ନୀଳଗିରିରେ ଶ୍ରୀ ଜଗନ୍ନାଥ: କଲରାଦେବୀଙ୍କ ଅନୁରୋଧ ରକ୍ଷାପାଇଁ

0
313
SONY DSC
advertisement

ଏ ରାଜ୍ୟରେ ରଜାବି ଜଣେ ଭୃତ୍ୟ। ଲକ୍ଷେ ରଜାର ମଉଡ଼ମଣି ହେଲେ ମଧ୍ୟ ସେ ସେଇ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ଜଣେ ସାଧାରଣ ସେବକ। ତୃତୀୟ ଅନଙ୍ଗ ଭୀମଦେବଙ୍କ ସମୟରୁ ଆରମ୍ଭ ହୋଇଥିବା ଉତ୍କଳ ସମ୍ରାଟଙ୍କ ଏପରି ସମର୍ପଣ ଭାବନା ଆଜିଯାଏ ଚାଲି ଆସୁଛି। ଗଙ୍ଗ ବଂଶ ପରେ ଗଜପତି ଶାସନର ଦୁଇ ପିଢ଼ୀଙ୍କ ଶାସନ ୟା ଭିତରେ ଶେଷ ହୋଇ ତୃତୀୟ ପିଢ଼ୀର ଶାସକ ରାଜା ଭାବେ ପ୍ରତାପରୂଦ୍ର ଦେବ ଶାସନର ଡୋର ଧରିଛନ୍ତି। ହେଲେ ସେ ଉତ୍ସର୍ଗ ଭାବନା କେବେ ବି କ୍ଷୁର୍ଣ୍ଣ ହୋଇ ନାହିଁ। ବରଂ ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅଧିକ ପ୍ରଭାବିତ ହୋଇଛି। ଯାହାକି ବଙ୍ଗର ସୁଲ‌୍‍ତାନଙ୍କୁ ବେଶ‌୍‍ ଇର୍ଷାତ୍ୱିତ କରିଥାଏ। ଓଡ଼ିଶାରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକଯେ ଏଠା ଶାସନର ମେରୁଦଣ୍ଡ ଜାଣିବା ପରେ ଆକ୍ରମଣ ପାଇଁ ଯୋଜନା ହେଲା। ବଙ୍ଗର ସୁଲ‌୍‍ତାନ‌୍‍ ଆଲ୍ଲାଉଦ୍ଦିନ‌୍‍ ହୁସେନ‌୍‍ ଶାହଙ୍କ କମାଣ୍ଡର ଇସ‌୍‍ମାଇଲ ଘାଜି ଓଡ଼ିଶା ଆକ୍ରମଣ କଲେ। ଯାଜପୁରଠାରେ ମନ୍ଦିରଗୁଡ଼ିକୁ ଧ୍ୱଂସ କରି ଚାଲିଥାଏ। ବିଜେ ପ୍ରତିମାକୁ ଖଣ୍ଡ ବିଖଣ୍ଡିତ କରିପକାଇଲେ। ଉତ୍କଳାଧିପତି ପ୍ରତାପରୂଦ୍ର ଦେବ ସେତେବେଳେ ରାଜ୍ୟରେ ନଥିବାରୁ ପ୍ରଜାଙ୍କ ମନରେ ହାହାକାର ସୃଷ୍ଟି ହେଲା। ନିଜ ନିଜ ଅଞ୍ଚଳ ଛାଡ଼ି ପ୍ରଜାମାନେ ବିକ୍ଷିପ୍ତ ହୋଇଗଲେ।

SONY DSC
SONY DSC

ଅବଶ୍ୟ ଏହା ପୂର୍ବରୁ ଓଡ଼ିଶା ଉପରେ ବିଧର୍ମୀଙ୍କ ଆକ୍ରମଣ ହୋଇ ନଥିଲା ତା ନୁହେଁ। ଯୁଗଯୁଗରୁ ଶ୍ରୀ ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିବା ପାଇଁ ମୁସଲମାନ ଶାସକମାନେ ଚେଷ୍ଟା କରିଛନ୍ତି। ମାଦଳା ପାଞ୍ଜିର ପୃଷ୍ଠା ଓଲଟାଇ ସେବକମାନେ ଅତୀତକୁ ମନେ ପକାଇଲେ। ଭୌମକର ରଜା ଶୋଭନ ଦେବଙ୍କ ରାଜତ୍ୱ କାଳରେ ରକ୍ତ ବାହୁ ଏମିତି ଏକ ଆକ୍ରମଣ କରିଥିଲେ। ଯାହାକୁ ନେଇ ସାରା