ଯୁଗେଯୁଗେ ଜଗନ୍ନାଥ, ପାରଳାରେ ଜଗନ୍ନାଥ

0
281
advertisement

ହରିହର ପଣ୍ଡା
ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସେତେବେଳେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ନିଜ ସାମ୍ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରି ସେ ପ୍ରଭୁଙ୍କ ଦାସ ଭାବେ ରାଜ ଶାସନ ପରିଚାଳନା କରୁଥିଲେ। ଯାହାକି ଭକ୍ତି ଓ ଉତ୍ସର୍ଗର ଭାବନାକୁ ପରିସ୍ଫୁଟିତ କରେ। କାଳକ୍ରମେ ଉତ୍କଳର ପ୍ରତିଟି ଗଡ଼ଜାତ ଏହି ପରମ୍ପରାକୁ ଆପଣାଇ ପ୍ରଜାଙ୍କ ମନରେ ଏକକ ଭାବନା ସୃଷ୍ଟି କରିଥିଲେ। ଗଜପତିଙ୍କ ସହାୟକ ଭାବେ ଓଡ଼ିଶାର ଗଡ଼ଜାତରେ ଏପରି ମନ୍ଦିର ସବୁ ଗଜପତି ମହାରାଜାଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ନିଦ୍ଦେର୍ଶରେ ନିର୍ମାଣ କରାଯାଇଥିଲା। ହେଷଳ ପାରଳାଖେମୁଣ୍ଡି କଥା ଅଲଗା। ଏଠାରେ ପୁରୀ ଗଜପତିଙ୍କୁ ସମ୍ମାନ ଜଣାଇବାକୁ ନୁହେଁ ବରଂ ନିଜର ପୂର୍ବସୂରୀଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ପୂଜା ଆରମ୍ଭ ହୋଇଥିଲା, ୧୭୦୦ ମସିହାର ମଧ୍ୟଭାଗକୁ।

Parla-jagannath2

 

 

 

 

 

 

