ଧାରା ୩୭୭ : ଦୁତୀ ହେବାର ଦୁଃଖ

0
478
advertisement

ବିଭୁତି ପତି ଜଣେ ବିଶ୍ଳେଷକ ତଥା ସ୍ଵାଧୀନ ଚିନ୍ତକ। ଏହି ଆଲେଖ୍ୟରେ ସେ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଶୀଳନ।


ଗତ କିଛି ସପ୍ତାହ ତଳେ ଜଗତସିଂହପୁର ଅଞ୍ଚଳର ଜଣେ ୧୯ବର୍ଷର ଝିଅକୁ ଗଛରେ ବାନ୍ଧି ସର୍ବ ସମ୍ମୁଖରେ ଆଇନକୁ ହାତକୁ ନେଇ କିଛି ଲୋକ ମରଣାନ୍ତକ ମାଡ ମାରିଥିଲେ । ଏହା ନିର୍ଦୟ ଥିଲା । ସେହି ଝିଅଟିର ଅପରାଧ ଦର୍ଶାଯାଇଥିଲା, ସେ ନିଜ ଗ୍ରାମର ଅନ୍ୟ ଏକ ଝିଅ ସହିତ “ସମଲିଙ୍ଗୀ ଯୌନ ସମ୍ପର୍କ’ ରଖିଛିି । ସ୍ଥାନୀୟ ଅଞ୍ଚଳର କିଛି ଜନସାଧାରଣ ଏହାକୁ ପ୍ରକୃତି ବିରୋଧି, ଅନୀତି ତଥା ସମାଜରେ ଅନୁଚିତ ପ୍ରଥା ଦର୍ଶାଇ ଏଭଳି ମାରଣାନ୍ତକ ଆକ୍ରମଣ କରିଥିଲେ । ପୁନଶ୍ଚ ଏହି ବେଆଇନ କାର୍ଯ୍ୟକୁ ନ୍ୟାୟ ସଙ୍ଗତ ଦର୍ଶାଇଥିଲେ, ଝିଅଟିର ଏଭଳି ସମ୍ପର୍କ ଗାଁ ଗଣ୍ଡାର ସମ୍ମାନକୁ ଲୁଣ୍ଠନ କରିଛି ତେଣୁ ତାକୁ ଦଣ୍ଡ ବିଧାନ କରିବାର ଅଧିକାର ସେମାନଙ୍କର ରହିଛି ବୋଲି ବି କହିଥିଲେ । ଏହି ବେଆଇନ ନିନ୍ଦନୀୟ ଘଟଣା ଜାତୀୟସ୍ତର ବୁଦ୍ଧିଜିବୀ ମହଲରେ ଓ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡିଆ ଧାବିକା ଦୁତୀ ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ସର୍ବସମ୍ମୁଖରେ ଏବଂ ଗଣମାଧ୍ୟମରେ ଦର୍ଶାଇବାର କିଛି ଦିନ ଅନ୍ତରରେ ଏଭଳି ଘଟଣା ପୁଣି ଜାତୀୟ ସ୍ତରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।
ପ୍ରସଙ୍ଗ ହେଉଛି: ଏହା କେତେ ଆଇନ ସଙ୍ଗତ ଏବଂ ଏ ବିଷୟକୁ କାହିଁକି ଆମେ ପାପ ବୋଲି ବିଚାର କରୁଛୁ । ସେ ବିଷୟରେ ବରିଷ୍ଠ ସାମ୍ବାଦିକ ବିଭୁତି ପତିଙ୍କ ଅନୁଶୀଳନ

