କୌଣସି ପ୍ରଯୋଜକଙ୍କୁ ଫିଲ୍ମ ପାଇଁ କେବେ ହାତ ପତାଇନି: ପ୍ରଶାନ୍ତ ନନ୍ଦ

0
38

କେହି କେହି ତାଙ୍କୁ ଓଡ଼ିଆ ସିନେମା ଜଗତର ମୁକୁଟ ବିହୀନ ରାଜା ବୋଲି କହନ୍ତି। କାହିଁକିନା ସିନେମା ଦୁନିଆର ପ୍ରତିଟି କ୍ଷେତ୍ରରେ ସେ ଅପରାଜେୟ। ସେଥିଲାଗି ନିଆରା ସିନେମା ସବୁ ତାଙ୍କ ଦ୍ୱାରା ସୃଷ୍ଟି ହୋଇପାରେ। ହେଲେ ଖାଲି ସିନେମା କଥା କହି ଏହି ବହୁଗୁଣ ଅଧିକାରୀଙ୍କୁ ସମ୍ୱୋଧନ କରାଯାଇ ନପାରେ, କାରଣ ସେ ମଞ୍ଚ ନାଟକ ଲେଖନ୍ତି, ଟିଭି ସିରିଏଲ‌୍‍ ସୃଷ୍ଟି କରିଛନ୍ତି, ଗଳ୍ପ, ଉପନ୍ୟାସ ସହ ସମସାମୟିକ ପ୍ରସଙ୍ଗରେ ଭିନ୍ନମତ ମଧ୍ୟ ପୋଷଣ କରନ୍ତି। ଖବରକାଗଜର ପୃଷ୍ଠାରେ ତାଙ୍କ ସ୍ତମ୍ଭ ଲମ୍ୱା ସମୟ ଧରି ଆଦୃତି ମଧ୍ୟ ପାଇଛି। ତା’ଛଡ଼ା ଓଡ଼ିଶା ରାଜନୀତିରେ ମଧ୍ୟ ସିନେମା ଦୁନିଆର ଏହି ‘ଭାଇନା’ ବେଶ‌୍‍ ପରିଚିତ। ମନ୍ତ୍ରୀପଦ ତୁଲାଇବା ବେଳେ ସେ ସ୍ୱାଭିମାନର ସହ ଲୋକ ସମସ୍ୟାକୁ ସରକାରଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ସେହି ବହୁର୍ଚ୍ଚିତ ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦଙ୍କ ସହ ହରିହର ପଣ୍ଡାଙ୍କ କଥାବାର୍ତ୍ତାର କିଛି ଅଂଶକୁ ଉପସ୍ଥାପନ କରୁଛୁ।

ନବମ ଶ୍ରେଣୀ ପଢ଼ୁଥିବାବେଳେ ଏକ ଉପନ୍ୟାସ ଲେଖିଥିଲି। ନାଁ ଥିଲା ‘ଅଂଶୁପାର ମାୟା’। ପ୍ରେମ, ପ୍ରେମ ବିବାହ, ବିନା ବିବାହରେ ଛୁଆ ଜନ୍ମ କଥା ସବୁ ସେଥିରେ ଲେଖାଥିଲା। ତାକୁ ପଢ଼ି ନନା ବେଶ‌୍‍ ରାଗି ଯାଇଥିଲେ। ୧୯୮୦ ମସିହାରେ ଏହି ବିଷୟବସ୍ତୁକୁ ନେଇ ‘ମା ଓ ମମତା’ ଛବି ତିଆରି ହେଲା। ଯେତେବେଳେ ନନା ମୋର ଏହି ସିନେମା ଦେଖିଲେ, ବେଶ‌୍‍ ପ୍ରଶଂସା କରିଥିଲେ। ଆଉ ସେତେବେଳେ ମୁଁ ତାଙ୍କୁୁ କହିଥିଲି ଯେଉଁ କାହାଣୀକୁ ନେଇ ତୁମେ ମୋତେ ଗାଳି ଦେଇଥିଲ ଏଇଟା ସେଇ କାହାଣୀ। ସେତେବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। କହିଥିଲେ ବାପା-ମା’ମାନେ ମଧ୍ୟ ଜାଣି ପାରନ୍ତିନି ପିଲାଙ୍କ ଭିତରେ କି ପ୍ରତିଭା ଅଛି। ଏଣୁ ଏଭଳି ବାପା ଓ ପୁଅ ଆପୋସରେ କ୍ଷମା ଦିଆନିଆ କରିଦେବା ଉଚିତ।

