ଏବେ ରେଳଫାଟକ ବନ୍ଦ ହେବ ଆପେଆପେ

ଭୁବନେଶ୍ଵର, (ଓଟି): ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ ହାତକୁ ନେଇଛି। ଏହାଦ୍ଵାରା ଏକ ନିର୍ଦିଷ୍ଟ ସ୍ଥାନରେ ଟ୍ରେନ୍‌ ପହଞ୍ଚିଲେ ନିକଟସ୍ଥ ରେଳ ଫାଟକର ଗେଟ୍‌ ଆପେ ବନ୍ଦ ହୋଇଯିବ। ପୁଣି ଯେତେଯାଏ ଫାଟକ ବନ୍ଦ ହୋଇ ନାହିଁ ଟ୍ରେନ୍‌ ସେହି ନିଦ୍ଦିର୍ର୍ଷ୍ଟ ସ୍ଥାନରୁ ଆଗକୁ ବଢ଼ିବ ନାହିଁ। ଡିଜିଟାଲ୍‌ ସାଙ୍କେତିକ ପ୍ରଣାଳୀ ଦ୍ଵାରା ଟ୍ରେନ୍‌ ଚଳାଚଳ ନିୟନ୍ତ୍ରିତ ହେବ ବୋଲି  ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି,  ପୂର୍ବତଟ ରେଳପଥର ସମୁଦାୟ ୭୩୯ ଜଗୁଆଳିଥିବା ରେଳବାଇ ଫାଟକ ମଧ୍ୟରୁ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ  ୫୩୮ଟି  ଜଗୁଆଳିଥିବା ରେଳବାଇ ଫାଟକ ଅଛି।    ସେଥିରୁ ୨୧୩ଟି ଫାଟକଠାରେ ଏହି ସୁବିଧା ପ୍ରଦାନ କରାଯାଇଛି।   କେବଳ ଚଳିତ ଆର୍ଥିକ ବର୍ଷରେ ୩୪ଟି ଗେଟ୍‌କୁ ସାଙ୍କେତିକ ବ୍ୟବସ୍ଥା ସହିତ ଯୋଡାଯାଇଥିବା କୁହାଯାଇଛି।

ଏହି ପ୍ରକ୍ରିୟା ଦ୍ଵାରା ସଡ଼କ ପରିବହନ ସହଜ ହେବ ବୋଲି ଆଶା କରାଯାଇଛି। ଏକ ହିସାବରେ କୁହାଯାଇଛି ଯେ, ଯେଉଁ ୨୧୩ ରେଳ ଫାଟକକୁ ସ୍ଵୟଂକ୍ରିୟ ସଙ୍କେତ ଦ୍ଵାରା ଯୋଡ଼ାଯାଇଛି ସେଥିରୁ ୯୭ଟି ଫାଟକରେ ଗୋଟିଏ ଟ୍ରେନ୍‌ ପିଛା ୫୦ ହଜାର ଯାନ ବାହାନ ଚଳାଚଳ କରିଥାଏ।  ଅର୍ଥାତ୍‌ ଏହି ୫୦ ହଜାର ଯାନ ବାହାନ ନିୟନ୍ତ୍ରଣ କରିବା ଏବେ ସହଜ ହୋଇପାରିବ।  

କେମିତି କାମ କରିବ?

ରେଳବାଇ ଫାଟକଠାରେ ଆମେ ଦେଖୁ ଯେ ଫାଟକର ପୂର୍ବ ଷ୍ଟେସନରେ ଟ୍ରେନ ପହଂଚିବାପରେ ଫାଟକ ଜଗୁଆଳି ଫାଟକକୁ ବନ୍ଦ କରିଥାଏ।  ଷ୍ଟେସନ ପାଖରେଥିବା ରେଳବାଇ ଫାଟକଠାରେ ସଡକ ଯାନ ଓ ସଡକ ବ୍ୟବହାରକାରୀ ମାନେ ଟ୍ରେନ ଆସିବା ସମୟରେ କିଛିକ୍ଷଣ ଅପେକ୍ଷା କରିଥାନ୍ତି।  ସଂକେତ ପ୍ରଣାଳୀସହ ଏହିସବୁ ରେଳବାଇ ଫଟାକଗୁଡିକୁ ଯୋଡ଼ାଯିବ ଦ୍ୱାରା ଟ୍ରେନ ଏକ ସଠିକ ସ୍ଥାନରେ ଟ୍ରେନ ପହଁଚିଲେ ଫାଟକ ଆପେଆପେ ବନ୍ଦ ହେବ। ଯେ ପର୍ଯ୍ୟନ୍ତ ଫାଟକ ଖୋଲାରହିଥିବ, ସେତେବେଳେ ଏହି ସାଙ୍କେତିକ ପ୍ରଣାଳୀ ଟ୍ରେନକୁ ଆଗକୁ ଯିବାକୁ ସଂକେତ ଦେବନାହିଁ  ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।  

Leave a Reply

Your email address will not be published.