ଆଇନ ସମ୍ମତ ସମଲିଙ୍ଗୀ ସମ୍ପର୍କ

ବ୍ରିଟିଶ ଶାସନ ସମୟରେ ନିର୍ମିତ “ଇଣ୍ଡିଆନ ପେନାଲ କୋଡ୍‍-୧୮୬୧’ର ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ଭୋଗ, ପ୍ରବଣ ପ୍ରବୃତି ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କକୁ ଏବଂ ଉଭୟ ସମାନ ଓ ବିପରୀତ ଲିଙ୍ଗରେ ମଧ୍ୟ ଅପ୍ରାକୃତିକ ଦୈହିକ ଯୌନ କ୍ରିୟାକୁ ଅପରାଧର ତାଲିକା ଭୁକ୍ତ । ଏଥିପାଇଁ ଦୃଢ଼ ଦଣ୍ଡ ବିଧାନର ଆଇନ ପ୍ରଣୟନ ଇଂରେଜ ଶାସନ ସମୟରେ ହୋଇଥିଲା । ପ୍ରାୟ ୧୫୭ ବର୍ଷ ପରେ ମଧ୍ୟ ଉତ୍ତରାଧିକାରୀ ସୁତ୍ରରେ ହାସଲ କରିଥିବା ଏହି ଆଇନକୁ ସ୍ୱାଧୀନ ଭାରତର ସରକାର ବଳବତ୍ତର ରଖି ଏଭଳି ସମଲିଙ୍ଗୀ ସମ୍ପର୍କରେ ଦଣ୍ଡବିଧାନ ଜାରି ରଖିଥିଲେ । ଅବଶ୍ୟ ୨୦୧୮ ସେପ୍ଟେମ୍ବର ମାସରେ ଭାରତର ସୁପ୍ରିମକୋର୍ଟ ଏଭଳି ଏକ ଆଇନକୁ ଅର୍ଥାତ୍ ଆଇପିସି ଧାରା ୩୭୭କୁ ଖାରଜ କରିଦେଇ ଏହା ଅଣ ସାମ୍ବିଧାନିକ ବୋଲି ଦର୍ଶାଇଥିଲେ । ନିଜ ରାୟରେ ସୁପ୍ରିମକୋର୍ଟ କହିଥିଲେ, ଆଇ.ପି.ସି. ୩୭୭ର ଦଣ୍ଡବିଧାନ ସାଧାରଣ ମଣିଷର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି । ଏଭଳି ସମ୍ପର୍କକୁ (ସହମତି ଭିତ୍ତିରେ) ଅପରାଧର ପରିସରଭୁକ୍ତ କରାଯାଇପାରିବ ନାହିଁ । ସୁସ୍ପଷ୍ଟ ଭାବରେ ଏହା ଅଣସମ୍ବିଧାନିକ କାରଣ ଏହାଦ୍ୱାରା ଜଣେ ବ୍ୟକ୍ତିର ନିଜସ୍ୱ ପରିଚୟ, ନିଜସ୍ୱ ବ୍ୟକ୍ତିଗତ ସ୍ୱାଧୀନତା ଓ ନିଜସ୍ୱ ଅନ୍ତରଙ୍ଗ ଅଧିକାରରେ ଅନଅଧିକାର ଭାବେ ହସ୍ତକ୍ଷେପ କରାଯାଉଛି । ଏଭଳି ସ୍ୱେଚ୍ଛାଚାରିତା, ମନମୁଖୀ ଓ ଅଯୌକ୍ତିକ ହସ୍ତକ୍ଷେପ ବ୍ୟକ୍ତି ଅଧିକାରକୁ ହନନ କରୁଛି ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଧାରା ୩୭୭କୁ ଅପରାଧିକ ଆଇନ୍ ପରିସରରୁ ମୁକ୍ତ କରିଥିଲେ । କିନ୍ତୁ ୨୦୧୩ ରେ ଦିଲ୍ଲୀ ହାଇକୋର୍ଟଙ୍କର ଏହି ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରି ପୁନଶ୍ଚ ୩୭୭ ଧାରାକୁ ବଳବତ୍ତର ରଖି ଏହା ଅପରାଧ ବୋଲି ଦର୍ଶାଇ ରାୟ ଦେଇଥିଲେ । ସେପ୍ଟେମ୍ବର ୨୦୧୮ ମସିହାରେ ସୁପ୍ରିମକୋର୍ଟର ଅନ୍ୟ ଏକ ବେଞ୍ଚ୍‍ ୨୦୧୩ ର ସୁପ୍ରିମ୍ କୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରି ୩୭୭ ଧାରା ଅପରାଧର ପରିସରଭୁକ୍ତ ନୁହେଁ, ବୋଲି ଦର୍ଶାଇଥିଲେ ।

ସହମତି ଭତ୍ତିରେ ପ୍ରାପ୍ତ ବୟସର ବ୍ୟକ୍ତି ବିଶେଷଙ୍କ ଭିତରେ ନିଜସ୍ୱ ସମଲିଙ୍ଗୀ ଯୌନ ସମ୍ପର୍କ ଆଇନ ସମ୍ମତ ଅଟେ । ଏହା ସହିତ ସୁପ୍ରିମକୋର୍ଟ ସରକାରଙ୍କୁ ଏ ଦିଗରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଲେ । ସମଲିଙ୍ଗୀ ବ୍ୟକ୍ତିମାନେ ସମାଜରେ ଯେପରି ହିଂସାର ସମ୍ମୁଖୀନ ନ ହୋଇ ସମ୍ମାନର ସହ ବଞ୍ଚିବେ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ଏହା ସହିତ ସାମାଜିକ କଳଙ୍କ, ବ୍ୟାଧି ଅସମ୍ମାନର ଆଖ୍ୟା ଦେଇ ଯେଉଁମାନେ ଏଭଳି ସମଲିଙ୍ଗୀ ସମ୍ପର୍କ ଯୋଡ଼ିଙ୍କୁ ଆକ୍ରମଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପରାଧ ବୋଲି ନିଜ ରାୟରେ ଦର୍ଶାଇଲେ । ଆଇନକୁ ହାତକୁ ନେଇ ଯେଉଁ ବ୍ୟକ୍ତିମାନେ ସମଲିଙ୍ଗୀ ସମ୍ପର୍କରେ ଥିବା ଯୋଡ଼ିମାନଙ୍କୁ ଆକ୍ରମଣ କରିବା କିମ୍ବା ସେମାନଙ୍କୁ ବଳପୂର୍ବକ ଅଲଗା କରିବା ତଥା ଧମକ ଦେବାକୁ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ସୁପ୍ରିମ କୋର୍ଟ ଦର୍ଶାଇଲେ ।