ବିଜେପିରେ ମୋତେ ଅପମାନିତ କରାଯାଇଥିଲା। ବିଜେଡିରୁ ଟିକେଟ‌୍‍ ମିଳିଲା ନାହିଁ ବୋଲି ମୁଁ ଆଦୌ ଦୁଃଖିତ ନୁହେଁ। ପଦପଦବୀ ବି ଚାହୁଁ ନାହିଁ। ହେଲେ ଯେଉଁ ଉଦ୍ଦେଶ୍ୟରେ ମୁଁ ରାଜନୀତିକୁ ଆସିଥିଲି ତାହା ପୂରଣ ହୋଇପାରି ନାହିଁ।
ଜନ୍ମ: ମେ’୨, ୧୯୪୭
ବାପା: ଜଗନ୍ନାଥ ନନ୍ଦ
ପତ୍ନୀ: ଅନୁପମା ନନ୍ଦ

ପ୍ରଥମ ସୃଷ୍ଟି:
ଅଂଶୁପାର ମାୟା (ଉପନ୍ୟାସ)
ମମତା (ପ୍ରଯୋଜନା)

ପ୍ରଥମ ଅଭିନୀତ ଚଳଚ୍ଚିତ୍ର:
ଦସ୍ୟୁ ରତ୍ନାକର (୧୯୫୯)

ପ୍ରଥମ ନିଦ୍ଦେର୍ଶନା:
ଶେଷ ଶ୍ରାବଣ (୧୯୭୬)

ହିନ୍ଦୀ ସିନେମା:
ନୈୟା, ପହେଲୀ, ଗୃହସ୍ତୀ

ପସନ୍ଦର ସିନେମା:
ଡୋରା, ସ୍ୱପ୍ନସାଗର, ପକା କମଳ ପୋତ ଛତା, ଲାଲ‌୍‍ପାନ ବିବି, ବଳିଦାନ,

ପସନ୍ଦର ଓଡ଼ିଆ ଅଭିନେତା (ପୁରୁଣା):
ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ, ସାମୁଏଲ‌୍‍ ସାହୁ।
(ବର୍ତ୍ତମାନ):
ବାବୁଶାନ‌୍‍, ଅନୁଭବ, ଅରିନ୍ଦମ‌୍‍, ସବ୍ୟସାଚୀ।
ପସନ୍ଦର ଓଡ଼ିଆ ଅଭିନେତ୍ରୀ: କହିବିନି, ଅନେକ ନାଁ ନେବାକୁ ପଡ଼ିବ

PHOTO FOR HARI BHAI

 

 

 

 

 

 

 

ଅନ୍ୟମାନଙ୍କ ଭଳି ଆପଣ ସିନେମା ତିଆରି ବା ଅଭିନୟ ନେଇ କୌଣସି ପାଠ ବି ପଢ଼ିନାହାନ୍ତି। ହେଲେ ଏ ଦୁନିଆରେ ଆପଣ ଅପରାଜେୟ। ଆଗ୍ରହ କେମିତି ସୃଷ୍ଟି ହେଲା?

ପିଲା ଦିନରୁ ଆକାଶବାଣୀରେ ଛୋଟ ପିଲା ହିସାବରେ ଅଭିନୟ କରୁଥିଲି। ପରେ କଳା ବିକାଶ କେନ୍ଦ୍ର ତରଫରୁ ମଞ୍ଚରେ ଅଭିନୟ କରୁଥିଲି। ୧୯୫୯ରେ ‘ଦସ୍ୟୁ ରତ୍ନାକର’ରେ ଅଭିନୟ କରିବାଲାଗି ସମୟ ଆସିଲା। ସେଇଠୁ ଆରମ୍ଭ ହୋଇଗଲା ସିନେମାରେ ମୋର ଯାତ୍ରା। ୧୯୬୬ ମସିହା ପର୍ଯ୍ୟନ୍ତ ହସଖୁସିରେ ସବୁ ଚାଲିଥିଲା। କେବେ ଭାବି ନଥିଲି ଯେ, ସିନେମା ପାଇଁ ମୁଁ ତିଆରି ଆଉ ଭବିଷ୍ୟତରେ ମୁଁ ସିନେମା ହିଁ କରିବି। ହେଲେ ୧୯୬୬ ମସିହାରେ ଯେତେବେଳେ ମୃଣାଳ ସେନ‌୍‍ଙ୍କ ଦ୍ୱାରା ନିଦ୍ଦେର୍ଶିତ ‘ମାଟିର ମଣିଷ’ରେ ଅଭିନୟ କଲି ସେତେବେଳେ ମୋ ଭାବନା ବଦଳିଗଲା। ଏହା ଏକ ଗମ୍ଭୀର ପେସା ବୋଲି ବୁଝିଲି।

