‘ପେସାଠୁ ନିଶା ବେଶୀ ଆକର୍ଷଣୀୟ, ଆନନ୍ଦ ଦିଏ’: ଅସୀମ ବସୁ

0
114

ଅସୀମ ବସୁ

 

ମୁଁ ପିଲାବେଳୁ ଏମିତି ଅସଜଡ଼ା। ଚୁଟି କୁଣ୍ଡାଇ ନଥାଏ। ଦାଢ଼ି ସଜାଇ ନଥାଏ। ମୋ’ ଖଟରେ ବହି ଆଉ ଚିତ୍ର ବିଚିତ୍ର କାଗଜସବୁ ବସିଥାନ୍ତି। ଏମିତିକି ଶୋଇବା ପାଇଁ ଜାଗା ନଥାଏ। ଥରେ ରାତିରେ ଶୋଇଥିବା ବେଳେ କାଗଜସବୁ ଖଡ଼‌୍‍ଖଡ଼‌୍‍ ଶବ୍ଦ କଲେ। ଆଉ ମୁଁ ଡରିଯାଇ ପିଣ୍ଡାରେ ଶୋଇଥିଲି- ଏହା କୌଣସି ଡ୍ରାମା ଚରିତ୍ରର ଡାଇଲଗ‌୍‍ ନୁହେଁ ବରଂ ମଞ୍ଚ ଓ ଅଭିନୟକୁ ସଜାଉଥିବା ଜଣେ ନାଟ୍ୟକାରଙ୍କ କାହାଣୀ। ଉପସ୍ଥାପନ କରୁଛୁ ସେଇ ସୃଜନଶୀଳ, ଅନୁଭବୀ ଆଉ ଅତି ଅମାୟିକ ଅସୀମ ବସୁଙ୍କ ସହ କିଛି କଥାବାର୍ତ୍ତା।

ସଂକ୍ଷେପରେ

ଘର: କଖଡ଼- ଭୋଗରାଇ, ବାଲେଶ୍ୱର
ଜନ୍ମ: ୩୦ ନଭେମ୍ୱର ୧୯୩୫
ବାପା: ମୋତିଲାଲ‌୍‍ ବସୁ
ମା’: ବିଜନବାଳା ବସୁ
ପତ୍ନୀ: ଗୀତା ବସୁ
ପୁଅ: ଗୌତମ
ଝିଅ: ଅତସୀ ଓ ଭାସ୍ୱତୀ

 

କଳା, ସଂସ୍କୃତି ଆଉ ଅଭିନୟ ପ୍ରତିଟି କ୍ଷେତ୍ରରେ ଆପଣଙ୍କ ନାଁ ଜଣାଶୁଣା। ସୃଜନଶୀଳତାର ଏ ଯାତ୍ରା କେମିତି ଆରମ୍ଭ ହେଲା?ସେତେବେଳେ ବାଲେଶ୍ୱର କଲେଜରେ ପଢ଼ୁଥିଲି। ଏବେ ଯାହା ଫକୀର ମୋହନ କଲେଜ ଭାବେ ପରିଚିତ। ଚିତ୍ର ଆଙ୍କିବା ବାବଦରେ ଶିଖିବା ପାଇଁ ମନରେ ପ୍ରବଳ ଆଗ୍ରହ ଥିଲା। ଏଥିପାଇଁ କଲିକତା ଯିବାକୁ ସ୍ଥିର କଲି। କିନ୍ତୁ ଘରେ କେହି ରାଜି ହେଲେନି। ବାପା ଜଣେ ଭେଟେରେନାରୀ ଡାକ୍ତର ଥିଲେ। ଭାଇ ବି ମୋତେ ଚିତ୍ରକର ଭାବେ ଦେଖିବାକୁ ଚାହୁଁନଥିଲେ। କାରଣ ସେତେବେଳେ ପିଅନ ଚାକିରି ପାଇଁ ଯାହା ଦରମା ଥିଲା ଜଣେ ଚିତ୍ରକର ବା ଡ୍ରଇଁ ସାର‌୍‍ଙ୍କ ସେଇ ଦରମା ଥିଲା। ଏଣୁ ୫ ବର୍ଷ ପାଠ ପଢ଼ିକରି ଲାଭ ବା କ’ଣ? ସେଇଥିଲାଗି ପାଠପଢ଼ାରେ ବାପା, ଭାଇ ଅନ୍ତରାୟ ହେଉଥିଲେ।

