ହାତୀଙ୍କୁ ଅଟକାଇବେ ମହୁମାଛି

0
15

ଭୁବନେଶ୍ୱର(ଓଟି) ମହୁମାଛି ମାନଙ୍କୁ ବ୍ୟବହାର କରି ହାତୀ ମାନଙ୍କ କବଳରୁ ଫସଲକୁ ରକ୍ଷା କରାଯାଇ ପାରୁଛି। ଏହି ମାଛିମାନେ କେବଳ ହାତୀଭଳି ବିରାଟକାୟ ଜୀବଙ୍କୁ ଅଟକାଉ ନାହାନ୍ତି ଫସଲ ଉପିାଦନ ବୃଦ୍ଧିରେ ମଧ୍ୟ ସହାୟକ ହେବାରେ ଲାଗିଛନ୍ତି।

ଆଫ୍ରିକା ମହାଦେଶରେ ହାତୀମାନଙ୍କୁ ରୋକିବାପାଇଁ ବ୍ୟବହାର ହେଉଥିବା ଏହି ଜ୍ଞାନକୌଶଳ ପ୍ରଥମଥର ପାଇଁ ଓଡିଶାରେ ପ୍ରୟୋଗ କରାଯାଇଛି। ବ୍ରିଟେନସ୍ଥିତ ସଂସ୍ଥା ବିସ‍୍‌ ଫର‍୍‌ ଡେଭଲପମେଣ୍ଟ ଓ େସ୍ୱଚ୍ଛାସେବୀ ସଂସ୍ଥା ଜୀବନରେଖା ପରିଷଦ (ଜେଆରପି) ମିଳିତ ଭାବେ ଢେଙ୍କାନାଳ ଠାରେ ଥିବା କଳିଙ୍ଗ କୃଷିଫାର୍ମରେ ଏହି ଜ୍ଞାନକୌଶଳ ବ୍ୟବହାର କରି ସଫଳତା ହାସଲ କରିଛନ୍ତି।

ଜେଆରପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଫ୍ରିକାର ସେନିଗାଲ ଓ କେନିୟାରେ ହାତୀ ଉପଦ୍ରବରୁ ନିଜର ଫସଲ ଓ ବିଶେଷକରି ଗଲଫ୍ ପଡିଆକୁ ରକ୍ଷାକରିବାପାଇଁ ମହୁମାଛି ମାନଙ୍କୁ ବ୍ୟବହାର କରାଯାଇଥିଲା। ସେଠାରେ ଏଥିରୁ ଲୋକେ ବ୍ୟାପକ ସୁଫଳ ପାଇଲେ ଏବଂ ସେମାନଙ୍କ ଫସଲ ଉପିାହନହାର ବି ବଢିବାରେ ଲାଗିଲା।

ଦୀର୍ଘଦିନ ଧରି ମହୁଚାଷ ଉପରେ କାର୍ଯ୍ୟକରୁଥିବା ଜେଆରପି ଓଡିଶାରେ ଏହି ଜ୍ଞାନକୌଶଳ ପ୍ରୟୋଗ କରିଛି। ଢେଙ୍କାନାଳ ଜିଲ୍ଲା ଜାଇଲୋ ଗ୍ରାମରେ ଥିବା ୧୦୦ ଏକର ପରିମିତ କଳିଙ୍ଗ କୃଷିଫାର୍ମ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦ ଏକର ଅଞ୍ଚଳରେ ହାତୀଙ୍କୁ ରୋକିବାପାଇଁ ବ୍ୟବସ୍ଥା ହୋଇଛି। ଏଥିପାଇଁ ଦୁଇଟି ଉଚ୍ଚ ଖମ୍ୱ ମଝିରେ ମହୁମାଛି ଥିବା ବାକ୍ସକୁ ଝୁଲାଇ ଦିଆଯାଇଛି ଯେଭଳି ହାତୀମାନେ ଫସଲ ଖାଇବାକୁ ଆସିଲାମାତ୍ରେ ସେମାନଙ୍କ ଶରୀର ଓ ଶୁଂଢ଼  ମହୁବାକ୍ସରେ ବାଜିବ। ଥରେ ହାତୀ ଶୁଂଢ଼ ବାଜି ମହୁବାକ୍ସ ହଲିରେ ମାଛିମାନେ ହାତୀକୁ ଗୋଡାଇ ଗୋଡାଇ ଦଂଶନ କରିବେ।

ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା ଜେଆରପିର ଜଣେ କର୍ମଚାରୀ କହିଛନ୍ତି ଯେ ହାତୀମାନେ ଅତ୍ୟନ୍ତ ସମ୍ୱେଦନଶୀଳ ଜୀବ ହୋଇଥିବାରୁ ଯେଉଁସ୍ଥାନରେ ଥରୁଟିଏ ମହୁମାଛିଙ୍କ ଦଂଶନର ଶିକାର ହେବେ ପରବର୍ତ୍ତୀ ସମୟରେ ସେହି ସ୍ଥାନକୁ ଆଉ ଆସିବେ ନାହିଁ। ନିକଟରେ ଗୋଟିଏ ହାତୀପଲ ମହୁମାଛି ଆକ୍ରମଣର ଶିକାର ହୋଇ ଜଙ୍ଗଲକୁ ଫେରିଯାଇଥିବାବେଳେ ପୁନଃ ପ୍ରବେଶପାଇଁ ଉଦ୍ୟମ କରିନାହାନ୍ତି।

ରାଜ୍ୟରେ ହାତୀ ମାନଙ୍କୁ ଅଳ୍ପ ଖର୍ଚ୍ଚରେ ଘଉଡାଇବାପାଇଁ ବ୍ୟବହାର କରାଯାଉଥିବା ଏହି ବ୍ୟବସ୍ଥାରେ ଇଣ୍ଡିଆ ଇଣ୍ଡିକା ନାମକ ଦେଶୀ ପ୍ରଜାତିର ମହୁମାଛି ମାନଙ୍କୁ ବ୍ୟବହାର କରାଯାଉଛି। ଦଶ ଏକର ଜମିର ସୁରକ୍ଷାପାଇଁ ପ୍ରାୟ ୧୦୦ ଟି ମହୁମାଛି ବାକ୍ସ ଟଙ୍ଗା ଯାଇଥିବାବେଳେ ମାଛି ସହିତ ଗୋଟିଏ ବାକ୍ସପିଛା ପ୍ରାୟ ୨୫୦୦ ଟଙ୍କାକରି ବ୍ୟୟ ହେଉଛି। ହାତୀ ମାନଙ୍କୁ ରୋକିବାପାଇଁ ଆପଣାଯାଉଥିବା ଅନ୍ୟାନ୍ୟ ବ୍ୟୟ ତୁଳନାରେ ଏହା ପ୍ରାୟତଃ କମ‍୍‌। ଏଠାରେ ଉଲ୍ଲେଖ କରାଯାଉଥିବା ହାତୀ ମାନଙ୍କ ଦାଉରୁ ଫସଲକୁ ରକ୍ଷା ସହିତ ସେମାନେ ଯେଭଳି ଜନବସତି ଭିତରକୁ ଆସି ଧନଜୀବନ କ୍ଷତି ନକରିବେ ସେଥିପାଇଁ ସୌରଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ଘେରାଯିବା ସହିତ ଟ୍ରେଞ୍ଚ ବି ଖୋଳାଯାଉଛି। ହେଲେ ଏଥିରୁ ସେତେଟା ସୁଫଳ ମିଳିପାରୁ ନାହିଁ।

Loading...