ରଥଯାତ୍ରାର ନଥି (୨): ଗଜପତିଙ୍କୁ ତଣ୍ଡ

0
49
ବ୍ରିଟିଶ ସମୟରେ ରଥଯାତ୍ରାର ଏକ କାଳ୍ପନିକ ଚିତ୍ର

ଶ୍ରୀମନ୍ଦିର ପରିଚାଳନାକୁ ସୁରୁଖୁର ପାଇଁ ଇଂରେଜମାନଙ୍କ ପଦକ୍ଷେପ ଆରମ୍ଭ ହୋଇସାରିଥାଏ। ଏଥିରେ ଯେମିତି ଲୋକଙ୍କ ଧର୍ମୀୟ ଭାବନା ଆଞ୍ଚ‌୍‍ ନହେବ ସେଥିପ୍ରତି ଧ୍ୟାନ ଦେଇଥାଆନ୍ତି ଅଫିସର‌୍‍ମାନେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ‌୍‍ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗାଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ‍୍‌ ହେଲେ ତାଙ୍କୁ ଦଣ୍ଡ ଭୋଗ କରିବାକୁ ପଡ଼ୁଥିଲା।

… ଜୟ ଜଗନ୍ନାଥ

(୨)

୧୮୭୩-ଗଜପତିଙ୍କୁ ତଣ୍ଡ

ଇଂରେଜ ଅଧିକାରୀମାନେ ପ୍ରଥମେ ପ୍ରଥମେ ଏପରି ବିଶାଳକାୟ ରଥ ଦେଖି ବେଶ‍୍‌ ଚକିତ ହୋଇପଡ଼ିଥିଲେ। ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ହେତୁ ଅଘଟଣ ଘଟିବା ଆଶଙ୍କା କରି ସେତେବେଳର ଲେଫ୍ଟନାଣ୍ଟ‌୍‍ ଗଭର୍ଣ୍ଣର ବ୍ରିଟିଶ‍୍‌ ସରକାରଙ୍କୁ ପତ୍ର ଲେଖିଲେ। ଏହା ୧୮୭୩ ମସିହା ପ୍ରାରମ୍ଭ କଥା। ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା। କିନ୍ତୁ ଭିତିରି ଉଦ୍ଦେଶ୍ୟ ଅଲଗା ଥିଲା। ରଥର ଆକାର ବେଶ‍୍‌ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ ଚିଠିରେ କୁହାଯାଇଥିଲା ଯେ, ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ। ଏଣୁ ବଡ଼ ବଡ଼ ରଥକୁ ଅପସାରଣ କରି ସେହି ସ୍ଥାନରେ ଛୋଟ ଛୋଟ ରଥର ପ୍ରଚଳନ କରିବା ଲାଗି ଆଦେଶ ଦିଆଯାଉ। ଫଳରେ ପ୍ରତିବର୍ଷ ଘଟୁଥିବା ଅଘଟଣକୁ ଦୂର କରାଯାଇପାରିବ। ହେଲେ ବ୍ରିଟିଶ‍୍‌ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ଏଥିର ଧର୍ମୀୟ ଭାବନା କ୍ଷୁର୍ଣ୍ଣ ହେବାର ଗନ୍ଧ ବାରି ଉେତ୍ତଜନା ଆଶଙ୍କା କଲେ ଲର୍ଡ଼ ନର୍ଥ ବ୍ରୁକ୍। ତାଙ୍କ ଅନୁସାରେ ବହୁ ପୁରାତନ କାଳରୁ ଏପରି ରଥଯାତ୍ରା ହେଉଛି। କିନ୍ତୁ କେବେ ବଡ଼ ଧରଣର କୌଣସି ଦୁର୍ଘଟଣା ଘଟିନାହିଁ। ପୁଣି ଯଦି କେଉଁଠି ଛୋଟମୋଟ ଅଘଟଣ ଘଟେ ତାହାକୁ ମାଜିଷ୍ଟ୍ରେଟ‍୍‌ ଓ ପୁଲିସର ସାବଧାନତା ଯୋଗୁ ଏଡ଼ାଇ ଦିଆଯାଇପାରିବ। ଫଳରେ ଚକ୍ରାନ୍ତକାରୀ ଇଂରେଜ ଅଧିକାରୀଙ୍କ ଉଦ୍ୟମ ପଣ୍ଡ ହେଲା। ସେମାନେ ଗଜପତିଙ୍କ ଉପରେ ଦାଉ ସାଧିଲେ। ପୁରୀ ଦାୟିତ୍ୱରେ କଲେକ୍ଟର ଆର୍ମଷ୍ଟ୍ରଙ୍ଗ୍ ଶ୍ରୀମନ୍ଦିର