ସିଂହାସନ ରକ୍ଷା ନାଁରେ ଖୋର୍ଦ୍ଧା ରାଜା ବୀର କେଶରୀ ଦେବ ମରାଠାମାନଙ୍କ ସହ ମିଶି ଯେମିତି ଷଡ଼ଯନ୍ତ୍ର ରଚନା କଲେଣି, ତାହାକୁ ଆଖିରେ ରଖି ପୁରୀ ମନ୍ଦିରକୁ ଆଉ ନିଜ କବଳରେ ଅଧିକ ଦିନ ରଖିବା ସମ୍ଭବପର ନୁହେଁ। ସେପଟେ ବିଜୟନଗର ରାଜା ପାରଳାଖେମୁଣ୍ଡିକୁ ଆକ୍ରମଣ କରିବାକୁ ସଜବାଜ ହେଉଥିବା ଗୁପ୍ତଚର ସୂଚନା ବି ଆସିଲାଣି। ଏହି କ୍ରମରେ ନିଜ ରାଜ୍ୟକୁ ଫେରିଯିବାକୁ ପଡ଼ିବ। ନହେଲେ ହୁଏତ ଆଗକୁ ଯାହା ନିଜର ବୋଲି ଅଛି ତାହାକୁ ହରାଇବାକୁ ପଡ଼ିପାରେ। ଏମିତି ଚିନ୍ତାରେ ଗଜପତି ଜଗନ୍ନାଥ ନାରାୟଣ ଦେବ ପୁରୀରୁ ପ୍ରସ୍ଥାନ କରିବା ପାଇଁ ସ୍ଥିର କଲେ। ଅର୍ଥାତ୍ ପୂର୍ବ ଗୌରବକୁ ଫେରାଇ ଆଣିବାର ଯେଉଁ ସ୍ୱପ୍ନ ତାଙ୍କୁ ଅନେକ ରାତି ଉଜାଗର କରିଥିଲା, ଆଜି ତାହା ସାକାର ହୋଇଥିଲେ ମଧ୍ୟ ତାକୁ ଧରି ରଖିବାର କ୍ଷମତା ତାଙ୍କର ନାହିଁ। ଏହି ମାନସିକ ବିଷାଦ ଭିତରେ ୨ୟ ଜଗନ୍ନାଥ ନାରାୟଣ ଦେବ ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କଲେ।
ଓଡ଼ିଶାର ପ୍ରକୃତ ଗଙ୍ଗବଂଶୀ ଗଜପତି ସେମାନେ ଏବଂ ଯେଉଁମାନେ ପୁରୀରେ ଗଜପତି ବୋଲି ବୁଲାଉଛନ୍ତି ସେମାନେ କେବଳ ତାଙ୍କ ପୂର୍ବସୂରୀଙ୍କ ଗୌରବକୁ ଉପଭୋଗ କରୁଛନ୍ତି ବୋଲି ଚନ୍ଦ୍ରବଂଶୀ ଗଜପତି ଜଗନ୍ନାଥ ନାରାୟଣ ଦେବ ଦ୍ୱିତୀୟ ପୁରୀ ଆକ୍ରମଣ କରିଥିଲେ, ପାଖାପାଖି ୧୭୬୦ ମସିହାରେ। ଉଦ୍ଦେଶ୍ୟ ଥିଲା ତାଙ୍କ ବଂଶଙ୍କୁ ଓଡ଼ିଶାର ପ୍ରକୃତ ଗଜପତି ମୁକୁଟଧାରୀ ବୋଲି ପ୍ରମାଣିତ କରିବା। କିନ୍ତୁ ତାହା ଆଜି ରାଜକୀୟ ଷଡ଼ଯନ୍ତ୍ରରେ ଛନ୍ଦି ହୋଇଗଲା।
ରାଜପରିବାରର ସଦସ୍ୟ ହୋଇଥିଲେ ମଧ୍ୟ ଜଗନ୍ନାଥ ନାରାୟଣ ଦେବ ପ୍ରକୃତରେ ସିଂହାସନର ଦାୟାଦ ନଥିଲେ । ଗଜପତି ପ୍ରତାପରୁଦ୍ର ନାରାୟଣ ଦେବଙ୍କ ଦାୟାଦ ଭାବେ ତାଙ୍କୁ ପୋଷ୍ୟ କରିଥିଲେ। ସେ ତାଙ୍କ ଭାଇଙ୍କ ପୁତ୍ର ଭାବେ ଜଣାଶୁଣା। କେହି କେହି ୧୭୫୧କୁ ତାଙ୍କ ସିଂହାସନ ଆରୋହଣର ତାରିଖ ଭାବେ ଗ୍ରହଣ କରନ୍ତି। ଆଉ କେହି କେହି କହନ୍ତି ପ୍ରତାପରୁଦ୍ର ଗଜପତିଙ୍କ ମୃତ୍ୟୁ ୧୭୬୬ ମସିହାରେ ହୋଇଥିଲା। କିନ୍ତୁ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ରଚନା ଖୁରୁଧା ଇତିହାସରେ ଏ ବିଷୟକୁ ସ୍ପଷ୍ଟ କରିବାକୁ ଯାଇ ବର୍ଣ୍ଣନା କରିଛନ୍ତିଯେ, ମରାଠାମାନଙ୍କ ରାଜତ୍ୱ ସମୟରେ ତଥା ବୀରକେଶରୀ ଦେବଙ୍କ ଖୋର୍ଦ୍ଧା ଶାସନ ବେଳେ ପାରଳା ଗଜପତି ପୁରୀ ଆକ୍ରମଣ କରିଥିଲେ।
