ଯାତ୍ରା କ୍ଲାନ୍ତି ଦୂର ପାଇଁ ପ୍ରଭୁ ଚାରିମାସ ଶୋଇବେ

0
46

ପୁରୀ,(ଓଟି): ନୀଳକନ୍ଦର ଠାକୁର ପ୍ରଭୁ କାଳିଆଙ୍କ ବିଭିନ୍ନ ଲୀଳା ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରରେ। ବାରମାସରେ ୧୩ ଯାତ୍ରା ମଧ୍ୟରୁ ରଥଯାତ୍ରା ଅନ୍ୟତମ। ରଥଯାତ୍ରାରେ ପ୍ରଭୁ ସେନାପତି ପରି ସେନାପଟା ଲାଗିହୋଇ ରଥଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ଶ୍ରୀମନ୍ଦିର ଫେରନ୍ତି। ପରେ ସୁନାବେଶ ହୁଅନ୍ତି। ପରେ ଯାତ୍ରାକାଳୀନ କ୍ଲାନ୍ତି ମେଟାଂଇବା ସହ ମା’ ଲକ୍ଷ୍ମୀଙ୍କ କଥା ବୁଝନ୍ତି। ପ୍ରଭୁ ୪ମାସ ନିଦ୍ରାଯିବା ମଧ୍ୟରେ ମା’ ଲକ୍ଷ୍ମୀ ପଦ ପ୍ରକ୍ଷାଳନ କରନ୍ତି। ଆଷାଢ଼ ଶୁକ୍ଲ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପୁରା ୪ମାସ ପ୍ରଭୁ ବିଶ୍ରାମ ନିଅନ୍ତି।

ବିଷ୍ଣୁଙ୍କର ଏହି ଚାରିମାସ ଶୟନ କାଳକୁ ଚତୁର୍ମାସ୍ୟା କୁହାଯାଏ। ଏହି ସମୟ ଅଶୁଭକାଳ ହୋଇଥିବାରୁ ବିବାହ ବ୍ରତ ଆଦି ଶୁଭକାମ ହୁଏନାହିଁ। ହରିଶୟନ ଏକାଦଶୀକୁ ବଡ଼ ଏକାଦଶୀ ଭାବେ ପାଳନ କରନ୍ତି ଭକ୍ତ। ଏହି ୪ମାସ ଏକାଦଶୀରେ ବ୍ରତଧାରୀ ଫଳ ଆହାର କରନ୍ତି। କ୍ଷୀରସାଗରରେ ପ୍ରଭୁ ୪ମାସ ଶୟନ କରନ୍ତି। ଚତୁର୍ମାସ୍ୟା ବ୍ରତଧାରୀମାନେ ଆଜି ସଂକଳ୍ପ କରିଥିଲେ। ସେମାନେ ବିଷ୍ଣୁଙ୍କ ଧାତବମୂର୍ତ୍ତି ଷୋଳ ଉପଚାରରେ ପୂଜା କରନ୍ତି। ଆଜି ରଢ଼ାରୁଢ଼ ଠାକୁରଙ୍କୁ ଚୂଡ଼ାଘଷା ଭୋଗ କରିଥିଲେ ଭକ୍ତ। ଟୋକେଇ ଟୋକେଇ ଚୂଡ଼ାଘଷା ଭୋଗ ହୋଇଥିଲା। ସହରବାସୀ ଓ ପଂଚକୋଷୀମାନେ ଏହି ଭୋଗ କରିଥିଲେ। ନୂଆଫଳ ଭୋଗ କରିଥିଲେ। ଚୂଡ଼ାଗୁଣ୍ଡ, ନଡ଼ିଆ, ଚିନି, ଗୁଡ଼, ଖିସିମିଶି, ଗୋଲମରିଚ, ଅଳେଇଚ, ଘିଅ ମିଶି ଏହି ଚୂଡ଼ାଘଷା ପ୍ରସ୍ତୁତ ହୋଇ ଭୋଗ ହୋଇଥାଏ।