୩ ବର୍ଷରେ ବି ଗୋଟିଏ ହେଲେ ଗାଁକୁ ସରକାର କରିନାହାନ୍ତି ନିଶାମୁକ୍ତ

0
278
advertisement

ଭୁବନେଶ୍ୱର, (ଓଟି): ଓଡ଼ିଶାର ଯୁବ ସମାଜ ମଧ୍ୟରେ ନିଶାର ଭୟଙ୍କର ପ୍ରସାର ଘେନି ରାଜ୍ୟ ଯୁବ ନୀତିରେ ଉଦ‌୍‍ବେଗ ପ୍ରକାଶ କରାଯିବା ସହିତ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିବା ବେଳେ ଏଯାବତ‌୍‍ ସରକାର ଗୋଟିଏ ହେଲେ ନିଶାମୁକ୍ତ ଗ୍ରାମ ସୃଷ୍ଟି କରିପାରିନାହାନ୍ତି। ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପସ୍ଖରିଥିବା ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି ଯେ ୨୦୧୩ ଅପ୍ରେଲ ମାସରେ ଓଡ଼ିଶା ରାଜ୍ୟ ଯୁବନୀତି ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠିର ମିଳିତ ଉଦ୍ୟମରେ ଏହି ନୀତିକୁ ରାଜ୍ୟ ସରକାର ଜାରି କରିଥିଲେ।

ରାଜ୍ୟର ଯୁବ ସମାଜ ମଧ୍ୟରେ ନିଶାର ଭୟଙ୍କର ପ୍ରସାର ଘେନି ଯୁବନୀତିରେ ଉଦ‌୍‍ବେଗ ପ୍ରକାଶ ସହ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଯେଉଁ ଘୋଷଣା କରାଯାଇଥିଲା ତଦନୁଯାୟୀ ରାଜ୍ୟ ସରକାର କେଉଁ କେଉଁ ଗ୍ରାମକୁ ନିଶାମୁକ୍ତ କରାଇଛନ୍ତି ତାହାର ଜିଲ୍ଲାୱାରୀ ତାଲିକା ଉପସ୍ଥାପନ ସହିତ ଏହି ନୀତି ଘୋଷଣା ପରଠାରୁ ରାଜ୍ୟରେ ନିଶା ବ୍ୟବହାର କମିଛି ନା ବଢ଼ିଛି ସେ ସଂକ୍ରାନ୍ତରେ ଶ୍ରୀ ରାୟ ନିର୍ଦ୍ଦିଷ୍ଟ ପ୍ରଶ୍ନ କରିଥିଲେ ମଧ୍ୟ ମନ୍ତ୍ରୀ ଏହାର ଉତ୍ତର ଦେଇପାରିନାହାନ୍ତି।

ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯୁବଗୋଷ୍ଠୀର ସ୍ୱାସ୍ଥ୍ୟ ଓ ସୁସ୍ଥ ଅବସ୍ଥା ନିମନ୍ତେ ଯୁବକମାନେ ଯେଭଳି ନିଶା ଓ ତମାଖୁର ଶିକାର ନ ହେବେ ସେଥିଲାଗି ଏକ ସକ୍ଷମ ବାତାବରଣ ସୃଷ୍ଟି ପାଇଁ ପ୍ରଚେଷ୍ଟା କରାଯାଇଛି। ଏହି କ୍ରମରେ ସକ୍ରିୟ ନାଗରିକତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଦୃଶ୍ୟଚିତ୍ର ମାଧ୍ୟମରେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାୟ ଅଢ଼େଇ ହଜାର ଶିକ୍ଷାନୁଷ୍ଠାନ ଏବଂ ବସ୍ତି ଅଞ୍ଚଳରେ ଚଳାଯାଇ ୫ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ସଚେତନ କରାଯାଇଛି।

ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ନିଶା ନିବାରଣ କେନ୍ଦ୍ର ଖୋଲି ପୀଡ଼ିତ ଯୁବବର୍ଗଙ୍କୁ ଉଚିତ‌୍‍ ସେବା ଯୋଗାଇ ଆସୁଛନ୍ତି। ଏହାଛଡ଼ା କଟକ ଓ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳରେ ବି ନିଶା ନିବାରଣ କେନ୍ଦ୍ର ଖୋଲିଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କୋରାପୁଟ, ମୟୂରଭଞ୍ଜ ଓ ବଲାଙ୍ଗୀରରେ ଆଉ ୩ଟି ନିଶା ନିବାରଣ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ଥିବା ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।