କିନ୍ତୁ ମାନ୍ୟବର କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନ ସମ୍ମତ ଭାବେ ଯଦିଓ ସ୍ୱିକୃତୀ ଦେଇଛନ୍ତି ମାତ୍ର ସମଲିଙ୍ଗୀ ବିବାହ ସମ୍ପର୍କରେ କୋର୍ଟ ନୀରବ ରହିଛନ୍ତି । ଆଇନ ବିଶେଷଜ୍ଞଙ୍କ ଦାବି ସତ୍ତେ୍ୱ ଏହା ଉପରେ କୌଣସି ସ୍ପଷ୍ଟ ରାୟ ଦିଆଯାଇନାହିଁ । ଏଭଳି ପରିସ୍ଥିତିରେ ଦୁତୀଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ସମଲିଙ୍ଗୀ ସମ୍ପର୍କ ଯଦିଓ ଆଇନ ସମ୍ମତ କିନ୍ତୁ ବିବାହ ଆଜିବି ସମସ୍ୟା ଭିତରେ ଏକ ଅସମାହିତ ପ୍ରଶ୍ନ ପାଲଟିଛି ।


ହରିୟାଣାର ଖାପ୍‍ ପଞ୍ଚାୟତ

ସୁପ୍ରିମକୋର୍ଟଙ୍କର ଏଭଳି ରାୟ ପ୍ରକାଶ ପାଇବାର କିଛି ଦିନ ମଧ୍ୟରେ ହରିୟାଣାର ଦାଦରୀ ଜିଲ୍ଳାର ଚରଖି ଗ୍ରାମର ଜାତି ପଞ୍ଚାୟତ ଦ୍ୱାରା ବିରାଟ ବୈଠକ ଅନୁଷ୍ଠିତ ହୋଇ ଏଭଳି ସମଲିଙ୍ଗୀ ସମ୍ପର୍କ ଏବଂ ଏକତ୍ର ରହିବାର ନିର୍ଦ୍ଦେଶକୁ ଘୋର ବିରୋଧ କରି, ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରାଇ ନ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରଥିଲେ । ଏଥିରେ ହରିୟାଣାର ପ୍ରାୟତଃ ସମସ୍ତ ଗାଁ ଗଣ୍ଡାର ଜାତି ପଞ୍ଚାୟତ ସାମିଲ ହୋଇଥିଲେ । ସମଲିଙ୍ଗୀ ସମ୍ପର୍କ ବିରୋଧରେ କଠୋର ଦଣ୍ଡ ଦେବାକୁ ପଞ୍ଚାୟତ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଭଳି କୋର୍ଟ ନିର୍ଦ୍ଦେଶକୁ ସେମାନଙ୍କ ସମାଜରେ ଗ୍ରହଣ ନ କରିବାର ନିଷ୍ପତ୍ତି ମଧ୍ୟ ସାର୍ବଜନୀକ କରିଦେଇଥିଲେ । ଭାରତରେ ସମଲିଙ୍ଗୀ ଯୌନସମ୍ପର୍କକୁ ଆଇନଗତ ମାନ୍ୟତା ମିଳିଥିଲେ ମଧ୍ୟ ଏହି ଖାପ୍ଗୁଡିକ ସମଲିଙ୍ଗୀ ଯୌନ ସଂପର୍କରେ ଲିପ୍ତ ପୁରୁଷ ଓ ମହିଳାମାନଙ୍କୁ ପାରମ୍ପରିକ ମୂଲ୍ୟବୋଧର ଶତ୍ରୁ ତଥା ସାମାଜିକ ଅସ୍ଥିରତାର କାରକ ରୂପେ ବିଚାର କରନ୍ତି ।

