‘ହେପାଟାଇଟିସ୍ ବି’ ରେ ୪୦ କୋଟି ଲୋକ ଆକ୍ରାନ୍ତ ; ୯୦ ପ୍ରତିଶତଙ୍କୁ ରୋଗ ଖବର ନାହିଁ

ଭୁବନେଶ୍ୱର, (ଓଟି) : ହେପାଟାଇଟିସ୍ ବି ଏଚ୍ଆଇଭି ଠାରୁ ଶହେ ଗୁଣ ଅଧିକ ମାରାତ୍ମକ ବ୍ୟାଧି । ପୃଥିବୀରେ ବର୍ଷକୁ ପ୍ରାୟ ୧୫ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି ମାତ୍ର ଏହି ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ । ସେହିଭଳି ବିଶ୍ୱର ପ୍ରାୟ ୪୦ କୋଟି ଲୋକ ଏହି ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସେମାନଙ୍କ ରୋଗ ସମ୍ପର୍କରେ ଅବଗତ ନୁହଁନ୍ତି । ଏହା କହିଛନ୍ତି ସମ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡା. ମନୋଜ କୁମାର ସାହୁ ।

ରବିବାର ସୋଆରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ ଅବସରରେ ଡ. ସାହୁ କହିଛନ୍ତି ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ଏଚ୍ଆଇଭି / ଏଡ୍ସ, ଟ୍ୟୁବରକ୍ୟୁଲୋସିସ୍ ଏବଂ ମ୍ୟାଲେରିଆ ଭଳି ରୋଗରେ ମୃତ୍ୟୁ ସଂଖ୍ୟାକୁ କମ୍ କରାଯାଇ ପାରିଛି । ତେବେ ହେପାଟାଇଟିସ୍ ‘ବି’ ରୋଗରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୦୦୦ ମସିହାରୁ ୨୨ ପ୍ରତିଶତ ବୃଦ୍ଧି ପାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ୟୁନିଭର୍ସିଟିର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ ।
ସୋଆ କ୍ୟାମ୍ପସ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସେମାନଙ୍କ ନିମନ୍ତେ ହେପାଟାଇଟିସ୍ ‘ବି’ ସମ୍ପର୍କିତ ସ୍କ୍ରିନିଂ ଏବଂ ଚିକିତ୍ସା ମାଗଣାରେ କରାଯାଇଥିଲା । ଏହି ସଭା ପୂର୍ବରୁ ହେପାଟାଇଟିସ୍ ‘ବି’ ରୋଗ ସମ୍ପର୍କିତ ଏକ ସଚେତନତା ରାଲି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା ।
ଡ. ସାହୁ କହିଲେ ହେପାଟାଇଟିସ୍ ଦ୍ୱାରା ଯକୃତ ଭଳି ସମ୍ବେଦନଶୀଳ ଅଂଗ ଆକ୍ରାନ୍ତ ହୋଇଥାଏ । ଯେଉଁ ପାଂଚ ପ୍ରକାର ହେପାଟାଇଟିସ୍ ରହିଛି, ସେଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏଥି ମଧ୍ୟରୁ ହେପାଟାଇଟିସ୍ ‘ବି’ ଏବଂ ‘ସି’ ସବୁଠାରୁ ମାରାତ୍ମକ ଓ ଭାରତରେ ସଂକ୍ରମଣ ଜନିତ ଲିଭର ସିରୋସିସ୍ ଏବଂ ଯକୃତ କର୍କଟର ପ୍ରମୁଖ କାରଣ ପାଲଟିଛି ।

