ରାଜ୍ୟର ୬୫୦ ହୋଟେଲର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାହିଁ

0
20

[dropcap]ରା[/dropcap]ଜ୍ୟର ୬୫୦ ରୁ ଅଧିକ ହୋଟେଲ ଏବେ ବି ବିନା ପ୍ରମାଣପତ୍ର ଅଥବା ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଅଣଦେଖା କରି ହୋଟେଲ ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଅନୁମତି ପତ୍ର ହାସଲ କରିଥିବାବେଳେ ଆଉ କେତେକଙ୍କୁ କାରଣ ଦର୍ଶାଅ ନୋଟିସ‍୍‌ ଜାରି ହୋଇଛି। ବର୍ତ୍ତମାନ ସୁଦ୍ଧା ବୋର୍ଡ ପକ୍ଷରୁ କେତେକ ହୋଟେଲ ଉପରେ ଚଢଉ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୫ ଟି ହୋଟେଲକୁ ବନ୍ଦପାଇଁ ନୋଟିସ‍୍‌ ଜାରି ହୋଇଛି।

ଭୁବନେଶ୍ୱର,(ଓଟି): ବେଆଇନଭାବେ ବର୍ଜ୍ୟବସ୍ତୁ ନିଷ୍କାସନ କରୁଥିବାରୁ ରାଜ୍ୟର ୬୫୦ଟି ହୋଟେଲ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜରରେ। ପ୍ରଦୂଷଣ କରୁଥିବା ଅଭିଯୋଗରେ ୪୫ଟି ହୋଟେଲକୁ ବୋର୍ଡ ପକ୍ଷରୁ ବନ୍ଦ ନୋଟିସ‍୍‌ ଦିଆଯାଇଥିବାବେଳେ ବିନା କାଗଜପତ୍ରରେ ଚାଲୁଥିବା ହୋଟେଲ ସଂକ୍ରାନ୍ତରେ ଖୋଳତାଡ ଚାଲିଛି।

ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରମୁଖ ସହର ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ସମ୍ୱଲପୁର, ରାଉରକେଲା ଓ ବ୍ରହ୍ମପୁର ଆଦି ସହରରେ ୮୬୮ ଟି ହୋଟେଲ ଚାଲୁଥିବା ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୧୫୮ ଟି ହୋଟେଲ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ସମ୍ମତିପତ୍ର ମିଳିଛି।

ଏହିସବୁ ସମୟରେ ଥିବା ୬୫୦ ରୁ ଅଧିକ ହୋଟେଲ ଏବେ ବି ବିନା ପ୍ରମାଣପତ୍ର ଅଥବା ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଅଣଦେଖା କରି ହୋଟେଲ ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଅନୁମତି ପତ୍ର ହାସଲ କରିଥିବାବେଳେ ଆଉ କେତେକଙ୍କୁ କାରଣ ଦର୍ଶାଅ ନୋଟିସ‍୍‌ ଜାରି ହୋଇଛି। ବର୍ତ୍ତମାନ ସୁଦ୍ଧା ବୋର୍ଡ ପକ୍ଷରୁ କେତେକ ହୋଟେଲ ଉପରେ ଚଢଉ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୫ ଟି ହୋଟେଲକୁ ବନ୍ଦପାଇଁ ନୋଟିସ‍୍‌ ଜାରି ହୋଇଛି।

ରାଜ୍ୟର ୧୨ ଟି ଜିଲ୍ଲାରେ ଥିବାବେଳେ ଏହି ହୋଟେଲ ଗୁଡିକ ମଧ୍ୟରୁ ସର୍ବାଧିକ ୯ ଟି ରହିଛି ପୁରୁଣା ରାଜଧାନୀ କଟକରେ। ୭ ଟି ହୋଟେଲ ରହିଛି ରାଜ୍ୟର ଅଗ୍ରଣୀ ପର୍ଯ୍ୟଟନ କ୍ଷେତ୍ର ପୁରୀରେ। ଏହା ପଛକୁ ରହିଛି ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ୬ ଟି ହୋଟେଲକୁ ବନ୍ଦ ନୋଟିସ‍୍‌ ଜାରି ହୋଇଥିବାବେଳେ ତାଲିକାରେ ରାଜଧାନୀର ତିନୋଟି ହୋଟେଲ ରହିଛି। ଏହାବାଦ‍୍‌ ରାୟଗଡା ଓ ବାଲେଶ୍ୱର ଜିଲ୍ଲାରେ ଚାରିଟି କରି ହେଟେଲ ଥିବାବେଳେ କଳାହାଣ୍ଡି, କୋରାପୁଟ, ଭଦ୍ରକ ଓ ଗଞ୍ଜାମରେ ଦୁଇଟି କରି ହୋଟେଲ ରହିଛି। ମୟୁରଭଞ୍ଜ ଜିଲ୍ଲାରେ ୩ ଟି ହୋଟେଲ ରହିଥିବାବେଳେ ଜଗତ୍ସିଂହପୁର ଜିଲ୍ଲାରେ ରହିଛି ଗୋଟିଏ।

ଏହିସବୁ ହୋଟେଲ ଗୁଡିକ ଜଳ ଠାରୁ ଆରମ୍ଭକରି ବାୟୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ହୋଟେଲରେ ବ୍ୟବହୃତ ହେଉଥିବା ଜଳକୁ ଏମାନେ ଠିକଣା ଭାବେ ବିଶୋଧନ ନକରି ବାହାରକୁ ଛାଡି ଦେଉଛନ୍ତି। ସେହିଭଳି ରୋଷଶାଳାରୁ ବାହାରୁଥିବା ଧୂଆଁ ବି ପରିବେଶକୁ ପ୍ରଦୂଷଣ କରୁଛି। ପ୍ରତିଦିନ ହୋଟେଲରୁ ବାହାରୁଥିବା ବର୍ଜ୍ୟବସ୍ତକୁ ବି ଏହି ହୋଟେଲ ଗୁଡିକ ନିୟମ ଅନୁଯାୟୀ ନଷ୍ଟ କରୁନଥିବା ବୋର୍ଡ ନଜରକୁ ଆସିଛି।

ଏହି ସମସ୍ତ ହୋଟେଲ ବାହାରେ ବି ରାଜ୍ୟରେ ଆଉ କେତେକ ଛୋଟବଡ ଭୋଜନାଳୟ ରହିଛି ଯେଉଁମାନେ ନା ନେଇଛନ୍ତି ପରିବେଶ ଅନୁମତି ନା ସେମାନଙ୍କ ହୋଟେଲରେ ଯାଞ୍ଚ କରୁଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏମାନେ ଖୋଲାଖୋଲି ଭାବେ ପରିବେଶ ପ୍ରଦୂଷଣ କରୁଥିବାବେଳେ ସାଧାରଣ ଲୋକେ ପ୍ରଦୂଷଣର ଶିକାର ହେବା ସାର ହେଉଛି।

Loading...