ଖାପ୍‍ଙ୍କର ଏପରି ଆଭିମୁଖ୍ୟ ବହୁ ସମଲିଙ୍ଗୀ ଯୋଡିକୁ ନ୍ୟାୟାଲୟରେ ସୁରକ୍ଷା ଲୋଡିବାକୁ ବାଧ୍ୟ କରିଛି । ୨୦୧୧ ମସିହାରେ ହରିଆଣାର ନ୍ୟାୟାଳୟ ଏକ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବିବାହ ଗୁରୁଗାଓଁ ଜିଲ୍ଲାର ଖେଡକା ଗ୍ରାମର ଦୁଇଜଣ ମହିଳା ସମଲିଙ୍ଗୀ ମଧ୍ୟରେ ହୋଇଥିଲା । ସେମାନେ ଗୁରୁଗାଓଁର ଜଣେ ପବ୍ଲିକ୍ ନୋଟାରୀଙ୍କ ନିକଟରେ ଏକ ଆଫିଡେଭିଟ୍ରେ ସ୍ୱାକ୍ଷର କରି ପରସ୍ପରକୁ ବିବାହ କରିଥିଲେ । ଏଥିରୁ ଜଣେ ଅବିବାହିତା ଥିଲେ । ଅନ୍ୟ ପକ୍ଷରେ ବାଗପତ ଜିଲ୍ଲାର ଏକ ଖାପ୍ ପଞ୍ଚାୟତର ନିର୍ଦ୍ଦେଶ ବଳରେ ସବିତାଙ୍କ ବିବାହ ନାକଚ ହୋଇଯାଇଥିଲା । ଏହି ଯୋଡ଼ିିିକୁ ସେମାନଙ୍କ ବନ୍ଧୁ ବାନ୍ଧବଙ୍କଠାରୁ ଧମକ ମିଳିବା ଆରମ୍ଭ ହୋଇଯାଇଥିଲା । ଫଳସ୍ୱରୂପ ଏହି ଯୋଡ଼ିି କୋର୍ଟରେ ଆବେଦନ କରି ଜଣାଇଥିଲେ ଯେ ସେମାନେ ପରସ୍ପରକୁ ଗତ ୧୫ବର୍ଷ ହେଲା ଜାଣନ୍ତି ଏବଂ ୨୦୧୧ ମସିହା ଜୁନ୍ ମାସରେ ସେମାନେ ଏକତ୍ର ବାସ କରିବାକୁ ନିଷ୍ପତ୍ତି ନେଲେ । ସେମାନଙ୍କ ଓକିଲ ନ୍ୟାୟାଳୟକୁ ଜଣାଇଲେ- ଉଭୟ ଆବେଦନକାରୀ ସେମାନଙ୍କର ବାପା ମା’ଙ୍କୁ ତାଙ୍କର ନିଷ୍ପତ୍ତି ସଂପର୍କରେ ଜଣାଇଛନ୍ତି ମାତ୍ର ସେମାନେ ଏଥିରେ ସହମତ ହେଲେ ନାହିଁ । ବନ୍ଧୁବାନ୍ଧବ ତଥା ଗ୍ରାମବାସୀମାନେ ସେମାନଙ୍କୁ “ଚରମ ପରିଣତି’ର ଧମକ ମଧ୍ୟ ଦେଇଛନ୍ତି । ଖାପ୍ ପଞ୍ଚାୟତଗୁଡିକଠାରୁ ବିପଦର ଆଶଂକା ଆହୁରି ତୀବ୍ର ଥିଲା । କାରଣ ସେମାନେ ଏହି ଯୋଡ଼ିକୁ କଠୋର ଦଣ୍ଡ ଏପରିକି ମୃତ୍ୟୁ ଦଣ୍ଡ ମଧ୍ୟ ଦେଇଥାଆନ୍ତେ!
ଏ କ୍ଷେତ୍ରରେ, ପୁଲିସ୍ ଉଭୟଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଲେ ଏବଂ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ନ୍ୟାୟାଳୟ ସେମାନଙ୍କର ସହାୟତା କଲା ।

ଏପରି ପରିସ୍ଥିତିରେ ଜଗତ୍ସିଂହପୁର ଜିଲ୍ଲାର ଚାନ୍ଦୋଳ ଗ୍ରାମର ସେହି ୧୯ ବର୍ଷ ବୟସର ଝିଅ ଯାହାଙ୍କୁ ଗ୍ରାମବାସୀ ଗୁରୁତର ହାନୀ ପହଞ୍ଚାଇଛନ୍ତି, ସେମାନଙ୍କୁ ଆଇନ୍ ଅନୁଯାୟୀ ସ୍ଥାନୀୟ ପୁଲିସ କାହିଁକି ସୁରକ୍ଷା ଦେବାରେ ବିଫଳ ହେଲା ତାହା ଜାତୀୟ ସ୍ତରରେ ପ୍ରଶ୍ନ ହୋଇ ଉଭା ହୋଇଛି ।