 

  • ପରେ ତାହା କେମିତି ସମ୍ଭବ ହେଲା?
  • ମୁଁ ଲୁଚିକରି କଲିକତା ପଳାଇଲି। ସେଠାରୁ ଯାଇ ନିଜେ ରୋଜଗାର କରି ପଢ଼ିବାକୁ ଚେଷ୍ଟା କଲି। ପୁରୁଣା ବହି ବିକ୍ରି କରିବା ଠୁ ଆରମ୍ଭ କରି ଲଣ୍ଡ୍ରି ଦୋକାନରେ କାମ କରିବା ଯାଏଁ ସବୁ କାମକୁ ଆପଣାଇଛି। ସେଥିରୁ ଯାହା ଟଙ୍କା ମିଳେ ସେଥିରେ କୁଲିମାନେ ଯେଉଁ ଛତୁଟେଳା ଖା’ନ୍ତି ତାକୁ କିଣି ଖାଏ। କାରଣ ସେଥିରେ ଅଳ୍ପ ଟଙ୍କା ଖର୍ଚ୍ଚହୁଏ। ପରେ ସେଠାରେ ଜଣେ ଧରଣୀଧର ନାୟକଙ୍କ ସହ ପରିଚିତ ହେଲା। ସେ ପିଅନ ଚାକିରି କରୁଥିଲେ। ମୋତେ ତାଙ୍କ ପାଖରେ ରଖିଲେ ଏବଂ ସାହାଯ୍ୟ କଲେ। ପରେ ମୋତେ ବୃତ୍ତି ବା ସ୍କଲାର‌୍‍ଶିପ‌୍‍ ମିଳିଲା। ୧୯୫୯ ମସିହାରେ ମୁଁ ଆର୍ଟ ସ୍କୁଲ‌୍‍ ଉତ୍ତୀର୍ଣ୍ଣ ହେଲି।

 

ଜୀବନର କୌଣସି ମୁହୂର୍ତ୍ତରେ ସେ ସୃଜନଶୀଳତା ସହ ସାଲିସ କରିନାହାନ୍ତି। କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି। ପିଲାବେଳୁ କିଛି ନୂଆ ସୃଷ୍ଟି କରିବା ପାଇଁ ସେ ନିଜ ଇଚ୍ଛାରେ ଘର ଛାଡ଼ିଛନ୍ତି, ଛବି ଆଙ୍କିବା ବିଷୟରେ ପାଠ ପଢ଼ିଛନ୍ତି। ପୁଣି ମନ ଭିତରେ ଆଙ୍କିଥିବା ଛବିକୁ ମଞ୍ଚ ଉପରେ ସଜାଇ ଦର୍ଶକଙ୍କ କରତାଳି ପାଇଛନ୍ତି। ଏହାଠୁ ବଡ଼ ପୁରସ୍କାର ପାଇଁ ସେ କେବେ ଆଶା କି ପ୍ରୟାସ କରି ନାହାନ୍ତି ।

 

