ମଦ ପ୍ରସାର କରି ସରକାର ରାଜ୍ୟର ବିନାଶ କରୁଛନ୍ତି: ଓଡ଼ିଶା ମଦମୁକ୍ତି ଅଭିଯାନ

0
36

ଭୁବନେଶ୍ୱର,(ଓଟି): ଓଡ଼ିଶା ସରକାର ଓଡ଼ିଶାବାସୀଙ୍କର ତଥା ରାଜ୍ୟର ବିକାଶ ଚାହାନ୍ତି ନା ବିନାଶ ଚାହାନ୍ତି ତାହା ମଦମୁକ୍ତି ଆନ୍ଦୋଳନ ପରିପ୍ରେକ୍ଷୀରେ ସ୍ପଷ୍ଟ କରନ୍ତୁ। ରାଜ୍ୟରେ ମଦ ବନ୍ୟା ବଢ଼ାଇ ଦାରିଦ୍ର୍ୟ, ଅନଗ୍ରସରତା, ରୋଗବ୍ୟାଧି, ଅଶିକ୍ଷା, ଅପରାଧ, ଦୁର୍ଘଟଣା, ଅପମୃତ୍ୟୁ, ନାରୀ ଓ ଶିଶୁ ନିର୍ଯାତନା ବଢ଼ାଇବା ପାଇଁ ସଂକଳ୍ପବଦ୍ଧ ହୋଇ ସରକାର କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ସୁଖି, ସମୃଦ୍ଧ କରିବା ସହିତ ଉଜୁଡ଼ା ପରିବାର ଓ ସମାଜକୁ ସଜାଡ଼ିବା ପାଇଁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ମହିଳା ଓ ସଚେତନ ଲୋକ ମଦମୁକ୍ତି ଅଭିଯାନରେ ମାତିଛନ୍ତି। ସରକାର ମଦମୁକ୍ତି ଅଭିଯାନକୁ ସଫଳ କରିବା ପରିବେର୍ତ୍ତ ବିଭିନ୍ନ ଆଳ ଦେଖାଇ ମଦର ପ୍ରସାରଣ କରାଇବା ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଗୁରୁତର ଅଭିଯୋଗ କରିଛି।

ଓଡ଼ିଶାରେ ମଦର ପ୍ରସାର ଫଳରେ ଅସାଧୁ ମଦ ବ୍ୟବସାୟୀ, ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଭ୍ରଷ୍ଟ ରାଜନେତା ଫଇଦା ଉଠାଉଥିବା ବେଳେ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଯାଉଛି ଏବଂ ଦାରିଦ୍ର୍ୟ ଦୂରୀକରଣ ତଥା ସାମାଜିକ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଉଥିବା ହଜାର ହଜାର କୋଟି ଟଙ୍କା ବରବାଦ ହେଉଛି। ତିନି ହଜାର କୋଟି ଟଙ୍କାର ବାର୍ଷିକ ଅବକାରୀ ରାଜସ୍ୱକୁ ଆଳ କରି ସରକାର ରାଜ୍ୟର ବାର୍ଷିକ ତିନିଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି କରୁଛନ୍ତି ବୋଲି ମଦମୁକ୍ତି ଅଭିଯାନ କହିଛି। ଖୋଦ‌୍‍ ଓଡ଼ିଶା ସରକାର ୨୦୧୩ ମସିହାରେ ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଉଦ‌୍‍ବେଗ ପ୍ରକାଶ ସଙ୍ଗେ ସଙ୍ଗେ ରାଜ୍ୟରେ ଅଧିକରୁ ଅଧିକ ମଦମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ କହିଥିଲେ। କିନ୍ତୁ ସରକାରୀ କଳ ରାଜ୍ୟ ସରକାରଙ୍କ ଯୁବନୀତିର ବିରୁଦ୍ଧାଚରଣ କରି ଅଧିକରୁ ଅଧିକ ସଂଖ୍ୟକ ଯୁବକଙ୍କୁ ମଦ୍ୟପ କରାଉଛି। ମଦ ପ୍ରସାରଣ ପାଇଁ ସରକାର ମଧ୍ୟ ନିଜ ଆଇନ‌୍‍କୁ ନିଜେ ଉଲ୍ଲଙ୍ଘନ କରିବା ସହିତ ସରକାରୀ କଳକୁ ମଦ ବେପାରୀଙ୍କ ସ୍ୱାର୍ଥ ସାଧନ ପାଇଁ ଜାଲିଆତି କରିବାକୁ ବାଧ୍ୟ କରୁଛି। କେବଳ ସେତିକି ନୁହେଁ ଏହି ଅସାଧୁ କାରବାରରେ ବହୁ ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ଫାଇଦା ଉଠାଉଛନ୍ତି।

ସମ୍ୱିଧାନର ଘୋଷିତ ପ୍ରତିଶ୍ରୁତି ସହିତ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ନିଶା ନିବାରଣ ଆଇନ‌୍‍କୁ ଖୋଦ‌୍‍ ରାଜ୍ୟ ସରକାର ଉଲ୍ଲଙ୍ଘନ କରି ସ୍ଖଲିବା ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନର ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ଅଭିଯୋଗ କରିଛନ୍ତି। ବିହାର ନିଶା ନିବାରଣ କରି ଅପରାଧ ଓ ଦୁର୍ଘଟଣା ସହିତ ଦାରିଦ୍ର୍ୟ ହ୍ରାସ କରି ସ୍ଖଲିଥିବା ବେଳେ ଓଡ଼ିଶା କାହିଁକି ଅପରାଧ, ଦୁର୍ଘଟଣା ସହିତ ଦାରିଦ୍ର୍ୟ ବୃଦ୍ଧି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ସମେତ ଗାଁ ଗହଳର ସଚେତନ ଲୋକେ ମଦର ଭୟାବହ ଅପକାରିତା ଅନୁଭବ କରିପାରୁଥିବା ବେଳେ କ୍ଷମତାଲିପ‌୍‍ସୁ ରାଜନେତା ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ମଦ ପ୍ରସାରଣରୁ କେବଳ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।

Loading...