ହିଂସା ଓ ରିଗିଂରେ ସବୁକୁ ବଳିଗଲା ଚତୁର୍ଥ ପର୍ଯ୍ୟାୟ

କଂଗ୍ରେସ କର୍ମୀଙ୍କୁ ବୋତଲ ଭୁସି ହତ୍ୟା
ପ୍ରିଜାଇଡିଂ ଅଫିସର ସାଜିଲେ ବିଜେଡି ଏଜେଣ୍ଟ
ବ୍ୟାପକ ବୁଥ ଦଖଲ
ବୁଥ ଭିତରେ ବାହାର ଲୋକ ଭୋଟ ଦେଉଛନ୍ତି ଅନ୍ୟଙ୍କ ପାଇଁ
ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ମାଡ଼

ସବୁ ପର୍ଯ୍ୟାୟ ନିର୍ବାଚନକୁ ବଳିଗଲା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ହିଂସାକାଣ୍ଡ, ବୁଥ ଜବରଦଖଲ, ରିଗିଂ, ନିର୍ବାଚନ ପରିଚାଳନା ଅଧିକାରୀଙ୍କ ଶାସକ ଦଳ ପ୍ରୀତି-ସବୁଥିରେ ପୂର୍ବ ତିନିଟି ପର୍ଯ୍ୟାୟ ମତଦାନକୁ ବଳିଗଲା ଶେଷ ପର୍ଯ୍ୟାୟ ଭୋଟିଂ। ଜଣଙ୍କର ମୁଣ୍ଡ ମଧ୍ୟ ଗଡ଼ିଲା ଏହି ପର୍ଯ୍ୟାୟରେ। ସେଥିରେ ପୁଣି ହାତ ଶାସକ ଦଳର।

ଦିନକ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦମ୍ଭ ଦେଖାଇ କହିଥିଲେ ଯେ, କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ପଦକ୍ଷେପ ନିଆଯିବ। ସବୁଠୁ ବେଶୀ ବୁଥ ଜବରଦଖଲ ଏବଂ ମାରଧରର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ।

କେତେକ ସ୍ଥାନରେ ପ୍ରିଜାଇଡିଂ ଅଫିସର ଶାସକ ଦଳ ପାଇଁ କାମ କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାର ରାଜନଗର ନିର୍ବାଚନମଣ୍ଡଳୀରେ କୋରିରାପଲ୍ଲୀ ବୁଥରେ ଜଣେ ବ୍ୟକ୍ତି ଏକାଧିକ ଥର ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ହୋଇଛି ଭାଇରାଲ।

ଆଳିର ସିଙ୍ଗିରି ବଜାର ବୁଥରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ ଦେଉଥିଲେ ହେଁ ପ୍ରିଜାଇଡିଂ ଅଫିସର ଏହାକୁ ବିରୋଧ କରୁ ନଥିଲେ। ଏହି ବ୍ୟକ୍ତି ଜଣଙ୍କ ବହୁ ସମୟ ଧରି ଇଭିଏମ ମେସିନ ଥିବା ସ୍ଥାନରେ ଛିଡ଼ା ହୋଇ କିଏ କାହାକୁ ଭୋଟ ଦେଉଛି ଦେଖୁଥିଲେ ଏବଂ ନିଜେ ଭିତରେ ପଶି ଭୋଟ ମଧ୍ୟ ଦେଇଦେଉଥିଲେ। ଭୋଟ ଦେବାକୁ ଆସୁଥିବା ଲୋକଙ୍କୁ ବୁଥ ଭିତରେ ପଶି କାହାକୁ ଭୋଟ ଦେବାକୁ ପଡ଼ିବ କହୁଥିଲେ। ଏହି ଭିଡିଓ ମଧ୍ୟ ଭାଇରାଲ ହୋଇଛି। ବିଶେଷତଃ ଏହି ବ୍ୟକ୍ତିଙ୍କୁ ସଂସଦ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ ନିକଟରେ ଏଭଳି କାର ସାଦି କରୁଥିବା ଦେଖିବାକୁ ମିଳିଥିଲା।