ନିଦ୍ଦେର୍ଶନା କେମିତି?

ଏମିତି କାମ କଲା ଭିତରେ ମୁଁ ସିନେମା ଜଗତରେ କାର୍ଯ୍ୟ କରୁଥିବା ପ୍ରତିଟି ବ୍ୟକ୍ତି ଯେମିତି ଲାଇଟ‌୍‍ବୟଠୁ ଆରମ୍ଭ କରି ନିଦ୍ଦେର୍ଶକ, କ୍ୟାମେରା ମ୍ୟାନ‌୍‍, ଏଡିଟର ସମସ୍ତଙ୍କ କାର୍ଯ୍ୟଧାରାକୁ ମଁୁ ଲକ୍ଷ୍ୟ କଲି। ଆଉ ତାଙ୍କଠୁ ଅନେକ କଥା ଶିଖିଲି। ଏହା ଭିତରେ ମୋତେ ଲାଗିଲା ମୁଁ ସିନେମା ନିଦ୍ଦେର୍ଶନା ମଧ୍ୟ ଦେଇ ପାରିବି। ଆଉ ୧୯୭୫ ମସିହାରେ ‘ମମତା’ ସିନେମା ତିଆରି କଲି। ଯଦିଓ ମୁଁ ତା’ର ପ୍ରଯୋଜକ ଥିଲି କିନ୍ତୁ ବୟସରେ ଏତେ ଛୋଟଥିଲି ଯେ ମୋ ଭିତରେ ସେ ବିଶ୍ୱାସ ଆସିନଥିଲା ନିଜକୁ ନିଦ୍ଦେର୍ଶକର ପରିଚୟ ଦେବାକୁ। ଏଣୁ ଧୈର୍ଯ୍ୟ ଧରି ସମୟକୁ ଆପେକ୍ଷା କଲି। ହେଲେ ବେଶୀ ଦିନ ରହିପାରିଲିନି। ୧୯୭୬ ମସିହାରେ ‘ଶେଷ ଶ୍ରାବଣ’ରେ ମୁଁ ନିଦ୍ଦେର୍ଶକ ଭାବେ ନାଁ ଦେଲି।
‘ଶେଷ ଶ୍ରାବଣ’ ସେତେବେଳେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା। ଏମିତିକି ଏହି ସିନେମାକୁ ହିନ୍ଦୀରେ ମଧ୍ୟ ଆପଣ ନିଦ୍ଦେର୍ଶନା ଦେଇଥିଲେ। କିନ୍ତୁ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀକୁ ଛାଡ଼ିଲେ କାହିଁକି?

ରାଜଶ୍ରୀ ପ୍ରଡକ୍ସନ୍ସ ପ୍ରଯୋଜିତ ଶେଷ ଶ୍ରାବଣର ହିନ୍ଦୀ ରୂପ ‘ନୈୟା’କୁ ନିଦ୍ଦେର୍ଶନା ଦେଲାବେଳେ ତାଙ୍କ ଟିମ‌୍‍ଠୁ ଅନେକ କଥା ଶିଖିଲି। ତା’ପରେ ହିନ୍ଦି ସିନେମା ଜଗତରେ ଭଲ ନିଦ୍ଦେର୍ଶକ ଭାବେ ପରିଚୟ ବି ମିଳିଲା। ଯଦିଓ ଗୋଟିଏ ପରେ ଗୋଟିଏ ସୁଯୋଗ ମିଳୁଥିଲା କିନ୍ତୁ ନିଜ ମାଟିରେ କାମ କରିବାକୁ ଚାହିଁଲି। ଓଡ଼ିଶାରେ କିଛି ନୂଆ ସୃଷ୍ଟି କରିବାକୁ ମନ ହେଲା। ଏହାର ମାଟି, ପାଣିର ଆକର୍ଷଣରେ ମୁଁ ଚାଲିଆସିଲି।

କେବେ ଅବସୋସ ହୋଇନି?