ପାପର ଦାଗ
ଅନ୍ୟ ଏକ ଘଟଣାରେ ହରିୟାଣାର ଜଣେ ୨୧ ବର୍ଷ ବୟସ୍କା ମହିଳା, ତାଙ୍କର ପ୍ରେମିକାଙ୍କୁ ବିବାହ କରି ଏକତ୍ର ବାସ କରି ପାରିବେ ବୋଲି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଥିଲେ । ମାତ୍ର ସେ ଏବେ ଘୋର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି । ବର୍ତ୍ତମାନ ସ୍ୱାମୀ ପାଲଟିଥିବା ଏହି ମହିଳା ଜଣକ ପୁଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାର ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପାଖକୁ ଛାଡୁନାହାନ୍ତି । ଅଭିଯୋଗରେ ସ୍ୱାମୀ ଜଣକ ଦର୍ଶାଇଛନ୍ତି ଯେ ବିଦ୍ୟାଳୟରେ ପଢୁଥିବା ଦିନଠାରୁ ସେମାନେ ପରସ୍ପରର ପ୍ରେମରେ ପଡିଯାଇଥିଲେ । ଉଭୟଙ୍କ ପରିବାର ସମଲିଙ୍ଗୀ ବିବାହ ପାଇଁ ରାଜି ନ’ହେବାରୁ ତାଙ୍କୁ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ପଡିଲା । ହରିଆଣାର ଆଉ ଏକ ଅନୁରୂପ ଯୁବଯୋଡ଼ି ସେମାନଙ୍କର ପରିବାରର ପ୍ରତିବନ୍ଧକକୁ ବେଖାତିର କରି ଏକ ହିନ୍ଦୁ ମନ୍ଦିରରେ ଭାରତର ପ୍ରଥମ ସମଲିଙ୍ଗୀ ପୁରୁଷ ବିବାହ କରିଥିଲେ ।
ଏତେସବୁ ଘଟଣା ପରେ ପ୍ରଶ୍ନ କାହିଁକି ଏଥିରେ ପାପର ଦାଗକୁ ଯୋଡ଼ା ଯାଉଛି?

ସରକାରୀ ତଥା ଆଇନଗତ ସ୍ୱୀକୃତି ପାଇବା ସତ୍ତେ୍ୱ ସମଲିଙ୍ଗୀ ସଂପର୍କକୁ ସମାଜର ମୁଖ୍ୟ ସ୍ରୋତରେ ଏହାକୁ ମୁଖ୍ୟତଃ “ପାପ’ ଏବଂ “ବିକୃତି’ ବୋଲି ବିଚାର କରାଯାଉଛି । ବାବା ରାମଦେବ, ମାନ୍ୟବର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ସମଲିଙ୍ଗ ସମ୍ପର୍କକୁ ଏକ ବିକାର ଓ ରୋଗ ବୋଲି ଅଭିହିତ କରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଏହି ରୋଗ ଚିକିତ୍ସାସାଧ୍ୟ ଏବଂ ଯୋଗରେ ଏହି ରୋଗର ଗୋଟିଏ ପ୍ରକାରର ଚିକିତ୍ସା ରହିଛି । ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ କହିଛନ୍ତି ଯେ ସମଲିଙ୍ଗୀ ସମ୍ପର୍କ ହିନ୍ଦୁ ଧର୍ମଶାସ୍ତ୍ରର ବିରୋଧୀ ଏବଂ ଏହାର ଚିକିତ୍ସା କରାଯାଇ ପାରିବ କି’ ନାହିଁ ସେଥିପାଇଁ ଡାକ୍ତରୀ ଗବେଷଣା ଆବଶ୍ୟକ । ସେହିପରି ଖ୍ରୀଷ୍ଟିଆନ୍ ସଂପ୍ରଦାୟର କେତେକ ଗୋଷ୍ଠୀ ସମଲିଙ୍ଗୀ ସମ୍ପର୍କକୁ ଘୋର ପ୍ରତିିବାଦ କରି ଏହା ବାଇବେଲ୍ର ବିରୋଧୀ ବୋଲି କୁହନ୍ତି । ସମଲିଙ୍ଗୀ ଯୌନ ସଂପର୍କ ସଂକ୍ରନ୍ତରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟକୁ କଂଗ୍ରେସ ଦଳ ସର୍ବତ୍ର ସ୍ୱାଗତ କରିଥିଲେ, କିନ୍ତୁ ଭାରତୀୟ ଜନତା ଦଳ ମୋଟାମୋଟି ଭାବେ ନୀରବତା ହିଁ ଅବଲମ୍ବନ କରିଛି ।


ଧର୍ମରେ ପରସ୍ପର ବିରୋଧୀ ମତ

ହିନ୍ଦୁ ଧର୍ମ ହେଉ ଅଥବା ଇସ୍ଲାମ୍, ଖ୍ରୀଷ୍ଟିଆନ୍ କିମ୍ବା ବୌଦ୍ଧଧର୍ମ, ପ୍ରତ୍ୟେକଟିରେ ସମଲିଙ୍ଗ ସମ୍ପର୍କକୁ ନେଇ ଦ୍ୱିଧା ବିଭକ୍ତ ମତସବୁ ରହିଛି । ଏହି ଧର୍ମଗୁଡିକର ଗ୍ରନ୍ଥ ବା ପୁରାଣରୁ ଉଦ୍ଧାର କରି ସେମାନେ ଉଭୟ ପ୍ରକାରର ଯୁକ୍ତିକୁ ପ୍ରତିପାଦିତ କରନ୍ତି ।
ଏହା ସତ୍ତେ୍ୱ ଏକଥା ବେଶ ସ୍ପଷ୍ଟ ଯେ ନିଜର ଧର୍ମ, କର୍ମ ନିର୍ବିଶେଷରେ ବିପୁଳ ସଂଖ୍ୟାରିଷ୍ଠ ଲୋକେ ଏକଥା ବିବେଚନା କରନ୍ତି ଯେ ସମଲିଙ୍ଗୀ ସମ୍ପର୍କ “ଅପ୍ରାକୃତିକ’, “ଅସ୍ୱାଭାବିକ’ ଏବଂ ଏହା ଗ୍ରହଣୀୟ ନୁହେଁ ତଥା ଏହା ଏକ ରୋଗ । ସମଲିଙ୍ଗୀ ସମ୍ପର୍କକୁ ସାମାଜିକ ବିକୃତୀ ତଥା ନିଶାସେବନ ଏବଂ ଏଚ୍.ଆଇ.ଭି କିମ୍ବା ଏଡସ୍ ସହ ମଧ୍ୟ ଯୋଡ଼ା ଯାଇଥାଏ, ଏପରିକି ଏହା ଧର୍ମ ବିରୋଧୀ ବୋଲି ମଧ୍ୟ କୁହାଯାଏ ।