କଳିଙ୍ଗ ଆତଙ୍କିତ ହୋଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ପ୍ରଜାମାନେ କିଏ କୁଆଡେ଼ ଚାଲିଯାଇଥିଲେ ତାର ସୂଚନା ନାହିଁ। ହେଲେ ସାଙ୍ଗରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଯାଇଥିଲେ। ଯାହାଙ୍କୁ ସୋନପୁରର ଏକ ବରଗଛତଳେ ପାତାଳୀ କରିଦେଇଥିଲେ। କେତେ କଣ ଏହା ଭିତରେ ଘଟିଯାଇଛି। କିଏ ଏହାକୁ ରାଷ୍ଟ୍ରକୂଟ ରାଜାଙ୍କ ଆକ୍ରମଣ କଥା କହନ୍ତି ତ ଆଉ କିଏ ଗ୍ରୀକ‌୍‍ମାନଙ୍କ ଆକ୍ରମଣ ସମୟ କଥା କହନ୍ତି, ପୁଣି ଏହାକୁ କୁଷାଣମାନଙ୍କ ଆକ୍ରମଣ ଓ ଶଅୀଲଙ୍କାର ବାହୂ ବଂଶର ଆକ୍ରମଣ ବିଷୟରେ ମଧ୍ୟ କୁହାଯାଏ ହେଲେ ପାଖାପାଖି ୧୪୪ ବର୍ଷ ସେଠାରେ ଠାକୁର ପାତାଳି ହୋଇ ରହିଥିଲେ। ଜଗଦ‌୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଗମନ ପରେ ଯଜାତି କେଶରୀ ଯାଜପୁରଠାରେ ଦଶାଶ୍ୱମେଧ ଯଜ୍ଞ କରାଇଲେ। କେବଳ ଶ୍ରୀ ଜଗନ୍ନାଙ୍କ ସନ୍ଧାନ ପାଇଁ। ବିନିକାରୁ ଠାକୁରଙ୍କ ସନ୍ଧାନ କରି ପୁଣିଥରେ ଶଙ୍କରାଚାର୍ଯ୍ୟ ଏଠାରେ ପ୍ରାଣ ପ୍ରତିଷ୍ଠା କଲେ। ଯାହଫଳରେ ପୁରୁଷୋତ୍ତମ କ୍ଷେତ୍ର ଏଠାରେ ଉଜ୍ଜୀବୀତ ହୋଇପାରିଥିଲା। ଅବଶ୍ୟ ରକ୍ତବାହୁ ଆକ୍ରମଣ ପରେ ଅନେକ ବର୍ଷ ଧରି ପୁରୀରେ ଶାନ୍ତି ଆସିଥିଲା। ଗଙ୍ଗବଂଶୀ ରାଜାମାନଙ୍କ ଦ୍ୱାରା ବିଭିନ୍ନ ମନ୍ଦିର ତିଆରି କରାଯାଇ ଏ ସ୍ଥାନର ଗୁରୁତ୍ୱ ବଢ଼ିଥିଲା। କିନ୍ତୁ ଯବନ ଇଲିଆସ ଶାହ ତୃତୀୟ ନରସିଂହଦେବଙ୍କ ସମୟରେ ଆଉ ଦିଲ୍ଲୀ ସୁଲତାନ‌୍‍ ଫିରୋଜ ଶାହ ତୁଗଲକ‌୍‍ ତୃତୀୟ ଭାନୁଦେବଙ୍କ ସମୟରେ ଯେଉଁଭଳି ଭାବେ ପୁରୀକୁ ଆକ୍ରମଣ କରି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଲୁଟିଛନ୍ତି ତାହା ଯେ ଏଥର ନ ଘଟିବ ତାହା କିଏ କହିବ? ଏଣୁ ପ୍ରଥମେ ଠାକୁରଙ୍କୁ ବଞ୍ଚାଇବା ଦରକାର। ଯାହାବଦଳରେ ଏ ଧର୍ମ ରହିବ ଆଉ ଏ ହିନ୍ଦୁ ସମାଜ। ପଣ୍ଡିତମାନେ ଏ କଥା ଚିନ୍ତା କରି ଠାକୁରଙ୍କୁ ସିଂହାସନରୁ ଅପସାରିତ କରିବା ପାଇଁ ନିଷ୍ପତ୍ତି ନେଲେ।