ନାଁ। କାରଣ ବମ୍ୱେରେ ଅନେକ ଭଲ ନିଦ୍ଦେର୍ଶକ ଅଛନ୍ତି। ହେଲେ ଓଡ଼ିଶାରେ ସେତେବେଳେ ବଙ୍ଗୀୟ ନିଦ୍ଦେର୍ଶକଙ୍କ ରାଜତ୍ୱ ଚାଲିଥିଲା। ଫଳରେ ଓଡ଼ିଆ କାହାଣୀର ରୂପ ଦେଖିବାକୁ ମିଳୁ ନଥିଲା। ମୁଁ ଚାହିଁଲି ଓଡ଼ିଶାର ମୌଳିକ କାହାଣୀ, ଦୃଶ୍ୟ ସବୁକୁ ନେଇ ଫିଲ୍ମ ତିଆରି କରିବି।

ଯେଉଁ ମୌଳିକ କାହାଣୀ ଆଉ ଦୃଶ୍ୟପଟ କଥା କହୁଛନ୍ତି ତାହା ଏବେ କାହିଁକି ଦେଖିବାକୁ ମିଳୁନି? ଆପଣ ମଧ୍ୟ ସିନେମାରେ ଏହାକୁ ନେଇ ସାଲିସ କରିଥିବା କୁହାଯାଏ?

ନା, ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। କାରଣ ପ୍ରତ୍ୟେକ ଦଶ ବର୍ଷରେ ଦର୍ଶକ ବଦଳନ୍ତି। ଦର୍ଶକଙ୍କ ରୁଚି ମଧ୍ୟ ବଦଳେ। ଯଦି ସେ ରୁଚିକୁ ଖାପ ଖୁଆଇ ଚଳଚ୍ଚିତ୍ର ତିଆରି କରିନଥାନ୍ତି ତା’ହେଲେ ୫୫ ବର୍ଷ ହେଲା ସିନେମା ଦୁନିଆରେ ତିଷ୍ଠି ରହିନଥାନ୍ତି। ଯେମିତି ବୟସ ଅନୁସାରେ ମଣିଷର ପରିବର୍ତ୍ତନ ହୋଇଛି ସେମିତି ଲୋକଙ୍କ ରୁଚି ବଦଳୁଛି।

ପ୍ରଥମେ ପ୍ରଥମେ ଆପଣଙ୍କୁ ଘର ତରଫରୁ ପ୍ରୋତ୍ସାହନ ମିଳୁଥିଲା?

ଘର ତରଫରୁ ମୋ ବୋଉ ବହୁତ ପ୍ରୋତ୍ସାହନ ଦେଉଥିଲେ। ସେ ଚାହୁଥିଲେ ମୁଁ ବହୁତ ନାଁ କରେ। ଯଦିଓ ନନା ଏହା ଚାହୁଁ ନଥିଲେ। କିନ୍ତୁ ମା’ ଯାହାର ସାହା ତାକୁ ଅଟକାଇବ କିଏ? ନନାଙ୍କ ମନ ସେତେବେଳେ ବଦଳିଲା ଯେତେବେଳେ ତାଙ୍କ ସାଙ୍ଗମାନେ ମୋ ବିଷୟରେ ପ୍ରଶଂସା କଲେ। ସେ ମୋତେ ଭିତରୁ ବହୁତ ଭଲ ପାଉଥିଲେ।

ସିନେମା ସୃଷ୍ଟି କ୍ଷେତ୍ରରେ କାହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଛି?