ଜଣେ ବାହାର ବ୍ୟକ୍ତି କେମିତି ବୁଥ ଭିତରେ ପଶି ଏହା କରୁଥିଲେ ଏବଂ ଏଥିରେ କାହିଁକି ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ସହଯୋଗ କରୁଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭୋଟ ପୂର୍ବ ରାତିରେ ପଟ୍ଟାମୁଣ୍ଡାଇରେ ଜଣେ ବିଜୁ ଜନତା ଦଳ ନେତା ଟଙ୍କା ବାଣ୍ଟୁଥିବା ସମୟରେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ ହେଁ ତାଙ୍କୁ ପୁଲିସ ଛାଡ଼ି ଦେଇଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ଡିଜିପି ଏସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।

ହତ୍ୟାକାଣ୍ଡ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଗଡ଼ିଛି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ। ଭୋଟ ଦେଇ ଫେରୁଥିବା ବେଳେ ଲଚ୍ଛମନ ବେହେରାଙ୍କୁ ବୋତଲରେ ଭୁସି ହତ୍ୟା କରିଥିଲେ ବିଜୁ ଜନତା ଦଳର କର୍ମୀ ବୋଲି ଅଭିଯୋଗ ହୋଇଛି। ଲଚ୍ଛମନ ଆଗରୁ ବିଜୁ ଜନତା ଦଳରେ ଥିଲେ। କିନ୍ତୁ ଦୁଇଦିନ ତଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଭୋଟ ହେଉଥିବା ସମୟରେ ହତ୍ୟାକାଣ୍ଡ ଘଟିବା ଏହା ପ୍ରଥମ ଘଟଣା। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ଜଣାପଡ଼ି ନାହିଁ। ଲଚ୍ଛମନର ଘର ଗଡ଼କୁଜଙ୍ଗ ନୋଳିଆ ସାହିରେ।

ଆଳି ନିର୍ବାଚନମଣ୍ଡଳୀରେ ୯ଟି ବୁଥ ରେ ଶାସକ ଦଳର ସଭ୍ୟମାନେ ବୁଥ ଜବରଦଖଲ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ଦେବେନ୍ଦ୍ର ଶର୍ମା। ଏହିସବୁ ବୁଥରେ ସାନି ଭୋଟ କରାଇବା ସକାଶେ ସେ ଦାବି କରିଛନ୍ତି।

ଭୋଗରାଇ ନିର୍ବାଚନମଣ୍ଡଳୀର ଗୋଟିଏ ବୁଥରେ ବିଜେପି ଏଜେଣ୍ଟଙ୍କୁ ବିଜେଡି ମହିଳା କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାସୁଦେବପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଭଣ୍ଡାରୀପୋଖରୀ ଆସନରେ ବୁଥ ଭିତରେ କଂଗ୍ରେସ ଓ ବିଜେପି ମଧ୍ୟରେ ମାଡ଼ପିଟ ହୋଇଛି। କାକଟପୁରରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରି ଶାସକ ଦଳ କର୍ମୀ ଲହୁଲୁହାଣ କରିଦେଇଛନ୍ତି।

ସାଲେପୁରରେ ରଟିଲୋ ବୁଥରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ଲୋକଙ୍କୁ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ବିଜେଡି କର୍ମୀମାନେ ପ୍ରବର୍ତ୍ତାଉଥିବା ବେଳେ ବିଜେପି କର୍ମୀମାନେ ଏଥିରେ ଆପତ୍ତି ଉଠାଇ ଥିଲେ। ଫଳରେ ସଂଘର୍ଷ ଘଟିଥିଲା। ଦୁଇଜଣ ବିଜେପି କର୍ମୀ ଆହତ ହୋଇଥିଲେ।

ପ୍ରିଜାଇଡିଂ ଅଫିସର ଶାସକ ଦଳର ଏଜେଣ୍ଟ

ଶେଷ ପର୍ଯ୍ୟାୟରେ ଅନେକ ସ୍ଥାନରେ ନିର୍ବାଚନ ପରିଚାଳନା କରୁଥିବା ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଜଳେଶ୍ୱରରେ ପ୍ରିଜାଇଡିଂ ଅଫିସରଙ୍କୁ ଲୋକେ ଅଟକ ରଖିବା ଭଳି ଘଟଣା ଘଟିଛି। ଦୋରୁହାଁ ବୁଥରେ ପ୍ରିଜାଇଡିଂ ଅଫିସର କିଏ କାହାକୁ ଭୋଟ ଦେଲା, ତାହାର ସୂଚନା ବିଜୁ ଜନତା ଦଳ ଏଜେଣ୍ଟଙ୍କୁ ଦେଉଥିଲେ। ଲୋକେ ଏହାର ପ୍ରତିବାଦ କରି ତାଙ୍କୁ ଅଟକ ରଖିଥିଲେ। ଉେତ୍ତଜନା ଚରମରେ ପହଞ୍ଚିବା ପରେ ପୁଲିସ ସେଠାରେ ପହଞ୍ଚି ଥିଲା। କିନ୍ତୁ ଏଥିପାଇଁ ପୁରା ପୁଲିଂ ଟିମକୁ ଭାରି ହଟହଟ୍ଟା ହେବାକୁ ପଡ଼ିଥିଲା ସମସ୍ତଙ୍କ ଆଗରେ।