ସେପଟେ ଯାଜପୁର ପାର ହୋଇ କଟକ ଆଉ ପରେ ପୁରୀରେ ପହଞ୍ଚି ସାରିଥିଲା ଇସ‌୍‍ମାଇଲ ଘାଜି। ମନ୍ଦିର ଭିତରେ ବିଜେ ପ୍ରତିମାନଙ୍କ କ୍ଷତି ପହଞ୍ଚାଇବା ମଧ୍ୟ ଆରମ୍ଭ କରିଦେଇଥିଲା। ପୁରୀ ମନ୍ଦିରରେ ଅତର୍କିତ ଆକ୍ରମଣ କରି ଅନେକ ଦେବ ପ୍ରତିମା ଭାଙ୍ଗି ପକାଇଥିଲା। ଏ ସମୟରେ ଦାକ୍ଷିଣାତ୍ୟରୁ ଫେରିଲେ ଗଜପତି ପ୍ରତାପରୁଦ୍ର ଦେବ। ପୁରୀରେ ପହଞ୍ଚି ଯବନମାନଙ୍କୁ ମୁକାବିଲା କଲେ। ନିଜ ରାଜ୍ୟକୁ ସୁରକ୍ଷିତ କରିବାରେ ସମର୍ଥ ହେଲେ। ଏହି ଯୁଦ୍ଧରେ ତାଙ୍କୁ ଅନେକ ସହାୟତା କରିଥିଲେ ନୀଳଗିରିର ମୁଖିଆ। ବିରାଟ ରାଜ୍ୟ ଭାବେ ପରିଚିତ ନୀଳଗିରିରେ ସେତେବେଳେ ଶାସନ କରୁଥିଲେ ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନ୍ଧାତା। ତାଙ୍କ ବୀରତ୍ୱରେ ବେଶ‌୍‍ ଖୁସି ହୋଇଗଲେ ଗଜପତି ପ୍ରତାପରୁଦ୍ର ଦେବ। ମୁସଲମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିବା ସହ ସେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଭୂଦାର ଚଣ୍ଡୀଙ୍କୁ ମନ୍ଦିରକୁ ସୁରକ୍ଷିତ କରିପାରିଥିଲେ। ଏଣୁ ତାଙ୍କୁ ଗଜପତି ହରିଚନ୍ଦନ ଉପାଧି ମଧ୍ୟ ଦେଲେ। ନାରାୟଣ ବସନ୍ତଙ୍କ ପରାକ୍ରମରେ ପ୍ରଭାବିତ ହୋଇ ଗଜପତି ପ୍ରତାପରୂଦ୍ର ଦେବ ଭଉଣୀ କଲରା ଦେବୀଙ୍କୁ ନାରାୟଣ ବସନ୍ତଙ୍କ ଓ ବିବାହ କରାଇଲେ। ତାଛଡ଼ା ଉତ୍କଳର ଉତ୍ତର ସୀମାର ମୁଖ୍ୟ ସେନାଧ୍ୟକ୍ଷ ଭାବେ ଅଧିଷ୍ଠିତ କରାଇଲେ। ଏାହାଦ୍ୱାରା ନୀଳଗିରି ସାରା ଉତ୍କଳରେ ଏକ ନୂଆ ପରିଚୟ ସୃଷ୍ଟି କଲା। ଆଉ ସେଇଠୁ ନୀଳଗିରିରେ ଏକ ନୂଆ ଯୁଗ ଆରମ୍ଭ ହେଲା।
ନାରାୟଣ ବସନ୍ତ ନୀଳଗିରିର ୧୩ତମ ଶାସକ ରାଜାଥିଲେ। ୧୩ତମ ଶାସକଭାବେ ୧୫୨୧ରୁ ୧୫୬୪ଯାଏ ରାଜା ଶାସନ କରିଥିଲେ । ଉତ୍କଳର ଗଜପତିଙ୍କ ଜଣେ ସେନାଧ୍ୟକ୍ଷ ଭାବେ ପରିଚିତ ନାରାୟଣ ବସନ୍ତ । ତାଙ୍କ ସମୟରେ ରାଜଧାନୀ ଥିଲା ଗଡ଼ଡିହ। ଏବେ ଏହା ଗରଡ଼ି ଗାଁ ଭାବେ ପରିଚିତ। ରାଣୀ କଲରାଦେବୀ ପୁଚରୁଷୋତ୍ତମକ୍ଷେତ୍ରରୁ ଆସିଥିବାରୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଳା। ଏଣୁ ସେ ରାଜାଙ୍କୁ ଅନୁରୋଦ କଲେ ନୀଳଗିରିରେ ଜଗନ୍ନାଥଙ୍କୁ ସ‌୍‍ାପନ କରିବାକୁ। ଏହି କ୍ରମରେ ପ୍ରତିଷ୍ଠା ହେଲା ଶ୍ରୀ ଦଧିବାମନଜୀଊ ମନ୍ଦିର ।