ବହୁତ ଲୋକଙ୍କ ପ୍ରଭାବ ପଡ଼ିଛି। ଯେମିତି ଗୋପାଳ ଛୋଟରାୟଙ୍କ ସଂଳାପ, ସୁରେନ୍ଦ୍ର ମହାନ୍ତିଙ୍କ ନାଟକ, କାହ୍ନୁଚରଣ, ଗୋପୀନାଥ ମହାନ୍ତିଙ୍କ ବହି, ମୃଣାଳ ସେନ‌୍‍ଙ୍କ ନିଦ୍ଦେର୍ଶନା ଏବଂ ଅନେକ ଲୋକଙ୍କ ପ୍ରଭାବ ମୋ ଉପରେ ପଡ଼ିଛି।

ଓଡ଼ିଆ ସିନେମା ଶିଳ୍ପରେ ବଙ୍ଗୀୟ ଓ ଦକ୍ଷିଣ ଭାରତୀୟ ନିଦ୍ଦେର୍ଶକଙ୍କୁ ଆପଣଙ୍କ ଭଳି ନିଦ୍ଦେର୍ଶକ ଦମନ କରିଥିଲେ। କିନ୍ତୁ ଏବେ ପୁଣି ସେଇ ପରମ୍ପରା ଦେଖିବାକୁ ମିଳୁଛି, କ’ଣ ପାଇଁ?

ଭାରତବର୍ଷରେ ବିଦେଶୀ ଜିନିଷ କେତେବେଳେ ବିକ୍ରି ହୁଏ? ଏହାର ଉତ୍ତର ହେଲା ଯେତେବେଳେ ଆମ ଦେଶରେ ତିଆରି ଜିନିଷର ମାନ ନିକୃଷ୍ଟ ହୁଏ ବା ଭଲ କରିବାର କ୍ଷମତା ନଥାଏ। ଚଳଚ୍ଚିତ୍ରରେ ମଧ୍ୟ ସେଇ ଅବସ୍ଥା। ଏଇ ପିଢ଼ିର ନିଦ୍ଦେର୍ଶକ ମୌଳିକ କାହାଣୀ ତ୍ଭିଆରି କରିବା, ସ୍କ୍ରିନ‌୍‍ ପ୍ଲେ ଲେଖିବା ଏବଂ ମୌଳିକ ଚିନ୍ତାଧାରାରେ ଲୋକଙ୍କୁ ଆକୃଷ୍ଟ କରିବାର ଦକ୍ଷତା ରଖିନାହାନ୍ତି। ତା’ଛଡ଼ା ୯୦ ଦଶକର ଶେଷ ଭାଗରେ ପ୍ରଯୋଜକମାନେ ରିମେକ‌୍‍ ଆଗ୍ରହକୁ ଭୁଲ‌୍‍ ବୋଲି କହିବାର ଦମ‌୍‍ କାହାର ନଥିଲା। ପେଟପାଟଣା ପାଇଁ ନିଦ୍ଦେର୍ଶକଙ୍କୁ ତାହା ଗ୍ରହଣ କରିବାକୁ ପଡ଼ିଲା। ଆଉ ସମସ୍ତଙ୍କ ଅଜାଣତରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏକ କଳଙ୍କ ସୃଷ୍ଟି ହେଲା।

କାହିଁକି ଆମ ପ୍ରଯୋଜକମାନେ ମୌଳିକ କାହାଣୀରେ ଛବି କରୁନାହାନ୍ତି?

କାରଣ ପ୍ରଶାନ୍ତ ନନ୍ଦ ଭଳି ନିଦ୍ଦେର୍ଶକ ନାହାନ୍ତି। ଯେଉଁମାନେ ପ୍ରଯୋଜକଙ୍କୁ ହକ‌୍‍ର ସହ ବୁଝାଇପାରିବେ। ମୁଁ କେବେ ପ୍ରଯୋଜକଙ୍କ ପାଖକୁ ଯାଏ ନାହିଁ ସିନେମା ମାଗିବାକୁ, ମୋ ପାଖକୁ ସେମାନେ ଆସନ୍ତି କିଛି ନେବା ପାଇଁ। ସେମାନେ ପେଟପାଟଣା ପାଇଁ ପ୍ରଯୋଜକଙ୍କ କଥାକୁ ମାନି ନେଉଛନ୍ତି।

ଏଥିରେ କିଛି ପରିବର୍ତ୍ତନ ଆସିବ ବୋଲି ଭାବୁଛନ୍ତି?

