ରାଜସ୍ୱ ଖାଉଥିବା ରାଜ୍ୟ ସରକାର ମହାପ୍ରଭୁଙ୍କ ଦେବସ୍ୱ ଖାଇବା ମହା ଅପରାଧ : ବିଜେପି

0
16

-ନବ କଳେବର କର୍ପସ ପାଣ୍ଠିରୁ ୧୦୦ କୋଟି ଟଙ୍କା ହେରଫେର ନେଇ ସିଏଜିଙ୍କୁ କାହିଁକି ସ୍ପଷ୍ଟୀକରଣ ଦେଲେ ନାହିଁ ରାଜ୍ୟ ସରକାର
-ପ୍ରଶ୍ନର ଉତ୍ତର ନ ଦେବା ଦ୍ୱାରା ସରକାର ତାଙ୍କର ଦୋଷ ତ୍ରୁଟିକୁ ପ୍ରକାରାନ୍ତରର ସ୍ୱୀକାର କରୁଛନ୍ତି
-କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଥିଲେ
-ନବ କଳେବର ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ତହବିଲରୁ ରାଜ୍ୟ ତହବିଲକୁ ୫୦ କୋଟି ଟଙ୍କା ଆସିଥିଲା
-ଭିତ୍ତିଭୂମି ଉନ୍ମୋଚନ ସମୟରେ ବିଜେଡି ଅଯଥା କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରିବା ଦଳର ନ୍ୟୁନ ମାନସିକତାକୁ ସ୍ପଷ୍ଟ କରିଥିଲା
-ସେବାୟତଙ୍କ ସମ୍ପତି ବ୍ୟାଜାପ୍ତ କରାଯାଉଥିବା ବେଳେ ଗର୍ଭଗୃହରେ ଅନାଧିକାର ପ୍ରବେଶ ପାଇଁ ବରିଷ୍ଠ ଆଇଏଏସ ରାଜେଶ ବର୍ମାଙ୍କ ବିରୁଦ୍ଧରେ ରାଜ୍ୟ ସରକାର ପଦକ୍ଷେପ ନେଉ ନାହାନ୍ତି କାହିଁକି ?

 

ଭୁୁବନେଶ୍ୱର,(ଓଟି): ବାରମ୍ୱାର ରାଜ୍ୟର ରାଜସ୍ୱ ତୋଷାରପାତ କରୁଥିବା ରାଜ୍ୟ ସରକାର ମହାପ୍ରଭୁଙ୍କ ଦେବସ୍ୱକୁ ଖାଇଯିବାର ପ୍ରମାଣ ସାମନାକୁ ଆସିବା ପରେ ଏହି ମାମଲାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟୀକରଣ ଲୋଡିଛି ବିଜେପି। ମହାପ୍ରଭୁଙ୍କ ନବ କଳେବର ପାଇଁ ରାଜ୍ୟ ସରକାର ତିନି ଶହ କୋଟି ଟଙ୍କାର କର୍ପୋସ ପାଣ୍ଠି ଗଠନ କରିଥିବା ବେଳେ ଶହେ କୋଟି ଟଙ୍କାର ହେରଫେର ନେଇ ସିଏଜି ସନ୍ଦେହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ ମଧ୍ୟ ରାଜ୍ୟ ସରକାର ଜାଣି ଶୁଣି ଏ ସବୁ ପ୍ରଶ୍ନର ଉତର ନ ଦେବା ତାଙ୍କର ଦୋଷ ତ୍ରୁଟିକୁ ପ୍ରକାରାନ୍ତରର ସ୍ୱୀକାର କରୁଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ନବ କଳେବର ପୂର୍ବରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଭିତିଭୂମି ବିକାଶ ପାଇଁ ପର୍ଯାପ୍ତ ଅର୍ଥ ବ୍ୟୟବରାଦ କରିଥିଲେ। ନବ କଳେବର ଇତିହାସରେ ପ୍ରଥମ ଥର ପାଇଁ ନବ କଳେବର ଆୟୋଜନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୫୦ କୋଟି ଟଙ୍କା ସିଧା ସିଧା ପ୍ରଦାନ କରିଥିଲେ। ନବ କଳେବରରେ କେନ୍ଦ୍ରୀୟ ଅବହେଳା ନେଇ ଜନ ଭାବନା ତିଆରି କରିବା ପାଇଁ ରାଜ୍ୟ ସରକାର ସବୁ ବେଳେ ବୃଥା ଉଦ୍ୟମ କରି ଆସିଥିଲେ। ବିଭିନ୍ନ ଭିତିଭୂମି ଉନ୍ନୟନ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ବେଳେ କେନ୍ଦ୍ରୀୟ ମନ୍ତ୍ରୀ ବିଶେଷ ଭାବରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିକୁ ବିରୋଧ କରି ଶାସକ ବିଜେଡି ଦଳ ତାର ହୀନମନ୍ୟତାର ପରିଚୟ ଦେଇଥିଲା।

ବର୍ତମାନ ରାଜ୍ୟ ସରକାର ତିଆରି କରିଥିବା କର୍ପସ ଫଣ୍ଡର ଅନିୟମିତତା ସାମନାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିବା ସହ ସିଏଜି ମାଗିଥିବା ସମସ୍ତ ତଥ୍ୟକୁ ରାଜ୍ୟ ସରକାର ପ୍ରଦାନ କରି ବିଶେଷ ଅଡିଟ ପାଇଁ ବ୍ୟବସ୍ଥା କରିବା ସହ ବିଧାନସଭାରେ ଏ ସମସ୍ତ ରିପୋର୍ଟକୁ ଆଗତ କରି ବିତର୍କ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଶ୍ରୀ ମହାନ୍ତି ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, କାଯ୍ର୍ୟାନୁଷ୍ଠାନ ଆଳରେ ରାଜ୍ୟ ସରକାର ମହାପ୍ରଭୁଙ୍କ ସେବକମାନଙ୍କ ସମ୍ପତି ବ୍ୟାଜାପ୍ତ କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଆଇଏଏସ ରାଜେଶ ବର୍ମା ତାଙ୍କ ପରିବାର ସହିତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗର୍ଭଗୃହରେ ଅନାଧିକାର ପ୍ରବେଶ କରିଥିଲେ ମଧ୍ୟ ସରକାର କାହିଁକି ଚୁପ ବସିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Loading...