ବାମାପଦ ହୋଇପାରନ୍ତି ‘ସମାଜ’ର ପରବର୍ତ୍ତୀ ସମ୍ପାଦକ!

1
51
ଅସିତ ମହାନ୍ତିଙ୍କ ସହ ବାମାପଦ ତ୍ରିପାଠୀ (ବାମ)

ଭୁବନେଶ୍ୱର, (ଓଟି): ଓଡ଼ିଶାର ବହୁ ପରିଚିତ ତଥା ସର୍ବ ପୂରାତନ ପ୍ରକାଶିତ ଦୈନିକ “ସମାଜ’ ଖବରକାଗଜର ପରବର୍ତ୍ତୀ ସମ୍ପାଦକ ଭାବରେ ବରିଷ୍ଠ ସାମ୍ୱାଦିକ ବାମାପଦ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇପାରେ। ଏନେଇ ସମାଜ ପରିଚାଳନା ସଂସ୍ଥା ଲୋକସେବକ ମଣ୍ଡଳୀରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ନମିଳିଥିଲେ ମଧ୍ୟ ଏହା ଏକ ପ୍ରକାର ନିର୍ଦ୍ଧାରିତ ବୋଲି ଚର୍ଚ୍ଚା ହେଉଛି।

ଶ୍ରୀ ତ୍ରିପାଠୀ ଏବେ ଦୈନିକ ଖବରକାଗଜ “ସମ୍ୱାଦ’ର ଏଡିଟୋରିଆଲ‍୍‌ ମୁଖ୍ୟ ଭାବେ କାର୍ଯ୍ୟକରୁଛନ୍ତି। ପୂର୍ବରୁ “ସମ୍ୱାଦ’ର ଏଡିଟୋରିଆଲ‍୍‌ ମୁଖ୍ୟ ଥିବା ଗୋପାଳ ମହାପାତ୍ରଙ୍କୁ ସମାଜର “ସମ୍ପାଦକ’ ଭାବେ ବଛାଯାଇଥିଲା। ଦୁଇବର୍ଷ ପରେ ନିଜର କାର୍ଯ୍ୟକାଳ ସମାପ୍ତି କାରଣରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା। ସେ ଏବେ “ପ୍ରମେୟ’ର ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି।

ଶ୍ରୀ ତ୍ରିପାଠୀ ଜଣେ ଶାନ୍ତ ରାଜନୀତିକ ତଥା ସାମାଜିକ ବିଶ୍ଳେଷକ ଏବଂ ପ୍ରଭାବୀ ଲେଖକ ଭାବେ ଜଣାଶୁଣା। ସମ୍ୱଲପୁର ବିଶ୍ୱବିଦ୍ୟାଳୟରୁ ପାସ‍୍‌ କଲାପରେ ସେ “ପ୍ରଜାତନ୍ତ୍ର’ ଓ ପରେ “ସମ୍ୱାଦ’ ସହ ଦୀର୍ଘଦିନ ହେଲା କାର୍ଯ୍ୟ କରୁଛନ୍ତି। କିଛିଦିନ ହେଲା ତାଙ୍କ ଦାୟିତ୍ୱକୁ ସଙ୍କୁଚିତ କରାଯାଇଥିବାରୁ ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଚାଲିଥିଲା। ଆସନ୍ତା ୧୦ ତାରିଖରେ ସେ ସମାଜ ଦାୟିତ୍ୱ ନେବାର ସମ୍ଭାବନା ରହିଛି।

ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ରଙ୍କ ଦାୟତ୍ୱ ହସ୍ତାନ୍ତର ପରେ ଡଃ. ସତ୍ୟ ରାୟଙ୍କୁ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା । ଗତ ନିର୍ବାଚନରେ ସେ ପ୍ରାର୍ଥୀ ହେବା ପାଇଁ ଇଚ୍ଛାବ୍ୟକ୍ତ କରିବାରୁ ବରିଷ୍ଠ ସହ ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କୁ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। ଦୀର୍ଘଦିନ ହେଲା ସେ ଏହି କାର୍ଯ୍ୟ ତୁଲାଇ ଆସୁଛନ୍ତି।

ଓଡ଼ିଆ ସାମ୍ୱାଦିକତା କ୍ଷେତ୍ରରେ “ସମାଜ’ର ସମ୍ପାଦକ ଏକ ପ୍ରତିଷ୍ଠିତ ପଦବୀ ଭାବେ ଜଣାଶୁଣା। ପୂର୍ବତନ ସମ୍ପାଦକ ରାଧାନାଥ ରଥଙ୍କ ମୃତ୍ୟୁ ପରେ ଏହି ପଦବୀକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି। ଶ୍ରୀ ରଥଙ୍କ ଝିଅ ତଥା ବିଶିଷ୍ଟ କବୟିତ୍ରୀ ମନୋରମା ମହାପାତ୍ରଙ୍କ କିଛିବର୍ଷ ଏହାର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଅଧ୍ୟାପକ ପଦବୀରୁ ଇସ୍ତଫା ଦେଇ ସେ ଶ୍ରୀ ରଥଙ୍କ ଜୀବୀତ ଅବସ୍ଥାରେ ସମାଜର ପରିଚାଳନା ତଥା ସମ୍ପାଦକୀୟ ବିଭାଗରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଥିଲେ। କିନ୍ତୁ ତାଙ୍କ ଅବସର ସମୟ ଆସିଥିବା କହି ପରିଚାଳନା ମଣ୍ଡଳୀ ପକ୍ଷରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ସେତେବେଳେ ସାଧାରଣ ପରିଚାଳକ ଥିବା ବ୍ରଜଭାଇ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଚର୍ଚ୍ଚା ହୋଇଥିଲା।

ମନୋରମାଙ୍କ ପରେ ଜାତୀୟ ସ୍ତରର ବରିଷ୍ଠ ସାମ୍ୱାଦିକ ଶରତ ମିଶ୍ରଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା । ସେ ପ୍ରାୟ ୩ବର୍ଷ କାମ କରିବା ପରେ ଏହି ପଦରୁ ଅବ୍ୟାହତି ନେଇଥିଲେ । ତାଙ୍କ ପରେ ରାଜ୍ୟର ଚର୍ଚ୍ଚିତ ରାଜନୈତିକ ବିଶ୍ଳେଷକ ଚନ୍ଦ୍ରଭାନୁ ପଟ୍ଟନାୟକ ସମ୍ପାଦକ ଦାୟିତ୍ୱ ନେଇଥିଲେ । କିନ୍ତୁ ସେ କାମ କରିବାର ଅଳ୍ପ ଦିନ ପରେ ସମ୍ପାଦକ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ । ଏହାପରେ ସମାଜର ବରିଷ୍ଠ ସମ୍ୱାଦିକ ପ୍ରମୋଦ ମହାପାତ୍ର ଓ ଡଃ. ସତ୍ୟରାୟ କାର୍ଯ୍ୟକାରୀ ସମ୍ପାଦକ ଦାୟିତ୍ୱ ବହନ କରିଥିଲେ । ଡଃ. ସତ୍ୟରାୟଙ୍କ ପରେ  “ସମ୍ୱାଦ’ର ଏଡିଟୋରିଆଲ‍୍‌ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର ସମ୍ପାଦକ ଦାୟିତ୍ୱ ନେଇଥିଲେ ।