ନିର୍ବାଚନ ପାଇଁ ଗାଁରେ ମଦବର୍ଷା

0
96
advertisement

ଭୁବନେଶ୍ୱର,(ଓଟି): ଭୋଟରଙ୍କୁ ପ୍ରଭାବିତ କରିବାକୁ ଗାଁ ଗହଳିରେ ମଦ ଏବେ ଏକ ପ୍ରମୁଖ ମାଧ୍ୟମ ହୋଇଛି । ମଦ ବିରୋଧରେ ଅନେକ ଆନ୍ଦୋଳନର ପ୍ରଭାବ ନିର୍ବାଚନ ବେଳେ ଯେମିତି ଗାଏବ ହୋଇଯାଇଛି । ପଂଚାୟତ ନିର୍ବାଚନ ସହ ଗାଁରେ ମଦବର୍ଷା ବଢ଼ିଚାଲିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୩ ପ୍ରତିଶତ ବିଦେଶୀ ମଦ, ବିଅର ବିକ୍ରି ଦୁଇ ପ୍ରତିଶତ ବଢ଼ିଛି । ପଂଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଉଠୁଛି-ପଡୁଛି ।

ରାଜ୍ୟ ପାନୀୟ ନିଗମ ଲିମିଟେଡର ତଥ୍ୟ ଅନୁଯାୟୀ, ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୩ ପ୍ରତିଶତ ବିଦେଶୀ ମଦ ବିକ୍ରି ବଢ଼ିଛି । ଗତ ବର୍ଷ ଜାନୁଆରୀ ମାସରେ ୬ ଲକ୍ଷ ୭ ହଜାର ୧୩ କେସ୍ ବା କାର୍ଟୁନ୍ ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ୬ ଲକ୍ଷ ୮୪ ହଜାର ୩୨୪ କେସ୍ ବା କାର୍ଟୁନ୍ ମଦ ବିକ୍ରି ହୋଇଛି ।

ସେହିଭଳି ବିଅର ବିକ୍ରି ବି ଦୁଇ ପ୍ରତିଶତ ବଢ଼ିଛି । ଗତ ବର୍ଷ ଜାନୁଆରୀ ମାସରେ ୨ ଲକ୍ଷ ୩୫ ହଜାର ୫୭୧ କାର୍ଟୁନ୍ ମଦ ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ୨ ଲକ୍ଷ ୪୦ ହଜାର ୮୧୯ କାର୍ଟୁନ୍ ମଦ ବିକ୍ରି ହୋଇଛି । ଦେଶୀ ମଦ ବିକ୍ରିରେ ବିଶେଷ ପରିବର୍ତନ ହୋଇନାହିଁ ।