କିଛି ଲୋକ ଏ ପରିସ୍ଥିତିକୁ ବଦଳାଇବା ଲାଗି ଚେଷ୍ଟା କରୁଛନ୍ତି। ସଫଳ ହୋଇ ନାହାନ୍ତି। କିନ୍ତୁ ସେମାନେ ସଫଳ ହେବେ ମୋର ଦୃଢ଼ଧାରଣା। ଯେତେବେଳେ ଓଡ଼ିଶାରେ ବହୁ ସଂଖ୍ୟାରେ ମଲ୍ଟିପ୍ଳେକ୍ସ ହେବ ଓ ମଧ୍ୟବିତ୍ତ ଶ୍ରେଣୀର ଦର୍ଶକ ହଲ‌୍‍କୁ ଆସିବେ ସେତେବେଳେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହେବ।

୨୦୧୨ ମସିହାରେ ଆପଣଙ୍କ ସିନେମା ‘ଥୁକୁଲ‌୍‍’ ମୁକ୍ତିଲାଭ କଲା। ଏହା ପରେ ଆଉ ପ୍ରଶାନ୍ତ ନନ୍ଦଙ୍କ ସିନେମା ଦେଖିବାକୁ ମିଳିନି। କାହିଁକି? ରାଜନୀତି ପ୍ରଭାବରେ ?

ନା ନା, ସୃଜନଶୀଳତା କେବେହେଲେ ବନ୍ଦ ହୋଇନି। ଚଳଚ୍ଚିତ୍ର ପାଇଁ ମୁଁ ଦ୍ୱନ୍ଦ୍ୱରେ ରହିଛି। ମୁଁ ଯେଉଁ ଚଳଚ୍ଚିତ୍ର ତିଆରି କରିବାକୁ ଭାବୁଛି ସେ ଦର୍ଶକ ଏବେ ସିନେମା ହଲ‌୍‍କୁ ଆସିବା ଆରମ୍ଭ କରିନାହାନ୍ତି। ଆଉ ଯଦି ସମାନ୍ତରାଳ ସିନେମା କରିବି ତାହା ହାତରୁ ଖାଇ ଘୋଡ଼ା ଆଗରେ ନାଚିବା କଥା। ଏଣୁ ସମୟକୁ ଅପେକ୍ଷା କରିଛି।

ଆପଣ ଟିଭି ସିରିଏଲ‌୍‍ ବି ନିଦ୍ଦେର୍ଶନା ଦେଲେ କିନ୍ତୁ ବନ୍ଦ କାହିଁକି କଲେ?

ଆମିସନ୍ତୋଷ ମିଳିଲା ନାହିଁ। ଯେଉଁ ଢାଞ୍ଚାରେ ସିରିଏଲ‌୍‍ ହେଉଛି ସେଥିରେ ସୃଜନଶୀଳତା ବୋଲି କିଛି ନାହିଁ। ଅର୍ଥାତ‌୍‍ ଆମ ପାଇଁ ଏଥିରେ ସ୍ଥାନ ନାହିଁ। ଏଣୁ ତାହା ବନ୍ଦ କରିଦେଲି।

ଏଫ‌୍‍ଟିଆଇଆଇ ପ୍ରସଙ୍ଗରେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ?

ପିଲା ଓ ସରକାର ଉଭୟଙ୍କ ନିଷ୍ପତ୍ତି ଦୁଃଖଦାୟକ। ସେଠି ଯେଉଁ ପିଲା ପଢ଼ୁଛନ୍ତି ସେମାନେ ସୃଜନଶୀଳତା ଶିଖିବାକୁ ଯାଇଛନ୍ତି। ଅର୍ଥାତ‌୍‍ ସେଠି ପ୍ରିନ୍ସିପାଲ‌୍‍ ଅନ୍ୟ ପ୍ରତିଷ୍ଠାନ ପରି କୌଣସି ଛାତ୍ରକୁ ପାଠ ପଢ଼ାନ୍ତି ନାହିଁ। ଏଣୁ ପିଲାଙ୍କ ପଦକ୍ଷେପ ଗ୍ରହଣୀୟ ନୁହେଁ। ସେମାନଙ୍କ କ୍ଷତି ହେଲା।

ଧର୍ମୀୟ ଅସହିଷ୍ଣୁତା ବୃଦ୍ଧି ନେଇ ପୁରସ୍କାର ଫେରାଇବା ପ୍ରସଙ୍ଗରେ ଆପଣଙ୍କ ମତାମତ କ’ଣ ରହିବ?