ଯେତେବେଳେ ମରହଟ୍ଟା ଆକ୍ରମଣକୁ ପ୍ରତିହତ କରିବାର ସମୟ ଆସିଲା ସେତେବେଳେ ୩୨ତମ ଶାସକ ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଗଡ଼ଡିହରୁ ରାଜଧାନୀକୁ ନିଜଗଡ଼କୁ ପରିବର୍ତ୍ତନ କରିବା ପାଇଁ ଚିନ୍ତା କଲେ। ନୂଆ ରାଜଧାନୀ ତିଆରି ସହ ଏଠାରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ ଏକ ସୁନ୍ଦର ମନ୍ଦିର। ଯାହା ସମ୍ପୂର୍ଣ୍ଣଭାବେ ଉତ୍କଳୀୟ କାରୁ କାର୍ଯ୍ୟ ଓ ଶୈଳୀରେ ତିଆରି ହୋଇଥିଲା।
ମନ୍ଦିରରେ ଏହାର ସ୍ଥାପନା ସମୟ ବିଷୟରେ ଉଲ୍ଲେଖ କରାଯାଇଛି। ଯାହାକି ପାଖାପାଖି ୧୭୫୦ ମସିହା। ମନ୍ଦିର ବାହାରେ ସୁ-ଉଚ୍ଚ ସ୍ତମ୍ଭରେ ଅରୁଣ ଦେବତା ବିରାଜମାନ । ମୁଖଶାଳା ପରେ ନାଟ ମଣ୍ଡପ, ଭୋଗ ମଣ୍ଡପ ଏବଂ ଗର୍ଭ ଗୃହ ସବୁକିଛି ଉତ୍କଳୀୟ ପରମ୍ପରାରେ ତିଆରି ହୋଇଛି । ମୁଖ୍ୟମନ୍ଦିରକୁ ପ୍ରବେଶ କଲାପୂର୍ବରୁ ବାମପଟେ ଶିବ ମନ୍ଦିର ଏବଂ ଡାହାଣପଟେ ରହିଛି ସ୍ନାନ ବେଦୀ । ବେଶ‌୍‍ ସୁନ୍ଦର କାରୁ କାର୍ଯ୍ୟ ଏ ସମ୍ପନ୍ନ ମନ୍ଦିର । ଭିତରେ ଠାକୁରବି ଖୁବ‌୍‍ ସୁନ୍ଦର।
ଥରେ ଶ୍ରୀଜୀଉଙ୍କୁ ଦର୍ଶନ ସାରି ବେଢ଼ା ବୁଲି ଆସନ୍ତୁ । ବେଢ଼ାରେ ବିମଳାଙ୍କ ମନ୍ଦିର ଆଉ ପ୍ରସିଦ୍ଧ କ୍ଷୀରା ଭୋଗ । ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ଯାଏ ଏଠାରେ ମାଟି କେଟ୍ଟାରୀରେ କ୍ଷୀରା ଭୋଗ ମିଳୁଛି । ତାର ସ୍ୱାଦରେ ଥିବା ନିଆରାପଣକୁ ମଧ୍ୟ ଆପଣ ବାରି ପାରିବେ ।
ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତିଆରି ସହ ସେ ରଥଯାତ୍ରା ମଧ୍ୟ ଆରମ୍ଭ କରିଥିଲେ। ପୁରୀର ରଥଯାତ୍ରାକୁ ସମ୍ମାନ ଜଣାଇ ଏଠାରେ ରଥଯାତ୍ରା ପର୍ବ ଦିନେ ବିଳମ୍ୱରେ ସେତେବେଳେ ଆରମ୍ଭ କରାଯାଇଥିଲା। ଯାହା ଆଜି ଏଠାରେ ପରମ୍ପରା ଭାବେ ପରିଚିତ। ରଥଯାତ୍ରା ଦିନ ଏଠାରେ ଶଅୀ ଜୀଉଙ୍କୁ ପହଣଡି ବିଜେ କରାଯାଉଥିଳେ ମଧ୍ୟ ତା ପରଦିନହିଁ ରଥ ଟଣାଯାଇଥାଏ।
