୨୦୨୦: ମୁଁ ସୁରକ୍ଷିତ ତ?

0
779
advertisement

ନୂଆବର୍ଷ ୨୦୨୦କୁ ବେଶ ଧୁମଧାମରେ ସ୍ୱାଗତ କରାଯାଇଛି । ହୋଟେଲ ଠାରୁ ଆରମ୍ଭ କରି ଡିସ୍କୋ‌, ପବରେ ଜୋରଦାର ସ୍ୱାଗତ କରାଯାଇଛି ନୂଆ ବର୍ଷକୁ । ବଲିଉଡ ଗୀତର ତାଳେ ତାଳେ ନାଚି ନାଚି ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି ଯୁବପୀଢି । ଏସବୁ ଭିତରେ ନାରୀ ମନରେ କିନ୍ତୁ ସେହି ପ୍ରଶ୍ନ ଉଙ୍କି ମାରିଛି । କେତେ ସୁରକ୍ଷିତ ଅଛି ମୁଁ ?

୨୦୧୯ ଯାହା ଚିହ୍ନ ଛାଡିଗଲା ସେକଥାକୁ ମନେପକାଇ ଆଜି ସେ ପଚାରୁଛି, ରାସ୍ତାରେ ଏକୁଟିଆ ଚାଲିପାରିବି ତ ମୁଁ?

ଅଫିସ କାମ ସରିବା ପରେ ଘରକୁ ଏକୁଟିଆ ଫେରିପାରିବି ତ ମୁଁ?

ସ୍କୁଲରୁ ଘରକୁ ଫେରିବା ସମୟରେ ମୋ ଜୀବନ ପ୍ରତି ବିପଦ ନାହିଁ ତ? ବାପା ମା ମୋତେ ଘରେ ଏକୁଟିଆ ଛାଡି ଚାଲିଗଲା ପରେ ମୋତେ କେହି ହଇରାଣ କରିବେନି ତ?


କିଛି ଏମିତି ପ୍ରଶ୍ନ ତା ମନରେ ଏଥିପାଇଁ ଉଙ୍କି ମାରୁଛି, କାରଣ ସେ ଦେଖିସାରିଛି ବିଗତ ବର୍ଷରେ ତା ସହିତ କ’ଣ ହୋଇଛି। କେଉଁଠି ରାତି ଅଧରେ ତାକୁ ନର ରାକ୍ଷାସ ମାନେ ବଳାତ୍କାର କରି ପୋଡ଼ିଜାଳି ଦେଇଛନ୍ତି ତ ଆଉ କେଉଁଠି ରାତି ରାତି ତା ଦେହକୁ ନରପିଶାଚ ମାନେ ଖିନବିନ କରି ଦେଇଛନ୍ତି । ଆମେ ସେହି ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ଉନ୍ନାଅ ଗଣଦୁଷ୍କର୍ମ କଥା କହୁଛି । ହଁ ଦୋଷୀମାନଙ୍କୁ ଦଣ୍ଡମିଳିସାରିଛି ଏବଂ ମିଳିବାକୁ ଅଛି । କିନ୍ତୁ ଏହା ସେହି ନାରୀର ମନକୁ ଶାନ୍ତ କରିପାରିନି । ଆଜି ବି ତା ଭିତରେ ରାଗର ନିଆଁ କୁହୁଳୁଛି । ଦିନ ପରେ ଦିନ ବିତିଯାଉଛି କିନ୍ତୁ ଚିହ୍ନ ରହିଯାଉଛି । ଏହି ଚିହ୍ନ ତାକୁ ପ୍ରତି ମୁହୁର୍ତରେ ସେହି ଗୋଟିଏ ପ୍ରଶ୍ନ ପଚାରୁଛି । ଏତେ ସବୁ ଦଣ୍ଡବିଧାନ ପରେ କଣ ସେ ସୁରକ୍ଷିତ ଅଛି ?

ବର୍ଷ ୨୦୨୦ କିଛି ଏମିତି ସମୟ ଆଣୁ ଯେଉଁଥିରେ ସେ ସୁରକ୍ଷିତ ହୋଇପାରିବ । ରାସ୍ତାରେ ବିନା ଚିନ୍ତାରେ ଚାଲିପାରିବ। କେହି ତା ଦେହରେ ହାତ ମାରିବା ପୂର୍ବରୁ ଥରେ ଭାବିବେ । କେହି ଦେହ ଛୁଇଁବା ପୂର୍ବରୁ ହଜାର ଥର ଚିନ୍ତା କରିବେ । କିନ୍ତୁ ଆଜିର ଏହି ସଭ୍ୟ ସମାଜରେ ବଂଚୁଥିବା ସେହି ଅସଭ୍ୟ ମଣିଷମାନେ କେତେ ଶିଖୁଛନ୍ତି ଦୁଷ୍କର୍ମକାରୀକୁ ଦଣ୍ଡବିଧାନରୁ । ହାଇଦ୍ରାବାଦ ଦୁଷ୍କର୍ମକାରୀକୁ ଏନକାଉଁଟର କରି ମାରିଦିଆଗଲା ସତ । କିନ୍ତୁ ଉନ୍ନାଓ ଦୁଷ୍କର୍ମକାରୀ ଏବେ ବି ଜୀବିତ । ଯଦି ଓ ଫାଶିଦଣ୍ଡ ଦେବା ପାଇଁ ସମସ୍ତ ରାସ୍ତା ପରିସ୍କାର ହୋଇସାରିଛି କିନ୍ତୁ ଏ ଯାଏଁ ଦଣ୍ଡ ମିଳିନି, ଫାଶିଖୁଂଟରେ ଝୁଲି ନାହାନ୍ତି ଉନ୍ନାଓ ଦୁଷ୍କର୍ମକାରୀମାନେ ।

