ସାଉଦି ଆରବରୁ ୩ପ୍ରବାସୀ ଓଡିଆ ଉଦ୍ଧାର
ଭୁବନେଶ୍ବର , (ଓଡ଼ିଶା ଟାଇମ୍): ସାଉଦିଆରବରେ ଫଶିଥିବା ଯାଜପୁର ଜିଲ୍ଲାର ୩ ଜଣଙ୍କୁ ଉଦ୍ଧାର କରିଛି ମୋ ଓଡ଼ିଶା ପରିବାର। ସେଠାରେ ଏକ ହୋଟେଲ୍ରେ ଠିକାରେ କାମ କରୁଥିବା ଏହିତିନିଜଣ ଅତ୍ୟନ୍ତ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ସେମାନଙ୍କ ପାସ୍ପୋର୍ଟ ଛଡ଼ାଇ ନେଇଥିଲେ। ଏଣୁ ସେମାନେ ଉଦ୍ଧାର ପାଇଁ ପରିବାରର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ଉଦ୍ଧାର ହୋଇଥିବା ଏହି ୩ ଯୁବକ ହେଲେ, ଯମଧରପୁରର ଶେଖ୍ ନୌସାଦ ଅଲି, ଶେଖ୍ ଅବଦୁଲ ଖଲିଦ, ଏବଂ ଅଳଙ୍ଗ ଗ୍ରାମର ଶେଖ୍ ସଲମାନ୍।
ମୋ ପରିବାରପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଫେରି ଆସିଥିବା ଏହି ୩ଜଣଙ୍କ ସହ ଅଳଙ୍ଗ ଗ୍ରାମର ଶେଖ୍ ଜଲାଲୁଦ୍ଦିନ, ଶେଖ୍ ଇମ୍ରାନ ଓଡ଼ିଆ ଚାକିରି ଆଶାରେ ସାଉଦି ଆରବସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେଷ୍ଟୁରାଣ୍ଟକୁ ଯାଇଥିଲେ। ହୋଟେଲର ମାଲିକଙ୍କ ସହ ହୋଇଥିବାର ଚୁକ୍ତି ଅନୁଯାୟୀ ସେମାନଙ୍କୁ ଯେତିକି ଦରମା ଦେବାପାଇଁ କହିଥିଲେ ତାହାଠୁ ଖୁବ୍ କମ୍ ଦରମା ଦେଉଥିଲେ ଏବଂ ଜୋର କରି ସେମାନଙ୍କଠୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ। ପ୍ରତ୍ୟକଦିନ ୨୦ଘଣ୍ଟା ସେମାନଙ୍କୁ ହୋଟେଲରେ ଖଟାଉଥିଲେ ଏବଂ ଅସହ୍ୟ ଅତ୍ୟାଚାର କରୁଥିଲେ। ଆର୍ଥିକ ସମସ୍ୟା ହେତୁ ସେମାନେ ଅତ୍ୟନ୍ତ ଚାପଗ୍ରସ୍ତ ଥିଲେ। ହୋଟେଲ ମାଲିକ ମିଥ୍ୟା ଅଭିଯୋଗ ମଧ୍ୟ ଦାୟର କରିଥିଲେ। ସେମାନଙ୍କ ପାସପୋର୍ଟ ଇତ୍ୟାଦି ଛଡ଼ାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କୌଣସିପ୍ରକାରେ କମ୍ପାନୀର ହେପାଜତରୁ ରକ୍ଷାପାଇ, ତାଙ୍କୁ ଓ ସହକର୍ମୀଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ।
ଏ ସମ୍ପର୍କରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ ଏବଂ ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା । ବାହାରିନର ଓଡିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପକ ସଦସ୍ୟ ଡଃ ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ଵୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ବର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିଲେ ଓ ଭାରତର ମାନ୍ୟବର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡଃ ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା ।
ଜାନୁଆରୀ ମାସ ୩୧ତାରିଖରେ ସେମାନଙ୍କ ମଧ୍ୟରୁ ୩ ପ୍ରବାସୀ ଓଡିଆ ତଥା ଯମଧରପୁରର ଶେଖ୍ ନୌସାଦ ଅଲି, ଶେଖ୍ ଅବଦୁଲ ଖଲିଦ, ଏବଂ ଅଳଙ୍ଗ ଗ୍ରାମର ଶେଖ୍ ସଲମାନ୍ଙ୍କୁ ଓଡ଼ିଶା ଅଣାଯାଇଥିଲା । ଡଃ ଅରୁଣ କୁମାର ପ୍ରହରାଜ ଦୁବାଇରୁ କୋଲକାତା ପର୍ୟ୍ୟନ୍ତ ଯାତାୟାତ ବ୍ୟବସ୍ଥା କରିଥିଲେ ଏବଂ କୋଲକାତା ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କୋଲକାତାରେ ଓଡ଼ିଶା ମୋ ପରିବାର ଦ୍ୱାରା ନିଯୁକ୍ତ ସ୍ପକ ସଦସ୍ୟ ଶ୍ରୀ ପ୍ରମୋଦ ମହାନ୍ତି ସେମାନଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ବ୍ୟବସ୍ଥା କରିଥିଲେ । ସେମାନେ ଦୀର୍ଘଦିନ ଧରି ଅନ୍ୟ ଦେଶରେ ଗୃହବନ୍ଦୀ ହେଲା ଭଳି ଥିବାରୁ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଓଡ଼ିଶା ଫେରିବା ପରେ ସେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ପହଞ୍ଚିବା ସମୟରେ ସେମାନଙ୍କର ଗ୍ରାମବାସୀ ଓ ପରିବାର ବର୍ଗଙ୍କ ସହିତ ନିଜେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଶ୍ରୀ ଭବ ପ୍ରସାଦ ଦାସ ଉପସ୍ଥିତ ଥିଲେ ।
୫ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଯେଉଁ ୨ ଜଣ ଏ ପର୍ଯ୍ୟନ୍ତ ସେଠାରେ ଅଛନ୍ତି, ଓଡ଼ିଶା ମୋ ପରିବାର ଏବଂ ଡଃ ଅରୁଣ ପ୍ରହରାଜଙ୍କ ଦ୍ୱାରା ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ବହୁବିଧ ଚେଷ୍ଟା ଜାରି ରହିଛି ।