  • ଏତେ କଷ୍ଟ କରି ନିଜ ସ୍ୱପ୍ନ ସାକାର କରିଥିଲେ ମଧ୍ୟ ଆପଣ ସେ ପ୍ରମାଣ ପତ୍ରସବୁ ଚିରିଦେଲେ କାହିଁକି?
    ଆର୍ଟ ସ୍କୁଲ‌୍‍ ପାସ‌୍‍ଆଉଟ‌୍‍ ପରେ ମୁଁ ଚାକିରି କଲି। କିନ୍ତୁ ସରକାରୀ ଚାକିରି ମୋତେ ଶାନ୍ତି ଦେଇପାରିଲା ନାହିଁ। ପୁଣି ଘରୋଇ ସଂସ୍ଥାରେ ଚାକିରି ମଧ୍ୟ ମୋ ରୁଚିର ହେଲାନି। ଏଣୁ ଚାକିରି ଛାଡ଼ିଦେଲି। ନିଜେ ବ୍ୟବସାୟ କରିବାକୁ ସ୍ଥିର କଲି। କାଳେ ପୁଣିଥରେ ମନ ଚାକିରି ପ୍ରତି ଢଳିବ ତାହାକୁ ଡରି ମୁଁ ସବୁ ସାର୍ଟିଫିକେଟ‌୍‍ ଚିରି ଦେଇଥିଲି।

 

  • ସରକାରୀ ଚାକିରି ଛାଡ଼ିବା ପରଠାରୁ ଆଜିଯାଏଁ କେବେ ପୁଣିଥରେ ଏମିତି ଭାବନା ଆସିଛି ଯେ, ଚାକିରି କରିଥିଲେ ଭଲ ହୋଇଥା’ନ୍ତା?
    ଏବେ ବୁଢ଼ା ବୟସରେ ଭାବୁଛି। ହୁଏତ ଚାକିରି ଥିଲେ ଏବେ ପେନ‌୍‍ସନ‌୍‍ ମିଳୁଥାନ୍ତା। କିନ୍ତୁ ମୁଁ ଚାକିରି ଛାଡ଼ି ଅନୁତାପ କରିନି ବରଂ ମୋତେ ଭଲ ଲାଗିଛି। ମାନସିକ ଶାନ୍ତି ପାଇଛି। ଚାକିରି କରିଥିଲେ ଅନ୍ୟ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥାନ୍ତା। ଅତିକମ‌୍‍ରେ ତାହାତ’ ହୋଇନି।

 

  • ଚିତ୍ରକୁ ଭଲ ପାଉଥିବା ସୃଜନଶୀଳ ବ୍ୟକ୍ତିତ୍ୱ ଆଉ ଜଣେ ପେସାଦାର ଚିତ୍ରକର ଭାବେ ଛବିର ଆଦରକୁ ଓଡ଼ିଶାରେ କେମିତି ଦେଖୁଛନ୍ତି?
    ଛବିର ଦାମ‌୍‍ ଲୋକେ ବୁଝନ୍ତିନି ଏହା ସତ। ହେଲେ କିଛି ପରିମାଣରେ ଛବି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଆଗରୁ ଆମେ କୌଣସି ବଡ଼ ଘରେ ଛବିଟିଏ ଟଙ୍ଗାନ୍ତୁ ବୋଲି ଅନୁରୋଧ କରୁଥିଲୁ। ଏପରିକି ତାଙ୍କ ଘରକୁ ଯାଇ ଛବି ଦେବା ପରେ ପ୍ରତିବର୍ଷ ସେ ଛବିକୁ ବଦଳାଇ ନୂଆ ଛବି ସେଇ ଜାଗାରେ ଲଗାଇଦେବୁ ବୋଲି କହି ଛବି ବିକ୍ରି କରୁଥିଲୁ। ଏବେ ସେଥିରେ ପରିବର୍ତ୍ତନ ଆସିଛି। କିନ୍ତୁ ରୁଚିରେ ପରିପକ୍ୱତା ଏଯାଏ ଆସିନି। ଏଠି ରୁଚିଟା ବଡ଼ ରୁଗ‌୍‍ଣ ବୋଲି କୁହାଯାଇପାରେ। ଧୀରେ ଧୀରେ ତାହା ବଦଳୁଛି। ଆହୁରି ସମୟ ଲାଗିବ। ଏବେ ଛବି ବିକ୍ରି ହେଲାଣି। ଆଗ ପଟ୍ଟଚିତ୍ର ବିକା ହେଉଥିଲା ହେଲେ ଏବେ ମଡର୍ଣ୍ଣ ଆର୍ଟ ବିକ୍ରି ହେବା ଆନନ୍ଦର ବିଷୟ।