ପରିଚାଳନା ପାଇଁ ସୁପରିଣ୍ଟେଣ୍ଡେଣ୍ଟ‌୍‍ ଅଥବା ଗଜପତି ସରକାରଙ୍କ ପାଖରେ ଉତ୍ତରଦାୟୀ ବୋଲି ବିଚାର କଲେ। ପୁଣି ଯଦି ବିଶୃଙ୍ଖଳା ହୁଏ ତେବେ ସେଥିଲାଗି ତଣ୍ଡ ଗଣିବାକୁ ମଧ୍ୟ ବିଧି ହେଲା। ଅବଶ୍ୟ ଏହା ପୂର୍ବରୁ ରାଜାଙ୍କ କର୍ମଚାରୀମାନେ ଅନେକ ସମୟରେ ମନ୍ଦିର ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା, ଯେଉଁଥିଲାଗି ଠାକୁରଙ୍କ ନୀତି ବ୍ୟାଘାତବି ହୋଇଥିବା ନଜୀର ରହିଛି। ଏହି ତଣ୍ଡ ଗଣିବା ନୀତି ଅନୁସାରେ ୧୮୭୩ ମସିହାର ସ୍ନାନ ଯାତ୍ରା ବେଳେ ହୋଇଥିବା ଅଘଟଣ ଲାଗି ପ୍ରଥମ କରି ରାଜାଙ୍କ ଉପରେ ୧୦ ଟଙ୍କା ତଣ୍ଡ ହେଲା। ଯଦି ଏହା ପରେ ଆଉ କେବେ ଏପରି ପରିଚାଳନାଗତ ତ୍ରୁଟି ରହିବ ତେବେ ରାଜା ୧୦୦୦ ଟଙ୍କା ଯାଏ ତଣ୍ଡ ଗଣିବାକୁ ବାଧ୍ୟ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ରାଜାଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ଦୁଇଜଣ ଇଂରେଜ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ଫଳରେ ରାଜା ଯେମିତି ନିଜ ଫାଇଦା ଲାଗି ରୀତିନୀତିରେ ପରିବର୍ତ୍ତନ ନକରୁଛନ୍ତି ତାହାର ବିଚାର ଖୁବ‍୍‌ ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଇଥିଲା। ଏପରି ତଣ୍ଡ ବ୍ୟବସ୍ଥା ଥିବାରୁ ରାଜା ସତର୍କ ହୋଇଥିଲେ ଏବଂ ୧୮୭୩ ରଥଯାତ୍ରା ବେଶ‍୍‌ ସୁରୁଖୁରୁ ହୋଇଥିବା କୁହାଯାଏ। ସେହିବର୍ଷ ପାଖାପାଖି ୧ ଲକ୍ଷ ଲୋକ ନବ ଯୌବନ ଦର୍ଶନ କରିଥିଲେ। ରଥାଯାତ୍ରା ଦିନ ପହଣ୍ଡି ବିଜେ ଶୀଘ୍ର ଆରମ୍ଭ ହେଲା। ଅପରାହ୍ନ ୩ଟା ସୁଦ୍ଧା ଶ୍ରୀଜିଉ ରଥ ଉପରେ ବିରାଜମାନ କରିଥିଲେ। ରଥଟଣା ହେବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ରାଜାଙ୍କ ପକ୍ଷରୁ ଠିକଣା ସମୟରେ ରଥ ଦଉଡ଼ି ଯୋଗାଇ ଦିଆଯାଇପାରିଲା ନାହିଁ। ଫଳରେ ରଥ ଟଣା ବିଳମ୍ୱ ହୋଇଥିଲା। କିନ୍ତୁ ସେହିଦିନ ରଥ ଟଣାଯାଇଥିଲା। ଏହା ଇତିହାସ ପୁଣିଥରେ ଉଜ୍ଜୀବିତ କରିଛି ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଚତୁର୍ଥ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ଠାକୁର ବିଜେ ହୋଇଥିଲେ। ହେଲେ ଏହାପରେ ପୁଣି ସବୁ ଅଧିକାରୀ ରାଜ କର୍ମଚାରୀ ଅମନଯୋଗ ହେଲେ। ଫଳରେ ନିର୍ଦ୍ଧରିତ ଦିନ ରଥମୋଡ଼ ହୋଇପାରିଲା ନାହିଁ; ଯଦ୍ୱାରା ବାହୁଡ଼ା ଦିନ ରଥଟଣା ହୋଇପାରିନଥିଲା।

Loading...