ଖାଦ୍ୟ ଏବଂ ଜଳ ପ୍ରଦୂଷଣ ଦ୍ୱାରା ହେପାଟାଇଟିସ୍ ‘ଏ’ ଏବଂ ‘ଇ’ ସଂକ୍ରମଣ ହୋଇଥାଏ । ଦୂଷିତ ରକ୍ତ କିମ୍ବା କୋ÷ଣସି ସଂକ୍ରମିତ ଶାରୀରିକ ଅଂଶ ଶରୀର ମଧ୍ୟକୁ ପ୍ରବେଶ କଲେ ହେପାଟାଇଟିସ୍ ‘ବି’, ‘ସି’ ଏବଂ ‘ଡି’ ରୋଗ ହୋଇଥାଏ । ଯେଉଁଭଳି ଭାବେ ଏଚ୍ଆଇଭି ଭାଇରସ୍ ଶରୀରକୁ ପ୍ରବେଶ କରିଥାଏ ଠିକ୍ ସେହି ଉପାୟରେ ହେପାଟାଇଟିସ୍ ‘ବି’, ‘ସି’ ଏବଂ ‘ଡି’ ଭାଇରସ୍ ମଧ୍ୟ ଶରୀରରେ ପ୍ରବେଶ କରେ । ପ୍ରଦୂଷିତ ରକ୍ତ ଶରୀର ମଧ୍ୟକୁ ପ୍ରବେଶ କରିବା, ଚିକିତ୍ସା ସମୟରେ ପ୍ରଦୂଷିତ ଯନ୍ତ୍ରପାତି ବ୍ୟବହାର କରିବା, ଇଞ୍ଜେକ୍ସନ୍ ଦେବା ପାଇଁ ବ୍ୟବହୃତ ଛୁଂଚି ବା ସେଭିଂ ବ୍ଲେଡ୍କୁ ଅନେକ ଜଣ ବ୍ୟବହାର କରିବା ଏବଂ ଯୋ÷ନ ସଂସର୍ଗ ଦ୍ୱାରା ମଧ୍ୟ ହେପାଟାଇଟିସ୍ ଭାଇରସ୍ ମଣିଷ ଶରୀରରେ ପ୍ରବେଶ କରିଥାଏ ବୋଲି ଡ. ସାହୁ କହିଛନ୍ତି ।

ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ କିନ୍ତୁ ଏ ସମ୍ପର୍କରେ ଅଜ୍ଞ ଅଛନ୍ତି ସେମାନଙ୍କ ଠାରେ ମାତ୍ରାଧିକ ଯକୃତଜନିତ ରୋଗ ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏଥି ସହିତ ସେମାନେ ଅନ୍ୟ ସୁସ୍ଥ ମଣିଷକୁ ସଂକ୍ରମିତ କରିବାର ଆଶଙ୍କା ରହିଛି ବୋଲି ଡ. ସାହୁ କହିଥିଲେ । ଚଳିତବର୍ଷର ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍ “ଫାଇଣ୍ଡ ଦ ମିସିଙ୍ଗ ମିଲିୟନ୍ସ” ଅର୍ଥାତ୍ ନିଖୋଜ ଥିବା ସେହି ଲକ୍ଷ ଲକ୍ଷ ଲୋକଙ୍କୁ ଖୋଜି ବାହାର କର ବୋଲି ସେ ସୂଚନା ଦେଇଥିଲେ ।
ତେବେ ଖୁସିର ଖବର ହେଉଛି ୧୯୮୨ ମସିହାରୁ ହେପାଟାଇଟିସ୍ ‘ବି’ର ପ୍ରତିରୋଧ ନିମନ୍ତେ ଏକ ଟୀକା ଉପଲବ୍ଧ ହେଲାଣି ଯାହାକି ଏହି ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ରୋକି ପାରିବ ।

ଏହି ଟୀକା ଯେକୋ÷ଣସି ବ୍ୟକ୍ତିଙ୍କୁ ଯେ କୋ÷ଣସି ବୟସରେ ଏପରିକି ଗର୍ଭବତୀ ମହିଳାଙ୍କୁ ମଧ୍ୟ ଦିଆଯାଇ ପାରିବ । ଯଦିଓ ହେପାଟାଇଟିସ୍ ‘ସି’ ପାଇଁ କୋ÷ଣସି ଟୀକା ନାହିଁ ତେବେ କ୍ରମାଗତ ଭାବେ ତିନି ମାସ ଧରି ଗୋଟିଏ ଟାବ୍ଲେଟ୍ ସେବନ କଲେ ଏହି ସଂକ୍ରମଣରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ ।