 

  • ଜଣେ ଚିତ୍ରକରରୁ ନାଟକ ଆଡ଼କୁ କେମିତି ଢଳିଲେ?
    ଛବି ଆଙ୍କିବାଟା ମୋର ପେସା। ଆଉ ନାଟକ ମୋର ନିଶା। ପିଲାବେଳୁ ମୁଁ ନାଟକ ଆଡ଼କୁ ଢଳିଛି। ବାଲେଶ୍ୱରରେ ଥିବା ବେଳେ ମୁଁ ନାଟକରେ ଅଭିନୟ କରିଛି। ଅବଶ୍ୟ ତାହା ବେଙ୍ଗଲୀ ଭାଷାରେ। କଲିକତାରେ ଥିବା ବେଳେ ଉପିଳ ଦତ୍ତଙ୍କ ଗ୍ରୁପ‌୍‍ରେ ଯୋଗ ଦେଇଥିଲି। ହେଲେ ଓଡ଼ିଆରେ କୌଣସି ନାଟକ କରିବା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା। ତାହା ‘ରୂପାନ୍ତର’ ନାଟକ ମାଧ୍ୟମରେ। ସେତେବେଳେ ଭୁବନେଶ୍ୱରରେ ନାଟକ ଗ୍ରୁପ‌୍‍ ବୋଲି କିଛି ନଥିଲା। କଲିକତାରେ ଯେମିତି ଗ୍ରୁପ‌୍‍ ଥିଏଟର‌୍‍ ପରମ୍ପରା ଚାଲିଥିଲା ତା ଏଠାରେ ନଥିଲା ମୁଁ ତାହା ଏଠି ଆପଣାଇବାକୁ ଚେଷ୍ଟା କଲି। ଆଉ ଏହି କ୍ରମରେ କଟକର ବିଶ୍ୱଜିତ‌୍‍ ଦାସଙ୍କ ସହ ମିଶି ଏକ ନାଟକ ଗ୍ରୁପ‌୍‍ ଏଠି ତିଆରି କଲୁ। ଯାହାର ନାଁ ଥିଲା ‘ରୂପକାର’।

 

  • କିନ୍ତୁ ତାହା ଭାଙ୍ଗିଗଲା କାହିଁକି? ଆଉ ଆପଣ ‘ଉତ୍ତର ପୁରୁଷ’ ଗଠନ କରିବାର କାରଣ କ’ଣ ‘ରୂପକାର’ ସହ ଯୋଡ଼ା?
    ‘ରୂପକାର’ ନାଟକ ଗୋଷ୍ଠୀ ଭାଙ୍ଗିବାର କାରଣ ହେଉଛି ମନାନ୍ତର। ବିଶ୍ୱଜିତ‌୍‍ଙ୍କ ସହ ମୋର ମନାନ୍ତର ହେଲା। ସେତେବେଳେ ମୁଁ ଚାହୁଁଥିଲି ଆମ ନାଟକରେ ଏକ ଭିନ୍ନ ସ୍ୱାଦ ଆଣିବାକୁ। ସେତେବେଳେ ବିଜୟ ମିଶ୍ରଙ୍କ ଦ୍ୱାରା ଲେଖାଯାଇଥିବା ନାଟକ ‘ଶବବାହକମାନେ’ ଏକାଡେମୀ ପୁରସ୍କାର ପାଇଥିଲା। ବେଶ‌୍‍ ଲୋକାଦୃତ ହୋଇଥିଲା। ଯେହେତୁ ଆମର ସବୁ ନାଟକର ଶେଷ ଦୃଶ୍ୟ ପାଖାପାଖି ସମାନ ହେଉଥିଲା ସେହି ଏକକ ଭାବନାକୁ ଭାଙ୍ଗିବା ପାଇଁ ମୁଁ ବିଜୟ ମିଶ୍ରଙ୍କ ସ୍କ୍ରିପ୍ଟ କଥା ଚିନ୍ତା କରିଥିଲି। ହେଲେ ବିଶ୍ୱଜିତ‌୍‍ ଏହାକୁ ଗ୍ରହଣ କରିପାରିଲେନି। ସେଇଥିଲାଗି ଆମ ଗୋଷ୍ଠୀ ଭାଙ୍ଗିଗଲା। ବିଶ୍ୱଜିତ‌୍‍ ‘ସଂକେତ’ ନାଁରେ ଆଉ ଏକ ଗୋଷ୍ଠୀ ଗଢ଼ିଲେ।

