ସ୍ୟାଟ‌୍‍ରେ ଅଧ୍ୟକ୍ଷଙ୍କ ସମେତ ୪ଟି ବିଚାରପତି ପଦବୀ ଖାଲି: ପଡ଼ିରହିଛି ୬୧,୯୫୯ ମାମଲା

0
25

ଭୁବନେଶ୍ୱର(ଓଟି): ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ‌୍‍)ରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ସଂକ୍ରାନ୍ତୀୟ ଏକ ପ୍ରଶ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଡ଼ାଇ ଯାଇ ସ୍ୟାଟ‌୍‍ ଉଚ୍ଛେଦ ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ଚାହିଁଛନ୍ତି ତାହା ହାଇକୋର୍ଟଙ୍କ ସହ ଆଲୋଚନା ପରେ ଜଣାଇ ଦିଆଯିବ ବୋଲି ରୋକ‌୍‍ଠୋକ‌୍‍ ଭାବେ କହିଛନ୍ତି।
ସ୍ୟାଟ‌୍‍ରେ ଅଧ୍ୟକ୍ଷଙ୍କ ସମେତ କେତୋଟି ସଦସ୍ୟ ପଦବୀ କେବେଠାରୁ ଖାଲିପଡ଼ିଛି ଓ ଏଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଜେପି ବିଧାୟକ ଦିଲିପ ରାୟ ଏକ ପ୍ରଶ୍ନ ବିଧାନସଭାରେ ଉଠାଇଥିଲେ। ସ୍ୟାଟ‌୍‍ ପାଇଁ ଚଳିତ ଆର୍ଥିକ ବର୍ଷର ଲେଖାନୁଦାନ ଓ ବାର୍ଷିକ ବଜେଟ‌୍‍ରେ କେତେ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଗତ ଆର୍ଥିକ ବର୍ଷରେ କେତେ ବ୍ୟବସ୍ଥା ହୋଇଥିଲା ତାହା ଜାଣିବାକୁ ଚାହିଁବା ସଙ୍ଗେ ସଙ୍ଗେ ସ୍ୟାଟ‌୍‍ରେ ଏବେ କେଉଁ କିସମର କେତେ ମାମଲା ବିଚାର ପାଇଁ ରହିଛି ଓ ସେଥିରୁ ୫ ବର୍ଷରୁ ପୁରୁଣା ମାମଲା ସଂଖ୍ୟା କେତେ ସେ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ରାୟ ପ୍ରଶ୍ନ ଉଠାଇଥିଲେ।
ଏହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୟାଟ‌୍‍ର ଅଧ୍ୟକ୍ଷ ପଦବୀଟି ୨୦୧୩ ଜୁନ‌୍‍ ମାସରୁ ଖାଲି ପଡ଼ିଥିବା ବେଳେ ୨୦୧୪ ଫେବୃଆରୀରୁ ୨ଟି ସଦସ୍ୟ ଓ ୨୦୧୫ ମାର୍ଚ୍ଚରୁ ଆଉ ଗୋଟିଏ ସଦସ୍ୟ ପଦବୀ ଖାଲି ପଡ଼ିଛି। ସ୍ୟାଟ‌୍‍ ଉଚ୍ଛେଦ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର କେତେକ ସ୍ପଷ୍ଟୀକରଣ ଲୋଡ଼ିଥିବା ବେଳେ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହାର ଠିକଣା ଉତ୍ତର ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଚଳିତବର୍ଷ ଲେଖାନୁଦାନରେ ସ୍ୟାଟ‌୍‍ ପାଇଁ ୧,୩୨,୫୯,୦୦୦ ଟଙ୍କା ଓ ବଜେଟ‌୍‍ରେ ୮,୮୫,୦୧,୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ୟାଟ‌୍‍ ଲାଗି ୬,୯୭,୬୯,୦୦୦ ଟଙ୍କା ବରାଦ କରିଥିଲେ। ସ୍ୟାଟ‌୍‍ରେ ଏବେ ୩୬,୩୩୨ଟି ମୂଳ ମାମଲା, ୧୬,୬୯୭ଟି ବିବିଧ ମାମଲା ଓ ୮,୯୩୦ଟି ଅଦାଲତ ଅବମାନନା ମାମଲା ବିଚାର ପାଇଁ ରହିଛି। ଏଥିମଧ୍ୟରୁ ୨୪,୧୩୨ଟି ମୂଳ ମାମଲା, ୩,୫୨୦ଟି ବିବିଧ ମାମଲା ଓ ୮,୯୩୦ଟି ଅଦାଲତ ଅବମାନନା ମାମଲା ୫ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଏହି ତଥ୍ୟରୁ ସ୍ୟାଟ‌୍‍ରେ ମୋଟାମୋଟି ଭାବେ ୬୧,୯୫୯ଟି ମାମଲା ଥିବା ବେଳେ ସେଥିରୁ ୫ବର୍ଷରୁ ପୁରୁଣା ମାମଲା ସଂଖ୍ୟା ୩୬,୫୮୨ ବୋଲି ଜଣାପଡ଼ିଛି।

Loading...