ରାମଚନ୍ଦ୍ର ମର୍ଦ୍ଦରାଜ ସେତେବେଳେ ଯେଉଁ ପ୍ରାସାଦ ତିଆରି କରିଥିଲେ ତାହା ଏଠାରେ ପୁରୁଣା ପ୍ରାସାଦ ନାଁରେ ପରିଚିତ। ଭାଇ ଭାଗ ବଣ୍ଟା ହୋଇଥିବାରୁ ଏହା ବର୍ତ୍ତମାନ ରାଜ ପରିବାରର କୌଣସି ଏକ ପିଢ଼ୀ ହାତରେ ରହିଛି। ଯାହାକି ଆଉ ବ୍ୟବହାର ହେଉ ନାହିଁ। ରାଜ ନଅର ଭିତରକୁ ପ୍ରବେଶ କରିବା ପରେ ଯେଉଁ ପୁରୁଣା ଭଙ୍ଗା ଉଆସଟି ସାମନାକୁ ଆସିବ ତାହା ହେଉଛି ସେଇ ପ୍ରାସାଦ। ସେତେବେଳେ ଏଠାରୁ ରାଜ କାର୍ଯ୍ୟ ପରିଚାଳନା ହେଉଥିଲା। ଅର୍ଥାତ‌୍‍ ଏହା ଥିଲା ନୀଳଗିରିର ରାଜ ଦରବାର । ଏହିଠାରେ ନୀଳଗିରିର ତିନୋଟି ପିଢ଼ୀ ଶାସନ କରିଛନ୍ତି । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନନ୍ଦନ ଏହାକୁ ପରିକଳ୍ପନା କରିଥିବା ବେଳେ ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜ ଏବଂ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ଏହାର କଳେବର ବୃଦ୍ଧି କରିଥିଲେ। ୧୭୦୦ ମସିହା ଆରମ୍ଭରେ ଏହି ରାଜ ଉଆସ ତିଆରି ହୋଇଥିଲା । ଏବେ ଏହା ଭାଙ୍ଗିରୁଜି ଯାିଥିଲେ ମଧ୍ୟ ସେତେବେଳେ ତିଆରି ହୋଇଥିବା ଶ୍ର୍ର ଜଗନ୍ନାଥଙ୍କ ମନ୍ଦିର ଏବେ ନୀଳଗିରି ସାଂସ୍କୃତିକ ଓ ଧାର୍ମିକ କେନ୍ଦ୍ରସ୍ଥଳୀଭାବେ ପରିଚିତ।
ଜଗନ୍ନାଥ ମନ୍ଦିର ଏବେ ନୀଳଗିରିର ଏକ ପ୍ରମୁଖ ଆକର୍ଷଣ ।
ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ରାଜା ନଅର ସହ ଏଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ସ୍ଥାପନ କରିଥିଲେ । ଏହାସହ ରାଧାକିଶୋର ମନ୍ଦିର, କନକଦୁର୍ଗା ମନ୍ଦିର ମଧ୍ୟ ସେ ସ୍ତାପନ କରିଥିଲେ। ଏବେବି ଏହି ମନ୍ଦିରଗୁଡ଼ିକ ରାଜ ପ୍ରାସାଦ ପରିସରରେ ଶୋଭା ପାଉଛନ୍ତି। ଏହାଛଡ଼ା ଏକ ପାବଚ୍ଛ କୂଅ ମଧ୍ୟ ସ୍ଥାପନ କରାଯାିଥିଲା। ସେତେବେଳେ ରାଣୀ ଏହି ପାବଚ୍ଛଗୂଅରେ ଗୁପ୍ତରେ ସ୍ନାନ କରି ଦେବ ଦେବୀଙ୍କୁ ଦର୍ଶନ ନିମିତ୍ତ ଯିବା ପାଇଁ ଏହି ବ୍ୟବସ୍ଥା ହୋିଥିଲା। ଯାହାକି ଓଡ଼ିଶାର ଆଉ କୌଣସି ରାଜବାଟୀରେ ଦେଖିବାକୁ ମିଳେ ନାହିଁ। ଏବେ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନରେ ମଧ୍ୟ ପରିଣତ ହୋଇଛି।

ହରିହର ପଣ୍ଡା, ଏମ୍‌ଆଇଜି-୫୧, ଅନନ୍ତ ବିହାର ପାଖରୀପୁଟ, ଭୁବନେଶ୍ବର-୨୦