 

କଟକରେ ବାବୁଲାଲ‌୍‍ ଦୋଶୀ ମୋତେ ତାଙ୍କ ନାଟକ ‘ତପସ୍ୱିନୀ’ର ମଞ୍ଚ ସଜ୍ଜା ପାଇଁ ପ୍ରଥମେ ଦାୟିତ୍ୱ ଦେଇଥିଲେ। ସେତେବେଳେ ମୁଁ ମଞ୍ଚସଜ୍ଜା ବିଷୟରେ କିଛି ବି ଜାଣି ନଥିଲି। ଏଣୁ ମଞ୍ଚର ଚିତ୍ର କଲାବେଳେ ମୁଁ ଦୁଇଟି ଜୀବନ୍ତ ଚଢ଼େଇକୁ ଆଙ୍କିଦେଇଥିଲି। ବାବୁଲାଲ‌୍‍ ଯୋଷୀ ସେ ଛବି ଦୁଇଟିକୁ କାଢ଼ି ଆଉ ସବୁ ମଞ୍ଚରେ ରୂପାନ୍ତର ପାଇଁ କହିଥିଲେ। ଏହାର କାରଣ ପଚାରିଲାରୁ ମୋତେ ଶ୍ରୀ ଦୋଷୀ କହିଲେ ଛବିରେ ସିନା ଉଡ଼ନ୍ତା ଚଢ଼େଇ ଦେଖାଇ ହେବ କିନ୍ତୁ ମଞ୍ଚ ଉପରେ ଏକ ସୀମିତ ଅଞ୍ଚଳରେ ଚଢ଼େଇ ଉଡ଼ିବେ କେମିତି? ଏହି ପ୍ରଶ୍ନ ଭିତରେ ମୁଁ ମଞ୍ଚ ସଜ୍ଜାର ଉତ୍ତର ସବୁ ପାଇଗଲି।

  • ଏହାପରେ ଉତ୍ତର ପୁରୁଷ ହେଲା?
    ଉତ୍ତର ପୁରୁଷ ପାଇଁ ଯୋଜନା ବହୁତ ଆଗୁଆ ହୋଇଥିଲା। ମୁଁ ସେଥିରେ ଯୋଗ ଦେଲି। ତାକୁ ଆଗକୁ ବଢ଼ାଇନେବାକୁ ଚାହିଁଛି। ଏଥିରେ ଆମେ ଏକ ନୂଆ କଳାକାର କ୍ୟାଡର‌୍‍ ତିଆରି ପାଇଁ ଚେଷ୍ଟା କରୁଛୁ। ଫଳରେ ନୂଆ କଳାକାର ସୃଷ୍ଟି ହୋଇପାରିବେ

 

