୨ ସପ୍ତାହ ମଧ୍ୟରେ ପ୍ରଥମ ବ୍ୟାଚ୍‌ କରୋନା ଟିକା ବାହାରିବ: ଋଷ

ମସ୍କୋ, (ଓଡିଶା ଟାଇମ୍‌): ଋଷ ପକ୍ଷରୁ ବିଶ୍ୱର ପ୍ରଥମ ଟିକା ବାହାର କରାଯାଇଥିବା ବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହାର ପ୍ରଥମ ବ୍ୟାଚ୍‌ ବାହାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ବୁଧବାର ଦିନ ସୂଚନା ଦେଇଛନ୍ତି ।

ଋଷର ଟିକାକୁ ନେଇ ଅନ୍ତଜାର୍ତୀୟ ସ୍ତରରେ ସନ୍ଦେହ ଉପୁଜୁଥିବା ବେଳେ ଏହାକୁ ଖଣ୍ଡନ କରି ସରକାରଙ୍କ ପକ୍ଷରୁ ମୂଲ୍ୟହୀନ ବୋଲି କୁହାଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଋଷ ବାହାର କରିଛି ବୋଲି ଗତ ମଙ୍ଗଳବାର ଦିନ ଦାବି କରିଥିଲା ।

ହେଲେ ଋଷର ଏତେ ଶୀଘ୍ର କରୋନା ଟିକା ବାହାର କରିବାକୁ ନେଇ ବିଭିନ୍ନ ଦେଶ ସନ୍ଦେହ ଦୃଷ୍ଟିରେ ଦେଖୁଛି । ଏପରିକି ଜର୍ମାନୀ, ଫ୍ରାନ୍ସ, ସ୍ପେନ୍ ଏବଂ ଆମେରିକା ଭଳି ଦେଶର ବୈଜ୍ଞାନିକ ମାନେ ଏହି ଟିକା ପ୍ରତି ସତର୍କ ରହିବାକୁ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁଯାୟୀ, ଆଗାମୀ ୨ ସପ୍ତାହ ମଧ୍ୟରେ ଏହି ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଆସିଯିବ । ଏହାକୁ ପ୍ରଥମେ ମୁଖ୍ୟତଃ ଡାକ୍ତରଙ୍କୁ ଦିଆଯିବ । ଏହାଛଡା ଅକ୍ଟୋବର ମାସ ବେଳକୁ ବହୁ ସଂଖ୍ୟାରେ ଲୋକଙ୍କୁ କରୋନା ଟିକାକରଣ ଆରମ୍ଭ ହୋଇଯିବ ।

ସୂଚନାଯୋଗ୍ୟ, ବିଶ୍ୱର ପ୍ରଥମ କରୋନା ଟିକା ଋଷର ବୈଜ୍ଞାନିକ ମାନେ ବାହାର କରିଥିବା ନେଇ ଗତ ମଙ୍ଗଳବାର ଦିନ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍ ଦାବି କରିଥିଲେ । ଏହି ଟିକାକୁ ମଣିଷ ମାନଙ୍କ ଉପରେ ପ୍ରାୟ ଦୁଇ ମାସ ଯାଏଁ ପରୀକ୍ଷଣ କରାଯାଇଥିଲା ।

ଏପରିକି ସମସ୍ତ ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି ଟିକା ବାହାର କରାଯାଇଥିବା ବେଳେ ତାଙ୍କ ଝିଅକୁ ଏହି ଟିକା ଦିଆଯାଇଥିବା ନେଇ ପୁଟିନ୍ ସୂଚନା ଦେଇଥିଲେ ।

ସେହିପରି ଋଷର ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛନ୍ତି ଯେ ଆମେ ଏବେ ୬ଟି ଟିକା ଉପରେ ନିଜର ରଖିଛୁ । ଯେଉଁଥିରେ ଋଷର ଟିକା ସାମିଲ ନଥିଲା । ଆମେ ଟିକାର ସମୀକ୍ଷା ନେଇ ଋଷ ଅଧିକାରୀଙ୍କ ସହ ସମ୍ପର୍କ କରୁଛୁ ।

ତେବେ ଋଷ ଟିକାର ନାମ ସ୍ଫୁଟନିକ୍‌-ଭି ରହିଛି । ଏହାକୁ ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଋଷିଆନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଟିକାକୁ ବିକଶିତ କରାଯାଇଛି ।

 

Leave a Reply

Your email address will not be published.