେବେ ଜଣେ ଜଗନ୍ନାଥଙ୍କ ଭିତରଚ୍ଛ ସେବାୟତଙ୍କୁ କ’ଣ ଯାତ୍ରୀ ବୋଲି ଚିହ୍ନଟ କରିବାର ଅଧିକାର ନାହିଁ, ଯଦି ନାହିଁ ତାହା ହେଲେ କାହିଁକି? ଭିତରଚ୍ଛ ଏକ ଗୁରୁତ୍ଵପୂଣ୍ଣ ସେବା। ଏହାଙ୍କ ମର୍ଯ୍ୟାଦା କ’ଣ ସର୍ବଭାରତୀୟ ସେବାଠୁ ହୀନ?

ଦ୍ଵିତୀୟରେ ଯଦି ସମ୍ପୃକ୍ତ ଯାତ୍ରୀ ଜଣେ ବିଦେଶୀ ବୋଲି ପୁଲିସ କର୍ମଚାରୀଙ୍କ ସନ୍ଦେହ ହେଲା ଏବଂ ଭିତରଚ୍ଛ ତାହାକୁ ପ୍ରୋତ୍ସାହନ ଦେଉଥିଲେ ତେବେ ସେ ପୁଲିସ କନଷ୍ଟେବଳ ଭିତରଚ୍ଛଙ୍କ ଏହି ଧର୍ମ ଦ୍ରୋହକୁ ପଦାକୁ ଆଣିପାରିଥାଆନ୍ତେ। ଏଥିଲାଗି ଶ୍ରୀମନ୍ଦିରରେ ସିସିଟିଭି ଲଗାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ଆଇନ ମୁତାବକ ତାଙ୍କୁ ଗିରଫ ଓ ସେବା ନିବୃତ୍ତ ବି କରାଯାଇପାରିଥାଆନ୍ତା। କିନ୍ତୁ ନିଜର ଅହଙ୍କାରକୁ ପ୍ରଦର୍ଶନ କରିବାକୁ ଯାଇ ପୁଲିସ କର୍ମଚାରୀମାନେ ହାତାହାତି କରିବାର ଅଧିକାର କେଉଁଠୁ ପାଇଲେ?

ସବୁବେଳେ ସେବାୟତଙ୍କୁ ଏକ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ପୁଲିସ ଓ ପ୍ରଶାସନର ଏତାଦୃଶ କାର୍ଯ୍ୟକ୍ରମ ଯୋଗୁ ଆଜି ଶ୍ରୀମନ୍ଦିରରେ ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି। ଯଦି ଭାଗିଦାରୀକୁ ଭୁଲି ପ୍ରଶାସନ କେବଳ ଦମନ ରାସ୍ତାକୁ ଆପଣାଇବ ତେବେ ତାହା କ’ଣ ପରିସ୍ଥିତିକୁ ଶୃଙ୍ଖଳିତ କରିପାରିବ?

2 COMMENTS

Comments are closed.