ସେହିପରି ବିପ୍ତାରପୁର ନିର୍ବାଚନମଣ୍ଡଳୀର ୧୩୫ ନମ୍ୱର ବୁଥରେ ପ୍ରିଜାଇଡିଂ ଅଫିସର ଏବଂ ପୁଲିସ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାଲାଗି ଭୋଟରଙ୍କୁ ପ୍ରବର୍ତ୍ତାଉ ଥିଲେ। ଏହା ମଧ୍ୟ ଭାଇରାଲ ହୋଇଯାଇଥିଲା। ଫଳରେ ଅଫିସରଙ୍କୁ ନିଲମ୍ୱନ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା।

ମାହାଙ୍ଗାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବିଜୁ ଜନତା ଦଳ ପକ୍ଷରୁ ଆକ୍ରମଣ ଅଭିଯୋଗ ହୋଇଥିଲା। ଆହୁରି ଅନେକ ସ୍ଥାନରେ ସରକାରୀ ଅଫିସରମାନେ ଏକତରଫା ଭାବେ ସରକାରୀ ଦଳ ସକାଶେ କାର୍ଯ୍ୟ କରୁଥିବା ଅଭିଯୋଗ ମିଳିଥିଲା।

ବରୀକୁ ନେଇ ବିଜେଡିର ଅଭିଯୋଗ

ଚାରିଆଡେ଼ ବିଜେଡିର ଗୁଣ୍ଡାରାଜ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ବିଜେଡିର ଅଭିଯୋଗ ଆସିଛି କିନ୍ତୁ ବରୀକୁ ନେଇ। ବରୀ ନିର୍ବାଚନମଣ୍ଡଳୀରେ ୧୨ଟି ବୁଥରେ ବିଜେପି କର୍ମୀମାନେ ବୁଥ ଜବରଦଖଲ କରିଥିବା ଅଭିଯୋଗ କରି ସିଇଓଙ୍କୁ ଭେଟିଥିଲା ଶାସକ ଦଳର ଏକ ପ୍ରତିନିଧିମଣ୍ଡଳୀ। ସେମାନେ ଅଭିଯୋଗ କରିଥିଲେ ଯେ, ପ୍ରାର୍ଥୀଙ୍କ ଭାଇ ନିଜେ ବୁଥ ରିଗିଂ କରିଛନ୍ତି। ଏହି ୧୨ଟି ବୁଥରେ ସାନି ନିର୍ବାଚନ କରାଇବା ସକାଶେ ସେମାନେ ଦାବି କରିଥିଲେ।

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ହୋଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସିଇଓଙ୍କ ଦୃଢ଼ୋକ୍ତି ସତ୍ତ୍ୱ୍ୱେ ଏତେ ପରିମାଣରେ ହିଂସାକାଣ୍ଡ, ବୁଥ ଜବରଦଖଲ ଏବଂ ସରକାରୀ କଳର ଅପବ୍ୟବହାର ପ୍ରମାଣିତ କରୁଛି ଯେ, ସଂଖ୍ୟା ଗରିଷ୍ଠତା ମିଳିଗଲାଣି ବୋଲି ଦାବି କରୁଥିବା ବିଜୁ ଜନତା ଦଳ ପ୍ରକୃତରେ ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଫଳ ଉପରେ ଅଧିକ ନିର୍ଭର କରୁଛି। ସେଥିପାଇଁ ଅଧିକ ସଂଖ୍ୟାରେ ହିଂସାକାଣ୍ଡ ଏହି ପର୍ଯ୍ୟାୟରେ ଘଟିଛି ଏବଂ ଅଧିକାଂଶରେ ଶାସକ ଦଳର ହାତ ଅଛି।

Leave a Reply

Your email address will not be published.