ବେଳେ ବେଳେ ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ସେହି ନାରୀ ମନରେ ପ୍ରଶ୍ନ ଉଠୁଛି । ୨୦୨୦ରେ ହେଉ ଅବା ଆଗାମୀ ବର୍ଷରେ ସରକାର କିଛି ଏମିତି ଆଇନର ବ୍ୟବସ୍ଥା କରିପାରିବେ କି ଯେଉଁଥିରେ ଦୁଷ୍କର୍ମକାରୀ ତତକ୍ଷଣାତ ଦଣ୍ଡ ପାଇବ । ଆଉ ଏମିତି ଦଣ୍ଡ ପାଇବ ଯାହା ସେହି ଅସଭ୍ୟ ମଣିଷଙ୍କୁ ଚେତାଇ ଦେବ । ଦୁଷ୍କର୍ମ କରିବା ପୂର୍ବରୁ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ । କିନ୍ତୁ ସେ ଜାଣିଛି ଆମ ଆଇନ ବ୍ୟବସ୍ଥାରେ ଏସବୁ ହେବା ଏତେ ସହଜ ନୁହେଁ । ତେଣୁ ଘରର ଅନ୍ଧାର କୋଣରେ ବସି ମନକୁ ମନ ପ୍ରଶ୍ନ ପଚାରୁଛି । କାଲି ସକାଳେ ଯେତେବେଳେ ମୁଁ ଅଫିସ ବାହାରିବି, ଅଫିସରେ କାମ କରିବି ଆଉ ଘରକୁ ଫେରିବି, ମୋ ସହିତ ସେମିତି କିଛି ଅଘଟଣ ହେବ ନାହିଁ ତ । କାରଣ ମୋ ସହିତ ଗୋଟିଏ ଏମିତି ବ୍ୟବସ୍ଥା ରହିଛି, ଯେଉଁଠି ନ୍ୟାୟ ପାଇବା ଏତେ ସହଜ ନୁହେଁ । ଥରେ ଅଘଟଣ ଘଟିଗଲେ, ଗଣମାଧ୍ୟମକୁ କଥା ଆସିବ, ଅପରାଧୀ ପାଖରେ ପୋଲିସ ପହଂଚିବ, ଅପରାଧୀକୁ ଧରିବ ପୋଲିସ, ରାଜନୈତିକ ବୟାନବାଜି ଚାଲିବ । ଆଉ ଏସବୁ ଭିତରେ ପୀଡିତା ଅଣନିଶ୍ୱାସି ହେଉଥିବା ବେଳେ ଅପରାଧୀ ଆରାମରେ ନିଶ୍ୱାସ ନେଉଥିବ । ଆଇନର ଟଣାଓଟରା ଭିତରେ ଚାଲିବ ଯୁକ୍ତିତର୍କ । କିଏ କରିଥିଲା କେମିତି କରିଥିଲା, କରିଥିଲା ନା ନାହିଁ ଏମିତି ଅନେକ ପ୍ରଶ୍ନ । ଆଉ ଏସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ପୁଣି ବର୍ଷେ ଚାଲିଯିବ ।


ତେଣୁ ବର୍ଷ ୨୦୨୦ରେ କେବଳ ଏତିକି କୁହାଯାଇପାରେ, ଆଇନର ପରିଭାଷାକୁ ସମାଜର ସେହି ଅସଭ୍ୟ ମଣିଷମାନେ ବୁଝନ୍ତୁ । ସନ୍ତାନକୁ ଜନ୍ମ ଦେଇଥିବା ମାର ସେହି କୋହକୁ ବୁଝନ୍ତୁ, ନାରୀର ମର୍ଯ୍ୟାଦାକୁ ବୁଝନ୍ତୁ ଆଉ କିଛି ଏମିତି ନକରନ୍ତୁ ଯେଉଁଥି ପାଇଁ ପୁଣିଥରେ ଗୁଳିଫୁଟିବ ଆଉ ଫାଶି ଦୌଡି ପ୍ରସ୍ତୁତ ହେବ ।