ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରର ଉଦ୍ଦେଶ୍ୟ ନେଇ ସନ୍ଦେହ ବ୍ୟକ୍ତ କଲା ବିଜେପି

0
21

– କଥାବାର୍ତ୍ତା ନୁହେଁ ଆଇନଗତ ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ସ୍ପଷ୍ଟ ଘୋଷଣା ପରେ ପତ୍ର ଲେଖିବା ସନ୍ଦେହ ସୃଷ୍ଟି କରୁଛି
– ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ୟାକୁ ଲମ୍ୱା ସମୟ ଗଡାଇ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସର ଅଂଶ ବିଶେଷ

ଭୁବନେଶ୍ୱର,(ଓଟି): ମହାନଦୀ ସମସ୍ୟାରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଧାନ ମନ୍ତ୍ରୀଙ୍କ ନିକଟରେ ଦାବି ପରିପ୍ରେକ୍ଷୀରେ ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ୟାକୁ ଲମ୍ୱା ସମୟ ଗଡାଇ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସର ଅଂଶ ବିଶେଷ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି।
ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଧାନସଭାରେ ମହାନଦୀକୁ ନେଇ ବିତର୍କ ପରେ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡିଶାର ସ୍ୱାର୍ଥକୁ ଏକପାଖିଆ ଭାବେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ଘୋଷଣା କରି ସାରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଗତ ୩୦ ତାରିଖରେ ଚିଠି ଖଣ୍ଡେ ଲେଖି ତାଙ୍କ ବିରୁଦ୍ଧରେ ଅବହେଳା ଅଭିଯୋଗ ଆଣିବାକୁ ମୁଖ୍ୟମନ୍ତ୍ରୀ ହୀନ ରାଜନୈତିକ ପ୍ରୟାସର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ଆଲୋଚନା ଦ୍ୱାରା ହିଁ ମହାନଦୀ ସମସ୍ୟାର ରାସ୍ତା କଢା ଯାଇ ପାରିବ। ଆଲୋଚନାରେ ସମାଧାନ ନ ବାହାରିଲେ ଆଇନଗତ ପଦକ୍ଷେପ ନେବାର ରାସ୍ତା ସବୁ ବେଳେ ଖୋଲା ରହିଛି। ଏହା ବିଜେପିର ମୂଳରୁ ଦୃଢ ମତ। ମାତ୍ର ନବୀନ ପଟ୍ଟନାୟକ କଥାବାର୍ତ୍ତାର ରାସ୍ତା ବନ୍ଦ କରି ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଘୋଷଣା କରି ସାରିଛନ୍ତି।
ଏହି ପୃଷ୍ଠଭୂମିରେ ଆଇନଗତ ପଦକ୍ଷେପ ପାଇଁ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହି ବିଷୟରେ ପତ୍ର ଲେଖିବା ଦ୍ୱାରା ତାଙ୍କର ଉଦ୍ଦେଶ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Loading...