କେତେକ ଗଣମାଧ୍ୟମ ଅନେକ ସମୟରେ ସମଲିଙ୍ଗୀ ଯୌନାଚାର କରୁଥିବା ପୁରୁଷ ଓ ମହିଳାମାନଙ୍କୁ ସାଧାରଣତଃ ଅତ୍ୟନ୍ତ ହିଂସ୍ର ବୋଲି ବର୍ଣ୍ଣନା କରିଥାନ୍ତି । ଅନେକ କ୍ଷେତ୍ରରେ ସେମାନଙ୍କର ପ୍ରେମ ଓ ଯୌନ ଜୀବନକୁ ହିଂସା ସହିତ ଯୋଡ଼ି ଦିଆଯାଏ ଏବଂ ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିବିଶେଷଙ୍କୁ ପାରମ୍ପରିକ ମୂଲ୍ୟବୋଧର ଶତ୍ରୁ ବୋଲି ଚିତ୍ରଣ କରିଥାଏ ।
ଏଥିରୁ ଏକଥା ସ୍ପଷ୍ଟ ହେଉଛି ଯେ ସରକାରୀ ତଥା ଆଇନଗତ ସ୍ୱୀକୃତି ସତ୍ତେ୍ୱ ସମଲିଙ୍ଗୀ ସମ୍ପର୍କ ଏବେ ମଧ୍ୟ ପାପର କଳଙ୍କ ତଥା ବିକୃତି ରୂପେ ବିଚେନା କରାଯାଉଛି ।

ନିକଟରେ ରୋମ୍ ଭାଟିକାନ୍ ସିଟିରେ ଅନୁଷ୍ଠିତ ହୋଇଥିବା ବିଶପ୍ମାନଙ୍କ ସମ୍ମିଳନୀରେ ଯେଉଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ସମଲିଙ୍ଗୀମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନା ପ୍ରଦର୍ଶନ କରାଯିବାକୁ କୁହାଯାଇଛି । ଦୀର୍ଘ ୨ସପ୍ତାହ ଧରି ପୋପ୍ ଫ୍ରାନ୍ସିସଙ୍କ ଅଧ୍ୟକ୍ଷତାରେ ଚାଲିଥିବା ସମ୍ମିଳନୀରେ ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିଙ୍କ ବିଷୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ସେମାନଙ୍କ ସ୍ୱାଗତ କଲାଭଳି ଭାଷା ବ୍ୟବହାର କରାଯାଇଥିଲା । ତେବେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଅନେକ ବିରୋଧାଭାସ ପ୍ରକାଶ ପାଇଥିଲା ।

ସମଲିଙ୍ଗୀ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କୁ ଅପବାଦ ମୁକ୍ତ କରିବା ସକାଶେ ସମାଜ ଓ ବ୍ୟକ୍ତିବିଶେଷମାନଙ୍କର ମାନସିକତାରେ ପରିବର୍ତ୍ତନ ଘଟିବା ଆବଶ୍ୟକ । କେବଳ ଆଇନ୍ ପ୍ରଣୟନ କରିଦେବା କିମ୍ବା ନ୍ୟାୟାଳୟରେ ଆଇନଗତ ତର୍ଜ୍ଜମା କରାଯିବା ଯଥେଷ୍ଟ ନୁହେଁ ।

