ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହୋଇ ଫେରିଲେ ୪୮ ବର୍ଷୀୟା ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ କଟକର ୪୮ ବର୍ଷ ବୟସ୍କ ମହିଳା । ସେ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାସହ ପ୍ଲାଜମା ଥେରାପି ଯୋଗୁଁ ଅନ୍ୟ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥତା ଲାଭ କରୁଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୂଚନାଅନୁସାରେ, ମହିଳାଙ୍କ ସମେତ ତାଙ୍କ ଚାରି ପୁଅ କରୋନାରେ ସଂକ୍ରମିତ ହୋଇଥିଲେ । ଦୁଇ ପୁଅ ଆଠଗଡ଼ କୋଭିଡ଼ କେୟାର ସେଣ୍ଟରରୁ ସୁସ୍ଥ ହୋଇ ଫେରିଥିଲେ । ହେଲେ ମା ଓ ବଡ଼ ପୁଅଙ୍କ ଦେହ ଅସୁସ୍ଥ ହେବାରୁ କଟକ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆସିୟୁରେ ଅକ୍ସିଜେନ ଥେରାପିରେ ରଖାଗଲା । ଗତ ୧୫ ତାରିଖରେ ପ୍ରଥମ ପ୍ଲାଜମା ଥେରାପି ମହିଳାଙ୍କ ଠାରେ ବ୍ୟବହାର କରାଯାଇଥିଲା । ପ୍ଲାଜମା ଥେରାପି ନେଇ ଏହା ହେଉଛି ରାଜ୍ୟର ପ୍ରଥମ ଘଟଣା । ୪୮ ଘଣ୍ଟା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ କହିଛନ୍ତି । ତିନି ଦିନ ପରେ ଆଉ ଅକ୍ସିଜେନର କୌଣସି ଆବଶ୍ୟକତା ପଡିନଥିଲେ । ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

Leave a Reply

Your email address will not be published.