ପୁଲିସ୍‌ ହେପାଜତରେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ, ହ୍ବାଇଟହାଉସ ଆଗରେ ପୋଲିସ-ବିକ୍ଷୋଭକାରୀ ମଧ୍ୟରେ ମୁହାଁମୁହିଁ

ୱାଶିଂଟନ୍‌, (ଓଡିଶା ଟାଇମ୍) : ଆମେରିକାର ମିନେପୋଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସାରା ଦେଶରେ ନିଆଁ ଜଳୁଛି । ତାଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଜଣେ ପୋଲିସ ଅଧିକାରୀ ତାଙ୍କୁ ଆଣ୍ଠୁରେ ଚାପି ରଖି ଭିଡିଓ ଭାଇରାଲ ପରେ ହିଂସା ଉଗ୍ର ରୂପ ନେଇଛି । ହଜାର ହଜାର ସଂଖ୍ୟାରେ ପ୍ରତିବାଦକାରୀ ହ୍ବାଇଟ ହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହାକୁ ନେଇ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌କୁ ଟିୟର୍‌ ଗ୍ୟାସ୍‌ ବ୍ୟବହାର କରିବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ପରିସ୍ଥିତି ଅଣାୟାତ୍ତ ହେଉଥିବା ଦେଖି ୱାଶିଂଟନ୍, ଡିସି ସମେତ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଥିବା ସୂଚନା ମିଳିଛି । ୱାଶିଂଟନ୍‌, ଲସ୍‌ ଏଞ୍ଜେଲସ୍‌, ବୋଷ୍ଟନ , ମିନେପୋଲିସ୍‌ ସମେତ ଅନେକ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ ।

Leave a Reply

Your email address will not be published.