ପୁରୀ ଜଗନ୍ନାଥମନ୍ଦିର ସିନା ନିଜର ହୋଇପାରିଲା ନାହିଁ ହେଲେ ସେ ଜଗନ୍ନାଥଙ୍କୁ ସେ ପୂଜିବେ କିପରି। ପାରଳାସେତେବେଳେ ଯଦିଓ ବୈଷ୍ଣବ ଧର୍ମରେ ଦିକ୍ଷୀତ ହେଉଥିଲା ହେଲେ ସେଥିରେ ଜଗନ୍ନାଥ ପୂଜା ସ୍ଥାନ ପାଇପାରି ନଥିଲା। ରାମ, ଲକ୍ଷ୍ମଣ ସୀତା, ବା ରାଧା କୃଷ୍ଣ ଓ ଲଳିତାଙ୍କ ପ୍ରତିମୂର୍ତ୍ତିକୁ ପୂଜା କରିବାର ପରମ୍ପରା ଚାଲିଥିଲା। ଗଜପତି ଜଗନ୍ନାଥ ନାରାୟଣ ଦେବ ଚାହିଁରେଲ ଜଗନ୍ନାଥ ପୂଜା ପାଇଁ ଅନୁଷ୍ଠାନ ଆରମ୍ଭ ହେବ। ଏହି କ୍ରମରେ ରାଜ ପ୍ରାସାଦକୁ ଲାଗି ଏକ ମଠ ନିର୍ବାଣ ହେଲା। ଏହା ପୂର୍ବରୁ ପାରଳାରେ ଅନେକ ମଠ ଗଢ଼ି ଉଠିଥାଏ। ମଠକୁ ସେମାନେ ପୂଜା, ଆରାଧନା ଓ ଧର୍ମୀୟ ଆଲୋଚନାର ମୂଳକେନ୍ଦ୍ର ଭାବେ ବିବେଚନା କରୁଥିଲେ। ପ୍ରତାପରୁଦ୍ର ଗଜପତି ଜଣେ ସଂସ୍କୃତ ପଣ୍ଡିତ ଥିଲେ। ରାଜକାର୍ଯ୍ୟ ଅପେକ୍ଷା ଧର୍ମଚର୍ଯ୍ୟା ପ୍ରତି ସେ ଧ୍ୟାନ ଦେଉଥିଲେ। ରାମାନନ୍ଦ ସ୍ୱାମୀଙ୍କ ଅନୁଗାମୀ ହୋଇ ସେ ବୈଷ୍ଣବ ଧର୍ମରେ ଦିୀକ୍ଷୀତ ହୋଇଥିଲେ। ଏହାଙ୍କ ପୂର୍ବରୁ ପାରଳାରେ ଶୈବଧର୍ମର ପ୍ରାଦୂର୍ଭାବ ବିଶେଷ ରହିଥିଲା। ବିଭିନ୍ନ ସ୍ଥାନରେ ନିର୍ମିତ ଶୈବ ମନ୍ଦିରଗୁଡ଼ିକ ଏହାର ଉଦାହରଣ।
ଜଗନ୍ନାଥ ନାରାୟଣ ଦେବ ପୁରୀରୁ ଫେରିଲା ପରେ ଯେଉଁ ପ୍ରତିମୂର୍ତ୍ତିସବୁ ସ୍ଥାପନ କରିଥିଲେ ସେମାନଙ୍କ ଭିତରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସହ ଶ୍ରୀ ସୁଦର୍ଶନଙ୍କୁ ମଧ୍ୟ ଦେଖିବାକୁ ମିଳେ। ସ୍ଥାନ ଅଭାବବରୁ ଗୋଟିଏ ଛୋଟିଆ ସ୍ଥାନରେ ଏସବୁ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିର ଆକୃତି ହୋଇ ନ‍୍‌ିଲେ ମଧ୍ୟ ଏଠାରେ ଏକ ମଣ୍ଡପ ଉପରେ ଗରୁଡ଼ ସ୍ତମ୍ଭ ସ୍ଥାପନ କରାଯାଇଛି। ମୁଖ୍ୟ ସିଂହାସନରେ ପତିତପାବନଙ୍କ ମଧ୍ୟ ପୂଜା କରାଯାଉଛି। ଅନେକ ଦିନ ଧରି ଏହା ରାଜପରିବାରର ସମ୍ପତ୍ତି ଭାବେ ପରିଚିତ ହେଉଥିଲା। ଏବେ ଏହା ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ। ଆବଶ୍ୟକୀୟ ରୀତିନୀତି ସହ ଏଠାରେ ପୂଜା କରାଯାଉଛି। ଏହାଛଡ଼ା ପ୍ରତିବର୍ଷ ଏଠାରେ ରଥଯାତ୍ରା ମଧ୍ୟ ଖୁବ‍୍‌ ଧୂମ‍୍‌ଧାମ‍୍‌ରେ ପାଳନ କରାଯାଇଥାଏ। ଖୋଦ‍୍‌ ଗଜପତି ମହାରାଜା ଏଠାରେ ଛେରା ପହଁରା କରିଥାଆନ୍ତି। ତିନୋଟି ରଥ ରଥ ଦାଣ୍ଡରେ ଗଡଡେ଼। ବେଶ‍୍‌ ପ୍ରଶସ୍ତ ଏ ଦାଣ୍ଡ। ରାଜ ନଅରର ସାମ୍ନାରେ ଏହା ଦାଣ୍ଡ ଅବସ୍ଥିତ ଏବଂ ରାଜ ନଅର ଉପରୁ ଏହାର ଦୃଶ୍ୟ ବେଶ‍୍‌ ସୁନ୍ଦର ଦେଖାଯାଏ। ଏବେ ମନ୍ଦିରକୁ ଏକ ମନ୍ଦିର ଆକୃତି ଦେବା ଉଦ୍ଦେଶ୍ୟରେ ଭଙ୍ଗା ଯାଇଛି। ଠାକୁରଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଅର୍ଥାତ୍ ପୁରୁଣା ମଠାକୃତିର ମନ୍ଦିରକୁ ଭଙ୍ଗଯାଇଛି। ହେଲେ ସେ ସ୍ଥାନରେ ଯୋଜନା ମୁତାବକ ମନ୍ଦିର ତିଆରି ହୋଇନାହିଁ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଦକ୍ଷିଣ ପ୍ରାନ୍ତର ଏହି ମନ୍ଦିର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ। କାରଣ ଶ୍ରୀକ୍ଷେତ୍ର ପୁଚରୀ ଭଳି ଏଠାରେ ଥିବା ମଠ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଉତ୍କଳୀୟ ପରମ୍ପରାକୁ ଅଧିକ ଦୃଢ଼ୀଭୂତ କରିବା ସହ ଲୋକଙ୍କ ମନରେ ଏକତାର ଭାବ ପରିପ୍ରକାଶରେ ସହାୟକ ହେବ।