  •  ବର୍ତ୍ତମାନର ନାଟକ ଧାରାକୁ ଆପଣ କେମିତି ଦେଖୁଛନ୍ତି?
    ମଝିରେ ନାଟକର ଆଦୃତି କମି ଯାଇଥିଲା। ଏବେ ପ୍ରଚାର ଘଟିଛି। ଅନେକ ଲୋକ ନାଟକ ଦେଖୁଛନ୍ତି ଓ ପରିବେଷଣ ପାଇଁ ଆଗକୁ ଆସିଛନ୍ତି। ହେଲେ ନାଟ୍ୟକାରମାନେ ଭୁଲିଯିବା ଉଚିତ ନୁହେଁ ଯେ, ସେମାନେ ଯେଉଁ ନାଟକ କରୁଛନ୍ତି ତାହା ପ୍ରାଥମିକ ଭାବେ ଲୋକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ। ମନୋରଞ୍ଜନକୁ ବାଦ‌୍‍ ଦେଲେ ନାଟକ ହୁଏନି।

 

  • କୁହାଯାଏ ମାଗଣାରେ ନାଟକ ଦେଖିବାକୁ ମିଳୁଛି ବୋଲି ଲୋକେ ଦେଖିବା ପାଇଁ ରବୀନ୍ଦ୍ର ମଣ୍ଡପ ଆସୁଛନ୍ତି। ଟିକେଟ‌୍‍ ଦେବାକୁ ପଡ଼ିଲେ ଆସନ୍ତେ ନାହିଁ। ଏ ବାବଦରେ ଆପଣଙ୍କ ମତାମତ କ’ଣ ରହିବ?
    ଟିକେଟ‌୍‍ ବିକ୍ରି ଲାଗି ଆମେ ବାରମ୍ୱାର କହୁଛୁ। ଏହା ହେଲେ ପ୍ରକୃତରେ କେତେ ଲୋକ ନାଟକ ଦେଖୁଛନ୍ତି ତାହା ଜଣାପଡ଼ିବ। କିନ୍ତୁ ସରକାର ଏହା କରାଇ ଦେଉ ନାହାନ୍ତି। ସରକାରଙ୍କ ଯୁକ୍ତି ହେଉଛି ଯଦି ନାଟକ ସଂସ୍ଥାମାନଙ୍କୁ ରିହାତିରେ ମଣ୍ଡପ ଦିଆଯାଉଛି ତେବେ ସେମାନେ କାହିଁକି ଟିକେଟ‌୍‍ ପଇସା ଆଦାୟ କରିବେ? ସରକାର ପଛେ ତାଙ୍କ ତହବିଲ‌୍‍କୁ ଟଙ୍କା ନିଅନ୍ତୁ କିନ୍ତୁ ଟିକେଟ‌୍‍ ବ୍ୟବସ୍ଥା ଆପଣାନ୍ତୁ।

 

  • ଏବେ ନାଟକ ଆଗରେ ପ୍ରମୁଖ ଆହ୍ୱାନ କ’ଣ? କଳାକାରଙ୍କ ଅଭାବ ରହୁଛିକି?
    କଳାକାରଙ୍କ ଅଭାବ ଅପେକ୍ଷା ଚ୍ୟାଲେଞ୍ଜ‌୍‍ ହେଉଛି ସ୍କ୍ରିପ୍ଟର ଅଭାବ। କାରଣ ଯେଉଁମାନେ ଅଭିନୟକୁ କ୍ୟାରିୟର ଭାବେ ନିଅନ୍ତି ସେମାନେ ପ୍ରଥମେ ମଞ୍ଚ ଅଭିନୟକୁ ଗୁରୁତ୍ୱ ଦିଅନ୍ତି। ସଙ୍ଗୀତ ମହାବିଦ୍ୟାଳୟ ଏ ଦିଗରେ ନୂଆ ନୂଆ ଶୃଙ୍ଖଳିତ କଳାକାରଙ୍କୁ ସୃଷ୍ଟି କରୁଛି।

 

