#କୋଭିଡ୍-୧୯ #ଲକ୍ଡାଉନ୍: ୫ ଜଣଙ୍କୁ ଚାପିଦେଲା ଟ୍ରକ୍
ଚଣ୍ଡୀଗଡ଼ (ଓଟି): କରୋନା କରୁଛି କଲବଲ। ମହାମାରୀ କବଳରୁ ମୁକ୍ତି ପାଇଁ ସତର୍କତା ସ୍ଵରୂପ ୨୧ ଦିନିଆ ଲକ୍ଡାଉନ୍ରେ ରହିଛି ଦେଶ। ତେବେ ଏଭଳି ପରିସ୍ଥିତିରେ ଘଟିଛି ସଡ଼କ ଦୁର୍ଘଟଣା। ଚାଲି ଚାଲି ଯାଉଥିବା ଲୋକଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ୫ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ହରିୟାନାର ଗୁରୁଗ୍ରାମରେ।
ସୂଚନା ଅନୁସାରେ ଗୁରୁଗ୍ରାମ ଅନ୍ତର୍ଗତ ବିଳାସପୁର ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଲକ୍ଡାଉନ୍ ଜାରି ରହିଥିବାବେଳେ ୟୁପି, ବିହାର ଓ ରାଜସ୍ଥାନର ବହୁ ସଂଖ୍ୟକ ଲୋକ କରୋନା ଭାଇରସ ଭୟରେ ଗୁରୁଗ୍ରାମରୁ ପଳାଇଯାଉଛନ୍ତି। ଅଧିକାଂଶ ଲୋକ ସେମାନଙ୍କର ଲଗେଜ୍ ବାନ୍ଧି ସନ୍ଧ୍ୟାରୁ ରାତିସାରା ଚାଲି ଚାଲି ଘରକୁ ଯାଉଛନ୍ତି। ଏଭଳି ସ୍ଥିତିରେ ବିଳାସପୁର ଥାନା ଅଞ୍ଚଳରେ ଏକ ପରିବା ବୋଝେଇ ଟ୍ରକ ଲୋକଙ୍କୁ ଧକ୍କା ଦେଇଥିଲା। ଏପରିକି ଲୋକଙ୍କ ଉପରେ ଗାଡ଼ି ଚଢ଼ିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ପୁଲିସ୍ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ତନାଘନା ଚଳାଇଛି।