ପରିସ୍ଥିତିରେ ପରିବର୍ତ୍ତନ ଘଟିବା ପର୍ଯ୍ୟନ୍ତ ସମଲିଙ୍ଗୀମାନଙ୍କୁ ଦୁତୀ ଚାନ୍ଦଙ୍କ ପରି ଜୀବନ ଯାପନ କରିବାକୁ ପଡିବ, ଯାହାକୁ କି ସିଏ ନିଜେ “ନକରାତ୍ମକ ପ୍ରଚାର’ର ଆଖ୍ୟା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ସମଲିଙ୍ଗୀମାନଙ୍କୁ, ସେମାନଙ୍କର ଯୌନଢାଞ୍ଚା ସଂପର୍କରେ କଥାବାର୍ତ୍ତା କରିବାର ସାହାସ ଦେଇଛି ସିନା କିନ୍ତୁ ଏସବୁ ସୂଚାରୁ ରୂପେ ଗ୍ରହଣ କରିବା ସକାଶେ ବାସ୍ତବତାରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହା ନହୋଇପାରିଲେ ଆଗାମୀ ଦିନରେ ସୁକୁମାରୀ ଶର୍ମିଳା ଭଳି ଏକାଧିକ ନିରପରାଧିନୀମାନଙ୍କୁ ସମାଜ ଏଭଳି ବର୍ବର ଆକ୍ରମଣ କରିବାକୁ ପଛାଇବ ନାହିଁ । ତେବେ ଜଗତସିଂହପୁର ଭଳି ଅନେକ ସ୍ଥାନରେ ଏପରି ବିଶ୍ୱାସୀଙ୍କୁ ସୁରକ୍ଷା ଦେଇ ପୁଲିସ ପ୍ରଶାସନ ତାଙ୍କୁ ଆକ୍ରମଣ କରିଥିବା ଅପରାଧୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ଅନୁଯାୟୀ ଦଣ୍ଡବିଧାନ କରିଲେ ଭବିଷ୍ୟତରେ ଏଭଳି ଅନେକ ଜୀବନ ସ୍ୱାଧୀନ ଭାବରେ ବଞ୍ଚିବାର ଅଧିକାର ପାଇପାରିବ ।

ସୁପ୍ରିମ କୋର୍ଟର ବରିଷ୍ଠ ଆଇନୀଜୀବୀ ବିଶ୍ୱଜିତ୍ ଦାସ କୁହନ୍ତି, “”୩୭୭ ଧାରାର ବିଚାର ଶୁଣାଣି ବେଳେ କୋର୍ଟ ଧାରା ୩୭୭ର ଅପରାଧିକ ଦିଗ ଓ ଏହାର ଦଣ୍ଡବିଧାନ ଉପରେ ଶୁଣାଣି କରିଥିଲେ । ଏହାକୁ ନେଇ ସୁପ୍ରିମ କୋର୍ଟ ନିଜ ରାୟ ଓ ନିର୍ଦ୍ଦେଶରେ ଦର୍ଶାଇଥିଲେ, ଧାରା ୩୭୭ରେ ଅପରାଧ ଓ ଦଣ୍ଡବିଧାନ ବ୍ୟକ୍ତିର କେତେକ ମୌଳିକ ଅଧିକାର ଓ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏହି ଦଣ୍ଡ ବିଧାନକୁ ଖାରଜ କରି ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିମାନଙ୍କୁ ନିଜର ସ୍ୱାଧୀନ ଭାବେ ବଞ୍ଚବାର ଅଧିକାର ଦେବା ସହିତ ସହମତି ଭିତ୍ତିରେ ଯୌନ ସମ୍ପର୍କକୁ ୩୭୭ଧାରର ଦଣ୍ଡବିଧାନରୁ ମୁକ୍ତ କରିଥିଲେ ।’

ଯେତେବେଳ କୋର୍ଟ ନିଜ ରାୟରେ ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିମାନଙ୍କୁ ଏକାଠି ରହିବା ଏବଂ ସେମାନଙ୍କର ଯୌନ ସମ୍ପର୍କକୁ ସ୍ୱୀକୃତି ଦେଲେ ସେତେବେଳ ଏହା ନିଶ୍ଚିତ ବୁଝା ପଡ଼ୁଛି ସମଲିଙ୍ଗୀ ସମ୍ପର୍କ ବ୍ୟକ୍ତିମାନେ ଚାହିଁଲେ ନିଜ ଇଚ୍ଛା ଅନୁଯାୟୀ ବିବାହ କରିପାରିବେ । ଏଥିରେ କେହି ବାଧା ଦେଇପାରିବେ ନାହିଁ ଏବଂ ଏହା ଆଇନ ସମ୍ମତ ତଥା ଏହାକୁ ବିରୋଧ କରି ସାମାଜିକ ରୀତି ନିୟମର ଆଳ ଦେଖାଇ ଯଦି କେହି ସମଲିଙ୍ଗୀ ଯୋଡ଼ିଙ୍କୁ ଧମକ, ଆକ୍ରମଣ କରେ ତେବେ ତାହା ଅପରାଧର ପରିସରଭୁକ୍ତ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମତ ଦେଉଛନ୍ତି ଧାରା ୩୭୭ ର ଶୁଣାଣି ବେଳେ ମାନ୍ୟବର କୋର୍ଟ ସମଲିଙ୍ଗୀ ସମ୍ପର୍କର ବିବାହକୁ ନେଇ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ଏବଂ ନୀରବ ରହିଛନ୍ତି, ସେମାନେ ବୁଝିବା ଦରକାର ଧାରା ୩୭୭ର ଶୁଣାଣି କେବଳ ଏହାର ଅପରାଧିକ ଓ ଦଣ୍ଡବିଧାନ ଉପରେ ପର୍ଯ୍ୟବେଶିତ ଥିଲା । ଏଠାରେ ସମଲିଙ୍ଗୀମାନଙ୍କର ବିବାହ ପ୍ରସଙ୍ଗର ଶୁଣାଣି ହେଉନଥିଲା । ପୁନଶ୍ଚ ଯେତେବେଳେ ମାନ୍ୟବର କୋର୍ଟ ସେମାନେ ଏକତ୍ର ରହିପାରିବେ ଏବଂ ସ୍ୱାଧୀନ ଭାବେ ଜୀବନଯାପନ କରିପାରିବେ ବୋଲି ରାୟ ଦେଲେ ସେତେବେଳେ ବିବାହ ମଧ୍ୟ କରିବା ଅଧିକାର ସାବ୍ୟସ୍ତ ହୋଇଗଲା ବୋଲି ଏହା ସ୍ପଷ୍ଟ ବୁଝା ପଡ଼ୁଛି।