  • ଏତେ ସଂଖ୍ୟାରେ ବହି ଲେଖାଯାଉଛି। ତେବେ ସ୍କ୍ରିପ୍ଟର ଅଭାବ କାହିଁକି ହେଉଛି?
    ଆଗରୁ ନିଦ୍ଦେର୍ଶକ ଅପେକ୍ଷା ଲେଖକ ଲୋକଙ୍କ ପାଖରେ ଆଗ ପରିଚିତ ହେଉଥିଲା। କାରଣ ଗୋଟିଏ ମୂଳ ଲେଖାକୁ ଅନେକଥର ବିଭିନ୍ନ ଜାଗାରେ ପରିବେଷଣ କରାଯାଉଥିଲା। ବାରମ୍ୱାର ପରିବେଷଣ ଦ୍ୱାରା ତାହା ମାର୍ଜିତ ହେଉଥିଲା। ଆଉ ଲୋକେ ଏହା ଦେଖି ବହିର ଲେଖକଙ୍କ ବିଷୟରେ ପରିଚିତ ହେଉଥିଲେ। କିନ୍ତୁ ଏବେ ଯଦି କୌଣସି ନାଟକ ଥରେ ପ୍ରଦର୍ଶିତ ହୋଇଯାଉଛି ତେବେ ନାଟକ ନିଦ୍ଦେର୍ଶକମାନେ ତାହାକୁ ଆଉ କେଉଁ ସ୍ଥାନରେ ପରିବେଷଣ କରୁନାହାନ୍ତି। ଖାଲି ନୂଆ ନୂଆ ସ୍କ୍ରିପ୍ଟ ଖୋଜିବା ଦ୍ୱାରା ଭଲ ନାଟକ ବହି ମିଳିବା କଷ୍ଟ ହେଉଛି।

ସଂକ୍ଷେପରେ

ଆତ୍ମ ଜୀବନୀ: କଥାରେ କଥାରେ

ଅଭିନୟ (ସିନେମା): ନିରବ ଝଡ଼, ସଉତୁଣୀ, ଜଗାବଳିଆ, ଦାଦାଗିରି, ତାରା, ମୁକ୍ତି ତୀର୍ଥ, ଅଗ୍ନିବୀଣା,

ଅଭିନୟ (ନାଟକ): ସବା ଶେଷ ଲୋକ, ରୂପାନ୍ତର, ନିଶିପଦ୍ମ, ନିଜ ପ୍ରତିନିଧିଙ୍କଠାରୁ, ଅଥବା ଅନ୍ଧାର, ଅଥଚ ଚାଣକ୍ୟ, ଶେଷ ପାହାଚ, ପୁରୁଣା ଚକ୍ର, ଡାଉନ‌୍‍ ଟ୍ରେନ‌୍‍।

  • ତେବେ କ’ଣ ପାଇଁ ଏ ପରମ୍ପରା ସୃଷ୍ଟି ହେଲା?
    ନିଦ୍ଦେର୍ଶକ ଭାବୁଛନ୍ତି ଯଦି ପୂର୍ବରୁ ମଞ୍ଚସ୍ଥ ନାଟକକୁ ସେମାନେ ପୁଣିଥରେ ପରିବେଷଣ କରିବେ ତେବେ ତାହାକୁ ନେଇ ତୁଳନା ବା ସମାଲୋଚନାର ସମ୍ଭାବନା ସୃଷ୍ଟି ହେବ। ତା’ଛଡ଼ା ଆଜିକାଲି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଭନ୍ନ ସ୍ଥାନରେ ନାଟକ ପରିବେଷଣ ପାଇଁ ଯାଉନାହାନ୍ତି। ପ୍ରତ୍ୟେକ ଅଞ୍ଚଳରେ ନିର୍ଦ୍ଧାରିତ ଗ୍ରୁପ‌୍‍ ସୃଷ୍ଟି ହେବାରୁ ସେମାନଙ୍କ ନିର୍ଦ୍ଦିଷ୍ଟ ଦର୍ଶକ ରହିଛନ୍ତି। ଏଣୁ ଦର୍ଶକଙ୍କ ଚାହିଦା ପୂରଣ କରିବାକୁ ନାଟ୍ୟ ସଂସ୍ଥାମାନେ ଦିନକୁ ଦିନ ନୂଆ ସ୍କ୍ରିପ୍ଟ ଖୋଜୁଛନ୍ତି।