ଦ ୱାର୍ଲ୍ଡ ହେଲ୍ଥ ଅର୍ଗନାଇଜେସନ୍ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ୨୦୩୦ ସୁଦ୍ଧା ହେପାଟାଇଟିସ୍ ‘ବି’ ର ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖିଛି ବୋଲି ଡ. ସାହୁ କହିଥିଲେ ।

ସୋଆ କୁଳପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ରାଜ୍ୟରେ ହେପାଟାଇଟିସ୍ ରୋଗର ନିରାକରଣ ନିମନ୍ତେ ସୋଆ ନିରନ୍ତର ଚେଷ୍ଟା ଚଳାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଦିବାସୀ ଅଂଚଳର ପିଲାମାନଙ୍କୁ ହେପାଟାଇଟିସ୍ ମୁକ୍ତ କରିବା ପାଇଁ ସ୍କ୍ରିନିଂ ଏବଂ ଟୀକାକରଣ ଉଦ୍ଦେଶ୍ୟରେ ସୋଆ ଆଦିବାସୀ ହେପାଟାଇଟିସ୍ ମିଶନ୍ (ସୋହମ୍) ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ କୁଳପତି ବାଚସ୍ପତି ଶ୍ରୀ ପାତ୍ରଙ୍କର ସାହାଯ୍ୟ ଓ ସହଯୋଗ ଲୋଡିଥିଲେ ।

ପ୍ରଫେସର ବାନାର୍ଜୀ କହିଥିଲେ ଯେ ୮ ବର୍ଷ ଧରି ଦେଶର ଏକମାତ୍ର ଚିକିତ୍ସା କେନ୍ଦ୍ର ଭାବେ ସମ୍ ହସ୍ପିଟାଲ୍ରେ ପ୍ରତିଦିନ ମାଗଣାରେ ହେପାଟାଇଟିସ୍ ‘ବି’ ସ୍କ୍ରିନିଂ ଓ ଟୀକାକରଣ କରାଯାଉଛି । ଏହି ହସ୍ପିଟାଲ୍ ହେପାଟାଇଟିସ୍ ‘ସି’ ରୋଗୀମାନଙ୍କର ମାଗଣା ଚିକିତ୍ସା କରିବା ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖିଛି ।

ହେପାଟାଇଟିସ୍ ‘ବି’ ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବା ସୋଆର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ପାତ୍ର କହିଥିଲେ ଯେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହି ରୋଗ ଅଧିକ ମାତ୍ରାରେ ବଢ଼ି ଚାଲିଥିବା ବେଳେ ଏହାର ନିରାକରଣ ନିମନ୍ତେ ସମସ୍ତ ଉଦ୍ୟମ ହେବା ଆବଶ୍ୟକ । ସେ କହିଲେ ସାରା ରାଜ୍ୟର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବା ଉଚିତ୍ । ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳଗୁଡିକରେ ଲୋକମାନେ ଏବେ ବି ରୋଗର ଚିକିତ୍ସା ପାଇଁ କ୍ୱାକ୍ (ନକଲି ଡାକ୍ତର)ଙ୍କ ଉପରେ ଭରସା କରୁଛନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ ।

ଏହି ଅବସରରେ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସ୍ର ଆଡିସ୍ନାଲ୍ ଡିନ୍ ଡ. ଅଜୟ କୁମାର ଜେନା, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଜିମି ନାରାୟଣ ବକ୍ତବ୍ୟ ରଖିଥିଲେ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃ୍ଷ୍ଟି କରିବା ଉଦ୍ଦେଶ୍ୟରେ ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା ।

Leave a Reply