ଲେଖକ ନିଜ କୃତୀ ପାଇଁ ପୁରସ୍କାର ପାଉଛି। ଏଣୁ ତାହାକୁ ଫେରାଇବା ବା ବିକିୀ କରିବାର ଅଧିକାର କେମିତି ସମ୍ପୃକ୍ତ ସୃଷ୍ଟିକର୍ତ୍ତାର ରହିବ? ଆମେ ସବୁ ତା’ର ମାଧ୍ୟମ ମାତ୍ର। ହଠାତ‌୍‍ ଏହାକୁ ଏକ ପ୍ରସଙ୍ଗ କରିବାର କୌଣସି କାରଣ ନାହିଁ। ଯଦି ଅସହିଷ୍ଣୁତା ବିରୋଧରେ କିଛି କହିବାର ଅଛି ତେବେ ନିଜ ସୃଜନଶୀଳତା ମାଧ୍ୟମରେ କହନ୍ତୁ। ଇଂରେଜ ସମୟରେ ଆମ ଲେଖକମାନେ ଚାବୁକମାଡ଼କୁ ନଡରି ପ୍ରତିବାଦ କରୁଥିଲେ ଏବେ ମଧ୍ୟ ସେମାନେ କ୍ରାନ୍ତି ସୃଷ୍ଟି କରିପାରିବେ।

ଏହା କ’ଣ ରାଜନୀତି?

ହୋଇପାରେ। ଯେଉଁମାନେ ସମ୍ମାନଲାଭ କରିଛନ୍ତି କିନ୍ତୁ ଲୋକଙ୍କ ନଜରରେ ନାହାନ୍ତି ସେମାନେ ଲୋକପ୍ରିୟତା ହାସଲ କରିବାକୁ ଏମିତି ପଦକ୍ଷେପ ନେଇ ପାରିଥାନ୍ତି।

ଆପଣ ରାଜନୀତିକୁ କାହିଁକି ଆସିଲେ? କିଛି ଉଦ୍ଦେଶ୍ୟ ଥିଲା ନା ଯେଉଁ ଖ୍ୟାତି ଅର୍ଜନ କରିଥିଲେ ତା’ର ଫାଇଦା ନେବା ପାଇଁ?

କଥା ହେଉଛି ଲୋକମାନେ ଆମକୁ ବହୁତ ଦେଇଛନ୍ତି। ତାଙ୍କ ପାଇଁ କିଛି କରିବା ଉଚିତ। ତାଛଡ଼ା ସାମାଜିକ କାର୍ଯ୍ୟ କରିବାର ଆଗ୍ରହ ପୂର୍ବରୁ ଥିଲା । ସେଥିଲାଗି ଏନ‌୍‍ଜିଓ ଓ ରାଜନୀତି ଭିତରୁ ମୁଁ ରାଜନୀତିକୁ ବାଛିଲି।

କେବେ ଏଥିପ୍ରତି ଅନୁତାପ କରିନାହାନ୍ତି?

ନା। ମୁଁ ତ କେବେ ହାରି ନାହିଁ। କିନ୍ତୁ ଆମେ ଯାହା ଚାହୁଁଛୁ ତାହା ଗଣତନ୍ତ୍ରରେ କରିପାରୁ ନାହୁଁ। କାରଣ ଏ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସବୁଠାରୁ କ୍ଷମତାଶାଳୀ। ଯଦି ୭୦ ହଜାର ଭୋଟ ପାଥିବା ଲୋକଟି ସାଢ଼େ ଚାରି କୋଟି ଲୋକଙ୍କ ଭାଗ୍ୟ କଥା ଚିନ୍ତା କରିବ, ଆଉ ସେଥିରେ କାହାର ଦଖଲ ପାଇଁ ସୁଯୋଗ ରହିବ ନାହିଁ। ତେବେ କ’ଣ କୁହାଯିବ? ଏହା ଗଣତନ୍ତ୍ରର ଆଉ ଏକ ରୂପ ହୋଇପାରେ। କିନ୍ତୁ ଶୁଭଙ୍କର ନୁହେଁ।