ବଜେଟ୍-2020: ସାଧାରଣ ବୀମା କମ୍ପାନୀକୁ ମିଳିବ କେତେ!


ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାରେ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ଏଥିସରେ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀମାନଙ୍କ ପାଇଁ ବଜେଟ୍ରେ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବାରୁ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଦଫାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ କ୍ଷେତ୍ର ସମେତ ଅଣବ୍ୟାଙ୍କିଙ୍ଗ ପୁଞ୍ଜିଲଗାଣକାରୀ ସଂସ୍ଥା ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କ୍ଷେତ୍ରକୁ ପ୍ରାୟ ୨୫୦୦ କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟ୍ରେ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ନ୍ୟାସନାଲ ଇନ୍ସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ ଏବଂ ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ ଭଳି କମ୍ପାନୀମାନଙ୍କୁ ଏହି ପରିମାଣର ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ସାଂପ୍ରତିକ ସ୍ଥିତିରେ ଉପରୋକ୍ତ କମ୍ପାନୀମାନଙ୍କ ପାଇଁ ୧୦ ରୁ ୧୨ ହଜାର କୋଟି ଟଙ୍କାର ଆବଶ୍ୟକତା ଥିବା କୁହାଯାଇଥିବା ବେଳେ ଏବେ ୨୫୦୦ କୋଟି ଟଙ୍କା ଯୋଗାଇ ଦିଆଯାଇ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଅଣାଯିବା ଲାଗି ଉଦ୍ୟମ କରାଯିବ । ଏହାବ୍ୟତୀତ ୨୦୧୮-୧୯ ବଜେଟ୍ରେ ଉପରୋକ୍ତ କମ୍ପାନୀମାନଙ୍କ ମିଶ୍ରଣ ଲାଗି ଘୋଷଣା କରାଯାଇଥିଲା ବେଳେ ଏବେ ଏହାକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ୩ ସାଧାରଣ ବୀମା କମ୍ପାନୀଗୁଡିକର ମିଶ୍ରଣ କରାଯାଇ ଏକକ କମ୍ପାନୀ କରିବାକୁ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମିଶ୍ରଣ ପ୍ରକ୍ରିୟାକୁ ନେଇ କେତେକ ସମସ୍ୟା ଦେଖାଯିବା ସହିତ ଏଗୁଡିକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ଏହା କାର୍ଯ୍ୟକାରୀ କରାଯାଇପାରିନଥିଲା । ତେବେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯିବା ସହିତ ନୂତନ କମ୍ପାନୀକୁ ଷ୍ଟକ୍ ଏକ୍ସଚେଞ୍ଜ ତାଲିକାଭୁକ୍ତ କରିବାକୁ ଯୋଜନା କରାଯାଇଥିବା କୁହାଯାଇଛି । ଏହି ତିନୋଟି କମ୍ପାନୀର ମିଶ୍ରଣରେ ଗଠନ ହେବାକୁ ଯାଉଥିବା କମ୍ପାନୀ ଭାରତର ସର୍ବବୃହତ ସାଧାରଣ ବୀମା କମ୍ପାନୀ ଭାବେ ପ୍ରତିଷ୍ଠାଲାଭ କରିବା ସହିତ ଏହାର ମୂଲ୍ୟ ୧.୨ ରୁ ୧.୫ ଲକ୍ଷ କୋଟି ଟଙ୍କା ହେବ । ବର୍ତ୍ତମାନ ସମସ୍ତ କମ୍ପାନୀଗୁଡିକର ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ବୀମା ଉତ୍ପାଦ ରହିଥିଲା ବେଳେ ମୋଟ ପ୍ରିମିୟମ ପରିମାଣ ୪୧,୪୬୧ କୋଟି ଟଙ୍କା ରହିଥିବା କୁହାଯାଇଛି ।

Leave a Reply

Your email address will not be published.