ତେବେ ସମଲିଙ୍ଗୀ ସମ୍ପର୍କର ଯୋଡ଼ିମାନେ ବିବାହ କରିବା ପରେ ଏକ ମୁଖ୍ୟ ସମସ୍ୟା ଆଇନର ସୂକ୍ଷ୍ମ ବିଚାରରେ ଉପସ୍ଥାପିତ ହେବ । ସମଲିଙ୍ଗ ସମ୍ପର୍କର ଯୋଡ଼ି ଯେତେବେଳ ବିବାହ କରିସାରିବେ, ସେତେବେଳେ ଉଭୟ ବୈବାହିକ ସମ୍ପର୍କରେ ଯଦି ବିବାହିତ ବୋଲି ଦର୍ଶାଇବେ, ସେହି ସମଲିଙ୍ଗୀ ଯୋଡ଼ି ପାର୍ସପୋର୍ଟ ଓ ଭିସା, ରେସନ୍ କାର୍ଡ଼, ପୋଷ୍ୟ ସନ୍ତାନ ଗ୍ରହଣ ତଥା ପେନ୍ସନ୍ ଏବଂ ଅନ୍ୟାନ୍ୟ ସରକାରୀ ରେକର୍ଡ଼ରେ, କିଏ ସ୍ୱାମୀ ଓ ସ୍ତ୍ରୀ ବୋଲି ପରିଚୟ ଦେଇ ଉଲ୍ଲେଖ କରିବେ ତାହା ଆଜି ବି ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି । ଆଇନର ସୂକ୍ଷ୍ମ ଦିଗରେ ଏହି ସମସ୍ୟାଟି ସମଲିଙ୍ଗୀ ସମ୍ପର୍କର ବିବାହରେ ଏକ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ବୋଲି ଆଇନଜୀବୀ ବିଶ୍ୱଜିତ୍ ଦାସ ମତ ଦିଅନ୍ତି ।
ଞ୍ଚଞ୍ଚଞ୍ଚଞ୍ଚ

ତେବେ ସମଲିଙ୍ଗୀ ସମ୍ପର୍କର ଯୋଡ଼ିମାନେ ବିବାହ କରିବା ପରେ ଏକ ମୁଖ୍ୟ ସମସ୍ୟା ଆଇନର ସୂକ୍ଷ୍ମ ବିଚାରରେ ଉପସ୍ଥାପିତ ହେବ । ସମଲିଙ୍ଗ ସମ୍ପର୍କର ଯୋଡ଼ି ଯେତେବେଳ ବିବାହ କରିସାରିବେ, ସେତେବେଳେ ଉଭୟ ବୈବାହିକ ସମ୍ପର୍କରେ ଯଦି ବିବାହିତ ବୋଲି ଦର୍ଶାଇବେ, ସେହି ସମଲିଙ୍ଗୀ ଯୋଡ଼ି ପାର୍ସପୋର୍ଟ ଓ ଭିସା, ରେସନ୍ କାର୍ଡ଼, ପୋଷ୍ୟ ସନ୍ତାନ ଗ୍ରହଣ ତଥା ପେନ୍ସନ୍ ଏବଂ ଅନ୍ୟାନ୍ୟ ସରକାରୀ ରେକର୍ଡ଼ରେ, କିଏ ସ୍ୱାମୀ ଓ ସ୍ତ୍ରୀ ବୋଲି ପରିଚୟ ଦେଇ ଉଲ୍ଲେଖ କରିବେ ତାହା ଆଜି ବି ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି । ଆଇନର ସୂକ୍ଷ୍ମ ଦିଗରେ ଏହି ସମସ୍ୟାଟି ସମଲିଙ୍ଗୀ ସମ୍ପର୍କର ବିବାହରେ ଏକ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ବୋଲି ଆଇନଜୀବୀ ବିଶ୍ୱଜିତ୍ ଦାସ ମତ ଦିଅନ୍ତି ।