 

  • ଛବି ଆଙ୍କିବା, ମଞ୍ଚ ସଜାଇବା, ନିଦ୍ଦେର୍ଶନା ଏବଂ ଅଭିନୟ ଭିତରୁ କେଉଁଟି ଆପଣଙ୍କୁ ସବୁଠାରୁ ଅଧିକ ଆନନ୍ଦ ଦେଇଛି?
    – ପେସା କେବେ କାହାକୁ ଆନନ୍ଦ ଦିଏ ନାହିଁ। ଏଥିପାଇଁ ସେ ବାଧ୍ୟ। କିନ୍ତୁ ନିଶା ସବୁବେଳେ ଆନନ୍ଦ ଦିଏ। ଏଣୁ ମୋତେ ମଧ୍ୟ ମଞ୍ଚ, ନାଟକ ଓ ଅଭିନୟ ସବୁବେଳେ ଆନନ୍ଦ ଦେଇଛି। ସିନେମା ହେଉ କି ମଞ୍ଚ ବା ରେଡିଓରେ ଅଭିନୟ ଲୋକଙ୍କ ପାଖରେ ମୋତେ ଅଧିକ ପରିଚିତ କରାଇଛି। ଏହାଛଡ଼ା ନିଦ୍ଦେର୍ଶନା ମୋତେ ସବୁଠାରୁ ବେଶୀ ଆକର୍ଷିତ କରିଛି।

 

  • କେବେ ଆପଣଙ୍କୁ ଆପଣଙ୍କ ପେସା ବା ଚିତ୍ର ଆଙ୍କିବା ସହାୟକ ହୋଇନି ନିଶା ଅର୍ଥାତ‌୍‍ ନାଟକକୁ ଆଗକୁ ବଢ଼ାଇବା ପାଇଁ?
    ନାଟକ ଓ ଛବି ଭିତରେ ମୁଁ ସମନ୍ୱୟ ସୃଷ୍ଟି ପାଇଁ ଚିନ୍ତା କରେ। ଯେମିତି ଛବି ଆଗ୍ଧେ ସେମିତି ମୁଁ ନାଟକର ମଞ୍ଚ ସଜାଏ। ଛବି ଆଉ ଚିତ୍ରରେ ଏତିକି ଫରକ ଯେ, ନାଟକରେ ଯେଉଁ ଜୀବନ୍ତ ଚରିତ୍ର ସବୁ ଥା’ନ୍ତି ତାହା ଛବିରେ ନଥାଏ। ନହେଲେ ଆଉ ସବୁ ଏକା।
  •  ଆପଣଙ୍କ ନଜରରେ ପୁରସ୍କାରର ଅର୍ଥ କ’ଣ?
    ପ୍ରଶଂସା ବା ପୁରସ୍କାର ମୋତେ କେବେ ଆନ୍ଦୋଳିତ କରିନି। ଏଣୁ ମୁଁ ପୁରସ୍କାର ନେଇ କେବେ ମୁଣ୍ଡ ଖେଳାଏନି। ପ୍ରୟାସ ବି କରିନି। ବଡ଼ ପୁରସ୍କାର ଅପେକ୍ଷା ଲୋକମାନଙ୍କ ଭଲପାଇବା ମୋତେ ଅଧିକ ଖୁସି ଦେଇଛି।

 

 

  • ନିତିଦିନରେ ପ୍ରକାଶିତ
    ଉପସ୍ଥାପନା: ହରିହର ପଣ୍ଡା